ଆଜି ପ୍ରବଳ ବର୍ଷା ନେଇ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ, ୧୯ରୁ ୨୨ ଉପୁଜିପାରେ ଜଳବନ୍ଦୀ ସମସ୍ୟା

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଲଘୁଚାପଟି ଏବେ ଉତ୍ତର ଓଡ଼ିଶା ଉପକୂଳ ଦେଇ ଝାଡଖଣ୍ଡ ଏବଂ ମଧ୍ୟପ୍ରଦେଶ ମୁହାଁ ହୋଇଛି । ପ୍ରଭାବରେ ଆସନ୍ତା ଦୁଇ ଦିନ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପ୍ରବଳ ବର୍ଷା ନେଇ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବଲାଙ୍ଗୀର ଏବଂ ନୂଆପଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆସନ୍ତାକାଲି ଉପକୂଳ ଓଡ଼ିଶାରେ ବର୍ଷା ସାମାନ୍ୟ କମ୍ ରହିବ । ୧୯ ତାରିଖ ଠାରୁ ପୁଣି ବଢିବ ବର୍ଷାର ପରିମାଣ । ୨୦ରେ ଭୀଷଣ ବର୍ଷା ନେଇ ଦକ୍ଷିଣ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଅଧିକାଂଶ ସ୍ଥାନରେ ୨ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷାନେଇ ସତର୍କତା ଜାରି ହୋଇଛି । ଲଗାଣ ବର୍ଷା ଦ୍ବାରା ଆକସ୍ମିକ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ । ୧୯ରୁ ୨୨ ପର୍ଯ୍ୟନ୍ତ ଉପୁଜିପାରେ ଜଳବନ୍ଦୀ ସମସ୍ୟା । ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର ।