ନନ୍ଦିଘୋଷ ବ୍ୟୁରୋ: ବିଶ୍ବକପ ପାଇଁ ଦିନ ଯେତିକି ପାଖଉଛି କ୍ରିଡାପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢ଼ୁଛି । ଚଳି ବିଶ୍ବକପ ଭାରତରେ ଆୟୋଜନ ହେବାକୁ ଯାଉଥିବାବେଳେ କିଏ ବିଜୟୀ ହେବ ତାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ପୂର୍ବତନ କ୍ରିକେଟରମାନେ ନିଜ ନିଜର ଆକଳନମାନ କରୁଛନ୍ତି । ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ କାଲିସ ବିଶ୍ବକପକୁ ନେଇ ନିଜର ଆକଳନ କରିଛନ୍ତି । ଚଳିତ ବିଶ୍ବକପରେ କେଉଁ ଖେଳାଳି ସର୍ବାଧିକ ସ୍କୋର କରିବେ ଏହାକୁ ନେଇ ନିଜର ଆକଳନ କରିଛନ୍ତି । ତେବେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ କି, ବିରାଟ କୋହଲି, ରୋହିତ ଶର୍ମା କିମ୍ବା ପାକିସ୍ତାନୀ କ୍ରିକେଟର ବାବରଙ୍କ ନାଁକୁ ବାଛି ନାହାନ୍ତି କାଲିସ । ଭାରତରେ ବିଶ୍ବକପ ଅନୁଷ୍ଠିତ ହେବାକୁ ଥିବାବେଳେ ଭାରତୀୟ ଖେଳାଳିଙ୍କ ଉପରେ ସମସ୍ତଙ୍କ ବିଶ୍ବାସ ରହିଛି । ମାତ୍ର କାଲିସ କହିଛନ୍ତି କି, ଇଂଲଣ୍ଡର ଜସ ବଟଲର ଚଳିତ ବିଶ୍ବକପରେ ସର୍ବାଧିକ ସ୍କୋର କରିବେ । ଏପରିକି ଇଂଲଣ୍ଡ ବିଶ୍ବକପ ବିଜୟୀ ହୋଇଥିବା ଟିମର ବଟଲର ଅଧିନାୟକ ଥିବାବେଳେ ତାଙ୍କ ଖେଳ ସମ୍ପର୍କରେ ସମସ୍ତଙ୍କୁ ବେଶ ଭଲଭାବେ ଜଣାଅଛି । ଏଣୁ ସେ ସର୍ବାଧିକ ସ୍କୋର କରିବା ପାଇଁ ଦାବିଦାର । କାଲିସଙ୍କ ଏକ ଭିଡିଓକୁ ଆଇସିସି ପକ୍ଷରୁ ପୋଷ୍ଟ କରାଯାଇଥିବାବେଳେ ୟୁଜର୍ସମାନେ ଏହାକୁ ଲାଇକ, କମେଣ୍ଟ ମଧ୍ୟ କରୁଛନ୍ତି ।
ଅନୁଗୁଳରେ ଛାତ୍ରଙ୍କୁ ନିସ୍ତୁକ ମାଡ଼, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ
ଅନୁଗୁଳରେ : ଅନୁଗୁଳରେ ଛାତ୍ରଙ୍କୁ ନିସ୍ତୁକ ମାଡ଼ । ଏଭଳି ମାଡ଼ ମାରିବାର ଏକ ଭିଡ଼ିଓ ଭାଇରାଲ ହୋଇଛି । ଯାହାକି ଏକ ଘରୋଇ ଶିକ୍ଷାନୁଷ୍ଠାନର ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହିରେ ରହିଛି ବିଦ୍ୟାଗୁରୁ ଏକାଡେମୀ ନାମକ ଏକ ଟ୍ୟୁସନ ସେଣ୍ଟର । ଯେଉଁଠି ପିଲା ପାଠ ପଢିବା ସହ ସେଠାରେ ଥିବା ହଷ୍ଟେଲରେ ରହନ୍ତି । ସମସ୍ତ ଛାତ୍ରଙ୍କୁ ଭୋର ୩ଟାରୁ ଉଠି ପାଠ ପଢିବାକୁ ବାଧ୍ୟ କରାଯାଏ । ହେଲେ ଆଜି ଭୋରରେ କିଛି ଛାତ୍ର ଉଠି ନଥିଲେ । ଏହାକୁ ନେଇ ଅନୁଷ୍ଠାନର ଜଣେ କର୍ମକର୍ତ୍ତା ଛାତ୍ରଙ୍କୁ ଜଣ ଜଣ କରି ବାଡ଼ିରେ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି ।
ଯାହାର ଭିଡିଓ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଛାତ୍ରଙ୍କୁ କିଭଳି ମାଡ଼ ମରାଯାଉଛି ତାହା ଏହି ଭିଡିଓରୁ ଜଣାପଡୁଛି । କିନ୍ତୁ ଏକ ଦାୟିତ୍ବବାନ ଗଣମାଧ୍ୟମ ହିସାବରେ ଆମେ ଏହି ଭିଡିଓକୁ ଦେଖାଇ ପାରିବୁନାହିଁ । ଛାତ୍ରଙ୍କୁ ଏଭଳି ନିସ୍ତୁକ ମାଡ଼ ମାରିବା ଘଟଣାକୁ ନିନ୍ଦା କରାଯାଇଛି । ଅନ୍ୟପଟେ ଚାଇଲ୍ଡ ଲାଇନ୍ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ବିଦ୍ୟାଗୁରୁ ଏକାଡେମୀ ନାଁରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ ହୋଇଛି ।
ଭଞ୍ଜନଗରରେ ଲୋକଙ୍କ ଠାରୁ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି 5T ସଚିବ
ଗଞ୍ଜାମ : ଗଞ୍ଜାମ ଗସ୍ତର ଦ୍ବିତୀୟ ଦିନରେ 5T ସଚିବ ଭି.କେ ପାଣ୍ଡିଆନଙ୍କ ମାରାଥନ ସମୀକ୍ଷା । ଦ୍ବିତୀୟ ଦିନରେ ଆଜି ଭଞ୍ଜନଗରରେ ଲୋକଙ୍କ ଠାରୁ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି 5T ସଚିବ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ପଡ଼ିଆରେ ପହଞ୍ଚିବା ପରେ ବିପୁଳ ସ୍ବାଗତ କରିଛନ୍ତି ମିଶନ ଶକ୍ତି ମା’ । ରାକ୍ଷୀ ବାନ୍ଧି ଶୁଭ ମନାସିଥିଲେ ମା’ । ଭଞ୍ଜନଗର ଅଂଚଳରେ ପିଇବା ପାଣି ପାଇଁ ୧୫୦୦ କୋଟି ଟଙ୍କାର ପ୍ରକଳ୍ପ ହାତକୁ ନିଆଯାଇଛି । ସେହିପରି ଚାଷୀଙ୍କ ପାଇଁ ଇନ ଷ୍ଟ୍ରିମ ଯୋଜନା ସହିତ ନୂଆ ସେତୁ କରୁଛନ୍ତି ରାଜ୍ୟ ସରକାର । ପିଇବା ପାଣି ନେଇ ଯେଉଁ ଅଭିଯୋଗ ପତ୍ର ଆସିଛି, ତାହା ୨ ଦିନ ମଧ୍ୟରେ ସମାଧାନ ହେବ । ଆଜି ସନ୍ଧ୍ୟା ସୁଦ୍ଧା ଗାଁରେ ଇଂଜିନିୟର ପହଞ୍ଚିବେ ବୋଲି କହିଛନ୍ତି 5T ସଚିବ । ସେହିପରି ସ୍କୁଲ ଓ କଲେଜ 5ଟିରେ ସାମିଲ ମୁଖ୍ୟମନ୍ତ୍ରୀ କରିଥିବା କଥା କହିଛନ୍ତି 5ଟି ସଚିବ ।
କଲେଜ ଓ ସ୍କୁଲରେ ସ୍ମାର୍ଟକ୍ଲାସ ରୁମ, ଲାଇବ୍ରେରୀ, କମନ ରୁମ ଓ ସାଇନ୍ସ ଲ୍ୟାବ କରାଯିବ । ଏହି ଅବସରରେ ମିଶନ ଶକ୍ତି ମା’ ସହ ଆଲୋଚନା କରିଥଲେ । ମିଶନ ଶକ୍ତି ଏବେ ହୋଟେଲ, ହଷ୍ଟେଲ, ପାନ୍ଥ ନିବାସ ପରିଚାଳନା ସହ ଧାନ କିଣା, ବିଜୁଳି ବିଲ କାମରେ ଲାଗିଛନ୍ତି । ସ୍ୱାସ୍ଥ୍ୟ ସେବା ପାଇଁ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମା ମାନଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ ରଖିଛନ୍ତି । ପ୍ରତି ମାସ ସରକାର ୨୨୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହାସହ ଚାଷୀମାନଙ୍କୁ ଲକ୍ଷେ ଟଙ୍କାର ଋଣ ବିନା ସୁଧରେ ଦେଉଛନ୍ତି । ତାସହ ବୀମା ରାଶିର ପ୍ରିମୀୟମ ବି ସରକାର ଦେଉଛନ୍ତି । ଗଂଜାମ ଜିଲ୍ଲାର ଲକ୍ଷେ ୨୫ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି । ସେହିପରି ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ପାଇଁ ଯେଉଁ ଦରଖାସ୍ତ ଦେଇଛନ୍ତି, ତା ଉପରେ ସେପ୍ଟେମ୍ବର ୩ ତାରିଖ ମୁଖ୍ୟମନ୍ତ୍ରୀ ଭଲ ଖବର ଦେବେ ବୋଲି କହିଛନ୍ତି 5T ସଚିବ । ସମସ୍ତ ଅଭିଯୋଗ ମାସକ ଭିତରେ ସମାଧାନ ହେବ ବୋଲି କହିଛନ୍ତି ।
ଚନ୍ଦ୍ରରେ ଲ୍ୟାଣ୍ଡର ଅବତରଣ ସ୍ଥାନର ନାଁ ହେବ ’ଶିବଶକ୍ତି’ : ପ୍ରଧାନମନ୍ତ୍ରୀ
ବାଙ୍ଗାଲୋର: ସପଲ ହୋଇଛି ଭାରତର ଚନ୍ଦ୍ରଯାନ-୩ ମିଶନ । ଇସ୍ରୋ ବୈଜ୍ଞାନିକଙ୍କୁ ଶନିବାର ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଜ୍ଞାନିକଙ୍କୁ ଉଦବୋଧନ ସମୟରେ ପ୍ରଧାନମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି । ଚନ୍ଦ୍ରର ଯେଉଁ ସ୍ଥାନରେ ଚନ୍ଦ୍ରଯାନ -୩ର ଲ୍ୟାଣ୍ଡର ବିକ୍ରମ ଅବତରଣ କଲା ସେ ସ୍ଥାନକୁ ‘ ଶିବଶକ୍ତି’ କୁହାଯିବ ବୋଲି ପ୍ରଧାନମନ୍ତ୍ରୀ ଉଦବୋଧନରେ ପ୍ରକାଶ କରିଛନ୍ତି । ଏହାସହ ଅଗଷ୍ଟ ୨୩ ତାରିଖ ଦିନ ଭାରତ ଚନ୍ଦ୍ରରେ ଜାତୀୟ ପତାକା ଉତ୍ତୋଳନ କରିଛି। ଏଣୁ ଏହି ଦିନକୁ ‘ଜାତୀୟ ମହାକାଶ ଦିବସ’ ରୂପେ ପାଳନ କରାଯିବ ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ‘ଚନ୍ଦ୍ରଯାନ-୨’ ଚନ୍ଦ୍ରପୃଷ୍ଠର ଯେଉଁସ୍ଥାନରେ ‘କ୍ରାସ୍-ଲ୍ୟାଣ୍ଡିଙ୍ଗ୍ କରିଥିଲା ସେ ସ୍ଥାନର ନାଁ ‘ତିରଙ୍ଗା’ ରଖାଯିବ । ଏହା ହେବ ଚନ୍ଦ୍ରାଭିଯାନ ପାଇଁ ଭାରତ କରିଥିବା ସମସ୍ତ ପ୍ରଚେଷ୍ଟାର ପ୍ରେରଣା। ବିଫଳତା ଶେଷ ପରିଣତି ନୁହେଁ ବୋଲି ଏହା ଆମକୁ ସ୍ମରଣ କରାଇ ଦେବ। ମହିଳା ବୈଜ୍ଞାନିକଙ୍କୁ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ । ଚନ୍ଦ୍ରଯାନ-୩ ମିଶନରେ ମହିଳା ବୈଜ୍ଞାନିକଙ୍କ ଅବଦାନ ରହିଛି ।
ପୁଣି ଟ୍ରେନରେ ନିଆଁ, ୧୦ ଜୀବନ୍ତ ଦଗ୍ଧ
ମଦୁରାଇ: ପୁଣି ସାମନାକୁ ଆସିଲା ଆଉ ଏକ ଅଘଟଣ । ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣା ମନରୁ ଲିଭିନଥିବାବେଳେ ଆଉ ଏକ ଘଟଣା ବ୍ୟଥିତ କରିଛି । ସାଧାରଣ ଗୋଟିଏ ଛୋଟିଆ ଭୁଲ ପାଇଁ ଯାଇଛି ୧୦ଜଣଙ୍କ ଜୀବନ । ଚେନ୍ନାଇର ମଦୁରାଇ ରେଳ ଷ୍ଟେସନ ନିକଟରେ ଅଗ୍ନିକାଣ୍ଡ ଘଟିଛି । ବେଆଇନ ଭାବେ ଟ୍ରେନରେ ଗ୍ୟାସ ଟାଙ୍କି ନେଇ ଯାଉଥିବାବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି । ତେବେ କିଭଳିଭାବେ ସିଲିଣ୍ଡର ନେବାକୁ ଅନୁମତି ମିଳିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।
ରେଲଓ୍ବେ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣାରେ କୋଚରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଯେଉଁମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୋଲିସ, ଅଗ୍ନିଶମ ବାହିନୀ ଏବଂ ଉଦ୍ଧାର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରାଯାଇଥିଲା । କୁହାଯାଉଛି କି, ଟ୍ରେନରୁ ଏକ ବସ୍ତା ଆଳୁ ମଧ୍ୟ ମିଳିଛି । ଟ୍ରେନରେ ରୋଷେଇ କରୁଥିବାବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ସମ୍ବଲପୁର ବିଶ୍ବବିଦ୍ୟାଳୟରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା ଅଧ୍ୟାପିକା
ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନାଁରେ ସାଂଘାତିକ ଅଭିଯୋଗ । ରାଜନୀତି ବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁରଙ୍କ ନାଁରେ ସାଂଘାତିକ ଅଭିଯୋଗ ହୋଇଛି । ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ସେହି ବିଭାଗର ଜଣେ ମହିଳା ଅଧ୍ୟାପିକା । ଘଟଣାକୁ ଗୁରୁତର ସହ ନେଇଛନ୍ତି କୁଳପତି । ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ ହୋଇଛି । ଅଭିଯୋଗ ପରେ ପ୍ରତିକ୍ରିୟା ଦେଇଛନ୍ତି ଆସିଷ୍ଟାଣ୍ଟ ପ୍ରଫେସର କୁଜୁର୍ । ତାଙ୍କ ନାଁରେ ଷଡଯନ୍ତ୍ର କରାଯାଇଛି ବୋଲି ସେ କହିଛନ୍ତି । ଏହାସହ ସେ ଜାଣତରେ କିମ୍ବା ଅଜାଣତରେ କାହାକୁ ମାନସିକ ନିର୍ଯାତନା ଦେଇନାହାନ୍ତି । ଅଭିଯୋଗ ସଂପୂର୍ଣ୍ଣ ମିଛ ହୋଇଥିବା ବେଳେ, ଆସନ୍ତାକାଲି ପକ୍ଷ ରଖିବେ ବୋଲି କହିଛନ୍ତି ରଜତ କୁଜୁର ।
ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନାର ଅବଧି ୫ ବର୍ଷ ବୃଦ୍ଧି
ଭୁବନେଶ୍ୱର : କେନାଲ ପ୍ରଣାଳୀର ଦକ୍ଷତାକୁ ସୁଦୃଢ଼ କରିବା ସହ ଟେଲ୍ ଆଣ୍ଡ କମାଣ୍ଡ ଅଞ୍ଚଳରେ ଜଳ ଉପଲବ୍ଧତାକୁ ଓ ଯୋଗାଣକୁ ବଢ଼ାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ନିଜସ୍ୱ ଯୋଜନା ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନାକୁ ଆହୁରି ୫ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଚଳିତ ଆର୍ଥିକବର୍ଷ ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ କେବଳ ରାଜ୍ୟ ପାଣ୍ଠିରୁ ୨ ହଜାର ୩୨ କୋଟି ୯୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଜଳସେଚନ ପ୍ରଣାଳୀର କାର୍ଯ୍ୟ ଦକ୍ଷତାକୁ ଉନ୍ନତ କରିବା ଏବଂ କେନାଲଗୁଡ଼ିକର ଜଳ ବ୍ୟବହାର ବୃଦ୍ଧି କରିବା ଏହି ଯୋଜନାର ଲକ୍ଷ୍ୟ । ଏଥି ସହ ଜଳ କ୍ଷତି ହ୍ରାସ କରାଯିବ । କେନାଲରୁ ଜଳ ନିଷ୍କାସନ ଯୋଗୁ ଜଳ ଯୋଗାଣ ଏବଂ ଲୁଣି ଯୋଗୁ ବ୍ୟବହାର ପାଇଁ ଅନୁପଯୁକ୍ତ ମୂଲ୍ୟବାନ ଚାଷଜମିର ପୁନରୁଦ୍ଧାର କରାଯିବ ।
ବୃହତ୍ ଏବଂ ମଧ୍ୟମ ଜଳସେଚନ କ୍ଷେତ୍ର ଅଧୀନରେ ୨୮୭ ଦଶମିକ ୬୨ କିଲୋମିଟର କେନାଲର ଅସମ୍ପୂର୍ଣ୍ଣ ଲାଇନ୍ କାମ ଏବଂ କ୍ଷୁଦ୍ର ଜଳସେଚନ କ୍ଷେତ୍ର ଅଧୀନରେ ୨୪ ଦଶମିକ ୫୮ କିଲୋମିଟର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ । ୬୬୦ ଦଶମିକ ୨୮ କିଲୋମିଟର କେନାଲର ନୂତନ କେନାଲ ଲାଇନ୍ ନିର୍ମାଣ ପାଇଁ କରାଯିବ ବ୍ୟବସ୍ଥା । ସେହିପରି କ୍ଷୁଦ୍ର ଜଳସେଚନ କ୍ଷେତ୍ର ଅଧୀନରେ ୨୯୫ ଦଶମିକ ୩୪ କିଲୋମିଟର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଚାଷ ପାଇଁ ଜଳ ଉପଲବ୍ଧତା ବୃଦ୍ଧି ଏବଂ ବଣ୍ଟନ ବ୍ୟବସ୍ଥାରେ ସିପେଜ୍ କ୍ଷତି କରାଯିବ ହ୍ରାସ । ସମଗ୍ର ସିଷ୍ଟମରେ ଉନ୍ନତ ସେବା ମାଧ୍ୟମରେ ଜଳସେଚନ ସମ୍ଭାବନାକୁ ସ୍ଥିର କରିବ । ଯାହା ଜଳ ବ୍ୟବହାର ଦକ୍ଷତା ବୃଦ୍ଧି କରିବାରେ ସହାୟକ ହେବ ।
ଇଣ୍ଡିଆ ଟୁଡେ ମୁଡ୍ ଅଫ ଦି ନେସନ ସର୍ଭେରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ
ନୂଆଦିଲ୍ଲୀ : ପୁଣି ଜାତୀୟ ସ୍ତରରେ ଝଟକିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ମୁଡ୍ ଅଫ ଦି ନେସନ ସର୍ଭେରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସ୍ଥାନ ଅଳଙ୍କୃତ କରିଛନ୍ତି ନବୀନ । ସର୍ଭେରେ ନବୀନ ପଟ୍ଟନାୟକଙ୍କୁ ୬୧ ଦଶମିକ ୩ ପ୍ରତିଶତ ସମର୍ଥନ ମିଳିଛି । ନିରବଚ୍ଛିନ୍ନ ଭାବେ ୨୦୦୦ ମସିହାରୁ ଏଯାଏ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ସୁଶାସନ, ବିକାଶ, ଜନହିତକର କାର୍ଯ୍ୟ କ୍ଷେତ୍ରରେ ଜାତୀୟ ସ୍ତରରେ ବାରମ୍ବାର ଏକ ନମ୍ବର ହୋଇଆସୁଛନ୍ତି । ମୋ ସରକାର, ଫାଇଭ-ଟି ରୂପାନ୍ତରଣ ଜରିଆରେ ଓଡିଶାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି ନବୀନ । ସ୍ବାସ୍ଥ୍ୟସେବା, ଶିକ୍ଷା, ସ୍ବଚ୍ଛତା, କ୍ରୀଡ଼ା ଆଦି ସମସ୍ତ କ୍ଷେତ୍ରରେ ପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟବାସୀଙ୍କ ହୃଦୟରେ ଯୋଡ଼ିହୋଇ ରହିଛନ୍ତି ନବୀନ ।
ବିଶ୍ବକପ୍ ହକିର ସଫଳ ଆୟୋଜନ, ବିଶ୍ବର ସର୍ବବୃହତ ହକି ଷ୍ଟାଡିଅମ ନିର୍ମାଣ ଆଦିରେ ସାରା ବିଶ୍ବରେ ବି ଶ୍ରେୟ ନେଇଛନ୍ତି ନବୀନ । ତାଲିକାର ଦ୍ବିତୀୟ ସ୍ଥାନରେ ଅଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ତାଙ୍କୁ ୫୯ ଦଶମିକ ୧ ପ୍ରତିଶତ ସମର୍ଥନ ମିଳିଛି । ତୃତୀୟ ସ୍ଥାନରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ତାଙ୍କୁ ମିଳିଛି ୫୭ ଦଶମିକ ୭ ପ୍ରତିଶତ ସମର୍ଥନ। ଚତୁର୍ଥ ସ୍ଥାନରେ ଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ପଞ୍ଚମ ସ୍ଥାନରେ ରହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।
ପୁରୀରେ ବିମାନ ବନ୍ଦର ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର
ପୁରୀ : ସ୍ବପ୍ନ ହେଉଛି ସାକାର । ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ କାମ ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର । ଏନେଇ ସିପସରୁବାଲିରେ ଥିବା ୬୮.୯୧ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ଅନୁମୋଦନ । କିସମ ପରିବର୍ତ୍ତନ ପାଇଁ ପିସିସିଏଫ୍ଙ୍କୁ ଅନୁମୋଦନ । ଜଙ୍ଗଲଜମି ଆଇନ ୧୯୮୦ ଧାରା -୨କ୍ଲଜ୍- ୨ ଅନୁଯାଇ ଏହାକୁ ଅନୁମୋଦନ କରାଯାଇଛି । ୧୧୬୪ ଏକର ଜମିରେ ବିମାନ ବନ୍ଦର ନିର୍ମାଣ ହେବା ପ୍ରକ୍ରିୟା ଜାରି ରହିଛି । ସେଥମଧ୍ୟରୁ ୨୨୧ ଏକର ଜମି ଅଧିଗ୍ରହଣ ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା । ଅବଶିଷ୍ଟ ଜମିରେ ବାଉଣ୍ଡରୀ ଓ୍ବାଲ କାମ ଶେଷ କରିଛି ଇଡକୋ । ସାଇଟ କ୍ଲିଅରାନ୍ସ ଲାଗି କେନ୍ଦ୍ରକୁ ଚିଠି ଲେଖାଯାଇଥିବାବେଳେ ଯେତେଶୀଘ୍ର କ୍ଲିଅରାନ୍ସ ମିଳିବ ସେତେ ଶୀଘ୍ର ଶେଷ ହେବ କାମ । ବିମାନବନ୍ଦର ଲାଗି ଜମି ଅଧିଗ୍ରହଣ ସଂକ୍ରାନ୍ତ ଜନ ଶୁଣାଣି ଶେଷ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ କ୍ଳିଅରାନ୍ସକୁ ଅପେକ୍ଷା କରାଯାଇଛି ।
୩୧ ତାରିଖରୁ ରାଜ୍ୟରେ ପୁଣି ବର୍ଷିବ ପ୍ରବଳ ବର୍ଷା
ଭୁବନେଶ୍ୱର : ଆସନ୍ତା ୩୧ ତାରିଖରୁ ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ । ଉପାନ୍ତରୁ ଉପକୂଳ ସବୁଠି ବର୍ଷିବ । ପ୍ରଭାବିତ ହେବ ଉତ୍ତର-ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା । ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବ ରହିଛି । ଏଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାସହ ଘଡଘଡି ବିଜୁଳି ସହ ବର୍ଷା ନେଇ ୨୩ ଟି ଜିଲ୍ଲାକୁ ସତର୍କ କରାଯାଇଛି । କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୩୧ ତାରିଖରୁ ପୁଣି ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ ବୋଲି ଆକଳନ କରାଯାଇଛି । ସେପଟେ ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ତୁଳନାରେ ୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୧୧ଟି ଜିଲ୍ଲାରେ ୨୦ ରୁ ୫୯ ପ୍ରତିଶତ ପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୧୭ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ମାତ୍ର ଦୁଇଟି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି ।

