ଦିନ ୨ଟାରୁ ମହାପ୍ରଭୁଙ୍କୁ କରାଯିବ ଚିତାଲାଗି, ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଆଜି ପବିତ୍ର ଚିତାଲାଗି ଅମାବାସ୍ୟା । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ମଧ୍ୟରେ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଗତ ସ୍ନାନପୂର୍ଣ୍ଣମୀରେ ଅତ୍ୟଧିକ ସ୍ନାନ ହେତୁ ମହାପ୍ରଭୁ ଅଣସର ପିଣ୍ଡିରେ ଜ୍ବରରେ ପୀଡିତ ହୋଇପଡିଥିବା ବେଳେ ସୁବର୍ଣ୍ଣ ଖଚିତ ଚିତାକୁ ଲାଗି କରାଯାଇଥିଲା । ସେହି ଚିତାକୁ ଭଣ୍ଡାର ଘରେ ସୁରକ୍ଷିତ ରଖାଯାଇଥିବା ବେଳେ ଆଜି ଅମାବାସ୍ୟା ତିଥିରେ ଭଣ୍ଡାର ଘରୁ ଅଣାଯାଇ ମହାପ୍ରଭୁଙ୍କ ଶ୍ରୀମସ୍ତକରେ ଲାଗି କରାଯିବ ।

ମହାପ୍ରଭୁ ଜଗନ୍ନାଥଙ୍କୁ ହୀରା, ଶ୍ରୀବଳଭଦ୍ରଙ୍କୁ ମାଣିକ୍ୟ ଓ ଦେବୀ ସୁଭଦ୍ରାଙ୍କୁ ଲୀଳା ଖଚିତ ସୁବର୍ଣ୍ଣଚିତା ପରମ୍ପରା ଅନୁସାରେ ଲାଗି କରାଯିବ । ଏହା ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ନୀତି ପରେ ଆପାତଃ ଦିନ 2ଟାରୁ ସନ୍ଧ୍ୟା 6ଟା ମଧ୍ୟରେ ଚିତା ଲାଗି କରାଯିବ । ଏହି ସମୟରେ ସାଧାରଣ ଦର୍ଶନ ପ୍ରାୟ ୪ ଘଣ୍ଟା ଧରି ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ତେବେ ଏହି ସମୟରେ ପାର୍ଶ୍ବ ଦେବଦେବୀଙ୍କୁ ଦର୍ଶନ କରି ପାରିବେ ଭକ୍ତ ।