ସୀମା ହାଇଦର ଭାରତ ଆସିବାକୁ ନେଇ ଧମକ ଦେଇଥିଲେ ଡକାୟତ ଗ୍ୟାଙ୍ଗ, ଏବେ ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ରକେଟ୍ ମାଡ

1 min read

ଇସଲାମବାଦ: ପାକିସ୍ତାନୀ ମହିଳା ସୀମା ହାଇଦର ଏବଂ ଗ୍ରେଟର ନୋଏଡାର ସଚିନଙ୍କ ପ୍ରେମ କାହାଣୀ ବର୍ତ୍ତମାନ ଭାରତଠୁ ନେଇ ପାକିସ୍ତାନରେ ଚର୍ଚ୍ଚାର ବିଷୟ ରହିଛି । ଚାରି ପିଲାଙ୍କୁ ଧରି ସୀମା ଭାରତ ଆସିବା ପରେ ପାକିସ୍ତାନୀ ଡକାୟତ ରାନୋ ଶାର ଧମକ ଦେଇଥିଲା ଯେ ଯଦି ସୀମା ହାଇଦରକୁ ପାକିସ୍ତାନକୁ ଫେରାନଯାଏ ତେବେ ସେ ପାକିସ୍ତାନରେ ମନ୍ଦିର ଉପରେ ଆକ୍ରମଣ କରିବେ । ଏହାପରେ ପାକିସ୍ତାନରେ ଆଜି ସନ୍ଧ୍ୟାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି । ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ଡନର ଏକ ରିପୋର୍ଟ ମୁତାବକ ଏକ ଡକାୟତ ଗ୍ୟାଙ୍ଗ ରବିବାର ସିନ୍ଧର କାଶ୍ମୋରରେ ଏକ ମନ୍ଦିର ଉପରେ ରକେଟ ଲଞ୍ଚର ମାଡ଼ କରିଛନ୍ତି ।

ଆକ୍ରମଣକାରୀ ଗୌସପୁର ପୋଲିସ ଥାନା ଅଧୀନସ୍ଥ ଏକ ପୂଜା ସ୍ଥଳ ଏବଂ ଆଖପାଖ ହିନ୍ଦୁ ଘର ଉପରେ ଆକ୍ରମଣ କରିଛନ୍ତି । ସେମାନେ ନା କେବଳ ମନ୍ଦିରକୁ ଟାର୍ଗେଟ କରିଛନ୍ତି ବରଂ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ଘର ଉପରକୁ ଧୂଆଁଧାର ଗୁଳିମାଡ଼ କରିଛନ୍ତି । ଏହାପରେ କାଶମୋର-କନ୍ଧକୋଟର ଏସଏସପି ଇରଫାନ ସୈମ୍ମୋଙ୍କ ନେତୃତ୍ୱରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସୂଚନାଥାଉକି ସୀମା ହାଇଦର ମଧ୍ୟ ପାକିସ୍ତାନର ସିନ୍ଧ ପ୍ରାନ୍ତରରେ ହିଁ ରହୁଥିଲେ । ତେଣୁ ଆଶଙ୍କା କରାଯାଉଛି ଯେ ସୀମାଙ୍କ ପାଇଁ ହିଁ ଡକାୟତ ଗ୍ୟାଙ୍ଗ ଏହି ଆକ୍ରମଣ କରିଛନ୍ତି ।

ପୋଲିସ ଅଧିକାରୀ କହିଛନ୍ତି ଡକାୟତ ପୂଜାସ୍ଥଳ ଉପରେ ରକେଟ ଲଞ୍ଚ ମାଡ଼ କରିଛନ୍ତି । ଅବଶ୍ୟ ଆକ୍ରମଣ ସମୟରେ ମନ୍ଦିର ବନ୍ଦ ଥିଲା ଏବଂ ଏଥିରେ କେହି ମୃତାହତ ହୋଇନାହାନ୍ତି । ଅଧିକାରୀ କହିଛନ୍ତି ଯେ ବାଗଡି ଗୋଷ୍ଠୀ ଦ୍ୱାରା ସଞ୍ଚାଳିତ ଧାର୍ମିକ ସେବା ପାଇଁ ପ୍ରତି ବର୍ଷ ଖୋଲିଥାଏ । ତେବେ ଆକ୍ରମଣ ପରେ ସନ୍ଦିଗ୍ଧ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଏବଂ ସେମାନଙ୍କୁ ଧରିବା ପାଇଁ ପୋଲିସ ଅଞ୍ଚଳରେ ତଲାସ ଅଭିଯାନ ଚଳାଇଛି । କିଛି ଦିନ ପୂର୍ବେ  ସୀମା ହାଇଦର ପାକିସ୍ତାନରୁ ନିଜ ଚାରି ପିଲାଙ୍କ ସହ ଭାରତ ଚାଲିଆସିଥିଲେ । ତାଙ୍କ କହିବା ଅନୁଯାୟୀ ପବଜି ଗେମ ଖେଳିବା ସମୟରେ ତାଙ୍କୁ ସଚିନ ସହ ପ୍ରେମ ହୋଇଯାଇଥିଲା ।

ସଚନ ଗ୍ରେଟର ନୋଏଡାର ଏକ ଗାଁରେ ରହୁଛନ୍ତି । ଏହାପରେ ସେ ନେପାଳ ସୀମା ଦେଇ ଭାରତକୁ ଆସି ସଚିନଙ୍କ ପାଖରେ ରହୁଛନ୍ତି । ସୀମାକୁ ଦେଖିବା ପାଇଁ ଲୋକମାନେ ଦୂରଦୂରାନ୍ତରୁ ସଚିନଙ୍କ ଘରକୁ ଆସୁଛନ୍ତି । ସୀମା ସଚିନଙ୍କ ସହ ଜୀବନ ବିତାଇବା ପାଇଁ ହିନ୍ଦୁ ଧର୍ମ ଆପଣାଇ ନେଇଛନ୍ତି ଏବଂ ତାଙ୍କ କହିବା ଅନୁଯାୟୀ ତାଙ୍କୁ ଭାରତ ଏବଂ ହିନ୍ଦୁ ଧର୍ମ ବହୁତ ପସନ୍ଦ । ତେବେ ସୀମା ହିନ୍ଦୁ ଧର୍ମ ଆପଣାଇବା ଏବଂ ଭାରତରେ ରହିବା ଜିଦକୁ ପାକିସ୍ତାନରେ ବିରୋଧ କରାଯାଇଛି । ତାଙ୍କୁ ପାକିସ୍ତାନ ଫେରାଇ ନେବାକୁ ଅପିଲ କରାଯାଇଛି । ଏମିତି କି ଏକ ଡକାୟତ ଗ୍ୟାଙ୍ଗ ଭାରତକୁ ଧମକ ମଧ୍ୟ ଦେଇ କହିଥିଲା ଯେ ଯଦି ସୀମାକୁ ପାକିସ୍ତାନ ନପଠାଯାଏ ତେବେ ହିନ୍ଦୁଙ୍କ ଉପରେ ଆକ୍ରମଣ କରାଯିବ ।