ଅଜବ ଫିଟନେସ୍ ଚ୍ୟାଲେଞ୍ଜ: ପାଣି ପିଇ ପିଇ ଅସୁସ୍ଥ ହୋଇ ପଡ଼ିଲେ ଯୁବତୀ, ଡାକ୍ତରଖାନାରେ ଜୀବନ ସହ କରୁଛନ୍ତି ସଂଘର୍ଷ

ନନ୍ଦିଘୋଷ ବ୍ୟୁରୋ : ବର୍ତ୍ତମାନ କାହାକୁ ବା ଫିଟ ରହିବାକୁ ପସନ୍ଦ ନୁହେଁ । ସମସ୍ତେ ଫିଟ ରହିବା ପାଇଁ ବିଭିନ୍ନ ଉପାୟ ଗ୍ରହଣ କରୁଛନ୍ତି । ଏହି ସମୟରେ ୭୫ ଦିନ ପାଇଁ ଫିଟନେସ୍ ଚ୍ୟାଲେଞ୍ଜ ଆରମ୍ଭ ହୋଇଥିବାବେଳେ, ସମସ୍ତେ ମଧ୍ୟ ଏଥିରେ ଅଂଶ ଗ୍ରହଣ କରୁଛନ୍ତି । ଜଣେ ଜଣାଶୁଣା ସପ୍ଲିମେଣ୍ଟ ସିଇଓ ଆଣ୍ତି ଫ୍ରିସେଲା ୨୦୨୦ରେ ଏହି ଚ୍ୟାଲେଞ୍ଜକୁ ଆରମ୍ଭ କରିଥିଲେ । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ନିଜ ଭିତରେଥିବା ଆତ୍ମବିଶ୍ୱାସକୁ ଦୃଢ କରିବା । ଏହି ଫିଟନେସ୍ ଚ୍ୟାଲେଞ୍ଜରେ ଅଶଂଗ୍ରହଣ କରିବାକୁ ହେଲେ  ପ୍ରତିଦିନ ୫ଟି ନିୟମକୁ ପାଳନ କରିବାକୁ ହେବ। ଅଂଶ ଗ୍ରହଣକାରୀମାନେ ୭୫ ଦିନ ପର୍ଯ୍ୟନ୍ତ ଦିନକୁ ୪ ଲିଟର ପାଣି ପିଇବା ସହ ଦୁଇଟି ପର୍ଯାୟରେ ବ୍ୟାୟମ କରିବେ। ଦିନକୁ ୧୦ ପୃଷ୍ଠା ବହି ପଢିବାସହ ମଦ୍ୟପାନ ଓ ଚିଟ୍ ମିଲ ଗ୍ରହଣ କରିବେ ନାହିଁ । ଏଥିସହ ଶରୀରରେ ଭିନ୍ନତା ଦେଖାଗଲାଣି ନା ନାହିଁ ସେଥିପାଇଁ ପ୍ରତିଦିନ ଫୋଟ ଉଠାଇବା ଏହି ୭୫ ଦିନ ଫିଟନେସ୍ ଚ୍ୟାଲେଞ୍ଜର ନିୟମ । ୭୫ ଦିନ ମଧ୍ୟରେ ଅଂଶଗ୍ରହଣକାରୀଙ୍କ ଜୀବନକୁ ପରିବର୍ତ୍ତନ କରିବାର ଦାବି ରଖିଛନ୍ତି ଆଣ୍ତି ଫ୍ରିସେଲା।

ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, କାନାଡାର ଜଣେ ଟିକ୍ଟକ୍କର ମିସେଲ ଫେୟାରବର୍ନ ଏହି ଭାଇରାଲ ଫିଟନେସ ଚ୍ୟାଲେଞ୍ଜରେ ଅଂଶ ଗ୍ରହଣ କରିଥିଲେ । ସେ ୭୫ ଦିନଧରି ୪ ଲିଟର ପାଣି ପିଇବା ଆରମ୍ଭ କରିଥିବାବେଳେ, ବର୍ତ୍ତମାନ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ସୋମବାର ଦିନ ଏହି ଚ୍ୟାଲେଞ୍ଜ ବିଷୟରେ ଏକ ଭିଡିଓ ମଧ୍ୟ ଟିକ୍ଟକ୍କରେ ସେୟାର କରିଥିଲେ । ସେ ଏହି ଚ୍ୟାଲେଞ୍ଜର ୧୨ ଦିନପରେ ହିଁ ରାତିରେ ଶୋଇବାକୁ ଯିବାବେଳେ ଅସୁସ୍ଥ ଅନୁଭବ କରୁଥିଲେ ଏବଂ ବାରମ୍ବାର ବାଥରୁମ ଯିବା ପାଇଁ ଉଠୁଥିଲେ । ଖାଦ୍ୟ ଖାଇପାରୁନଥିଲେ ଖାଇଲେ ବାନ୍ତି ଲାଗୁଥିବା ସହ ଦୁର୍ବଳ ମଧ୍ୟ ଅନୁଭବ କରୁଥିଲେ । ଫେୟାରବର୍ନ କହିଛନ୍ତି ବୋଧ ହୁଏ ମୋର ପାଣି ବିଷାକ୍ତ ଅଛି ଯାହା ପିଇବା ପରେ ମତେ ଜମା ଭଲ ଲାଗୁନି । ହସ୍ପିଟାଲରେ ଭର୍ତ୍ତି ହେବାପରେ ଅନେକ ପରୀକ୍ଷା କରିଥିଲେ ଡାକ୍ତର ଏବଂ ତାଙ୍କୁ କହିଥିଲେ ଯେ ତାଙ୍କର ଶରୀରରେ ସୋଡିୟମର ଅଭାବ ରହିଛି । ସୋଡିୟମ୍ ଅଭାବ ବା ହାଇପୋନାଟ୍ରେମିଆର ଚିକିତ୍ସା କରାନଗଲେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିବ । ଫେୟାରବର୍ନ ନିଜେ ମଧ୍ୟ କହିଛନ୍ତି ସୋଡିୟମର ଅଭାବ ପ୍ରକୃତରେ ମୋ ପାଇଁ ସାଘାଂତିକ ହୋଇପାରେ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ମତେ ବର୍ତ୍ତମାନ ଦିନକୁ ୪ ଲିଟର ବଦଳରେ ଅଧା ଲିଟରୁ କମ୍ ପାଣି ପିଇବା ପାଇଁ ପଡିବ । ତେଣୁ ମୁଁ ଡାକ୍ତରଖାନା ଯାଉଛି ସେଠାରେ ସେମାନେ ସବୁକିଛି ଯାଞ୍ଚ କରିବା ସହ ମୋ ଶରୀରରେ ଅଭାବଥିବା ସୋଡିୟମକୁ ନିୟନ୍ତ୍ରଣ କରିପାରିବେ ବୋଲି ମୋର ବିଶ୍ୱାସ । ଏଥିସହ ସେ କହିଛନ୍ତି ମୁଁ ହାର ମାନିବି ନାହିଁ, ଆରମ୍ଭ କରିଥିବା ୭୫ ହାର୍ଡ ଫିଟନେସ୍ ଚ୍ୟାଲେଞ୍ଜକୁ ଶେଷ କରିବି ।

କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ଅାପଣଙ୍କ ଶରୀର କେତେ ସୁସ୍ଥ ତାହାକୁ ପ୍ରତମେ ନଜର ପକାଇବା ଅାବଶ୍ୟକ । ତା ପରେ ୭୫ ହାର୍ଡ ଫିଟନେସ୍ ଚ୍ୟାଲେଞ୍ଜ ହେଉ ବା ଅନ୍ୟ କୌଣସି ଫିଟନେସ୍ ଚ୍ୟାଲେଞ୍ଜ, ଆରମ୍ଭ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଆବଶ୍ୟକ ଅଟେ । ଏହା ତୁମ ଶରୀର ପାଇଁ ଠିକ୍ କି ନାହିଁ ଡାକ୍ତରଙ୍କ ଠାରୁ ପରାମର୍ଶ ନେବାପରେ ହିଁ ଫିଟନେସ୍ ଚ୍ୟାଲେଞ୍ଜ ଆରମ୍ଭ କରନ୍ତୁ ।