ପିପିଲି: ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସ ହଟହଟା । ପୋଲିସ ଗାଡ଼ିକୁ ଅଟକ ରଖିଲେ ଗାଁ ଲୋକେ । ପିପିଲି ଥାନା ଜୟପୁରଶାସନ ଗାଁର ଜଣେ ଯୁବକକୁ ପୋଲିସ ଥାନାକୁ ନେଉଥିବା ବେଳେ ଭ୍ୟାନ୍ ଅଟକାଇଲେ ଗାଁ ଲୋକ । ମହିଳା ଓ ପୁରୁଷ ମିଶି ପ୍ରାୟ ଦେଢ଼ ଘଣ୍ଟା ଅଟକ ରଖିବା ପରେ ପୋଲିସ ଭ୍ୟାନକୁ ଛାଡ଼ିଥିଲେ । ସୂଚନା ଅନୁସାରେ ଧଉଳି ଥାନା ଅଂଚଳର ଏକ ମାମଲାରେ ସଂପୃକ୍ତ ଥିବା କେତେକ ଯୁବକ ପିପିଲିର ଜୟପୁରଶାସନ ଗାଁରେ ଲୁଚି ରହିଥିବା ପୋଲିସ ଖବର ପାଇ ରେଡ୍ କରିଥିଲା । ଧଉଳି ଅଞ୍ଚଳର ଏକ ଉଦଘାଟନୀ ଫଳକ ଭଙ୍ଗାରୁଜା ଘଟଣାରେ ସେମାନେ ସଂପୃକ୍ତ ଥିଲେ । ସେମାନଙ୍କୁ ଧରିବା ପାଇଁ ଧଉଳି ପୋଲିସ ଶନିବାର ରାତିରେ ପିପିଲି ପୋଲିସ ସହାୟତାରେ ଗାଁ ମେଳଣ ପଡ଼ିଆ ଠାରେ ଚଢାଉ କରିଥିଲା । ଦୁଇଜଣ ଯୁବକ ଏକ ବାଇକକୁ ଛାଡ଼ି ସେଠାରୁ ଫେରାର ହୋଇଯାଇଥିବା ବେଳେ ଗାଁର ଜଣେ ଯୁବକକୁ ପୋଲିସ ଧରିଥିଲା । ପରେ ତାକୁ ଭ୍ୟାନରେ ବସାଇ ଥାନାକୁ ନେବାକୁ ଉଦ୍ୟମ ବେଳେ ବିରୋଧ କରିଥିଲେ ଗାଁ ଲୋକ । ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଥାନାଧିକାରୀ ପହଞ୍ଚି ଉତ୍ୟକ୍ତ ମହିଳା ଓ ପୁରୁଷଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଯୁବକ ସମେତ ଜବତ ବାଇକକୁ ଧରି ପୋଲିସ ସେଠାରୁ ରାତି ସାଢେ ୧୧ଟାରେ ଥାନାକୁ ଫେରିଥିଲା । ପରେ ଯୁବକ ସମେତ ଜବତ ବାଇକକୁ ଧଉଳି ପୁଲିସ ସାଥିରେ ନେଇଥିବା ସୂଚନା ମିଳିଛି ।
ଇଞ୍ଜିନ ବଦଳାଯିବା ପରେ ଛାଡିଲା ଇସ୍ପାତ ଏକ୍ସପ୍ରେସ
ବଲାଙ୍ଗୀର: ଇଞ୍ଜିନ ବଦଳାଯିବା ପରେ ଛାଡିଲା ଇସ୍ପାତ ଏକ୍ସପ୍ରେସ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବଲାଙ୍ଗୀର ଜିଲ୍ଲା ସଇଁତଳା ଷ୍ଟେସନରେ ଅଟକି ରହିଥିଲା ଇସ୍ପାତ ଏକ୍ସପ୍ରେସ । କଣ୍ଟାବାଞ୍ଜିରୁ ହାଓ୍ବଡା ଯିବା ବେଳେ ଅଟକିଲା ଇସ୍ପାତ ଏକ୍ସପ୍ରେସ । ସଇଁତଳା ଷ୍ଟେସନରେ ଟେକ୍ନିକାଲ ଟିମ୍ ପହଞ୍ଚି ତଦାରଖ କରିଥିଲେ । ଆଜି ସକାଳ ୫ଟା ୪୫ରେ ଟ୍ରେନର ଇଞ୍ଜିନରେ ତ୍ରୁଟି ଦେଖା ଦେଇଥିଲା । ଫଳରେ ଯାତ୍ରୀମାନେ ହଇରାଣ ହୋଇଥିଲେ । ତେବେ ମରାମତି ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି ।
ସାମ୍ନାକୁ ଆସିଲା ଏନସିଆରବିର ବିଚଳିତ କଲା ଭଳି ତଥ୍ୟ, ପ୍ରତିଦିନ ଦୁଷ୍କର୍ମର ଶିକାର ହେଉଛନ୍ତି ୮୭ ଜଣ
ନୂଆଦିଲ୍ଲୀ: ସାମ୍ନାକୁ ଆସିଲା NCRBର ବିଚଳିତ କଲା ଭଳି ତଥ୍ୟ । ଦିନକୁ ନିଖୋଜ ହେଉଛନ୍ତି ୧ ହଜାର ୨୭୩ ମହିଳା । ପ୍ରତିଦିନ ଦୁଷ୍କର୍ମର ଶିକାର ହେଉଛନ୍ତି ୮୭ ଜଣ । ମଣିପୁରରେ ୨ ମହିଳାଙ୍କ ଭିଡିଓ ଭାଇରାଲ ହେବାପରେ ଏହାକୁ ନେଇ ସାରା ଦେଶରେ ଆକ୍ରୋଶ ପ୍ରକାଶ ପାଇଛି । ସମସ୍ତେ ଏହାକୁ ତୀବ୍ର ବିରୋଧ କରୁଛନ୍ତି । ମହିଳା ବିରୋଧୀ ହିଂସା ରୋକିବାକୁ କଡ଼ା ପଦକ୍ଷେପ ନେବାକୁ ଦାବି ହୋଇଛି । ଦେଶରେ ପ୍ରତ୍ୟେକ ଦିନ ୨୪୬ ଯୁବତୀ ଏବଂ ୧୦୨୭ ମହିଳା ନିଖୋଜ ହେଉଛନ୍ତି । କଠୋର ଆଇନ ସତ୍ତ୍ବେ ପ୍ରତିଦିନ ୮୭ ମହିଳାଙ୍କ ସହ ଦୁଷ୍କର୍ମ ହେଉଛି । ଗତ ୫ ବର୍ଷରେ ଦିନକୁ ୮୭ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ। ୨୦୨୧ରେ ରାଜସ୍ଥାନରେ ସର୍ବାଧିକ ୬ ଦଶମିକ ୩୩୭ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା ।
ସେହିପରି ମଧ୍ୟପ୍ରଦେଶରେ ୨ ହଜାର ୯୪୭, ଉତ୍ତରପ୍ରଦେଶରେ ୨ ହଜାର ୮୪୫ଟି ମାମଲା ରୁଜୁ ହୋଇଥିଲା । ଏନସିଆରବିର ୨୦୨୧ ରିପୋର୍ଟ ଅନୁଯାୟୀ, ଦୁଷ୍କର୍ମ ମାମଲାରେ ରାଜସ୍ଥାନ ଗତ ୩ ବର୍ଷ ହେଲା ଶୀର୍ଷରେ ରହିଛି । ୨୦୧୮ରେ ମଧ୍ୟପ୍ରଦେଶରୁ ସର୍ବାଧିକ ୫ ହଜାର ୪୩୩ ଦୁଷ୍କର୍ମ ମାମଲା ଆସିଥିଲା । ଉତ୍ତରପ୍ରଦେଶ ଦ୍ଵିତୀୟ ଏବଂ ରାଜସ୍ଥାନ ତୃତୀୟ ସ୍ଥାନରେ ରହିଥିଲା । ୨୦୨୧ରେ ଦେଶରେ ୩୧, ୬୭୭ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ୨୦୨୦ରେ ଏହା ୨୮ ହଜାର ୪୬ ଥିଲା । ତେବେ ପୀଡ଼ିତାଙ୍କ ସଂଖ୍ୟା ୨୮ ହଜାର ୨୫୩ ଥିଲା । ୨୦୧୯ରେ ୩୨ ହଜାର ୩୩ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ୫ ବର୍ଷ ଭିତରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୧ ଲକ୍ଷରୁ ଅଧିକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି ।
ଓଡ଼ିଶା ପ୍ରସିଦ୍ଧ ମା’ ଉଗ୍ରତାରାଙ୍କ ମନ୍ଦିରରୁ ଚୋରି, ବିଳମ୍ବିତ ରାତିରେ ଚୋରି କଲେ ଦୁର୍ବୃତ୍ତ
ଟାଙ୍ଗୀ: ଓଡ଼ିଶା ପ୍ରସିଦ୍ଧ ମା’ ଉଗ୍ରତାରାଙ୍କ ମନ୍ଦିରରୁ ଚୋରି । ଗତକାଲି ରାତିରେ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ମନ୍ଦିରରେ ପଶି ମା’ଙ୍କର ମୁକୁଟ, ଅଣ୍ଟା ପଟି, ହାର, ହାତ ପଲା, ଆଖି, ମଥା ଚିତା, ହାତ ପଟି ଆଦି ସୁନା ଓ ରୁପାର ଅଳଙ୍କାର ଲୁଟି ନେଇଛନ୍ତି । ହୁଣ୍ଡି ସୁରକ୍ଷିତ ଥିବା ବେଳେ, ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି ।
କେନ୍ଦ୍ର ସମବାୟ ବ୍ୟାପାର ମନ୍ତ୍ରଣାଳୟର ୩ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଧରିଛି ସିବିଆଇ
ନୂଆଦିଲ୍ଲୀ: ଲାଞ୍ଚ କାରବାର ମାମଲାରେ କେନ୍ଦ୍ର ସମବାୟ ବ୍ୟାପାର ମନ୍ତ୍ରଣାଳୟର ୩ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଧରିଛି ସିବିଆଇ । ୩ ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ଏପରି ଗିରଫଦାରୀ ହୋଇଛି । ଅଭିଯୁକ୍ତମାନଙ୍କଠାରୁ ସିବିଆଇ ନଗଦ ୬୦ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି । ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ମନ୍ତ୍ରଣାଳୟର ଡିଜି ଅଫିସରେ ଯୁଗ୍ମ ନିର୍ଦ୍ଦେଶକ ଓ ସିନିୟର ଟେକ୍ନିକାଲ ଆସିଷ୍ଟାଣ୍ଟ ଭାବେ ନୂଆଦିଲ୍ଲୀରେ ନିଯୁକ୍ତି ପାଇଥିଲେ । ମନ୍ତ୍ରଣାଳୟର ଆଉ ଜଣେ ଯୁଗ୍ମ ନିର୍ଦ୍ଦେଶକ ଯିଏ ଏବେ ଚେନ୍ନାଇର କର୍ପୋରେଟ ଭବନରେ ଅଫିସିଆଲ ଲିକ୍ୟୁଡେଟର ଭାବେ କାମ କରୁଛନ୍ତି, ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି ୩ ସରକାରୀ ବାବୁଙ୍କ ବ୍ୟତୀତ ମୁମ୍ବାଇରେ ଘରୋଇ କମ୍ପାନୀ ଆଲୋକ ଇଣ୍ଡଷ୍ଟ୍ରିଜର ଜଣେ ବରିଷ୍ଠ କର୍ମଚାରୀଙ୍କୁ ସିବିଆଇ କାବୁ କରିଛି । ଗିରଫ ଅଧିକାରୀମାନେ ଘରୋଇ କମ୍ପାନୀଠାରୁ ଲାଞ୍ଚ ନେଇ ବେଆଇନ କାମ କରୁଥିଲେ । କମ୍ପାନୀ ବେଆଇନ ଓ ଅନିୟମିତତା କରୁଥିବାରୁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଏହାର ଫାଇଲ ଗୁଡ଼ିକ ଯାଞ୍ଚ କରୁଥିଲା । ଏହାକୁ ରଫାଦଫା କରିବା ପାଇଁ ଖୋଦ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଲାଞ୍ଚ ନେଉଥିଲେ ।
ମଣିପୁରରେ ଟିମ୍ ଇଣ୍ଡିଆ, ଆଜି ଦ୍ୱିତୀୟ ଦିନରେ ଗ୍ରାମାଞ୍ଚଳରେ ସ୍ଥିତି ସମୀକ୍ଷା କରିବେ ବିରୋଧୀ ସାଂସଦ
ଇମ୍ଫାଲ: ଆଜି ଦ୍ୱିତୀୟ ଦିନରେ ମଣିପୁରରେ ସ୍ଥିତି ସମୀକ୍ଷା କରିବ ଟିମ୍ ଇଣ୍ଡିଆ । ବିରୋଧୀ ମେଣ୍ଟ ଇଣ୍ଡିଆର ୨୧ ଜଣ ସାଂସଦ ହିଂସା ପ୍ରଭାବିତ ମଣିପୁରର ବିଭିନ୍ନ ଅଞ୍ଚଳ ବୁଲିଛନ୍ତି । କ୍ୟାମ୍ପରେ ଥିବା ଲୋକଙ୍କ ଦୁଃଖ ବୁଝିଛନ୍ତି । ସେମାନେ ସେଠାକୁ ରାଜନୀତି କରିବାକୁ ନୁହେଁ ବରଂ ସମାଧାନର ବାଟ ଖୋଜିବାକୁ ଆସିଛନ୍ତି ବୋଲି କହିଛନ୍ତି । କ୍ୟାମ୍ପରେ ଥିବା ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ସେମାନଙ୍କ ଭବିଷ୍ୟତ କ’ଣ ହେବ ଜାଣିନାହାନ୍ତି । ତାଙ୍କ ପିଲାମାନେ ଆଗକୁ ପାଠ ପଢିପାରିବେ କି ନାହିଁ ଜାଣିନାହାନ୍ତି । ଦୁଇ ଦିନିଆ ମଣିପୁର ଗସ୍ତରେ ଅଛନ୍ତି ବିରୋଧୀ ମେଣ୍ଟ ଇଣ୍ଡିଆର ୨୧ ଜଣିଆ ସାଂସଦ ଟିମ୍ । ହିଂସା ପ୍ରଭାବିତ ଲୋକଙ୍କୁ ଭେଟିବା ସହ ସବୁକିଛି ଠିକ୍ ହେବ ବୋଲି ଆଶ୍ୱାସନା ଦେଇଛନ୍ତି । ଭାଇରାଲ ଭିଡିଓ ପୀଡିତା ମହିଳାଙ୍କୁ ମଧ୍ୟ ଭେଟିଛନ୍ତି ସାଂସଦ । ଆଜି ପ୍ରଭାବିତ ଗ୍ରାମାଞ୍ଚଳ ଅଞ୍ଚଳ ସ୍ଥିତି ସମୀକ୍ଷା କରିବେ ବିରୋଧୀ ସାଂସଦ । ସେଠାରେ ରିପୋର୍ଟ ଆଣି ସଂସଦରେ ସରକାରଙ୍କୁ ଘେରିବା ସହ ସ୍ଥିତିର ସମାଧାନ ପାଇଁ ତୁରନ୍ତ ଦାବି କରିବେ ବିରୋଧୀ ।
ଭୁବନେଶ୍ବରରେ ଇଲେକଟ୍ରୋନିକ୍ସ ଡିଜାଇନ ଏବଂ ଅଟୋମେସନ ସେଣ୍ଟର ଖୋଲିବ ସିନୋପସିସ
ସିଲିକନ ଭ୍ୟାଲି: ଆମେରିକାରୁ ଓଡ଼ିଶାକୁ ଛୁଟୁଛି ନିବେଶ । ଇଲେକଟ୍ରୋନିକ୍ସ ଡିଜାଇନ ଏବଂ ଅଟୋମେସନରେ ଭୁବନେଶ୍ବରରେ ନିବେଶ କରିବା ସହ ଡିଜାଇନ ସେଣ୍ଟର ଖୋଲିବା ପାଇଁ ଆଗ୍ରହ ପ୍ରକାଶ କରିଛି ସିନୋପସିସ । 25ରୁ ଅଧିକ ଦେଶରେ ଇଲେକ୍ଟ୍ରୋନିକ୍ସ ଡିଜାଇନ୍ ଏବଂ ଅଟୋମେସନ୍ କାର୍ଯ୍ୟକ୍ଷମ ଅଛି ସିନୋପସିସ । ଏବେ ଭୁବନେଶ୍ବରରେ ସେଣ୍ଟର ଖୋଲିଲେ 300 ଚିପ୍ ଡିଜାଇନ୍ ଇଞ୍ଜିନିୟର କାର୍ଯ୍ୟକ୍ଷମ ହେଲା ଭଳି ବିସ୍ତାର ହେବ । ଏହି ଟିମ୍ରେ HDG ଆନାଲଗ, HDG ଡିଜାଇନ୍, ହାର୍ଡୱେର୍ ଆନାଲିଟିକ୍ସ, ଏବଂ ହାର୍ଡୱେୟାର ଡେଭଲପମେଣ୍ଟ ଗ୍ରୁପ୍ ଦଳର ସଦସ୍ୟ ରହିବେ ।
ଆଜି କମ୍ପାନୀ ସହିତ ଏକ ବୈଠକରେ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ଗଠନ ପାଇଁ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ସେ ବିଷୟରେ ଆଲୋଚନା କରାଯାଇଛି । ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ରାଜ୍ୟ ସରକାର ଯେଉଁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି ତାକୁ ପ୍ରତିନିଧୀ ଦଳ ଦର୍ଶାଇଛନ୍ତି । ରାଜ୍ୟ ସରକାରଙ୍କ ଏହି ପ୍ରତିନିଧୀ ଦଳକୁ ସିନୋପସିସ ଅଧିକାରୀ ଓଡିଶାକୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।
ପରେ ରାଜ୍ୟରେ ଏକ ଚିପ୍ ଡିଜାଇନ୍ ସେଣ୍ଟର ପ୍ରତିଷ୍ଠା ପାଇଁ କମ୍ପାନୀର ଯୋଜନା ଘୋଷଣା କରିଥିଲେ । ଏହି କେନ୍ଦ୍ରର ପ୍ରତିଷ୍ଠା ଓଡିଶାର ସେମିକଣ୍ଡକ୍ଟର ଭିତ୍ତିଭୂମିକୁ ବଡ଼ ଉତ୍ସାହ ପ୍ରଦାନ କରିବ । ଇକୋସିଷ୍ଟମକୁ ମଜବୁତ କରିବ ଏବଂ କର୍ମକ୍ଷେତ୍ରରେ ଅଧିକ ଶିଳ୍ପ-ପ୍ରସ୍ତୁତିକୁ ସୁଗମ କରିବ । ଓ-ଚିପ୍ କାର୍ଯ୍ୟକ୍ରମ ପାଇଁ ସର୍ବୋତ୍ତମ ଉପଦେଷ୍ଟା ଏବଂ ପରାମର୍ଶଦାତା ସହାୟତା ପ୍ରଦାନ କରିବାକୁ ଏହି ପ୍ରତିନିଧୀ ଦଳ ସିଲିକନ୍ ଭ୍ୟାଲିରେ ଅବସ୍ଥିତ ଶିଳ୍ପପତି ତଥା ଅନୁସନ୍ଧାନକାରୀଙ୍କ ସହ ଏକ ବ୍ୟାପକ ଯୋଗାଯୋଗ ମଧ୍ୟ କରିଥିଲେ ।
ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଓଡ଼ିଶା ଟୁରିଜିମ ହାନୋଇ ତାର ଅନ୍ତର୍ଜାତୀୟ ପ୍ରମୋସନ ରୋଡ ଶୋ’ ଶେଷ କରିଛି
ଭିଏତନାମ: ସରିଲା ହାନୋଇ ରୋଡ ଶୋ । ଦକ୍ଷିଣ ପୂର୍ବ ଏସିଆରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଓଡ଼ିଶା ଟୁରିଜିମ ଭିଏତନାମ ହାନୋଇ ଶେଷ କରିଛି ତାର ତୃତୀୟ ପର୍ଯ୍ୟାୟ ଅନ୍ତର୍ଜାତୀୟ ପ୍ରମୋସନ ରୋଡ ଶୋ । ଫିକ୍କିର ସହଯୋଗରେ ଆୟୋଜିତ ଏହି ରୋଡ ଶୋରେ ଯୋଗଦେଇଥିଲେ ୧୩୦ ଭିଏତନାମ ଟୁର ଅପରେଟର । ଏମାନେ ଓଡ଼ିଶା ସହ ନେଟୱର୍କିଂ କରି କାର୍ଯ୍ୟ କରିଥାନ୍ତି ।
ବିଜିନେସ ଟୁ ବିଜିନେସ ଏବଂ ବିଜିନେସ ଟୁ ଗ୍ରୁପକୁ ନେଇ ଭିଏତନାମ ପର୍ଯ୍ୟଟନ କମ୍ପାନୀ ସହ ଆଲୋଚନା କରିଥିଲା ଓଡ଼ିଶା ଟୁରିଜିମ । ଏହି ଅବସରରେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପୁରାତନ କାଳର ସଂପର୍କକୁ ବଖାଣିଥିଲେ । କିପରି କଳିଙ୍ଗ ଓ ପୁରାତନ ଦକ୍ଷିଣ ଭିଏତନାମ ଚମ୍ପା ସହ ସାମୁଦ୍ରିକ ବାଣିଜ୍ୟିକ ସଂପର୍କ ସ୍ଥାପିତ ହୋଇପାରିଥିଲା ତାକୁ ସେ ମନେ ପକାଇଦେଇଥିଲେ । ଓଡ଼ିଶାରେ ବହୁବିଧ ବୌଦ୍ଧ ପର୍ଯ୍ୟଟନ ସ୍ଥଳୀ ଥିବାରୁ ଏ ସଂପର୍କରେ ଭିଏତନାମି ଅପରେଟରଙ୍କୁ ସୂଚନା ଦେଇଥିଲେ ପର୍ଯ୍ୟଟନ ନିର୍ଦ୍ଦେଶକ ।

