spot_img
Home Blog Page 2755

ଅଜବ ଫିଟନେସ୍ ଚ୍ୟାଲେଞ୍ଜ: ପାଣି ପିଇ ପିଇ ଅସୁସ୍ଥ ହୋଇ ପଡ଼ିଲେ ଯୁବତୀ, ଡାକ୍ତରଖାନାରେ ଜୀବନ ସହ କରୁଛନ୍ତି ସଂଘର୍ଷ

ନନ୍ଦିଘୋଷ ବ୍ୟୁରୋ : ବର୍ତ୍ତମାନ କାହାକୁ ବା ଫିଟ ରହିବାକୁ ପସନ୍ଦ ନୁହେଁ । ସମସ୍ତେ ଫିଟ ରହିବା ପାଇଁ ବିଭିନ୍ନ ଉପାୟ ଗ୍ରହଣ କରୁଛନ୍ତି । ଏହି ସମୟରେ ୭୫ ଦିନ ପାଇଁ ଫିଟନେସ୍ ଚ୍ୟାଲେଞ୍ଜ ଆରମ୍ଭ ହୋଇଥିବାବେଳେ, ସମସ୍ତେ ମଧ୍ୟ ଏଥିରେ ଅଂଶ ଗ୍ରହଣ କରୁଛନ୍ତି । ଜଣେ ଜଣାଶୁଣା ସପ୍ଲିମେଣ୍ଟ ସିଇଓ ଆଣ୍ତି ଫ୍ରିସେଲା ୨୦୨୦ରେ ଏହି ଚ୍ୟାଲେଞ୍ଜକୁ ଆରମ୍ଭ କରିଥିଲେ । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ନିଜ ଭିତରେଥିବା ଆତ୍ମବିଶ୍ୱାସକୁ ଦୃଢ କରିବା । ଏହି ଫିଟନେସ୍ ଚ୍ୟାଲେଞ୍ଜରେ ଅଶଂଗ୍ରହଣ କରିବାକୁ ହେଲେ  ପ୍ରତିଦିନ ୫ଟି ନିୟମକୁ ପାଳନ କରିବାକୁ ହେବ। ଅଂଶ ଗ୍ରହଣକାରୀମାନେ ୭୫ ଦିନ ପର୍ଯ୍ୟନ୍ତ ଦିନକୁ ୪ ଲିଟର ପାଣି ପିଇବା ସହ ଦୁଇଟି ପର୍ଯାୟରେ ବ୍ୟାୟମ କରିବେ। ଦିନକୁ ୧୦ ପୃଷ୍ଠା ବହି ପଢିବାସହ ମଦ୍ୟପାନ ଓ ଚିଟ୍ ମିଲ ଗ୍ରହଣ କରିବେ ନାହିଁ । ଏଥିସହ ଶରୀରରେ ଭିନ୍ନତା ଦେଖାଗଲାଣି ନା ନାହିଁ ସେଥିପାଇଁ ପ୍ରତିଦିନ ଫୋଟ ଉଠାଇବା ଏହି ୭୫ ଦିନ ଫିଟନେସ୍ ଚ୍ୟାଲେଞ୍ଜର ନିୟମ । ୭୫ ଦିନ ମଧ୍ୟରେ ଅଂଶଗ୍ରହଣକାରୀଙ୍କ ଜୀବନକୁ ପରିବର୍ତ୍ତନ କରିବାର ଦାବି ରଖିଛନ୍ତି ଆଣ୍ତି ଫ୍ରିସେଲା।

ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, କାନାଡାର ଜଣେ ଟିକ୍ଟକ୍କର ମିସେଲ ଫେୟାରବର୍ନ ଏହି ଭାଇରାଲ ଫିଟନେସ ଚ୍ୟାଲେଞ୍ଜରେ ଅଂଶ ଗ୍ରହଣ କରିଥିଲେ । ସେ ୭୫ ଦିନଧରି ୪ ଲିଟର ପାଣି ପିଇବା ଆରମ୍ଭ କରିଥିବାବେଳେ, ବର୍ତ୍ତମାନ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ସୋମବାର ଦିନ ଏହି ଚ୍ୟାଲେଞ୍ଜ ବିଷୟରେ ଏକ ଭିଡିଓ ମଧ୍ୟ ଟିକ୍ଟକ୍କରେ ସେୟାର କରିଥିଲେ । ସେ ଏହି ଚ୍ୟାଲେଞ୍ଜର ୧୨ ଦିନପରେ ହିଁ ରାତିରେ ଶୋଇବାକୁ ଯିବାବେଳେ ଅସୁସ୍ଥ ଅନୁଭବ କରୁଥିଲେ ଏବଂ ବାରମ୍ବାର ବାଥରୁମ ଯିବା ପାଇଁ ଉଠୁଥିଲେ । ଖାଦ୍ୟ ଖାଇପାରୁନଥିଲେ ଖାଇଲେ ବାନ୍ତି ଲାଗୁଥିବା ସହ ଦୁର୍ବଳ ମଧ୍ୟ ଅନୁଭବ କରୁଥିଲେ । ଫେୟାରବର୍ନ କହିଛନ୍ତି ବୋଧ ହୁଏ ମୋର ପାଣି ବିଷାକ୍ତ ଅଛି ଯାହା ପିଇବା ପରେ ମତେ ଜମା ଭଲ ଲାଗୁନି । ହସ୍ପିଟାଲରେ ଭର୍ତ୍ତି ହେବାପରେ ଅନେକ ପରୀକ୍ଷା କରିଥିଲେ ଡାକ୍ତର ଏବଂ ତାଙ୍କୁ କହିଥିଲେ ଯେ ତାଙ୍କର ଶରୀରରେ ସୋଡିୟମର ଅଭାବ ରହିଛି । ସୋଡିୟମ୍ ଅଭାବ ବା ହାଇପୋନାଟ୍ରେମିଆର ଚିକିତ୍ସା କରାନଗଲେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିବ । ଫେୟାରବର୍ନ ନିଜେ ମଧ୍ୟ କହିଛନ୍ତି ସୋଡିୟମର ଅଭାବ ପ୍ରକୃତରେ ମୋ ପାଇଁ ସାଘାଂତିକ ହୋଇପାରେ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ମତେ ବର୍ତ୍ତମାନ ଦିନକୁ ୪ ଲିଟର ବଦଳରେ ଅଧା ଲିଟରୁ କମ୍ ପାଣି ପିଇବା ପାଇଁ ପଡିବ । ତେଣୁ ମୁଁ ଡାକ୍ତରଖାନା ଯାଉଛି ସେଠାରେ ସେମାନେ ସବୁକିଛି ଯାଞ୍ଚ କରିବା ସହ ମୋ ଶରୀରରେ ଅଭାବଥିବା ସୋଡିୟମକୁ ନିୟନ୍ତ୍ରଣ କରିପାରିବେ ବୋଲି ମୋର ବିଶ୍ୱାସ । ଏଥିସହ ସେ କହିଛନ୍ତି ମୁଁ ହାର ମାନିବି ନାହିଁ, ଆରମ୍ଭ କରିଥିବା ୭୫ ହାର୍ଡ ଫିଟନେସ୍ ଚ୍ୟାଲେଞ୍ଜକୁ ଶେଷ କରିବି ।

କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ଅାପଣଙ୍କ ଶରୀର କେତେ ସୁସ୍ଥ ତାହାକୁ ପ୍ରତମେ ନଜର ପକାଇବା ଅାବଶ୍ୟକ । ତା ପରେ ୭୫ ହାର୍ଡ ଫିଟନେସ୍ ଚ୍ୟାଲେଞ୍ଜ ହେଉ ବା ଅନ୍ୟ କୌଣସି ଫିଟନେସ୍ ଚ୍ୟାଲେଞ୍ଜ, ଆରମ୍ଭ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଆବଶ୍ୟକ ଅଟେ । ଏହା ତୁମ ଶରୀର ପାଇଁ ଠିକ୍ କି ନାହିଁ ଡାକ୍ତରଙ୍କ ଠାରୁ ପରାମର୍ଶ ନେବାପରେ ହିଁ ଫିଟନେସ୍ ଚ୍ୟାଲେଞ୍ଜ ଆରମ୍ଭ କରନ୍ତୁ ।

’ଚନ୍ଦ୍ରଯାନ-୩’କୁ ନେଇ ISRO ଚିଫ୍ କହିଲେ କଣ ରହିଛି ଆଗାମୀ ପଦକ୍ଷେପ

ନନ୍ଦିଘୋଷ ବ୍ୟୁରୋ: ସଫଳ ପଥରେ ’ଚନ୍ଦ୍ରଯାନ-୩’ । ସମଗ୍ର ବିଶ୍ବର ନଜର ରହିଥିବାବେଳେ ଚନ୍ଦ୍ରର ଆହୁରି ନିକଟତର ହେଉଛି ’ଚନ୍ଦ୍ରଯାନ-୩’ । ଚନ୍ଦ୍ରଯାନ ସହ ଲାଣ୍ଡର ବିକ୍ରମ ଚନ୍ଦ୍ର ଆଡ଼କୁ ଗତି କରୁଛନ୍ତି । ଚନ୍ଦ୍ରର ଆହୁରି ନିକଟତର ହେଉଥିବାବେଳେ ISROର ମୁଖ୍ୟ କହିଛନ୍ତି କି, ସେମାନେ ଏବେ ଲ୍ୟାଣ୍ଡର ବେଗ ହ୍ରାସ କରିଛନ୍ତି । ଚନ୍ଦ୍ରର କକ୍ଷପଥ ଆଡ଼କୁ ଗତି କରୁଛି । ଏପର୍ଯ୍ୟନ୍ତ ସବୁକିଛି ସ୍ବାଭାବିକ ଏବଂ ସ୍ଥିର ରହିଛି । କିନ୍ତୁ ଆଗାମୀ କିଛି ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି । ଲ୍ୟାଣ୍ଡର ବିକ୍ରମ ଏବଂ ରୋଭରକୁ ନେଇ ଗଠିତ ଲ୍ୟାଣ୍ଡର ମଡ୍ୟୁଏ ଅଗଷ୍ଟ ୨୦ରେ ଦ୍ବିତୀୟ ଡିବୋଷ୍ଟିଂ କରିବ । ଯାହାଦ୍ବାରା କକ୍ଷପଥକୁ ଓହ୍ଲାଇ ଚନ୍ଦ୍ରପୃଷ୍ଠକୁ ଅତି ନିକଟତର ହେବ ।

ISRO ପକ୍ଷରୁ ଏନେଇ ଏକ ଟ୍ବିଟ୍ କରି ସୂଚନା ଦିଆଯାଇଛି । ଲ୍ୟାଣ୍ଡର ମଡ୍ୟୁଲ ସଫଳତା ସହିତ ଏ ଡିବୋଷ୍ଟିଂ ପ୍ରକ୍ରିୟା ସମାପ୍ତ କରିଛି । ଯାହା ବର୍ତ୍ତମାନ ଏହାର କକ୍ଷପଥକୁ ୧୧୩ କିଲୋମିଟରରୁ ୧୫୭ କିମିକୁ ହ୍ରାସ କରାଯାଇଛି । ଦ୍ବିତୀୟ ଡିବୋଷ୍ଟିଂ ପ୍ରକ୍ରିୟା ଆସନ୍ତାକାଲି ଅପରାହ୍ନ ୨ଟାରେ କରାଯିବ । ତେବେ ଅଗଷ୍ଟ ୨୩ ତାରିଖରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ପୂର୍ବରେ ଲ୍ୟାଣ୍ଡିଂ କରିବ । ଏହି ଏହି ମିଶନ ସଫଳ ହୁଏ ତାହେଲେ ଭାରତ ଚତୁର୍ଥ ଦେଶ ହେବ ।

 

କଥା ଦେଇ କଥା ରଖିଲେ 5T ସଚିବ ଭି.କେ ପାଣ୍ଡିଆନ, ୭ ଦିନରେ ହେଲା ଦାବି ପୂରଣ

ଟିଟିଲାଗଡ଼: କଥା ଦେଇ କଥା ରଖିଲେ 5T ସଚିବ ଭି.କେ ପାଣ୍ଡିଆନ । ୭ ଦିନରେ ପୂରଣ ହେଲା ପ୍ରତିଶ୍ରୁତି । ଟିଟିଲାଗଡ଼ର ସାହୁ ସମାଜ କମ୍ୟୁନିଟି ସେଣ୍ଟର ପାଇଁ ୧୫ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଫଳରେ ସଇଁତଳା ସାହୁ ସମାଜ ତରଫରୁ ମୁଖ୍ୟମନ୍ତ୍ରୀ ଓ 5T ସଚିବ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଧନ୍ୟବାଦ ଦିଆଯାଇଛି । ମନ୍ତ୍ରୀ ଟୁକୁନି ସାହୁଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ଲୋକ ।

ଗତ ୬ତାରିଖରେ ଟିଟିଲାଗଡ଼ ଗସ୍ତ କରି ଲୋକଙ୍କ ଦାବିପତ୍ର ଗ୍ରହଣ କରି ସପ୍ତାହକରେ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ବୋଲି ପ୍ରତିସ୍ରୁତି ଦେଇଥିଲେ । କମ୍ୟୁନିଟି ସେଣ୍ଟର ନିର୍ମାଣ ହେଲେ ସ୍ଥାନୀୟ ଲୋକେ ବହୁତ ଉପକୃତ ହେବେ ବୋଲି ଲୋକେ କହିଥିଲେ । କେବଳ କମ୍ୟୁନିଟି ସେଣ୍ଟର ପାଇଁ ନୁହେଁ  ଚାଷୀଙ୍କ ବିକାଶ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ଅନେକ ସ୍ଥାନରେ ଚେକଡ୍ୟାମ ଓ ବ୍ୟରେଜ ନିର୍ମାଣ ହେବାକୁ ଯାଉଛି । ଏହାଦ୍ବାରା ଚାଷୀ ଉପକୃତ ହେବେ ଓ ଆଗାମୀ ଦିନରେ ବିକାଶ ହୋଇପାରିବ ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ ।

ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇ ଅସଦାଚରଣ କରୁଥିବା ପ୍ରଧାନଶିକ୍ଷକଙ୍କୁ ବାନ୍ଧିଲା ପୋଲିସ

ଝାରଖଣ୍ଡ: ଆବାସିକ ବିଦ୍ୟାଳୟରେ ଚାଲିଥିଲା ପ୍ରଧାନଶିକ୍ଷକଙ୍କ କେଳେଙ୍କାରୀ । ସ୍କୁଲରେ ମଦ୍ୟପାନ କରିବା ସହ ଛାତ୍ରୀଙ୍କୁ ଦେଖାଉଥିଲେ ଅଶ୍ଲୀଳ ଭିଡିଓ । ପ୍ରଧାନ ଶିକ୍ଷକଙ୍କ ସାମିଲ ଥିଲେ ବିଦ୍ୟାଳୟର ଅନ୍ୟ ୨ଜଣ ଶିକ୍ଷକ ଏବଂ ନାଇଟଓ୍ବାଚର । ଛାତ୍ରୀଙ୍କ ଅଭିଯୋଗ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ପ୍ରଧାନ ଶିକ୍ଷକ ଏବଂ ନାଇଟ୍ ଓ୍ବାଚରଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଦୁଇ ଶିକ୍ଷକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛି । ଝାରଖଣ୍ଡର ଡୁମକାରେ ଥିବା ଏକ ଆବାସିକ ବିଦ୍ୟାଳୟରୁ ଆସିଛି ଏଭଳି ଲଜ୍ଜାଜନକ ଖବର ।

ଛାତ୍ରୀମାନେ ଅଭିଯୋଗ କରିଛନ୍ତି କି, ପ୍ରଧାନଶିକ୍ଷକ ଏବଂ ନାଇଟ ଓ୍ବାଚର ସ୍କୁଲରେ ରାତିରେ ମଦ ପିଅନ୍ତି । ଏବଂ ସେମାନେ ନିଶାଶକ୍ତ ଅବସ୍ଥାରେ ଆସି ଅସଦାଚରଣ କରନ୍ତି । ମୋବାଇଲରେ ସେମାନେ ଅଶ୍ଲୀଳ ଭିଡିଓ ଦେଖିବା ପାଇଁ ବାଧ୍ୟ କରନ୍ତି । ନଦେଖିଲେ ମାଡ଼ ମାରୁଥିବା ମଧ୍ୟ ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଏନେଇ ଛାତ୍ରୀମାନେ ଏକ ଚିଠି ମାଧ୍ୟମରେ ଅଭିଯୋଗ ଜଣାଇଥିଲେ । ପରେ ପୁଲିସ ଘଟଣାର ତଦନ୍ତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି ।

ଓଡିଶା-ଛତିଶଗଡ଼ ସୀମାରେ ମାଓ କ୍ୟାମ୍ପ ଠାବ, ବିପୁଳ ମାଓ ସାମଗ୍ରୀ ଜବତ

ନୂଆପଡ଼ା: ଓଡିଶା-ଛତିଶଗଡ଼ ସୀମାରେ ମାଓ କ୍ୟାମ୍ପ ଠାବ । ଡିଟୋନେଟର ସହ ବିପୁଳ ମାଓ ସାମଗ୍ରୀ ଜବତ । ସିନାପାଲି ପାଟଦର୍ହା ସଂରକ୍ଷିତ ଜଙ୍ଗଲ ଝୋଲାପଡା ନିକଟରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି । ଏଥିରେ ୨୮ ଡିଟୋନେଟର ସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି ।

ଗତ ୧୭ ତାରିଖରେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ସୀମାନ୍ତ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ପାଟଦର୍ହା ସଂରକ୍ଷିତ ଜଙ୍ଗଲ ଝୋଲାପଡ଼ା ଗାଁ ନିକଟରେ ନୂଆପଡ଼ା ଓ ମେନପୁର ଡିଭିଜନ ମାଓବାଦୀ ମେଳି ବାନ୍ଧିଥିଲେ । ଏହି ଖବର ନୂଆପଡା ପୁଲିସ ଖବର ପାଇଥିଲା । ନୂଆପଡା ଏସପିଙ୍କ ନିର୍ଦ୍ଦେଶକ୍ରମେ ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ ଏସଓଜି, ଡ଼ିଭିଏଫ, କୋବ୍ରା ଓ ସିଆରପିଏଫ ଯବାନଙ୍କ ମିଳିତ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଗତ ୧୮ ତାରିଖ ଅପରାହ୍ନ ୪ଟାରେ ଯବାନମାନେ ମାଓ କ୍ୟାମ୍ପ ନିକଟରେ ପହଞ୍ଚିଥିଲେ । ଯବାନଙ୍କୁ ଦେଖି ମାଓବାଦୀମାନେ ଛାତ୍ରଭାଙ୍ଗ ଦେଇଥିଲେ । ସେଠାରେ ଯବାନମାନେ ସର୍ଚ୍ଚ ଅପରେଶନ କରି ୨୮ଟି ଡିଟୋନେଟର, ୧ କେଜି ଲୋ ଏକ୍ସପ୍ଲସିଭ, ଏକେ ୪୭ ବନ୍ଧୁକ ଗୁଳିର ଖୁକା ସହ ବିପୁଳ ମାଓ ସାମଗ୍ରୀ ଜବତ କରିଥିଲେ ।

ସମୁଦ୍ରରେ ଓଡ଼ିଶା-ଆନ୍ଧ୍ର ମତ୍ସ୍ୟଜୀବୀ ମୁହାଁମୁହିଁ, ଜାଲ କାଟି ନଷ୍ଟ କରିବାରୁ ଝଗଡ଼ା

ଗଞ୍ଜାମ: ସମୁଦ୍ରରେ ଓଡ଼ିଶା ଏବଂ ଆନ୍ଧ୍ର ମତ୍ସ୍ୟଜୀବୀଙ୍କ ମଧ୍ୟରେ ଗଣ୍ଡଗୋଳ । ଆନ୍ଧ୍ର ମତ୍ସ୍ୟଜୀବୀଙ୍କ ଦ୍ବାରା ଓଡ଼ିଶାର ୫ ଜଣ ମତ୍ସ୍ୟଜୀବୀ ଅଟକ ଅଭିଯୋଗ । ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ଏନେଇ ଅଭିଯୋଗ ହୋଇଛି । ସାନ ଆର୍ଯ୍ୟପଲ୍ଲୀର କିଛି ମତ୍ସ୍ୟଜୀବୀ ମାଛ ମାରିବାକୁ ଡଙ୍ଗାରେ ସମୁଦ୍ରକୁ ଯାଇଥିବା ବେଳେ ଆନ୍ଧ୍ର ମତ୍ସ୍ୟଜୀବୀଙ୍କ ସହ ଝଗଡ଼ା ହୋଇଥିଲା ।

ଜାଲ କାଟି ନଷ୍ଟ କରିବା ନେଇ ଉଭୟ ରାଜ୍ୟର ମତ୍ସ୍ୟଜୀବୀ ମୁହାଁମୁହିଁ ହୋଇଥିଲେ । କ୍ଷତିପୂରଣ ଦାବି କରି ସାନ ଆର୍ଯ୍ୟପଲ୍ଲୀର ୫ ଜଣ ମତ୍ସ୍ୟଜୀବୀ ଆନ୍ଧ୍ର ମତ୍ସ୍ୟଜୀବୀଙ୍କ ଟ୍ରଲରକୁ ଯାଇଥିଲେ । ଆନ୍ଧ୍ର ମତ୍ସ୍ୟଜୀବୀମାନେ ଭୟରେ ନିଜ ଟ୍ରଲରକୁ ଗଭୀର ସମୁଦ୍ରକୁ ନେଇଯାଇଛନ୍ତି । ଅନ୍ୟ ମତ୍ସ୍ୟଜୀବୀମାନେ ଫେରି ଆସିଥିବା ବେଳେ ଆନ୍ଧ୍ର ଟ୍ରଲରରେ ଓଡ଼ିଶାର ୫ଜଣ ମତ୍ସ୍ୟଜୀବୀ ରହିଯାଇଛନ୍ତି । ଏନେଇ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ଅଭିଯୋଗ ପରେ ଛତ୍ରପୁର ଏସଡିପିଓ ଏବଂ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ, ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ସହାୟତାରେ ଆନ୍ଧ୍ର ଟ୍ରଲର ସହ ଯୋଗାଯୋଗ କରିଥିଲେ ।

ଟ୍ରଲରଟିକୁ ଆନ୍ଧ୍ରର ବାରୁଭା ସାମୁଦ୍ରିକ ଥାନା ଅଞ୍ଚଳରେ ଠାବ କରାଯାଇଛି । ଓଡ଼ିଶାର ସମସ୍ତ ୫ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ବେଳେ ସମୁଦ୍ର ଅଶାନ୍ତ ଥିବାରୁ କୂଳକୁ ଆସି ପାରିନାହାନ୍ତି । ଛତ୍ରପୁର ଏସଡିପିଓ ଏବଂ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ସେଠାରେ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି । ପାଗ ଅନୁକୂଳ ହେବା ପରେ ମତ୍ସ୍ୟ୍ୟଜୀବୀମାନଙ୍କୁ ଉଦ୍ଧାର କରାଯିବ ।

ପୁରୀ ଗସ୍ତରେ 5T ସଚିବ, କୋଣାର୍କ ମନ୍ଦିରର ବିକାଶ ପାଇଁ ୨୧୦ କୋଟିର ପ୍ୟାକେଜ ଘୋଷଣା

ପୁରୀ: କାକଟପୁର, ଅସ୍ତରଙ୍ଗ, ନିମାପଡ଼ା ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି 5T ସଚିବ । ପାନ ଚାଷୀ ୧୫ ଦିନରେ ସ୍ବତନ୍ତ୍ର ପ୍ୟାକେଜ ପାଇବେ । ଖୁବଶୀଘ୍ର ଏନେଇ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ମାଆ ମଙ୍ଗଳା ମନ୍ଦିର DPR ପ୍ରସ୍ତୁତ ହୋଇ ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ରୂପାନ୍ତର ହେବ । ଏଥିପାଇଁ ଖର୍ଚ୍ଚ ହେବ ୧୦ କୋଟି ଟଙ୍କା । ୨୧୦ କୋଟି କୋଣାର୍କ ମନ୍ଦିର ବିକାଶ ପାଇଁ ଖର୍ଚ୍ଚ ହେବ । ଅନ୍ତର୍ଜାତୀୟ ସ୍ତରର ହେବ କୋଣାର୍କ । ଚନ୍ଦ୍ରଭାଗା ବେଳାଭୂମି ପାଇଁ ବି ମୁଖ୍ୟମନ୍ତ୍ରୀ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି । ଅସ୍ତରଙ୍ଗ ବ୍ଲକର ୫୦ ଗାଁ, କାକଟପୁରର ୪୭ଗାଁ, ଗୋପର ୫୦ଗାଁ ପାଇଁ ୨୩୫ କୋଟି ଖର୍ଚ୍ଚ ହୋଇ ପାନୀୟ ଜଳ ବ୍ୟବସ୍ଥା କରାଯାଉଛି ।

ପ୍ରାଚୀ ନଦୀ ଉପରେ ୨ଟି, ଦେବୀ ଓ କାଦୁଆ ନଦୀ ଉପରେ ଗୋଟିଏ ଲେଖାଏ ସେତୁ ହେବ । ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ୧୨ କୋଟି ଅନୁମୋଦନ ହୋଇଛି । ପ୍ରାଚୀ ନଦୀ ଉନ୍ନତିକରଣ ପାଇଁ ୧୫ କୋଟି ଖର୍ଚ୍ଚ ହୋଇଛି । ନିମାପଡାରୁ କାକଟପୁର ଯାଏ ବିଦ୍ୟୁତ ପାଇଁ ଖର୍ଚ୍ଚ ହୋଇଛି ୮ କୋଟି ଟଙ୍କା । ସେହିପରି ଚିଙ୍ଗୁଡାରୁ ଇତିପୁର, ଗୋପ ରାସ୍ତା ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରୁ ୧୫ କୋଟି ଖର୍ଚ୍ଚ ହୋଇଛି ବୋଲି କହିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ ।

ଆଜି ଦ୍ବିତୀୟ ଦିନରେ ପୁରୀ ଗସ୍ତରେ ଯାଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ଗ୍ରାଉଣ୍ଡକୁ ଯାଇ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ଆଜି କାକଟପୁରରେ ପହଞ୍ଚି ଲୋକଙ୍କ ହାତରୁ ଗ୍ରହଣ କରିଛନ୍ତି ଅଭିଯୋଗପତ୍ର । ଏହାସହ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ମହିଳା ମାନେ ପୁଷ୍ପ ବର୍ଷା ସହ ହୁଳହୁଳି ଦେଇ ସ୍ବାଗତ କରିଥିଲେ । 5T ସଚିବ ନିଜେ ଚାଲି ଚାଲି ଲୋକଙ୍କ ପାଖକୁ ଯାଇ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ହାତ ମିଶାଇଥିଲେ । ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ଯେଉଁମାନେ ଦରଖାସ୍ତ ଦେଇଛନ୍ତି ତାହା ୭ ଦିନ ମଧ୍ୟରେ ପୂରଣ କରାଯିବ । ପିଇବା ପାଣି ସମସ୍ୟା ଯାହାର ଅଛି, ତାହା ମଧ୍ୟ ପୂରଣ ହେବ । ଆଜି ସନ୍ଧ୍ୟା କି କାଲି ସକାଳ ସୁଦ୍ଧା ଆପଣଙ୍କ ଗାଁକୁ ଯନ୍ତ୍ରୀ ଯିବେ । ଦୁଇ ଦିନ ଭିତରେ ପିଇବା ପାଣି ସମସ୍ୟାର ସମାଧାନ ହେବ । ବାକି ଦରଖାସ୍ତ ବି ଟିକନିକ ଦେଖାଯିବ । ମୁଖ୍ୟମନ୍ତ୍ରୀ ସବୁବେଳେ ମିଶନ ଶକ୍ତି ମାଆ ମାନଙ୍କ ସହ ଅଛନ୍ତି । ମିଶନ ଶକ୍ତିରେ ଏବେ ୭୦ ଲକ୍ଷରୁ ଅଧିକ ମା’ ସାମିଲ ହୋଇଛନ୍ତି । ଗୋଟିଏ ବର୍ଷରେ ୧୧ ହଜାର ୩ଶହ କୋଟି ଋଣ ନେଇଛନ୍ତି ମିଶନ ଶକ୍ତି ମାଆ । ପୁରୀ ଜିଲ୍ଲାରେ ଋଣର ପରିମାଣ ୩.୪୬ ଲକ୍ଷ ରହିଛି । ସେହିପରି BSKY ଜରିଆରେ ଦେଶର ଓ ରାଜ୍ୟର ବଡ଼ ବଡ଼ ଘରୋଇ ଓ ସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଛି । ଚାଷୀ ମାନଙ୍କ ପାଇଁ ୧ ଲକ୍ଷ ଯାଏ ବିନା ସୁଧରେ ଋଣ ଦେଉଛନ୍ତି । ଏବେ ଫସଲ ବିମାରେ ପ୍ରିମିୟମ ବି ରାଜ୍ୟ ସରକାର ବହନ କରିବେ । ପୁରୀ ଜିଲ୍ଲାର ୧ ଲକ୍ଷ ୬ ହଜାର ଚାଷୀ ଫସଲ ବୀମାରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି 5T ସଚିବ । ପାନ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବେ ବୋଲି କହିଛନ୍ତି 5T ସଚିବ ।

ନୂଆଁଖାଇ ପାଇଁ ବାହାରିଲା ଲଗ୍ନ, ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀରେ ଇଷ୍ଟଦେବୀଙ୍କ ନିକଟରେ ଲାଗିହେବ ନବାନ୍ନ

ବଲାଙ୍ଗୀର: ବଲାଙ୍ଗୀର ନୂଆଁଖାଇ ପାଇଁ ବାହାରିଲା ଲଗ୍ନ I ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀରେ ଇଷ୍ଟଦେବୀଙ୍କ ନିକଟରେ ଲାଗିହେବ ନବାନ୍ନ । ଆସନ୍ତା ସେପ୍ଟେମ୍ବର ୨୦ ବୁଧବାର ସକାଳ ୧୦ଟା ୨୮ରୁ ୧୦ଟା ୪୧ ମଧ୍ୟରେ ଇଷ୍ଟଦେବୀ ପାଟଣେଶ୍ୱରୀ ଓ ସମଲେଶ୍ବରୀଙ୍କୁ ପରମ୍ପରା ଅନୁଯାୟୀ ନୂଆଲାଗି ହେବ I ପାଟଣା ଷ୍ଟେଟ ହାଉସ୍ ହୋଲଡ଼ ଅଫିସରୁ ବାହାରିଲା ଲଗ୍ନ I ବଲାଙ୍ଗୀର ରାଜ ପୁରୋହିତ ସନ୍ତୋଷ ଦାସ ଏନେଇ ସୂଚନା ଦେଇଛନ୍ତି I

ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ, ଦେଲେ ୧୦ ଲକ୍ଷ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ଦେଲେ ୧୦ ଲକ୍ଷ । ସମ୍ବଲପୁର ଚିପଲିମାର ଶ୍ରୀତମ ବେହେରାଙ୍କୁ ଡି.ଏମ୍.ଡି ଡିଜିଜ୍ ହୋଇଛି । ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର ହେବାରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସମ୍ବଲପୁର ଜିଲ୍ଲାପାଳ ଚିକିତ୍ସା ପାଇଁ ଟଙ୍କା ପ୍ରଦାନ କରିଛନ୍ତି । କିଭଳି ସମସ୍ତ ଗୁରୁତର ରୋଗୀ ସଠିକ  ଚିକିତ୍ସା ପାଇ ପାରିବେ ସେନେଇ ସବୁବେଳେ ତତ୍ପର ଆମ ରାଜ୍ୟ ସରକାର  ।

ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ ହୋଇଥିଲା କ୍ୟାନସର

ଭୁବନେଶ୍ବର: ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ ହୋଇଥିଲା କ୍ୟାନସର । ଷ୍ଟେଜ ଓ୍ବାନ କ୍ୟାନସରରେ ଥିଲେ ପୀଡ଼ିତ । ତେବେ ପ୍ରାରମ୍ଭିକ ଅବସ୍ଥାରେ ଚାଲିଥିଲା ଚିକିତ୍ସା । ଚିକିତ୍ସା ସମୟରେ ଖେଳ ଛାଡ଼ିଦେବାକୁ ପରାମର୍ଶ ଦେଇଥିଲେ ଡାକ୍ତର ।

ତେବେ ଔଷଧ ଖାଇବା ପରେ କମିଥିଲା ଯନ୍ତ୍ରଣା । କିନ୍ତୁ ଡୋପିଂ ଟେଷ୍ଟରେ ପଜିଟିଭ୍ ଆସିଥିଲା ରିପୋର୍ଟ । ଡୋପିଂ ଟେଷ୍ଟରେ ବିଫଳ ହେବା ନେଇ ଧାବିକା ଦୂତି ଚାନ୍ଦ ଦୁଃଖିତ । ସେ କହିଛନ୍ତି, ଏହି ଖବର ଶୁଣିବା ପରେ ଅତ୍ୟନ୍ତ ମର୍ମାହତ । ମୁଁ ଅଲିମ୍ପିକ, ଏସିଆନ ଗେମ୍ସ ଆଦି ଖେଳିଛି । ସବୁ କ୍ଷେତ୍ରରେ ମୁଁ ସଫଳ ହୋଇଛି । ତେବେ ଛୁଟିରେ ମୁଁ ଘରେ ଥିବାବେଳେ ଗତବର୍ଷ ନଭେମ୍ବରରେ ମୋର ସାମ୍ପୁଲ ନିଆଯାଇଥିଲା ।

ଏଥିରେ ମୋର ପଜିଟିଭ ଆସିଥିଲା । ମୁଁ ଜାଣି ପାରି ନଥିଲି ଏହାର କାରଣ । ପରେ ମୁଁ ପୁନର୍ବାର ସାମ୍ପୁଲ ନେବାକୁ କହିଥିଲି । ଗତ ମାର୍ଚ୍ଚରେ ପୁଣି ଥରେ ମୋର ସାମ୍ପୁଲ ନିଆଯାଇଥିଲା । ସେତେବେଳେ ଶରୀରରେ ଯନ୍ତ୍ରଣା ହେଉଥିବାରୁ ସେ ପେନ୍ କିଲର ଖାଉଥିଲେ । ଏଥିଲାଗି ଫିଜିଓଥେରାପିଷ୍ଟ ତାଙ୍କୁ ହ୍ବାଟସଆପରେ ମେଡିସିନ ଖାଇବାକୁ ପରାମର୍ଶ ଦେଇଥିଲେ ।

ଫାର୍ମାସିଷ୍ଟଙ୍କଠାରୁ ମେଡିସିନ ଆଣିଥିବାରୁ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ଏହାକୁ ଅଗ୍ରାହ୍ୟ କରିବା ସହ ତାଙ୍କୁ ଚାରି ବର୍ଷ ବ୍ୟାନ କରିଛି ବୋଲି ଦୂତି କହିଛନ୍ତି । ଏନେଇ ନାଡା କହିଥିଲା ସାର୍ଟିଫିକେଟ ପ୍ରସ୍ତୁତ କରିବା ଜରୁରୀ ଥିଲା । ଗତ ୧୦ ବର୍ଷ ଧରି ସେ ବହୁ ଜାତୀୟ କ୍ରୀଡ଼ାରେ ଭାଗ ନେଇଛନ୍ତି । ମାତ୍ର ଡୋପିଂ ଟେଷ୍ଟରେ କେବେ ଫେଲ୍ ହୋଇ ନଥିଲି ।