ଭୁବନେଶ୍ବର: ସୃଷ୍ଟି ହେଲା ଲଘୁଚାପ । ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଏହି ଲଘୁଚାପ ଗତି କରିବ । ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡ଼ିଶା ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଜଡ଼ିତ ଘୂର୍ଣ୍ଣିବଳୟ ବାୟୂମଣ୍ଡଳର ୫.୮ କିଲୋମିଟର ଯାଏ ବ୍ୟାପିଛି । ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ପ୍ରବଳ ବର୍ଷା ହେବ । ଉତ୍ତର ଓଡ଼ିଶାର ବାଲେଶ୍ବର, ମୟୂରଭ଼ଞ୍ଜ ଓ କେନ୍ଦୁଝରରେ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।
OSSC ପ୍ରଶ୍ନପତ୍ର ଲିକ୍ ମାମଲା , ୫୫ ପରୀକ୍ଷାର୍ଥୀଙ୍କୁ କାରଣଦର୍ଶାଅ ନୋଟିସ
ବାଲେଶ୍ୱର: JE ପ୍ରଶ୍ନପତ୍ର ଡିଲ୍ ମାମଲା । ବାଲେଶ୍ୱର ପୋଲିସର ରିପୋର୍ଟ ପରେ ତତ୍ପର ହେଲା OSSC । ୫୫ପରୀକ୍ଷାର୍ଥୀଙ୍କୁ କାରଣଦର୍ଶାଅ ନୋଟିସ ଜାରିକଲା OSSC । OSSC ପରୀକ୍ଷାରୁ ଜୀବନବ୍ୟାପୀ ବାରଣ ନେଇ ନୋଟିସ ଜାରିକରାଯାଇଛି । ଏହି ମାମଲାରେ ସମ୍ପୃକ୍ତ ସବୁ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ OSSC ଦୃଢ଼ ରହିଛି । OSSC ସଚିବଙ୍କ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ।
ବ୍ୟାଙ୍କ ଲୋନ୍ ଠକେଇ ମାମଲା, ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଗିରଫ
ଭୁବନେଶ୍ବର: ବ୍ୟାଙ୍କ ଲୋନ୍ ଦେବା ନାଁରେ ବଡ଼ ଧରଣର ଠକେଇ ମାମଲା । ବନ୍ଧା ହେଲେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ସ୍ବୟମ୍ ପ୍ରକାଶ ପରିଡା । ସ୍ବୟମ ପ୍ରକାଶଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ୧ କୋଟି ୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା । ୨୦୧୫ରୁ ୨୦୧୭ ମଧ୍ୟରେ ଲୋନ୍ ଦେବା ନାଁରେ ହୋଇଥିଲା ଠକେଇ । ନକଲି କାଗଜପତ୍ର ଦେଇ ଭିନ୍ନ ଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଲୋନ୍ ମଞ୍ଜୁର କରାଯାଇଥିଲା । ୨୪ଟି ଗାଡି ଲୋନ ଓ ସିସି ଲୋନ ଫେକ୍ ଆକାଉଣ୍ଟରେ ମଞ୍ଜୁର କରିଥିଲେ ସ୍ବୟମ୍ ପ୍ରକାଶ । ଅଭିଯୋଗ ପରେ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ।
ଚାକିରିରୁ ବିଦା ହେଲେ ବିଜେପୁର RWSS ସେକ୍ସନର ସହକାରୀ ଯନ୍ତ୍ରୀ
ବିଜେପୁର: ଚାକିରିରୁ ବିଦା ହେଲେ ବିଜେପୁର RWSS ସେକ୍ସନର ସହକାରୀ ଯନ୍ତ୍ରୀ ଉପେନ୍ଦ୍ରଭଞ୍ଜ ନାଏକ । ଏକ କେସ୍ର ବିଚାର ବେଳେ ମିଛ ତଥ୍ୟ ଉପସ୍ଥାପନ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରିଥିଲା ଭିଜିଲାନ୍ସ । ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗକୁ ସୁପାରିସ କରିଥିଲା ।
ଭିଜିଲାନ୍ସ ପକ୍ଷରୁ ଅନୁରୋଧ ପରେ ଉପେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଉପେନ୍ଦ୍ରଙ୍କ ଭୁଲ ତଥ୍ୟ ଯୋଗୁଁ ଛାଡ଼ ପାଇଯାଇଥିଲେ ଅଭିଯୁକ୍ତ ଆନନ୍ଦ ସରାଫ । ଆନନ୍ଦ ସେତେବେଳେ ବରଗଡ଼ ଡିଭିଜନର କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଅଫିସର ବରିଷ୍ଠ କିରାଣି ଆନନ୍ଦ । ସୂଚନା ଅନୁସାରେ ୨୦୧୧ରେ ବରଗଡ଼ ସୋହେଲା RWSS ସେକ୍ସନରେ ଜେଇ ଥିଲେ ଉପେନ୍ଦ୍ରଭଞ୍ଜ । କିରାଣି ଆନନ୍ଦ ସରାଫଙ୍କ କେସ୍ରେ ଦେଇଥିବା ତଥ୍ୟ ବଦଳାଇ ଭୁଲ୍ ଦେଇଥିଲେ । ମିଥ୍ୟା ତଥ୍ୟ ଦେଇ ଅଭିଯୁକ୍ତକୁ ଖସାଇ ଦେଇଥିଲେ ଉପେନ୍ଦ୍ରଭଞ୍ଜ ।
ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ, ବାଲୁକା କଳା ମାଧ୍ୟମରେ ସଚେତନତା ସୃଷ୍ଟି କଲେ ସୁଦର୍ଶନ ପଟ୍ଟନାୟକ
ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ପ୍ରତିବର୍ଷ ଜୁଲାଇ ମାସ ୨୯-ତାରିଖରେ ଏହି ଦିବସ ପାଳନ କରାଯାଏ । ବାଘଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିବସ ପାଳନ କରାଯାଇଥାଏ । ଜଙ୍ଗଲ କ୍ଷୟକୁ ରୋକା ଯାଇ, ବାଘ ମାନଙ୍କ ବଂଶ ବୃଦ୍ଧି କିଭଳି ହୋଇପାରିବ, ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏ ଦିବସ ପାଳନର ମୁଖ୍ୟ ଉଦେଶ୍ୟ ରହିଛି ।
ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଧ୍ୟ ବ୍ୟାଘ୍ର ଦିବସ ପାଳନ କରାଯିବ । ନନ୍ଦନକାନନରେ ୩ଟି ପ୍ରଜାତିର ବାଘ ଅଛନ୍ତି । ସାଧାରଣ ରଙ୍ଗ ନାଲି ବାଘ,ଧଳା ବାଘ,କଳା ମେଲାନିସ୍ଟିକ ବାଘ ରହିଛନ୍ତି । ଏ ନେଇ ଅନଲାଇନ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ନେଇ କୁଇଜ ପ୍ରତିଯୋଗିତା ହୋଇଥିଲା ।ସେମାନଙ୍କୁ ପୁରସ୍କୃତ କରାଯିବା ସହ ଜନ୍ତୁ ରକ୍ଷକ ମାନଙ୍କୁ ପୁରସ୍କୃତ କରାଯିବ । ନନ୍ଦନକାନରେ ବାଘମାନଙ୍କ ସଂଖ୍ୟା ଏବେ ୨୭ରେ ପହଞ୍ଚିଛି ।
ଅନ୍ୟପଟେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ତିଆରି କରିଛନ୍ତି । ପୁରୀ ନିଳାଦ୍ରୀ ସମୁଦ୍ର ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ବିଶ୍ବବାସୀଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ। ପ୍ରାୟ ୧୫ଫୁଟ୍ ଲମ୍ବର ଏକ କଲରାପତରିଆ ବାଘର କଳାକୃତିକୁ ଅତି ନିଖୁଣ ଭାବେ ପ୍ରଦର୍ଶିତ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟଙ୍କ ।
ଏହି ବାଲୁକାକୃତି ପ୍ରଦର୍ଶନୀର ବିଷୟବସ୍ତୁ ରଖିଛନ୍ତି “Save us to Save the environment”। ପରିବେଶ ସନ୍ତୁଳନ ରଖିବା ସହ ବାଘ ସଂଖ୍ୟା ବୃଦ୍ଧି କରିବା ଆନ୍ତର୍ଜାତୀୟ ବ୍ଯାଘ୍ର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଧୀରେଧୀରେ ଜଙ୍ଗଲ କ୍ଷୟ ହେବା ଯୋଗୁ ବିଶ୍ୱରେ ବାଘ ସଂଖ୍ୟା କମିବାରେ ଲାଗିଛି। ତେଣୁ ବାଲୁକାକୃତି ଜରିଆରେ ବିଶ୍ୱବାସୀଙ୍କୁ ଦିଆଯାଇଛି ସଚେତନତାର ବାର୍ତ୍ତା ।
ରାଜଧାନୀରେ ଭାରସାମ୍ୟ ହରାଇ ୪୦ ଫୁଟ ତଳକୁ ଖସିଲା କାର୍
ଭୁବନେଶ୍ବର: ରାଜଧାନୀରେ ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଚାଳକଙ୍କ ସହ ୪୦ ଫୁଟ୍ ତଳକୁ ଖସିଲା କାର୍ । ଡ୍ରେନ ପାଣିରେ ଓଲଟା ପଡ଼ିଥିବାରୁ ଖୋଲିଲାନି ଡୋର ଆଉ କାଚ । ଫଳରେ କାର୍ ଭିତରେ ଫସି ରହିଲେ ଚାଳକ । ପିସିଆର ଓ ଦମକଳ ବାହିନୀଙ୍କ ପାଇଁ ନୂଆ ଜୀବନ ପାଇଲେ ଯୁବକ ।
ଭୁବନେଶ୍ବର ମୈତ୍ରୀ ବିହାର ଥାନା ଦୁଇ ଶହ ଫୁଟିଆ ରାସ୍ତାରେ ଘଟିଛି ବଡ ଅଘଟଣ । ପାୱାର ଗ୍ରିଡ ଦେଇ ଦୁଇଶହ ଫୁଟିଆ ରାସ୍ତାରେ ଜାଭିୟର ଛକ ଆସୁଥିବା ବେଳେ ଟର୍ଣ୍ଣିଂରେ ଭାରସାମ୍ୟ ହରାଇଥିଲା କାର୍ । ଫଳରେ ବାରିକେଡ ଭାଙ୍ଗି କାର ସହିତ ଚାଳକ ବିଜୟ ପଣ୍ଡା ଖସି ପଡ଼ିଥିଲେ ଚାଳିଶ ଫୁଟ୍ ତଳକୁ ।
ତଳେ ପଡି କାର୍ ଡୋର ଲକ୍ ହୋଇ ଯିବାରୁ ବାହାରି ପାରି ନଥିଲେ ବିଜୟ। ସେହି ସମୟରେ ପାଟ୍ରୋଲିଂରେ ଥିବା ପିସିଆର୍ ଓ ଖବର ପାଇ ଆସିଥିବା ଦମକଳ ବାହିନୀ ନିଜର ସାମର୍ଥ୍ୟ ଓ ବୁଦ୍ଧି ବଳରେ ବିଜୟଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ପଠାଇ ଥିଲେ । ପରିବାର ଲୋକ ପୋଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଭୂକମ୍ପ
ପୋର୍ଟ ବ୍ଲେୟାର: ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ । ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ଭୂକମ୍ପର ତୀବ୍ରତା ୬,୦ ବୋଲି ଜଣାପଡ଼ିଛି । ଚଳିତ ବର୍ଷର ଏହା ତୃତୀୟ ଥର ଭୂକମ୍ପ । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନସେଜ୍ ଏହାର ସୂଚନା ଦେଇ କହିଛି ଯେ, ଶନିବାର ଆଣ୍ଡାମାନ ଓ ନିକୋବର ଦ୍ବୀପର ୧୦ କିଲୋମିଟର ଗଭୀରତାରେ ୬ ତୀବ୍ରତାପୂର୍ଣ୍ଣ ଭୂମିକମ୍ପ ହୋଇଛି । ପୋର୍ଟବ୍ଲେୟାରଠାରୁ ୧୨୬ କିଲୋମିଟର ଦକ୍ଷିଣପୂର୍ବରେ ଏହାର କେନ୍ଦ୍ରସ୍ଥଳ ହୋଇଥିବା କୁହାଯାଉଛି । ତେବେ ଏହି ଭୂକମ୍ପ ପରେ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ିନାହିଁ ।
ଭୁଲ ଅପେରେସନ ଯୋଗୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ
ବାଲେଶ୍ୱର: ଭୁଲ ଅପରେସନ ଯୋଗୁ ମହିଳାଙ୍କର ଚାଲିଗଲା ଜୀବନ । ଭୁଲ ଫ୍ୟାମିଲି ପ୍ଲାନିଂ ଅପରେସନ ଯୋଗୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ବାଲେଶ୍ୱର ଜିଲ୍ଲା ଔପଦା ଥାନା ଗଡ଼ସାହି ଗାଁର ଯଶୋବନ୍ତ ବାରିକ ।
ଯଶୋବନ୍ତଙ୍କ ସ୍ତ୍ରୀ ଜୟନ୍ତୀ ଆଗରପଡା ଥାନା ରାଉତରାପୁରକୁ ଆସି ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ ଅସ୍ତ୍ରୋପ୍ରଚାର ଶିବିରରେ ଅସ୍ତ୍ରୋପ୍ରଚାର କରାଇଥିଲେ । ଅସ୍ତ୍ରୋପଚାର ପରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା, ପୁଣି ଜୟନ୍ତୀଙ୍କୁ ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ସେଠାରେ ଯନ୍ତ୍ରଣା ଅଧିକ ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ତାଙ୍କର ପୁନଃ ଅସ୍ତ୍ରୋପଚାର କରାଯାଇଥିଲା ,ମାତ୍ର ଜୟନ୍ତୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଜୟନ୍ତୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଚିକିତ୍ସା ଅବହେଳା ଯୋଗୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର । ଅନ୍ୟପକ୍ଷେ ଉକ୍ତ ଶିବିରରେ ୨୮ ଜଣଙ୍କର ପରିବାର ନିୟୋଜନ ଅସ୍ତ୍ରୋପ୍ରଚାର ହୋଇଥିଲା । ଏ କ୍ଷେତ୍ରରେ କ’ଣ ହୋଇଛି ତା’ର ଅନୁଧ୍ୟାନ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ କାରଣ ଜଣାପଡିବ ବୋଲି ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ କହିଛନ୍ତି ।
ଦନ୍ତା ଭୟରେ ଲୋକେ, ପେଟ୍ରୋଲ ପମ୍ପରେ ପଶି ଭାଙ୍ଗିଲା ହାତୀ
ସମ୍ବଲପୁର: ସମ୍ବଲପୁରରେ ରାତି ହେଲେ ହାତୀ ଭୟ । ହାତୀ ଆକ୍ରମଣରେ ମହିଳା ଗୁରୁତର । ଝାଙ୍କରପାଲି ଗାଁରେ ଘରେ ଶୋଇଥିବା ବେଳେ ମହିଳା ଜଣଙ୍କୁ ଆକ୍ରମଣ କରିଛି ହାତୀ । ମହିଳାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ହାତୀ ଗାଁରେ ପଶି ଏକାଧିକ ଘରଦ୍ବାର ଭାଙ୍ଗିବା ସହ ତୁରୀପଡାରେ ବି ଅନେକ ଘର ଭାଙ୍ଗିଛି ।
ରାତି ହେଲେ ଭୟଭୀତ ଅବସ୍ଥାରେ ରହୁଛନ୍ତି ଅଞ୍ଚଳବାସୀ । ସେହିପରି ସମ୍ବଲପୁର ଭବାନୀପାଲି ଅଞ୍ଚଳରେ ଦନ୍ତା ହାତୀର ଉତ୍ପାତ ଦେଖିବାକୁ ମିଳିଛି । କିଛିଦିନ ପୂର୍ବରୁ ଏହି ଦନ୍ତା ଭବାନୀପାଲି ଅଞ୍ଚଳର ଏକ ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରିବା ସହ କିଛି ଦୋକାନକୁ ଭାଙ୍ଗିଥିଲା l ଗତକାଲି ବିଳମ୍ୱିତ ରାତିରେ ଭବାନୀପାଲି ଗାଁରେ ଏହି ଦନ୍ତା ହାତୀ ପଶିଥିଲା l ରାତି ସାରା ଗାଁରେ ବୁଲିବା ସହ ଲୋକଙ୍କ ଘରଦ୍ବାର ଏବଂ ଗୋଟିଏ କାର ଭାଙ୍ଗି ଦେଇଥିଲା l ଲୋକେ ହାତୀ ଭୟରେ ରାତିସାରା ଭୟଭିତ ହୋଇ ରହିଥିବା ଜଣାପଡିଛି l ଏ ଦିଗରେ ବନବିଭାଗକୁ ବାରମ୍ବାର ଖବର ଦେଲେ ମଧ୍ୟ କିଛି ସୁଫଳ ମିଳୁନାହିଁ l
ଆଜି ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ମହରମ
ଭଦ୍ରକ: ଆଜି ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ମହରମ । ଏଥିପାଇଁ ଭଦ୍ରକ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ପୂର୍ଣ ପ୍ରସ୍ତୁତି କରାଯାଇଛି । ଭଦ୍ରକରେ ସମୁଦାୟ ୪୧ ଟି କାଫିଲା ବାହାରିବ ଓ ୭ ଟି କାଫିଲା ସହର ପରିକ୍ରମା କରିବା ସହ ମଦିନା ମୈଦାନରେ ପହଞ୍ଚିବ । ସେହିପରି ଧାମନଗର ବ୍ଲକ ଓ ବାସୁଦେବପୁର ବ୍ଲକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଯାତ୍ରା ପାଇଁ ଜିଲ୍ଲାରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି । ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପିଙ୍କ ସହ ୧୫ ଜଣ ଇନ୍ସପେକ୍ଟର ୧୧୦ ଜଣ ସବ ଇନ୍ସପେକ୍ଟର ୧୮୦ କନେଷ୍ଟବଳ ସୁରକ୍ଷା ଦାୟିତ୍ୱରେ ରହିବେ । ସହରରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଓ ପୋଲିସ ଭେଇକିଲ ମାର୍ଚ୍ଚ କରାଯାଇଛି । ଡ୍ରୋନ କ୍ୟାମେରା ସହ, ସିସିଟିଭି ଜରିଆରେ ନଜର ରଖିବ ପୋଲିସ୍ । ସାମାଜିକ ଗଣମାଧ୍ୟମରେ କୌଣସି ପ୍ରକାର ଗୁଜବ ସୃଷ୍ଟି ନକରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଏସପି ।

