ପୁରୀ ଗସ୍ତରେ 5T ସଚିବ, କୋଣାର୍କ ମନ୍ଦିରର ବିକାଶ ପାଇଁ ୨୧୦ କୋଟିର ପ୍ୟାକେଜ ଘୋଷଣା

1 min read

ପୁରୀ: କାକଟପୁର, ଅସ୍ତରଙ୍ଗ, ନିମାପଡ଼ା ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି 5T ସଚିବ । ପାନ ଚାଷୀ ୧୫ ଦିନରେ ସ୍ବତନ୍ତ୍ର ପ୍ୟାକେଜ ପାଇବେ । ଖୁବଶୀଘ୍ର ଏନେଇ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ମାଆ ମଙ୍ଗଳା ମନ୍ଦିର DPR ପ୍ରସ୍ତୁତ ହୋଇ ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ରୂପାନ୍ତର ହେବ । ଏଥିପାଇଁ ଖର୍ଚ୍ଚ ହେବ ୧୦ କୋଟି ଟଙ୍କା । ୨୧୦ କୋଟି କୋଣାର୍କ ମନ୍ଦିର ବିକାଶ ପାଇଁ ଖର୍ଚ୍ଚ ହେବ । ଅନ୍ତର୍ଜାତୀୟ ସ୍ତରର ହେବ କୋଣାର୍କ । ଚନ୍ଦ୍ରଭାଗା ବେଳାଭୂମି ପାଇଁ ବି ମୁଖ୍ୟମନ୍ତ୍ରୀ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି । ଅସ୍ତରଙ୍ଗ ବ୍ଲକର ୫୦ ଗାଁ, କାକଟପୁରର ୪୭ଗାଁ, ଗୋପର ୫୦ଗାଁ ପାଇଁ ୨୩୫ କୋଟି ଖର୍ଚ୍ଚ ହୋଇ ପାନୀୟ ଜଳ ବ୍ୟବସ୍ଥା କରାଯାଉଛି ।

ପ୍ରାଚୀ ନଦୀ ଉପରେ ୨ଟି, ଦେବୀ ଓ କାଦୁଆ ନଦୀ ଉପରେ ଗୋଟିଏ ଲେଖାଏ ସେତୁ ହେବ । ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ୧୨ କୋଟି ଅନୁମୋଦନ ହୋଇଛି । ପ୍ରାଚୀ ନଦୀ ଉନ୍ନତିକରଣ ପାଇଁ ୧୫ କୋଟି ଖର୍ଚ୍ଚ ହୋଇଛି । ନିମାପଡାରୁ କାକଟପୁର ଯାଏ ବିଦ୍ୟୁତ ପାଇଁ ଖର୍ଚ୍ଚ ହୋଇଛି ୮ କୋଟି ଟଙ୍କା । ସେହିପରି ଚିଙ୍ଗୁଡାରୁ ଇତିପୁର, ଗୋପ ରାସ୍ତା ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରୁ ୧୫ କୋଟି ଖର୍ଚ୍ଚ ହୋଇଛି ବୋଲି କହିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ ।

ଆଜି ଦ୍ବିତୀୟ ଦିନରେ ପୁରୀ ଗସ୍ତରେ ଯାଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ଗ୍ରାଉଣ୍ଡକୁ ଯାଇ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ଆଜି କାକଟପୁରରେ ପହଞ୍ଚି ଲୋକଙ୍କ ହାତରୁ ଗ୍ରହଣ କରିଛନ୍ତି ଅଭିଯୋଗପତ୍ର । ଏହାସହ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ମହିଳା ମାନେ ପୁଷ୍ପ ବର୍ଷା ସହ ହୁଳହୁଳି ଦେଇ ସ୍ବାଗତ କରିଥିଲେ । 5T ସଚିବ ନିଜେ ଚାଲି ଚାଲି ଲୋକଙ୍କ ପାଖକୁ ଯାଇ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ହାତ ମିଶାଇଥିଲେ । ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ଯେଉଁମାନେ ଦରଖାସ୍ତ ଦେଇଛନ୍ତି ତାହା ୭ ଦିନ ମଧ୍ୟରେ ପୂରଣ କରାଯିବ । ପିଇବା ପାଣି ସମସ୍ୟା ଯାହାର ଅଛି, ତାହା ମଧ୍ୟ ପୂରଣ ହେବ । ଆଜି ସନ୍ଧ୍ୟା କି କାଲି ସକାଳ ସୁଦ୍ଧା ଆପଣଙ୍କ ଗାଁକୁ ଯନ୍ତ୍ରୀ ଯିବେ । ଦୁଇ ଦିନ ଭିତରେ ପିଇବା ପାଣି ସମସ୍ୟାର ସମାଧାନ ହେବ । ବାକି ଦରଖାସ୍ତ ବି ଟିକନିକ ଦେଖାଯିବ । ମୁଖ୍ୟମନ୍ତ୍ରୀ ସବୁବେଳେ ମିଶନ ଶକ୍ତି ମାଆ ମାନଙ୍କ ସହ ଅଛନ୍ତି । ମିଶନ ଶକ୍ତିରେ ଏବେ ୭୦ ଲକ୍ଷରୁ ଅଧିକ ମା’ ସାମିଲ ହୋଇଛନ୍ତି । ଗୋଟିଏ ବର୍ଷରେ ୧୧ ହଜାର ୩ଶହ କୋଟି ଋଣ ନେଇଛନ୍ତି ମିଶନ ଶକ୍ତି ମାଆ । ପୁରୀ ଜିଲ୍ଲାରେ ଋଣର ପରିମାଣ ୩.୪୬ ଲକ୍ଷ ରହିଛି । ସେହିପରି BSKY ଜରିଆରେ ଦେଶର ଓ ରାଜ୍ୟର ବଡ଼ ବଡ଼ ଘରୋଇ ଓ ସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଛି । ଚାଷୀ ମାନଙ୍କ ପାଇଁ ୧ ଲକ୍ଷ ଯାଏ ବିନା ସୁଧରେ ଋଣ ଦେଉଛନ୍ତି । ଏବେ ଫସଲ ବିମାରେ ପ୍ରିମିୟମ ବି ରାଜ୍ୟ ସରକାର ବହନ କରିବେ । ପୁରୀ ଜିଲ୍ଲାର ୧ ଲକ୍ଷ ୬ ହଜାର ଚାଷୀ ଫସଲ ବୀମାରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି 5T ସଚିବ । ପାନ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବେ ବୋଲି କହିଛନ୍ତି 5T ସଚିବ ।