spot_img
Home Blog Page 2866

ଦିନ ୨ଟାରୁ ମହାପ୍ରଭୁଙ୍କୁ କରାଯିବ ଚିତାଲାଗି, ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଆଜି ପବିତ୍ର ଚିତାଲାଗି ଅମାବାସ୍ୟା । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ମଧ୍ୟରେ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଗତ ସ୍ନାନପୂର୍ଣ୍ଣମୀରେ ଅତ୍ୟଧିକ ସ୍ନାନ ହେତୁ ମହାପ୍ରଭୁ ଅଣସର ପିଣ୍ଡିରେ ଜ୍ବରରେ ପୀଡିତ ହୋଇପଡିଥିବା ବେଳେ ସୁବର୍ଣ୍ଣ ଖଚିତ ଚିତାକୁ ଲାଗି କରାଯାଇଥିଲା । ସେହି ଚିତାକୁ ଭଣ୍ଡାର ଘରେ ସୁରକ୍ଷିତ ରଖାଯାଇଥିବା ବେଳେ ଆଜି ଅମାବାସ୍ୟା ତିଥିରେ ଭଣ୍ଡାର ଘରୁ ଅଣାଯାଇ ମହାପ୍ରଭୁଙ୍କ ଶ୍ରୀମସ୍ତକରେ ଲାଗି କରାଯିବ ।

ମହାପ୍ରଭୁ ଜଗନ୍ନାଥଙ୍କୁ ହୀରା, ଶ୍ରୀବଳଭଦ୍ରଙ୍କୁ ମାଣିକ୍ୟ ଓ ଦେବୀ ସୁଭଦ୍ରାଙ୍କୁ ଲୀଳା ଖଚିତ ସୁବର୍ଣ୍ଣଚିତା ପରମ୍ପରା ଅନୁସାରେ ଲାଗି କରାଯିବ । ଏହା ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ନୀତି ପରେ ଆପାତଃ ଦିନ 2ଟାରୁ ସନ୍ଧ୍ୟା 6ଟା ମଧ୍ୟରେ ଚିତା ଲାଗି କରାଯିବ । ଏହି ସମୟରେ ସାଧାରଣ ଦର୍ଶନ ପ୍ରାୟ ୪ ଘଣ୍ଟା ଧରି ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ତେବେ ଏହି ସମୟରେ ପାର୍ଶ୍ବ ଦେବଦେବୀଙ୍କୁ ଦର୍ଶନ କରି ପାରିବେ ଭକ୍ତ ।

ଆଜି ପ୍ରବଳ ବର୍ଷା ନେଇ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ, ୧୯ରୁ ୨୨ ଉପୁଜିପାରେ ଜଳବନ୍ଦୀ ସମସ୍ୟା

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଲଘୁଚାପଟି ଏବେ ଉତ୍ତର ଓଡ଼ିଶା ଉପକୂଳ ଦେଇ ଝାଡଖଣ୍ଡ ଏବଂ ମଧ୍ୟପ୍ରଦେଶ ମୁହାଁ ହୋଇଛି । ପ୍ରଭାବରେ ଆସନ୍ତା ଦୁଇ ଦିନ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପ୍ରବଳ ବର୍ଷା ନେଇ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବଲାଙ୍ଗୀର ଏବଂ ନୂଆପଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆସନ୍ତାକାଲି ଉପକୂଳ ଓଡ଼ିଶାରେ ବର୍ଷା ସାମାନ୍ୟ କମ୍ ରହିବ । ୧୯ ତାରିଖ ଠାରୁ ପୁଣି ବଢିବ ବର୍ଷାର ପରିମାଣ । ୨୦ରେ ଭୀଷଣ ବର୍ଷା ନେଇ ଦକ୍ଷିଣ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଅଧିକାଂଶ ସ୍ଥାନରେ ୨ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷାନେଇ ସତର୍କତା ଜାରି ହୋଇଛି । ଲଗାଣ ବର୍ଷା ଦ୍ବାରା ଆକସ୍ମିକ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ । ୧୯ରୁ ୨୨ ପର୍ଯ୍ୟନ୍ତ ଉପୁଜିପାରେ ଜଳବନ୍ଦୀ ସମସ୍ୟା । ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର ।

ରାଜଧାନୀରେ ରାସ୍ତା କଡ଼ରେ ଖଟି କରୁଥିଲେ ସାବଧାନ ! ଗୋଡ଼ାଇ ଗୋଡ଼ାଇ ଧରୁଛି କମିଶନରେଟ ପୋଲିସ

ଭୁବନେଶ୍ୱର: ରାଜଧାନୀରେ ରାସ୍ତା କଡ଼ରେ ଖଟି କରୁଥିଲେ ସାବଧାନ । ଗୋଡ଼ାଇ ଗୋଡ଼ାଇ ଧରୁଛି କମିଶନରେଟ ପୋଲିସ । ଖଟି ଓ ମଦୁଆ ଆଡ୍ଡାରେ ଚଢ଼ାଉ କରୁଛି ପୋଲିସ । କ୍ୟାପିଟାଲ, ଖାରବେଳନଗର, ଖଣ୍ଡଗିରି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ହୋଇଛି ରେଡ୍ । ରାତି ପ୍ରାୟ ୯ଟା ବେଳେ ଚଢ଼ାଉ ଆରମ୍ଭ ହୋଇଥିବାବେଳେ ୧୨ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି ।

ମଦୁଆଙ୍କଠାରୁ ୧୮ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି । ସେଫ ସିଟି ଡ୍ରାଇଭ ଅଧୀନରେ ନୀତିଦିନ ଏଭଳି ଚଢ଼ାଉ ଜାରି ରଖିଛି କମିଶନରେଟ ପୋଲିସର ବିଭିନ୍ନ ଥାନା ଓ POPD ଟିମ । ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ଛକ ମାନଙ୍କରେ ଚେକିଂ ଓ ବ୍ଳକିଙ୍ଗକୁ ମଧ୍ୟ କଡାକଡି କରାଯିବ । ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

ପାଣି ଭାର ଉଠାଇବାବେଳେ ଦେବୀ ନଦୀରେ ଭାସିଗଲେ କାଉଡ଼ିଆ

ଜଗତସିଂହପୁର: ପାଣି ଭାର ଉଠାଇବାବେଳେ ଭାସିଗଲେ ନାବାଳକ କାଉଡ଼ିଆ । ଜଗତସିଂହପୁର ଆଳିପିଙ୍ଗଳ ଦେବୀ ନଦୀ ଘାଟରୁ ପାଣି ଉଠାଇବା ସମୟରେ କାଉଡ଼ିଆ ଭାସିଯାଇଛନ୍ତି । ନିଖୋଜ କାଉଡ଼ିଆ ହେଲେ ଅଷ୍ଟମ ଶ୍ରେଣୀର ଯାତ୍ର ଭୋଳା ପ୍ରଧାନ । ତାଙ୍କ ଘର ଛପଡା ଗୋରେଖନାଥ ଅଞ୍ଚଳରେ ବୋଲି ସୂଚନା ମିଳିଛି । ୬ ଜଣ ସମ୍ପର୍କୀୟଙ୍କ ସହିତ ପାଣି ଉଠାଇବା ପାଇଁ ଦେବୀ ନଦୀକୁ ପଶିଥିଲେ ଭୋଳା ।

ଏହି ସମୟରେ ପାଣିର ସୁଅରେ ସେ ଭାସିଯାଇଥିଲେ । ଅନ୍ଧାର ହୋଇଥିବାରୁ ଏନେଇ କେହିକିଛି ଜାଣିପାରିନଥିଲେ । ଭୋଳାଙ୍କର ଚିତ୍କାର ଶୁଣି ଅନ୍ଧାରରେ ତାଙ୍କୁ ଖୋଜାଖୋଜି କରିଥିଲେ ସମ୍ପର୍କୀୟ । ହେଲେ ଭୋଳାଙ୍କୁ ଆଉ ପାଇନଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିବାବେଳେ ରାତି ଅଧିକ ହେବାରୁ ଏହାକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ।

ସୀମା ହାଇଦର ଭାରତ ଆସିବାକୁ ନେଇ ଧମକ ଦେଇଥିଲେ ଡକାୟତ ଗ୍ୟାଙ୍ଗ, ଏବେ ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ରକେଟ୍ ମାଡ

ଇସଲାମବାଦ: ପାକିସ୍ତାନୀ ମହିଳା ସୀମା ହାଇଦର ଏବଂ ଗ୍ରେଟର ନୋଏଡାର ସଚିନଙ୍କ ପ୍ରେମ କାହାଣୀ ବର୍ତ୍ତମାନ ଭାରତଠୁ ନେଇ ପାକିସ୍ତାନରେ ଚର୍ଚ୍ଚାର ବିଷୟ ରହିଛି । ଚାରି ପିଲାଙ୍କୁ ଧରି ସୀମା ଭାରତ ଆସିବା ପରେ ପାକିସ୍ତାନୀ ଡକାୟତ ରାନୋ ଶାର ଧମକ ଦେଇଥିଲା ଯେ ଯଦି ସୀମା ହାଇଦରକୁ ପାକିସ୍ତାନକୁ ଫେରାନଯାଏ ତେବେ ସେ ପାକିସ୍ତାନରେ ମନ୍ଦିର ଉପରେ ଆକ୍ରମଣ କରିବେ । ଏହାପରେ ପାକିସ୍ତାନରେ ଆଜି ସନ୍ଧ୍ୟାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି । ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ଡନର ଏକ ରିପୋର୍ଟ ମୁତାବକ ଏକ ଡକାୟତ ଗ୍ୟାଙ୍ଗ ରବିବାର ସିନ୍ଧର କାଶ୍ମୋରରେ ଏକ ମନ୍ଦିର ଉପରେ ରକେଟ ଲଞ୍ଚର ମାଡ଼ କରିଛନ୍ତି ।

ଆକ୍ରମଣକାରୀ ଗୌସପୁର ପୋଲିସ ଥାନା ଅଧୀନସ୍ଥ ଏକ ପୂଜା ସ୍ଥଳ ଏବଂ ଆଖପାଖ ହିନ୍ଦୁ ଘର ଉପରେ ଆକ୍ରମଣ କରିଛନ୍ତି । ସେମାନେ ନା କେବଳ ମନ୍ଦିରକୁ ଟାର୍ଗେଟ କରିଛନ୍ତି ବରଂ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ଘର ଉପରକୁ ଧୂଆଁଧାର ଗୁଳିମାଡ଼ କରିଛନ୍ତି । ଏହାପରେ କାଶମୋର-କନ୍ଧକୋଟର ଏସଏସପି ଇରଫାନ ସୈମ୍ମୋଙ୍କ ନେତୃତ୍ୱରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସୂଚନାଥାଉକି ସୀମା ହାଇଦର ମଧ୍ୟ ପାକିସ୍ତାନର ସିନ୍ଧ ପ୍ରାନ୍ତରରେ ହିଁ ରହୁଥିଲେ । ତେଣୁ ଆଶଙ୍କା କରାଯାଉଛି ଯେ ସୀମାଙ୍କ ପାଇଁ ହିଁ ଡକାୟତ ଗ୍ୟାଙ୍ଗ ଏହି ଆକ୍ରମଣ କରିଛନ୍ତି ।

ପୋଲିସ ଅଧିକାରୀ କହିଛନ୍ତି ଡକାୟତ ପୂଜାସ୍ଥଳ ଉପରେ ରକେଟ ଲଞ୍ଚ ମାଡ଼ କରିଛନ୍ତି । ଅବଶ୍ୟ ଆକ୍ରମଣ ସମୟରେ ମନ୍ଦିର ବନ୍ଦ ଥିଲା ଏବଂ ଏଥିରେ କେହି ମୃତାହତ ହୋଇନାହାନ୍ତି । ଅଧିକାରୀ କହିଛନ୍ତି ଯେ ବାଗଡି ଗୋଷ୍ଠୀ ଦ୍ୱାରା ସଞ୍ଚାଳିତ ଧାର୍ମିକ ସେବା ପାଇଁ ପ୍ରତି ବର୍ଷ ଖୋଲିଥାଏ । ତେବେ ଆକ୍ରମଣ ପରେ ସନ୍ଦିଗ୍ଧ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଏବଂ ସେମାନଙ୍କୁ ଧରିବା ପାଇଁ ପୋଲିସ ଅଞ୍ଚଳରେ ତଲାସ ଅଭିଯାନ ଚଳାଇଛି । କିଛି ଦିନ ପୂର୍ବେ  ସୀମା ହାଇଦର ପାକିସ୍ତାନରୁ ନିଜ ଚାରି ପିଲାଙ୍କ ସହ ଭାରତ ଚାଲିଆସିଥିଲେ । ତାଙ୍କ କହିବା ଅନୁଯାୟୀ ପବଜି ଗେମ ଖେଳିବା ସମୟରେ ତାଙ୍କୁ ସଚିନ ସହ ପ୍ରେମ ହୋଇଯାଇଥିଲା ।

ସଚନ ଗ୍ରେଟର ନୋଏଡାର ଏକ ଗାଁରେ ରହୁଛନ୍ତି । ଏହାପରେ ସେ ନେପାଳ ସୀମା ଦେଇ ଭାରତକୁ ଆସି ସଚିନଙ୍କ ପାଖରେ ରହୁଛନ୍ତି । ସୀମାକୁ ଦେଖିବା ପାଇଁ ଲୋକମାନେ ଦୂରଦୂରାନ୍ତରୁ ସଚିନଙ୍କ ଘରକୁ ଆସୁଛନ୍ତି । ସୀମା ସଚିନଙ୍କ ସହ ଜୀବନ ବିତାଇବା ପାଇଁ ହିନ୍ଦୁ ଧର୍ମ ଆପଣାଇ ନେଇଛନ୍ତି ଏବଂ ତାଙ୍କ କହିବା ଅନୁଯାୟୀ ତାଙ୍କୁ ଭାରତ ଏବଂ ହିନ୍ଦୁ ଧର୍ମ ବହୁତ ପସନ୍ଦ । ତେବେ ସୀମା ହିନ୍ଦୁ ଧର୍ମ ଆପଣାଇବା ଏବଂ ଭାରତରେ ରହିବା ଜିଦକୁ ପାକିସ୍ତାନରେ ବିରୋଧ କରାଯାଇଛି । ତାଙ୍କୁ ପାକିସ୍ତାନ ଫେରାଇ ନେବାକୁ ଅପିଲ କରାଯାଇଛି । ଏମିତି କି ଏକ ଡକାୟତ ଗ୍ୟାଙ୍ଗ ଭାରତକୁ ଧମକ ମଧ୍ୟ ଦେଇ କହିଥିଲା ଯେ ଯଦି ସୀମାକୁ ପାକିସ୍ତାନ ନପଠାଯାଏ ତେବେ ହିନ୍ଦୁଙ୍କ ଉପରେ ଆକ୍ରମଣ କରାଯିବ ।

ଅଧ୍ୟାଦେଶ ପ୍ରସଙ୍ଗରେ ଆପ୍ ଜିଦ୍ ମାନିଲା କଂଗ୍ରେସ, ଏବେ ବିରୋଧୀଦଳ ବୈଠକରେ ସାମିଲ ହେବେ କେଜରିୱାଲ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍) ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ଦଳ ବୈଠକରେ ସାମିଲ ହେବା ନେଇ ଘୋଷଣା କରିଛି । ଏହି ବୈଠକରେ ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମେତ ଦଳର ଅନ୍ୟ ବଡ଼ ନେତା ସାମିଲ ହେବେ । ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ କଂଗ୍ରେସର ସମର୍ଥନ ମିଳିବା ପରେ ଏହି ନିଷ୍ପତ୍ତି ନେଇଛି ଆପ୍ । ରବିବାର ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢା ପ୍ରେସ କନଫରେନ୍ସ କରି ଏହାର ସୂଚନା ଦେଇଛନ୍ତି ।

ରାଘବ ଚଢା କହିଛନ୍ତି ଯେ ଆମ ଆଦମୀ ପାର୍ଟି ବିରୋଧୀ ଦଳ ବୈଠକରେ ସାମିଲ ହେବ । ବୈଠକରେ ସାମିଲ ହେବାକୁ ଅରବିନ୍ଦ କେଜରିୱାଲ, ଭଗବନ୍ତ ମାନ ଏବଂ ସଞ୍ଜୟ ସିଂହ ଆସନ୍ତାକାଲି ବେଙ୍ଗାଲୁରୁ ଯିବେ । ଉଲ୍ଲେଖଯୋଗ୍ୟ ବେଙ୍ଗାଲୁରୁରେ ୧୭ ଏବଂ ୧୮ ଜୁଲାଇରେ ବିରୋଧୀ ଦଳମାନଙ୍କୁ ନେଇ ବୈଠକର ଆୟୋଜନ ହେବ । ଏଥିରେ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏନଡିଏ ବିରୋଧରେ ବିରୋଧୀ ଦଳଙ୍କ ଏକତ୍ରିତତା ଉପରେ ନିଷ୍ପତ୍ତି ନିଆଯିବ ।

ତେବେ ଏହା ପୂର୍ବରୁ ପାଟନାରେ ହୋଇଥିବା ବୈଠକରେ ଆପ୍ ସ୍ପଷ୍ଟ ଭାବେ କହିଥିଲା ଯେ ସମସ୍ତ ବିରୋଧୀ ଦଳ ଅଧ୍ୟାଦେଶ ପ୍ରସଙ୍ଗରେ ଆମକୁ ସମର୍ଥନ ଦିଅନ୍ତୁ । ଅନ୍ୟ ବିରୋଧୀ ରାଜନୈତିକ ଦଳଗୁଡ଼ିକ ଆପକୁ ସମର୍ଥନ ଦେବା ନେଇ ଘୋଷଣା କରିଥିବା ବେଳେ କଂଗ୍ରେସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନଥିଲା । ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କଂଗ୍ରେସକୁ ଧମକ ଦେଇ କହିଥିଲେ କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ କଂଗ୍ରେସ ଯଦି ତାଙ୍କୁ ସମର୍ଥନ ନକରେ ତେବେ ସେ ବିରୋଧୀ ଏକତା ଦଳ ବୈଠକକୁ ବହିଷ୍କାର କରିବେ ।

ବିରୋଧୀ ଏକତାରେ ଫାଟ ସୃଷ୍ଟି ହେବାର ଦେଖି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅଧ୍ୟାଦେଶ ପ୍ରସଙ୍ଗରେ ଆପ୍ କୁ ସମର୍ଥନ ଦେବା ନେଇ ଘୋଷଣା କରିଥିଲେ । ଦିଲ୍ଲୀରେ ଅଧିକାରୀଙ୍କ ପୋଷ୍ଟିଂ ଓ ଟ୍ରାନ୍ସଫର ମାମଲାରେ ଦିଲ୍ଲୀ ସରକାରଙ୍କ ଅଧିକାର ବିରୋଧରେ ଅଧ୍ୟାଦେଶ ଲାଗୁ କରିଥିଲା କେନ୍ଦ୍ରର ବିଜେପି ସରକାର । ରାଜ୍ୟସଭାରେ ଏହାକୁ ଆଇନ ହେବାରୁ ରୋକିବା ପାଇଁ ବିରୋଧୀଙ୍କ ସମର୍ଥନରେ ଲାଗିଛି ଆମ ଆଦମୀ ପାର୍ଟି ।

ଚାକିରି ନାଁରେ ଠକେଇ ଘଟଣା, ୯ ଦଲାଲଙ୍କୁ ଗିରଫ କଲା ବାଲେଶ୍ୱର ପୋଲିସ

ବାଲେଶ୍ୱର: ଚାକିରି ନାଁରେ ଠକେଇ ଘଟଣା । ଦୀଘାର ଏକ ହୋଟେଲରେ ଚଢାଉ କରି ୯ ଜଣ ଦଲାଲଙ୍କୁ ଗିରଫ କରିଛି ବାଲେଶ୍ବର ପୋଲିସ । ଠକଙ୍କ ନିକଟରୁ ୮୮ପରୀକ୍ଷାର୍ଥୀଙ୍କୁ ଉଦ୍ଧାର କରାଯାଇଛି । ପିଲାଙ୍କଠାରୁ ୮ରୁ ୧୬ଲକ୍ଷ ଯାଏ ଟଙ୍କା ନେଇଥିଲେ ଦଲାଲ । ଠକେଇ ଗ୍ୟାଙ୍ଗରେ ଓଡ଼ିଶା, ଆନ୍ଧ୍ର ଓ ବିହାର ଅଭିଯୁକ୍ତ ସମ୍ପୃକ୍ତ ଥିଲେ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଓଡ଼ିଶା, ଆନ୍ଧ୍ର ଓ ବିହାରର ଜଣେ ଲେଖାଏଁ ରହିଛନ୍ତି ।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା ଦେଇଛନ୍ତି ବାଲେଶ୍ବର ଏସପି ସାଗରିକା ନାଥ । ତେବେ ପ୍ରଶ୍ନ ପତ୍ର ଲିକ୍ ହୋଇନି । ଏହା ଏକ ଜବ୍ ଫ୍ରଡ ସ୍କାମ ବୋଲି କହିଛନ୍ତି ଏସପି । ଯେଉଁ ରାଜ୍ୟରେ ପରୀକ୍ଷା, ତା ବାହାର ରାଜ୍ୟରେ ଆଶାୟୀଙ୍କୁ ଟ୍ରାପ୍ କରନ୍ତି ଅଭିଯୁକ୍ତ । ପ୍ରଶ୍ନପତ୍ର ଯୋଗାଇ ଦେବାକୁ କହି ପରୀକ୍ଷାର୍ଥୀଙ୍କୁ ଠକନ୍ତି । ଅଭିଯୁକ୍ତଙ୍କ ଠାରୁ ଗାଡ଼ି, ଟଙ୍କା, ମୋବାଇଲ ଜବତ କରାଯାଇଛି । ସହଦେବଖୁଣ୍ଟା ଆଇଆଇସିଙ୍କ ନେତୃତ୍ୱରେ ଠକଙ୍କୁ ଧରାଯାଇଛି । ଜବ ଫ୍ରଡ ସ୍କାମ ଉପରୁ ପରଦା ଉଠାଇଛି ବାଲେଶ୍ବର ପୋଲିସ ।

ସମ୍ବଲପୁର ପରେ ଦେବଗଡ଼ ବିକାଶର ସମୀକ୍ଷା ପାଇଁ ଗ୍ରାଉଣ୍ଡରେ 5T ସଚିବ

ଦେବଗଡ଼: ସମ୍ବଲପୁର ପରେ ଦେବଗଡ଼ ବିକାଶର ସମୀକ୍ଷା ପାଇଁ ଗ୍ରାଉଣ୍ଡରେ ପହଞ୍ଚିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ବଡ଼ବଗିଚା ପଡିଆରେ ଛାତ୍ରଛାତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି 5T ସଚିବ । ଜିଲ୍ଲାର ସମସ୍ତ କଲେଜକୁ 5T ଉପକ୍ରମରେ ସାମିଲ କରାଯିବ । ନୂଆବର୍ଷ ପୂର୍ବରୁ ଏହାର ରୂପାନ୍ତରଣ କରାଯିବ । ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ଏହି ସୂଚନା ଦେଇଛନ୍ତି 5T ସଚିବ । ନିଜ ଶିକ୍ଷାନୁଷ୍ଠାର ରୂପାନ୍ତରଣରେ ଶ୍ରମ ଦାନ କରିବାକୁ ଛାତ୍ରଛାତ୍ରୀଙ୍କୁ ସେ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଫିଟନେସ ମନ୍ତ୍ର ଦେଇଛନ୍ତି ଭି.କେ ପାଣ୍ଡିଆନ ।

ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳଙ୍କ ନିଲମ୍ବନକୁ କଂଗ୍ରେସର କିଛି ପଦାଧିକାରୀଙ୍କ ବିରୋଧ

ଜଗତସିଂହପପୁର: କଂଗ୍ରେସରୁ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳଙ୍କୁ ନିଲମ୍ବନ ପ୍ରସଙ୍ଗ । ବିରୋଧ କଲେ କଂଗ୍ରେସର କିଛି ପଦାଧିକାରୀ । ନିଲମ୍ବନକୁ ସାଧାରଣ କଂଗ୍ରେସ କର୍ମୀ ଗ୍ରହଣ କରିପାରୁନାହାନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ଦଳର ଅନେକ ନେତା । ଶରତ ଦାୟିତ୍ୱ ନେବାପରେ ୩ଟି ଉପନିର୍ବାଚନ ହୋଇଛି । ସବୁ ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ କରିଛି । ଦଳ ଯେଉଁଠି ଶକ୍ତିଶାଳୀ ଅଛି ସେଠି ଦଳକୁ ଶରତ ଦୁର୍ବଳ କରାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଦଳୀୟ ନେତା ।

ଆଜି ସାମ୍ବାଦିକ ସମ୍ମିଳନରେ ବର୍ଷିଛନ୍ତି ଦଳର ନେତା ନାରାୟଣ ଜେନା । କଂଗ୍ରେସର ଗଡ଼ କୋରାପୁଟରେ ଜିଲ୍ଲା ସଭାପତି ବଦଳାଇଛନ୍ତି । ବିଜେପି ସହ ହାତ ମିଳାଇଥିବା ନେତାଙ୍କୁ ଉଚ୍ଚସ୍ଥାନ ଦେଉଛନ୍ତି । ରାଜ୍ୟକୁ କଂଗ୍ରେସ ମୁକ୍ତ କରିବା ପାଇଁ କାମ ଶରତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ୧୯୯୮ରେ ବଲାଙ୍ଗୀରରୁ ସାଂସଦ ଥିଲେ ଶରତ ପଟ୍ଟନାୟକ । ତା ପରଠୁ ଆଉ ଜିତି ନାହାନ୍ତି । ଏବେ ନୂଆପଡ଼ାରୁ ବିଧାୟକ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି । ଚକ୍ରାନ୍ତ କରି ବିଜୟଙ୍କୁ କ୍ୟାମ୍ପେନ କମିଟି ଅଧ୍ୟକ୍ଷ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଜଗତସିଂହପୁର ଜିଲ୍ଲା ବିଜେଡି କର୍ମକର୍ତ୍ତା ନିଯୁକ୍ତ, ୧୨ବରିଷ୍ଠ ଉପସଭାପତିଙ୍କୁ ଦାୟିତ୍ୱ

ଜଗତସିଂହପୁର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସଶକ୍ତ ହେବ ଜଗତସିଂହପୁର ଜିଲ୍ଲା ବିଜେଡି । ଜିଲ୍ଲାର ଚାରୋଟି ନିର୍ବାଚନ ମଣ୍ଡଳୀ ଓ ୮ଟି ବ୍ଲକରେ ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଜଗତସିଂହପୁର ଜିଲ୍ଲା ବିଜେଡି କର୍ମକର୍ତ୍ତା ନିଯୁକ୍ତ କରାଯାଇଛି । ୧୨ ବରିଷ୍ଠ ଉପସଭାପତି ଓ ୧୪ ଉପସଭାପତି ନିଯୁକ୍ତ । ୨୮ସାଧାରଣ ସମ୍ପାଦକ, ୪୫ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ଜିଲ୍ଲା ଉପଦେଷ୍ଟା କମିଟି ଦାୟିତ୍ୱରେ ୫ଜଣଙ୍କୁ ରଖାଯାଇଛି । କର୍ମକର୍ତ୍ତା ନିଯୁକ୍ତି ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସୂଚନା ।