ଆଜି ଓଡ଼ିଶା ଫେରିବେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୫ ଓଡ଼ିଆ ଶ୍ରମିକ

1 min read

ଭୁବନେଶ୍ୱର :  ଆଜି ଓଡ଼ିଶା ଫେରିବେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୫ ଓଡ଼ିଆ ଶ୍ରମିକ। ଗତକାଲି ସମସ୍ତ ୫ ଓଡ଼ିଆ ଶ୍ରମିକ ଋଷିକେଶ ଏମ୍ସରୁ ଡିସଚାର୍ଜ ହେବା ପରେ ଦିଲ୍ଲୀ ଆସି ଓଡ଼ିଶା ଭବନରେ ରହିଥିଲେ। ଆଜି ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆଣି ଭୁବନେଶ୍ବର ଆସିବେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ସହ ଶ୍ରମ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ରହି ଶ୍ରମିକଙ୍କୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି ।

ଉତ୍ତରକାଶୀ ଟନେଲରୁ ଉଦ୍ଧାର ହେବା ପରେ ଚିକିତ୍ସାଧୀନ ଓଡ଼ିଆ ଶ୍ରମିକଙ୍କ ସହ କଥା ହୋଇଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ହସ୍ପିଟାଲରେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ଉପସ୍ଥିତିରେ ଶ୍ରମିକଙ୍କ ସହ ଭିଡିଓ କଲ କରି କଥା ହୋଇଥିଲେ ଫାଇଭ-ଟି ଅଧ୍ୟକ୍ଷ। ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପଚାରି ବୁଝିଥିଲେ। ଓଡ଼ିଆ ଶ୍ରମିକଙ୍କୁ ରାଜ୍ୟ ସରକାର ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ  ଫାଇଭ-ଟି  ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ କୃତଜ୍ଞତା ଜ୍ଞାପନ ସହ ଧନ୍ୟବାଦ ଜଣାଇଛନ୍ତି ଶ୍ରମିକ ଓ ସେମାନଙ୍କ ପରିବାର ।