ଆସନ୍ତାକାଲି କୁମାର ପୁର୍ଣ୍ଣିମା : ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ହେବ ସ୍ବତନ୍ତ୍ର ନୀତିକାନ୍ତି

ପୁରୀ :  ଆସନ୍ତାକାଲି କୁମାର ପୁର୍ଣ୍ଣିମା । ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ନୀତିନିର୍ଘଣ୍ଟ ହୋଇଛି । ୨୮ ତାରିଖ ରାତି ୨ ଟାରୁ ଦ୍ବାରଫିଟା ଯାଇ ଭୋର ୪ଟା ୩୦ ରୁ ୫ଟା ୩୦ ମଧ୍ୟରେ ରାଧା ଦାମୋଦର ବେଶ, ସକାଳ ୮ ଟା ରୁ ୮ଟା ୩୦ ମଧ୍ୟରେ ବାଳଭୋଗ ଓ ଅପରାହ୍ଣ ୨ ଟାରେ ଗ୍ରହଣ ମହାସ୍ନାନ ଶେଷ ହେବ । ୪ ଟା ୪ ମିନିଟ ୫୫ ସେକେଣ୍ଡରୁ ପାକ ତ୍ୟାଗ ଓ ଦେବ ନୀତି ନିଷିଦ୍ଧ ହେବ ।

ସେପଟେ ଚନ୍ଦ୍ରଗ୍ରହଣ ପାଇଁ ସମ୍ବଲପୁରର ଇଷ୍ଟଦେବୀ ସମଲେଶ୍ବରୀଙ୍କ ପୂଜାବିଧି ପାଇଁ ନୀତିନିର୍ଘଣ୍ଟ ସ୍ଥିର ହୋଇଛି । ମଙ୍ଗଳ ଆଳତି ସକାଳ ୫ଟାରେ ହେବ । ସକାଳ ୬ ଟାରୁ ୧୧ଟା ୪୫ ମିନିଟ ପର୍ଯ୍ୟନ୍ତ ହେବ ଅନ୍ୟନୀତି । ୧୧ଟା ୪୫ରୁ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ । ଏହି ସମୟରେ ମାଆଙ୍କ ନିକଟରେ ଅନ୍ନଭୋଗ ଲାଗିହେବ । ଏହାପରେ ମାଆଙ୍କ ରାଜରାଜେଶ୍ବରୀ ବେଶ, ଧ୍ବଜରୋହଣ ପର୍ବ ଓ ମହାଦୀପ ଉଠିବ । ଅପରାହ୍ନ ୨ ଟାରୁ ୩ଟା୧୫ ପର୍ଯ୍ୟନ୍ତ ପୁଣି ଲୋକମାନେ ଦର୍ଶନ ସୁଯୋଗ ପାଇବେ । ଏହାପରେ ଗ୍ରହଣ ଯୋଗୁଁ ମନ୍ଦିର ବନ୍ଦ ରହିବ ବୋଲି ସମଲେଶ୍ବରୀ ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ ସୂଚନା ଦେଇଛନ୍ତି ।