ସମୁଦ୍ରରେ ଓଡ଼ିଶା-ଆନ୍ଧ୍ର ମତ୍ସ୍ୟଜୀବୀ ମୁହାଁମୁହିଁ, ଜାଲ କାଟି ନଷ୍ଟ କରିବାରୁ ଝଗଡ଼ା

ଗଞ୍ଜାମ: ସମୁଦ୍ରରେ ଓଡ଼ିଶା ଏବଂ ଆନ୍ଧ୍ର ମତ୍ସ୍ୟଜୀବୀଙ୍କ ମଧ୍ୟରେ ଗଣ୍ଡଗୋଳ । ଆନ୍ଧ୍ର ମତ୍ସ୍ୟଜୀବୀଙ୍କ ଦ୍ବାରା ଓଡ଼ିଶାର ୫ ଜଣ ମତ୍ସ୍ୟଜୀବୀ ଅଟକ ଅଭିଯୋଗ । ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ଏନେଇ ଅଭିଯୋଗ ହୋଇଛି । ସାନ ଆର୍ଯ୍ୟପଲ୍ଲୀର କିଛି ମତ୍ସ୍ୟଜୀବୀ ମାଛ ମାରିବାକୁ ଡଙ୍ଗାରେ ସମୁଦ୍ରକୁ ଯାଇଥିବା ବେଳେ ଆନ୍ଧ୍ର ମତ୍ସ୍ୟଜୀବୀଙ୍କ ସହ ଝଗଡ଼ା ହୋଇଥିଲା ।

ଜାଲ କାଟି ନଷ୍ଟ କରିବା ନେଇ ଉଭୟ ରାଜ୍ୟର ମତ୍ସ୍ୟଜୀବୀ ମୁହାଁମୁହିଁ ହୋଇଥିଲେ । କ୍ଷତିପୂରଣ ଦାବି କରି ସାନ ଆର୍ଯ୍ୟପଲ୍ଲୀର ୫ ଜଣ ମତ୍ସ୍ୟଜୀବୀ ଆନ୍ଧ୍ର ମତ୍ସ୍ୟଜୀବୀଙ୍କ ଟ୍ରଲରକୁ ଯାଇଥିଲେ । ଆନ୍ଧ୍ର ମତ୍ସ୍ୟଜୀବୀମାନେ ଭୟରେ ନିଜ ଟ୍ରଲରକୁ ଗଭୀର ସମୁଦ୍ରକୁ ନେଇଯାଇଛନ୍ତି । ଅନ୍ୟ ମତ୍ସ୍ୟଜୀବୀମାନେ ଫେରି ଆସିଥିବା ବେଳେ ଆନ୍ଧ୍ର ଟ୍ରଲରରେ ଓଡ଼ିଶାର ୫ଜଣ ମତ୍ସ୍ୟଜୀବୀ ରହିଯାଇଛନ୍ତି । ଏନେଇ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ଅଭିଯୋଗ ପରେ ଛତ୍ରପୁର ଏସଡିପିଓ ଏବଂ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ, ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ସହାୟତାରେ ଆନ୍ଧ୍ର ଟ୍ରଲର ସହ ଯୋଗାଯୋଗ କରିଥିଲେ ।

ଟ୍ରଲରଟିକୁ ଆନ୍ଧ୍ରର ବାରୁଭା ସାମୁଦ୍ରିକ ଥାନା ଅଞ୍ଚଳରେ ଠାବ କରାଯାଇଛି । ଓଡ଼ିଶାର ସମସ୍ତ ୫ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ବେଳେ ସମୁଦ୍ର ଅଶାନ୍ତ ଥିବାରୁ କୂଳକୁ ଆସି ପାରିନାହାନ୍ତି । ଛତ୍ରପୁର ଏସଡିପିଓ ଏବଂ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ସେଠାରେ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି । ପାଗ ଅନୁକୂଳ ହେବା ପରେ ମତ୍ସ୍ୟ୍ୟଜୀବୀମାନଙ୍କୁ ଉଦ୍ଧାର କରାଯିବ ।