spot_img
Home Blog Page 2738

ମୁଷନଙ୍କ ପାଇଁ ଯୋଜନ ଯୋଜନ ଦୂରରେ ଯୋଜନା

ଯାଜପୁର: ଗରିବ ଲୋକଙ୍କ ଲାଗି ଜନ୍ମରୁ ମୃତ୍ୟୁ ଯାଏ ସରକାରଙ୍କ ବିଭିନ୍ନ ଯୋଜନା ରହିଛି । ହେଲେ ଏବେବି କିଛି ଲୋକଙ୍କ ପାଇଁ  ଯୋଜନ ଯୋଜନ ଦୂରରେ ଯୋଜନା । ସ୍ଥାନୀୟ ପ୍ରଶାସନର ଅବହେଳା ପାଇଁ ଏମାନଙ୍କ ନିକଟରେ ପହଞ୍ଚି ପାରୁନି ସରକାରୀ ସହାୟତା । ଯାଜପୁର ବିଝାଂରପୁର ଘଂଟିଆଳି ଲେଙ୍କା ସାହିର ମୁଷନ ଜେନାଙ୍କ ପରିବାର । ଦୁଃଖ କଷ୍ଟରେ ଚଳି ଆସୁଥିଲେ ସୁଦ୍ଧା ତାଙ୍କ ଉପରେ ପଡ଼ୁନି କାହାରି ନଜର । ଅନେକ ଦିନରୁ ଘରର ଚାଳ ଛାଉଣି କି ମରାମତି ହୋଇନି। ଭଙ୍ଗା ଦଦରା କାନ୍ଥ କେତେ ବେଳେ ଯେ ଗଳିପଡିବ ତାହାବି କହିବା ମୁସକିଲ। ସେପଟେ ପରିବାର ଏକମାତ୍ର ରୋଜଗାରିଆ ବ୍ୟକ୍ତି ବି ଅଣ୍ଟା ଭାଙ୍ଗିଯାଇଥିବାରୁ ଶଯ୍ୟାଶାୟୀ । ଭେଣ୍ଡିଆ ପୁଅବି ମାନସିକ ରୋଗରେ ପୀଡିତ । ଦୁଃଖ କଷ୍ଟରେ ଏଭଳି ଜୀବନ ବିତାଉଛନ୍ତି ଯାଜପୁର ଜିଲ୍ଲା ଘଂଟିଆଳି ଲେଙ୍କା ସାହିର ମୁଷନ ଯେନାଙ୍କ ପରିବାର । ମୁଷନ ଏବଂ ସ୍ବାମୀ ଡାଙ୍ଗଧର ପାଉଥିବା ଭତ୍ତା ଟଙ୍କା ବି ଏବେ ବନ୍ଦ ରହିଛି । ଅନଲାଇନ ସିଷ୍ଟମରେ ଉଭୟଙ୍କ ନାଁ ପଞ୍ଜିକରଣ ହୋଇପାରିନଥିବାରୁ ଭତ୍ତା ବନ୍ଦ ହୋଇଥିବା ଅଭିଯୋଗ କରିଛନ୍ତି ମୁଷନ। ଫଳରେ ଏବେ ପରିବାର ଚଳିବା ଆହୁରି କଷ୍ଟକର ହୋଇପଡିଥିବା କହିଛନ୍ତି ମୁଷନ ।

ଦୁଃଖ ଏତିକିରେ ସରିନି । ଅର୍ଥ ଅଭାବରୁ ପୁଅ ଓ ସ୍ତ୍ରୀଙ୍କ ଚିକିତ୍ସା ହୋଇପାରୁନି । ସରକାରୀ ସ୍ତରରେ ଘର ବି ମିଳିନାହିଁ । ଘରକୁ ବିଜୁଳିତ ଦୂରର କଥା ପାଣି ପାଇପ ସଂଯୋଗ ନଥିବାରୁ ସପ୍ତାହକ ପାଇଁ ପାଣି ବୋଟଲରେ ସଂଗ୍ରହ କରି ମାଟିତଳେ ପୋତି ରଖିଛନ୍ତି ମୁଷନ। ପରିବାର ବିଷୟରେ ଅବଗତ ହେବାପରେ ବିଞ୍ଝାରପୁର ବ୍ଲକ ପ୍ରଶାସନକୁ ସମସ୍ତ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

 

ଅକ୍ଟୋବର ଶେଷ ସୁଦ୍ଧା ସରିବ ଶ୍ରୀମନ୍ଦିର ପରିକ୍ରମା କାମ

ପୁରୀ: ପୁରୀରେ ଅବଢ଼ା ଯୋଜନାରେ ଅନେକଗୁଡ଼ିଏ ପ୍ରକଳ୍ପ କାମ ଚାଲିଥିବା ବେଳେ ସେହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ କେଉଁଭଳି ସ୍ଥିତିରେ ରହିଛି ସେ ନେଇ ସମୀକ୍ଷା କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ, ରଘୁନନ୍ଦନ ଲାଇବ୍ରେରୀ, ଶ୍ରୀମନ୍ଦିର ପ୍ରଶାସନିକ କୋଠା, ତୀର୍ଥ ପୁଷ୍କରିଣୀ ସମେତ ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା । ଓବିସିସିର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସମେତ ପ୍ରଶାସନିକ ଅଧିକାରୀ ପ୍ରମୁଖଙ୍କ ଉପସ୍ଥିତିରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।

ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଯାତ୍ରୀ ପରିକ୍ରମା ପ୍ରକଳ୍ପରେ ଭକ୍ତଙ୍କ ପାଇଁ ରହିବ ୯ ଟି ପ୍ରବେଶ ପଥ । ଦୁଇଟି ସ୍ଥାନରେ ୩ ହଜାର ଭକ୍ତଙ୍କ ପାଇଁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାର୍ଶ୍ବରେ ଓ ଏମାର ମଠ ନିକଟରେ ହେବ ନିର୍ମାଣ । ରଘୁନନ୍ଦନ ଲାଇବ୍ରେରୀ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ । ଗୋପାଳତୀର୍ଥ ମଠ ଓ ନାରାୟଣୀ ମନ୍ଦିରର କରାଯିବ ପୁନରୁଦ୍ଧାର । ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଅବଢ଼ା ଯୋଜନା ସମୀକ୍ଷା ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଅକ୍ଟୋବର ସୁଦ୍ଧା ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସାରି ଭକ୍ତଙ୍କ ପାଇଁ ବ୍ୟବହାର ଉପଯୋଗୀ କରାଯିବା ସହ ଶ୍ରୀମନ୍ଦିର ଚାରି ଦ୍ଵାର ଭକ୍ତଙ୍କ ପାଇଁ ଖୋଲାଯିବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ସେହିପରି ଶ୍ରୀମନ୍ଦିର ଭିତରେ ଓ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଏକ ଏଜେନ୍ସି ସହ ଆଲୋଚନା କରାଯାଇଛି ।

ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର ଓ ସୋନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଛି । ଯାତ୍ରୀ ପରିକ୍ରମା ପ୍ରକଳ୍ପ ଦ୍ବାରା ପ୍ରଭାବିତ ହୋଇଥିବା ୧୮ଟି ମଠ ଓ ଦୁଇଟି ମନ୍ଦିରର ମଧ୍ୟ ବିକାଶ କରାଯିବ । ଅକ୍ଟୋବର ସୁଦ୍ଧା ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ । ବୈଠକରେ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଆବାସ ଯୋଜନା, ଜେଟିପି ପୋଲିସଙ୍କ ପାଇଁ ବ୍ୟାରାକ୍, ଦିବ୍ୟାଙ୍କ ଭକ୍ତଙ୍କ ନିମନ୍ତେ ପୂର୍ବପରି ରାମ୍ପ ଓ ପୀଠୁ କିମ୍ବା ଅନ୍ୟ କଣ ବିକଳ୍ପ ବ୍ୟବସ୍ଥା କରାଯିବ ସେ ନେଇ ତର୍ଜମା ହୋଇଥିଲା । ତେବେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କରାଯାଉଥିବା ଏହି ସବୁ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ବୈଠକରେ ନିଷ୍ପତି ନିଆଯାଇଛି ।

 

ଖୁଲମ ଖୁଲା ବିକ୍ରି ହେଉଛି ନିଶା କରୁଥିବା ଔଷଧ

ଢ଼େଙ୍କାନାଳ: ସଞ୍ଜୀବନୀ ସାଜୁଛି ଜହର । ଔଷଧ ଦୋକାନରେ ଖୁଲମ ଖୁଲା ମିଳୁଛି ନିଶା କରୁଥିବା ଔଷଧ । ଆବଶ୍ୟକ ପଡୁନି ପ୍ରେସକ୍ରିପସନ। ଢେଙ୍କାନାଳର ଅନେକ ଔଷଧ ଦୋକାନରେ ମିଳୁଛି  ନିଶା ମେଣ୍ଟାଉଥିବା ଔଷଧ । ଖୁବ୍ କମ୍ ପଇସାରେ ନିଶାର ମଜା ଉଠାଉଛନ୍ତି ନିଶାଡି ଓ ନାବାଳକ ।

ଦକ୍ଷିଣ କାଳି ରୋଡରେ ଥିବା ଏକ ଔଷଧ ଦେକାନରେ ବିନା ପ୍ରେସକ୍ରିପ୍ସନରେ ମିଳୁଛି  ଲୋରାଜେପାମ, ଟେଲମା ୪୦ , କ୍ଲୋନାଜ୍ ଭଳି ଔଷଧ । ବିନା ଡାକ୍ତରୀ ପରାମର୍ଶରେ ଏହାକୁ ଖାଇବା ବିପଦ। ଏହାକୁ ବିନା ପ୍ରେସକ୍ରିପ୍ସନରେ ବିକ୍ରି କରିବା ବି ବେଆଇନ। କେବଳ ଏହି ଗୋଟିଏ ଦୋକାନ ନୁହଁ ଏଭଳି ଅନେକ ମେଡିସିନ୍ ଦେକାନରେ ଚାଲିଛି ନିଶା ପାଇଁ ଔଷଧ ତସ୍କରି। ଏନେଇ ପ୍ରଶ୍ନ କରିବାକୁ ମେଡିସିନ୍ ଦୋକାନୀ ପାଲଟା ପ୍ରଶ୍ନ କରୁଛନ୍ତି ।

ନିଶାଡି ଏଭଳି ଅନେକ ଔଷଧ ଓ ଇଞ୍ଜେକସନ୍ ସହଜରେ ପାଇଯାଇ ନିଶା ଭାବେ ବ୍ୟବହାର କରୁଛନ୍ତି । ଅପରେସନ ଥିଏଟର ଭିତରେ ରୋଗୀଙ୍କୁ ନିଶା ଭାବେ ଦିଆ ଯାଉଥିବା ଇଞ୍ଜେକସନକୁ ମଧ୍ୟ ନିଶାଡିଙ୍କୁ ବିକ୍ରି କରିବା ପାଇଁ ପଛାଉ ନାହାନ୍ତି ଲାଭଖୋର୍ ଦୋକାନୀ । ନିଛାଟିଆ ସ୍ଥାନରେ ଓ ସହରର ବିଭିନ୍ନ ଭଙ୍ଗା ଘର ଏବେ ନିଶାଡିଙ୍କ ଆଡ୍ଡା ପାଲଟିଛି ।

କେନ୍ଦ୍ର ସରକାରଙ୍କ ଡ୍ରଗ୍ସ ଆଣ୍ଡ କସମେଟିକ ଆକ୍ଟ 1942 ଅନୁଯାୟୀ, ଯେ କୌଣସି ନିଶାଯୁକ୍ତ ଔଷଧ ବିନା ପ୍ରେସକ୍ରିପସନରେ ବିକିବା ଅପରାଧ  । ହେଲେ ଏହି ନିୟମକୁ ଦଳିମକଚି ଜଳାଞ୍ଜଳି ଦେଇଛନ୍ତି ଢେଙ୍କାନାଳର ଅନେକ ଔଷଧ ବ୍ୟବସାୟୀ  ।

 

 

ରାଜାରାଣୀଙ୍କ ଜୀବନଶୈଳୀ ବଖାଣୁଛି ଗଞ୍ଜାମ ଜିଲ୍ଲାର ପୋତାଗଡ

ଗଞ୍ଜାମ: ରାଜାରାଣୀଙ୍କ ଜୀବନଶୈଳୀ ବଖାଣୁଛି ଗଞ୍ଜାମ ଜିଲ୍ଲାର ପୋତାଗଡ । ବ୍ରିଟିଶ ସମୟର ଶାସନ ବ୍ୟବସ୍ଥାର ପ୍ରମାଣ ମଧ୍ୟ ଦେଉଛି ନଅରର ଭଗ୍ନାବଶେଷ । ଗଡକୁ ଚାରି ପଟୁ ଘେରି ରହିଛି ବିରାଟ ପାଚେରି । ରହିଛି ଗୋଟିଏ ବିଶାଳ ପ୍ରବେଶ ଦ୍ବାର । ପାଚେରିକୁ ଲାଗି ରହିଛି ଲମ୍ବା ଗଡ ଖାଇ । ରାଜା, ରାଣୀ ଗଡରେ ଥିବା ବେଳେ ଶତ୍ରୁ ଆକ୍ରମଣରୁ ରକ୍ଷା ପାଇଁ ଏହି ଗଡଖାଇରେ କୁମ୍ଭୀର ଛଡା ଯାଉଥିବା ଇତାହାସ ରହିଛି । ପୋତାଗଡ଼ ମଧ୍ୟରେ ଏକ ଅସ୍ତ୍ରାଗାର, ସୈନ୍ୟବାହିନୀଙ୍କ ନିମନ୍ତେ ଗୃହ, ଘୋଡ଼ା ଓ ହାତୀ ଶାଳାର ଭଗ୍ନାବଶେଷ ରହିଛି । ଗଡକୁ ଲାଗି ରହିଥିବା ଋଷିକୁଲ୍ୟା ନଦୀକୁ ରାଣୀ ସ୍ନାନ ପାଇଁ ଯାଉଥିଲେ । ଏୗତିହାସିକ ପୋତାଗଡର ପ୍ରାକୃତିକ ପରିବେଶ ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପୂରାତନ କୀର୍ତ୍ତିରାଜିକୁ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ମିଳିଛି । ହେଲେ ଏହାର ଉନ୍ନତିକରଣ ହୋଇପାରୁନାହିଁ । ବାରମ୍ବାର ଏନେଇ ଅଭିଯୋଗ ପରେ ଏବେ ପୋତାଗଡର ବିକାଶ କାର୍ଯ୍ୟ ଆରମ୍ଭ ହୋଇଛି । ୭ କୋଟି ଟଙ୍କାରେ ଜଳସେଚନ ବିଭାଗ ପକ୍ଷରୁ ବୋଟିଂ ପାଇଁ କାର୍ଯ୍ୟ ଜାରି ରହିଥିବା ବେଳେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨ କୋଟି ଟଙ୍କାରେ ସୌନ୍ଦର୍ଯ୍ୟକରଣ ଆରମ୍ଭ ହୋଇଛି ।

ମିଶନ ଶକ୍ତି ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ସିଲେଇ ତାଲିମ କେନ୍ଦ୍ର

ବୌଦ୍ଧ: ମିଶନ ଶକ୍ତି ସହାୟତାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ନାରୀ  । ବୌଦ୍ଧ ଜିଲ୍ଲା ହରଭଙ୍ଗାରେ ଥିବା ମା’ ସନ୍ତୋସୀ SHG ଏହାର ଜ୍ବଳନ୍ତ ଉଦାହରଣ ପାଲଟିଛି  । ଗୃପ ପକ୍ଷରୁ ୨୦୧୯ ମସିହାରେ ୨ ଲକ୍ଷ ଟଙ୍କା ସରକାରୀ ସହାୟତାରେ ଆରମ୍ଭ ହୋଇଥିବା ସିଲେଇ ତାଲିମ କେନ୍ଦ୍ର ଆଜି ଅନେକଙ୍କ ପାଇଁ ରାହା ସାଜିଛି। ସ୍ଥାନୀୟ ଅଂଚଳର ବହୁ ବେକାର ଯୁବତୀ ଓ ଅସହାୟ ମହିଳା ଓ ଗୃହିଣୀ ମାନଙ୍କୁ ମାଗଣାରେ ସିଲେଇ ତାଲିମ ଗୃପ ପକ୍ଷରୁ ଦିଆଯାଉଛି । ଗ୍ରୁପର ସଦସ୍ୟ ମାନେ ନିଜେ ରୋଜଗାର କ୍ଷମ ହେବା ସହ ଅନ୍ୟମାନଙ୍କୁ ସ୍ବାବଲମ୍ବୀ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି  ।

ମହିଳା ଗ୍ରୃପ ପ୍ରତ୍ୟେକ ବର୍ଷ ଅଙ୍ଗନବାଡି କେନ୍ଦ୍ର ମାନଙ୍କୁ ପ୍ରଶାସନ ମାଧ୍ୟମରେ ପୋଷାକ ଯୋଗାଇ ଭଲ ଦୁଇ ପଇସା ରୋଜଗାର କରିପାରୁଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ୨୫ ଟି ସ୍କୁଲର ପୋଷାକ ସିଲେଇ କାମ ଗୃପକୁ ମିଳିଛି । ଗ୍ରୃପର ସଦସ୍ୟ ମାନେ ତିନୋଟି ସ୍କୁଲର ପିଲାଙ୍କ ଖାଇବା ପିଇବା ଦାୟିତ୍ବ ଗହଣ କରି ଭଲ ଦୁଇପଇସା ରୋଜଗାର କରିପାରୁଛନ୍ତି  ।

 

କ୍ରେଡିଟ୍ କାର୍ଡ ଜରିଆରେ ସାଙ୍ଗଙ୍କୁ ଠକୁଥିବା କମ୍ପ୍ୟୁଟର ଇଞ୍ଜିନିୟର ଗିରଫ

ଭୁବନେଶ୍ବର:  ୩୩ ଲକ୍ଷ ଟଙ୍କା ଚୂନ ଲଗାଇଥିବା କମ୍ପ୍ୟୁଟର ଇଞ୍ଜିନିୟର ଗିରଫ । କ୍ରେଡିଟ୍ କାର୍ଡ ଜରିଆରେ ସାଙ୍ଗମାନଙ୍କୁ ଚୂନ ମାରୁଥିବା କୁଖ୍ୟାତ ଠକକୁ ଗିରଫ କରିଛନ୍ତି କମିଶନରେଟ୍ ପୋଲିସ । ସାଙ୍ଗ ମାନଙ୍କ କ୍ରେଡିଟ କାର୍ଡରୁ ଟଙ୍କା ନେଇ ପରେ ଠକେଇ କରୁଥିବା କମ୍ପ୍ୟୁଟର ଇଞ୍ଜିନିୟରକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଗିରଫ ଅଭିଯୁକ୍ତ ଯାଜପୁର ବ୍ୟାସନଗର ଅଂଚଳର ଦୁଷ୍ମନ୍ତ ରାଉତ । ଦୁଷ୍ମନ୍ତ ପାଖାପାଖି 33 ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଛି । ଆଗକୁ ଅଭିଯୋଗ ଲମ୍ବିପାରେ ବୋଲି ପୋଲିସ ସନ୍ଦେହ କରୁଛି । କାରଣ କଟକରେ ମଧ୍ୟ ଏକାଧିକ ଲୋକଙ୍କୁ ଠକେଇ କରିଥିବା ନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି ।

ଖୋର୍ଦ୍ଧା ପାଇଁ ପ୍ରସ୍ତୁତ ହୋଇଛି ବିକାଶର ନକ୍ସା

ଖୋର୍ଦ୍ଧା: ଖୋର୍ଦ୍ଧା ସହର ହାବେଳି ପଡିଆରେ 5T ସଚିବ ଭି.କେ ପାଣ୍ଡିଆନ । ଜୋରଦାର ବର୍ଷା ସତ୍ତ୍ବେ ଲୋକଙ୍କ ଅଭିଯୋଗ ଶୁଣିଲେ 5T ସଚିବ । ପାଇକଙ୍କ ଉନ୍ନତି ପାଇଁ ଯାହା ପ୍ରସ୍ତାବ ଦେଇଛନ୍ତି ଏକ ସପ୍ତାହ ଭିତରେ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ବୋଲି କହିଛନ୍ତି 5T ସଚିବ । ଖୋର୍ଦ୍ଧା କୋର୍ଟର ଉନ୍ନତି ପାଇଁ 15 ଦିନରେ DPR ପ୍ରସ୍ତୁତ ହେବ । ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ ନେଇ ବ୍ୟବସ୍ଥା କରାଯିବ  । ଜଗନ୍ନାଥ ଜମି ସମସ୍ୟା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । 410ଟି ଦରଖାସ୍ତ ମିଳିଥିବା ବେଳେ ପ୍ରତି ଦରଖାସ୍ତର ସମାଧାନ କରାଯିବ । ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ 29 ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଖୁସିଖବର ପାଇବେ ବୋଲି କହିଛନ୍ତି ଫାଇଭ-ଟି ସଚିବ । ଯେଉଁ ଟଙ୍କା ମିଳିବ ତାହାକୁ ଆନ୍ତରିକତା ସହ କାମ କଲେ ଓଡ଼ିଶା ଦୌଡିବା ସହ ସହ ଅଧିକ ସଶକ୍ତ ହେବ । ଖୋର୍ଦ୍ଧା ରାଜ୍ୟ ରାଜଧାନୀର ମୁଖ୍ୟାଳୟ । CRP, MBK, ମହାସଂଘଙ୍କ ଦରମା ବଢ଼ାଇବା ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା କରୁଛନ୍ତି । ଯେଉଁ ସରକାରୀ ବିଲଡିଂ ଆଉ ବ୍ୟବହାର ହେଉନି ସେଥିରେ ମିଶନ ଶକ୍ତି ଗୃହ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଖୋର୍ଦ୍ଧାର ସବୁ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ 5Tରେ ସାମିଲ କରିଛନ୍ତି । 108 କଲେଜ ପାଇଁ 60 କୋଟି ଟଙ୍କା ଖର୍ଚ୍ଚ ହେବ । ପିଇବା ପାଣି ପାଇଁ 233 କୋଟି ଟଙ୍କା ଖର୍ଚ୍ଚ ହେବ । ପାଇପ ଯୋଗେ ୨୦୨୪ ସୁଦ୍ଧା ହେବ ଘରେ ଘରେ ପିଇବା ପାଣି ପହଞ୍ଚିବ । ଉଗ୍ରତାର ମନ୍ଦିର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ 19 କୋଟି ଅନୁମୋଦନ କରିଛନ୍ତି । ନିରାକାରପୁରରେ ଓଭରବ୍ରିଜ ପାଇଁ 60 କୋଟି, ଜଙ୍କିଆ ରଣପୁର ରାସ୍ତା ଉନ୍ନତି ପାଇଁ 14 କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଯେଉଁମାନେ ପିଇବା ପାଣି ପାଇଁ ଦରଖାସ୍ତ ଦେଇଛନ୍ତି ରାତି ସୁଦ୍ଧା ଯନ୍ତ୍ରୀ ଗାଁରେ ପହଞ୍ଚିବେ । ଦୁଇ ଦିନ ଭିତରେ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି 5T ସଚିବ ।

ପୋଲିସ ମୁଖ୍ୟାଳୟକୁ ହୋମଗାର୍ଡ DIG ବ୍ରିଜେଶ ରାୟଙ୍କ ବଦଳି

ଭୁବନେଶ୍ବର: ପୋଲିସ ମୁଖ୍ୟାଳୟକୁ ବଦଳି ହେଲେ ହୋମଗାର୍ଡ DIG ବ୍ରିଜେଶ ରାୟ । DIGଙ୍କ ଘରେ କାର୍ଯ୍ୟରତ ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ରେଳ ଧାରଣାକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା ହୋମଗାର୍ଡ । ଗୁରୁତର ମହିଳା ହୋମଗାର୍ଡ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।  ଏହି ଘଟଣା ପଦାକୁ ଆସିବା ପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ବ୍ରିଜେଶଙ୍କୁ ଆଜି ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।

ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ମାମଲାରେ ଅନୁଗୁଳରୁ ବରିଷ୍ଠ ଆଇପିଏସ୍ ବ୍ରିଜେଶ କୁମାର ରାୟଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରାଯିବା ପରେ ଏସ୍‌ଟିଏଫ୍‌ ଆଇଜି ଜୟ ନାରାୟଣ ପଙ୍କଜଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି। ୨୦୦୫ ବ୍ୟାଚ୍‌ ଆଇପିଏସ୍ ଜୟନାରାୟଣ ପଙ୍କଜଙ୍କୁ ଅନୁଗୁଳସ୍ଥିତ ଉତ୍ତର କେନ୍ଦ୍ରାଞ୍ଚଳରେ ଡିଆଇଜି ଓ ଅନୁଗୁଳସ୍ଥିତ ପୁଲିସ ତାଲିମ କେନ୍ଦ୍ରରେ ଅତିରିକ୍ତ ଦାୟିତ୍ବ ମିଳିଛି। ଏନେଇ ଗୃହ ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ବାଲେଶ୍ବର ଓପିଆଇଡି କୋର୍ଟଙ୍କ ବଡ଼ ରାୟ, ଶାଖା ପରିଚାଳକଙ୍କୁ ୫ ବର୍ଷ ଜେଲ ଦଣ୍ଡ

ବାଲେଶ୍ବର ଓପିଆଇଡି କୋର୍ଟଙ୍କ ବଡ଼ ରାୟ । ସାରଦା ରିୟୋଲିଟି ଇଣ୍ଡିଆର ଷ୍ଟେଟ କୋର୍ଡିନେଟର ଓ ଶାଖା ପରିଚାଳକଙ୍କୁ ୫ ବର୍ଷ ଲେଖାଏ ଜେଲ୍‌ ଦଣ୍ଡ । ୨ ଲକ୍ଷ ୪୦ ହଜାର ଟଙ୍କା ଲେଖାଏଁ ଜରିମାନାରେ ଦଣ୍ଡିତ କଲେ ଓପିଆଇଡ଼ି କୋର୍ଟ ବିଚାରପତି ବିଶ୍ବଜିତ ଦାସ । ଅଧିକ ସୁଧ ଦେବାର ଲୋଭ ଦେଖାଇ ୨ ହଜାର ୭୫୩ ଜଣ ଜମାକାରୀଙ୍କ ଠାରୁ ୪ କୋଟି ୧୬ ଲକ୍ଷ ଟଙ୍କା ଠକି ନେଇଥିବା କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ ହୋଇଥିଲା । ଦୋଷୀ ଷ୍ଟେଟ କୋର୍ଡିନେଟର ବିଚିତ୍ରାନନ୍ଦ ଦାସ ଓ ଶାଖା ପରିଚାଳକ ବାସୁଦେବ ସାମଲ

ନାଚୁଣୀରେ 5T ସଚିବଙ୍କ ବିକାଶର ସମୀକ୍ଷା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ 5T ସଚିବ । ବେଗୁନିଆ ପରେ ଚିଲିକା ନାଚୁଣି ଗୋଦାବରିଶ ବିଦ୍ୟାଳୟ ଖେଳ ପଡିଆରେ ଲୋକଙ୍କଠାରୁ ସମସ୍ୟା ଶୁଣିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଏହି ସମୟରେ ମାଆମାନେ ହୁଳହୁଳି ସହିତ ଫୁଲ ପକାଇ ତାଙ୍କୁ ସ୍ବାଗତ କରିଥିଲେ । ସମସ୍ତଙ୍କ ପାଖକୁ ଯାଇ ହାତ ମିଳାଇବା ସହ ସମସ୍ୟା ଶୁଣିଥିଲେ 5T ସଚିବ । ନାଚୁଣି ଅଞ୍ଚଳରୁ ୩୭୦ଟି ଦରଖାସ୍ତ ଗ୍ରହଣ କରି ସମସ୍ତଙ୍କୁ ସମସ୍ୟାର ସମାଧାନ ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଚାଷୀଙ୍କ ସମସ୍ୟାକୁ ଗୁରୁତ୍ବ ଦିଆଯିବା ସହିତ ଧାର୍ମିକ ଅନୁଷ୍ଠାନ ସମ୍ପର୍କିତ ସମସ୍ୟାର ୭ଦିନ ଭିତରେ ସମାଧାନ କରାଯିବ । ଆସନ୍ତା ୨୯ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ବୋଲି 5T ସଚିବ ପ୍ରତିଶ୍ରୁତି ଦେଇଛନ୍ତି । ପିଇବା ପାଣି ସମ୍ପର୍କିତ ସମସ୍ୟା ଥିଲେ କାଲି ସକାଳ ସୁଦ୍ଧା ଗାଁକୁ ଯନ୍ତ୍ରୀମାନେ ଯାଇ ସମସ୍ୟାର ସମାଧାନ କରିବେ । ବାଣପୁର ଓ ଚିଲିକା ବ୍ଲକର ଘରେଘରେ ପାଇପ ଯୋଗେ ପାଣି ପହଞ୍ଚାଇବାକୁ ୨୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ଆସନ୍ତାବର୍ଷ ଫେବ୍ରୁଆରୀରେ କିଛି ଗାଁ ଓ ପରବର୍ତ୍ତୀ ୬ମାସରେ ସବୁ ଗାଁକୁ ପିଇବା ପାଣି ଯୋଗାଇ ଦିଆଯିବ । ବାଣପୁର ଏନଏସିରେ ୯ କୋଟି ଓ ବାଲୁଗାଁ NAC ପାଇଁ ୭ କୋଟି ଟଙ୍କାରେ ପିଇବା ପାଣି ପ୍ରକଳ୍ପର ବ୍ୟବସ୍ଥା କରାଯାଉଛି । ବାଲୁଗାଁ ଓ ବାଣପୁର NACରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଏହି ମାସରେ ଶେଷହେବ । ସେହିପରି ବାଣପୁର ସିଏଚସିର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କା ଦିଆଯାଇଛି । ମତ୍ସ୍ୟଜୀବୀଙ୍କ ପାଇଁ ସୋରଣରେ ୧୮ କୋଟିରେ ଫିସ ଲ୍ୟାଣ୍ଡିଂ ସେଣ୍ଟର ନିର୍ମାଣ ଚାଲିଛି । ମାଆ ଭଗବତୀ ମନ୍ଦିର ରୂପାନ୍ତରଣ ପାଇଁ ୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ୭ରୁ ୮ ମାସରେ ଏହି କାମ ସରିବ ବୋଲି ଫାଇଭ-ଟି ସଚିବ କହିଥିଲେ