spot_img
Home Blog Page 2712

ସେପ୍ଟେମ୍ବର ୨ ସକାଳ ୧୧ଟା ୫୦ରେ ଉତକ୍ଷେପଣ ହେବ ଆଦିତ୍ୟ L-1, ଟ୍ୱିଟ୍ କରି ସୂଚନା ଦେଲା ଇସ୍ରୋ

ନୂଆଦିଲ୍ଲୀ: ସୂର୍ଯ୍ୟ ମିଶନ ଲାଗି ବଢିଲା ତତ୍ପରତା । ଆସନ୍ତା ସେପ୍ଟେମ୍ବର ୨ ତାରିଖ ସକାଳ ୧୧ଟା ୫୦ରେ ଆଦିତ୍ୟ ଏଲ-୧ର ହେବ ଉତକ୍ଷେପଣ । ଏନେଇ ଘୋଷଣା କରିଛି ଇସ୍ରୋ । ଶ୍ରୀହରିକୋଟା ସତୀଶ ଧାଓ୍ବନ ସ୍ପେସ ସେଣ୍ଟରରୁ ଲଞ୍ଚ ହେବ ସ୍ପେସକ୍ରାଫ୍ଟ । ଇସ୍ରୋ ଏହି ମିଶନର ଲଞ୍ଚକୁ ଦେଖିବା ପାଇଁ ସାଧାରଣ ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି । ଶ୍ରୀହରିକୋଟା ସ୍ଥିତ ଲଞ୍ଚ୍ ଭ୍ୟୁ ଗ୍ୟାଲେରିରୁ ଏହାର ଉତକ୍ଷେପଣ ଦେଖାଯାଇପାରିବ । ଏଥିପାଇଁ ଲୋକଙ୍କୁ ୱେବସାଇଟ୍ ଜରିଆରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ ।

ଇସ୍ରୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ୱେବସାଇଟର ଲିଙ୍କ ମଧ୍ୟ ଛାଡ଼ିଛି । କେଉଁଦିନଠୁ ରେଜିଷ୍ଟେସନ କରାଯିବ ସେନେଇ ଘୋଷଣା କରାଯିବ ବୋଲି ଇସ୍ରୋ ସୂଚନା ଦେଇଛି । ଚନ୍ଦ୍ର ମିଶନ ପରେ ସୂର୍ଯ୍ୟ ମିଶନ ଲାଗି ସାରା ଦେଶବାସୀଙ୍କ ଏବେ ରହିଛି ପ୍ରତୀକ୍ଷା । ଇସ୍ରୋର ପ୍ରଥମ ମହାକାଶଭିତ୍ତିକ ସୋଲାର ଅଭଜର୍ଭଟୋରୀ ଆଦିତ୍ୟ ଏଲ୧ର ସଫଳତା ଉପରେ ରହିଛି ନଜର । ସୂର୍ଯର ଗବେଷଣା କ୍ଷେତ୍ରରେ ଇସ୍ରୋର ସନ୍ ମିଶନ ପ୍ରଥମ । ସୂର୍ଯ୍ୟ ଓ ପୃଥିବୀ ଅନ୍ତର୍ଗତ ଲାଗରେଞ୍ଜ ପଏଣ୍ଟ ୧ରେ ଏକ କକ୍ଷ ପଥରେ ସ୍ପେସକ୍ରାଫ୍ଟକୁ ମୁତୟନ କରାଯିବ ।

 

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କିଶୋରଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର

ଭୁବନେଶ୍ବର: ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ଜାଭଲିନ ଥ୍ରୋ ଫାଇନାଲିଷ୍ଟ ତଥା ଓଡ଼ିଶା ଖେଳାଳି କିଶୋର କୁମାର ଜେନାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରସ୍କାର ଘୋଷଣା । ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ପ୍ରଥମ ଓଡ଼ିଆ ଜାଭଲିନ ଖେଳାଳି ଭାବେ କିଶୋର ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ପ୍ରଥମ ପଦାର୍ପଣରେ ଚମକି ଥିଲେ ଓଡ଼ିଶାର ଏହି ତାରକା ଖେଳାଳି । ଗୋଲଡେନ ବୟ ନୀରଜ ଚୋପ୍ରା ଏବଂ ଡିପି ମନୁଙ୍କ ସହ କିଶୋର ଫାଇନାଲକୁ ପ୍ରବେଶ କରିଥିଲେ । ଫାଇନାଲରେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ୮୪.୭୭ ମିଟର ଥ୍ରୋ କରିଥିଲେ ମଧ୍ୟ କିଶୋର ମେଡାଲ ତାଲିକାରୁ ବାଦ ପଡ଼ି ୫ମ ସ୍ଥାନରେ ରହିଥିଲେ ।

ତେବେ ଏହି ପ୍ରତିଯୋଗିତାରେ ଇତିହାସ ରଚିଥିଲେ ନୀରଜ । ବିଶ୍ବ ଖେଳକୁଦ ପ୍ରତିଯୋଗିତାର ୪୦ ବର୍ଷ ଇତିହାସରେ ପ୍ରଥମ ଥର ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ ନୀରଜ । ସେହିପରି ଅନ୍ୟତମ ଫାଇନାଲିଷ୍ଟ ଡିପି ମନୁ ୮୪.୧୪ ମିଟର ଥ୍ରୋ କରି ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଥିଲେ ।

ବ୍ରଜମଣ୍ଡଳ ଯାତ୍ରାକୁ ନେଇ ହରିୟାଣାରେ ପୋଲିସ ଛାଉଣୀ

ନୁହ: ବ୍ରଜମଣ୍ଡଳ ଯାତ୍ରାକୁ ନେଇ ପୋଲିସ ସୁରକ୍ଷା ବଳୟରେ ହରିୟାଣାର ନୁହ । ପ୍ରଶାସନର ବିନା ଅନୁମତିରେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବ୍ରଜମଣ୍ଡଳ ଯାତ୍ରାର ଆୟୋଜନ କରାଯାଇଥିବାରୁ ହାଇ ଆଲର୍ଟ ଜାରି କରାଯିବା ସହ ସହର ସାରା ପୋଲିସ ଫୋର୍ସ ନିୟୋଜିତ କରାଯାଇଛି । ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକର ସୀମାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି ।

ନୁହରେ ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି । ଏହାସହ ଇଣ୍ଟରନେଟ ଓ ମେସେଜ ସେବା ବନ୍ଦ କରାଯାଇଥିବା ବେଳେ ୧୪୪ ଧାରା ଜାରି ହୋଇଛି । ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକ ଏକାଠି ହେବାରେ କଟକଣା ଜାରି କରାଯାଇଛି ।

ଜୁଲାଇ ୩୧ ତାରିଖରେ ବ୍ରଜମଣ୍ଡଳ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିଲେ । ଏବେ ବି ସ୍ଥିତି ସମ୍ପୂର୍ଣ୍ଣ ଶାନ୍ତ ପଡ଼ି ନଥିବାରୁ ପୁଣି ଶୋଭାଯାତ୍ରା ପାଇଁ ପୋଲିସ ପ୍ରଶାସନ ଅନୁମତି ଦେଇ ନଥିଲା । ଏହାସତ୍ତ୍ବେ ଶୋଭାଯାତ୍ରାର ଆୟୋଜନ କରାଯାଇଥିବାରୁ ସୀମାବର୍ତ୍ତୀ ଅଞ୍ଚଳରେ ଚେକିଂ କଡ଼ାକଡ଼ି କରିଛି ପୋଲିସ । ନୁହ ମେଓ୍ବାତ ଯାଉଥିବା ସବୁ ଗାଡ଼ିକୁ ଅଟକାଇ ଯାଞ୍ଚ କରାଯାଉଛି । କଡ଼ା ସିକ୍ୟୁରିଟି ସହ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଡ୍ରୋନ ମୁତୟନ କରାଯାଇଛି । ଭିଏଚପି ଶୋଭାଯାତ୍ରାରେ ସାମିଲ ହେବାକୁ ଆସୁଥିବା ବେଳେ ସୋନଲା ଟୋଲ ପ୍ଲାଜାରେ ଅଯୋଧ୍ୟାରୁ ଆସିଥିବା ସୀର ଜଗଦଗୁରୁ ପରମହଂସ ଆଚାର୍ଯ୍ୟଙ୍କୁ ପୋଲିସ ଅଟକାଇଛି ।

କଥା ରଖିଲେ 5T ସଚିବ: ଝାଡ଼େଶ୍ୱର ମନ୍ଦିର ଉନ୍ନତିକରଣ ପାଇଁ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମଞ୍ଜୁର

ଦେବଗଡ଼: କଥା ଦେଇ କଥା ରଖିଲେ 5T ସଚିବ ଭି. କେ. ପାଣ୍ଡିଆନ । ଦେବଗଡ଼ ଜିଲ୍ଲାର ପ୍ରାଚୀନ ଶୈବପୀଠ ଝାଡ଼େଶ୍ୱର ମହାଦେବଙ୍କ ମନ୍ଦିରର ବିକାଶ ପାଇଁ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମଞ୍ଜୁର ।

ଗତ ଜୁଲାଇ ମାସରେ 5T ସଚିବ ମନ୍ଦିର ପରିଦର୍ଶନ କରିଥିଲେ । ଏହି ସମୟରେ ଜନସାଧାରଣ, ମନ୍ଦିର ପରିଚାଳନା କମିଟି ଓ ସେବାୟତମାନେ ମନ୍ଦିରର ବିକାଶ ପାଇଁ ତାଙ୍କୁ ଅନୁରୋଧ କରିଥିଲେ । ଏଥିପାଇଁ ପ୍ରତିଶ୍ରୁତି ଦେଇଥିଲେ 5T ସଚିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିବା ପରେ ମୁଖ୍ୟମନ୍ତ୍ରୀ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମଞ୍ଜୁର କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି । ଏପରିକି ମନ୍ଦିରର ଉନ୍ନତିକରଣ ପାଇଁ ଟଙ୍କା ମଞ୍ଜୁର କରିଥିବାରୁ ବିରୋଧୀ ଦଳର ନେତାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ।

୧୨୦ ବର୍ଷ ପରେ ସୂର୍ଯ୍ୟ ମନ୍ଦିରରୁ କଢ଼ାଯିବ ବାଲି

କୋଣାର୍କ: ଅର୍କ କ୍ଷେତ୍ର କୋଣାର୍କରେ ଥିବା ବିଶ୍ବ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରରୁ କଢ଼ାଯିବ ୧୨୦ ବର୍ଷର ବାଲି । ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ଦ୍ବିତୀୟ ପର୍ଯ୍ୟାୟ କାମ ଆରମ୍ଭ । ଲିଫ୍ଟ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଲାଗିଲା ଲୁହା ବିମ୍‌ । ୧୯୦୩ ମସିହାରେ ସୂର୍ଯ୍ୟ ମନ୍ଦିରର ସୁରକ୍ଷାକୁ ଦେବାକୁ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ଵାରକୁ ବନ୍ଦ କରାଯାଇଥିଲା ।

ସୁର୍ଯ୍ୟ ମନ୍ଦିରରୁ ବାଲି କଢ଼ାଯିବ ନିଷ୍ପତ୍ତି ପରେ ଗତବର୍ଷ ସେପ୍ଟେମ୍ବର ମାସରୁ ଏଏସଆଇ ଓ ବିଡିଆର ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି । ଦ୍ବିତୀୟ ପର୍ଯ୍ୟୟରେ ଲିଫ୍ଟ ପାଇଁ ଉତ୍ତର ଓ ପଶ୍ଚିମ କୋଣରେ ଏକ କ୍ରେନ୍‌ ସାହାଯ୍ୟରେ ଲୁହା ବିମ୍‌ ଲଗାଯାଇଛି । ଆଉ ୩ଟି ଲୁହା ବିମ୍‌ ଲାଗିବ । ଲିଫ୍ଟ ପାଇଁ ପ୍ଲାଟଫର୍ମ ନିର୍ମାଣ ଚାଲିଛି । ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ସତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୂଡ଼ା ଦେଇ ଗର୍ଭଗୃହରେ ରହିଥିବା ବାଲି ମନ୍ଦିର ପାଦଦେଶକୁ ସୁରକ୍ଷିତ ଭାବେ ବାହାର କରାଯିବା ପରେ ଏକ ପାଇପ ଯୋଗେ ଏହି ବାଲିକୁ ଉତ୍ତର କୋଣରେ ରଖାଯିବ । ଏଥିପାଇଁ ପ୍ରାୟ ୩ ବର୍ଷ ସମୟ ଲାଗିବ ।

ବିଜୁ ଆଦର୍ଶ କଲୋନୀର ଲୋକାର୍ପଣ କରି ୬୫ ହଜାର ପରିବାରଙ୍କୁ ଜମିପଟ୍ଟା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସହରର ଗରିବଙ୍କୁ ମିଳିଲା ସମ୍ମାନର ସହ ବଞ୍ଚିବାର ଅଧିକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ସମାଜରେ ମୁଣ୍ଡି ଟେକି ଚାଲିବାକୁ ଦମ୍ଭ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ୧୦୧୦ ବିଜୁ ଆଦର୍ଶ କଲୋନୀର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ୬୫ ହଜାର ପରିବାରଙ୍କୁ ଜମିପଟ୍ଟା ପ୍ରଦାନ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଗରିବଙ୍କ ଦୀର୍ଘଦିନ ସ୍ବପ୍ନ ପୂରଣ ହୋଇଛି । ଆଗକୁ ଘର ନିର୍ମାଣ ପାଇଁ ମିଳିବ ସହାୟତା । ଜାଗା ମିଶନ ଗରିବଙ୍କୁ ନୂଆ ପରିଚୟ ଦେଇଛି । ବିଏମସିରେ ଅକ୍ଟୋବରରେ ଦ୍ବିତୀୟ ପର୍ଯ୍ୟାୟ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରାଯିବ ।’

ଆଗକୁ ସେ କହିଥିଲେ, ‘ସହର କେବଳ ଧନୀଙ୍କ ପାଇଁ ନୁହେଁ, ଗରିବଙ୍କର ମଧ୍ୟ ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି । ସହର ବିକାଶରେ ଗରିବ ଲୋକ ପରିଶ୍ରମ ମଧ୍ୟ ରହିଛି । ସେମାନଙ୍କୁ ଅବଦାନକୁ ସମସ୍ତଙ୍କୁ ସମ୍ମାନ ଜଣାଇବା ଉଚିତ । ଜାଗା ମିଶନ ଗରିବଙ୍କୁ ସମ୍ମାନ ଓ ନୂଆ ପରିଚୟ ଦେଇଛି ।’

୨୦୧୮ରେ ଜାଗା ମିଶନ ଆରମ୍ଭ ହୋଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ସହରର ଏକ ଲକ୍ଷ ୭୦ ହଜାର ଭୂମି ଅଧିକାର ପାଇଛନ୍ତି । ଏହା କେବଳ ଓଡ଼ିଶା ନୁହେଁ ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ବିକାଶରେ ଗରିବଙ୍କ ବଡ଼ ଅବଦାନ ରହିଛି। ଘର ତିଆରି ପାଇଁ ଆର୍ଥିକ ସହାୟତା ଦିଆଯାଇଛି । ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ ହୋଇଛି ବସ୍ତିର ଘର । ୧ ହଜାରରୁ ଅଧିକ ବିଜୁ ଆଦର୍ଶ କଲୋନୀ ରୂପାନ୍ତରିତ ହୋଇଛି । ରୂପାନ୍ତରର ଏହି ପର୍ବରେ ସମସ୍ତେ ସାମିଲ ହୋଇଛନ୍ତି । ଏକ ନୂଆ ଓଡ଼ିଶା ରୂପାନ୍ତରିତ ଓଡ଼ିଶା ଗଢ଼ିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି ଲକ୍ଷ୍ୟ ପୂରଣରେ ଆଜିର କାର୍ଯ୍ୟକ୍ରମ ମାଇଲଖୁଣ୍ଟ ହୋଇ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଯାଜପୁର ପୌରାଞ୍ଚଳକୁ ବସ୍ତି ମୁକ୍ତ ଘୋଷଣା କରାଯାଇଛି ।

କଟକ ମହାନଗର ନିଗମ, ଖୋର୍ଦ୍ଧା, କୋରାପୁଟ ଓ ଯାଜପୁର ପୌରାଞ୍ଚଳକୁ ବିଜୁ ଆଦର୍ଶ କଲୋନୀ ନିର୍ମାଣରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ । ସେହିପରି ଯେଉଁଠାରେ ଆଇନଗତ କାରଣରୁ ବସ୍ତି ଲୋକଙ୍କୁ ନିଜେ ରହୁଥିବା ସ୍ଥାନରେ ଜାଗା ଦିଆଯିବା ସମ୍ଭବ ନୁହେଁ, ସେଠାରେ ସମସ୍ତଙ୍କ ସହମତିରେ ନିକଟସ୍ଥ ସ୍ଥାନରେ ଜାଗ ଦିଆଯାଇ ନୂଆ କଲୋନୀ ସ୍ଥାପନ କରାଯାଉଛି । ନୂଆ କଲୋନୀ ସ୍ଥାପନରେ ଚିକିଟି, ବୌଦ୍ଧ, ଢେଙ୍କାନାଳ ଓ କେଶିଙ୍ଗା ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ସେମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ଜଙ୍ଗଲ ଜମିରେ ଘର କରିଥିବା ଗରିବ ଲୋକଙ୍କୁ ଜଙ୍ଗଲ ଅଧିକାର ଆଇନର ପ୍ରୟୋଗରେ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଦେବା କ୍ଷେତ୍ରରେ ଢେଙ୍କାନାଳ ଜିଲ୍ଲା ସାରା ଦେଶରେ ପ୍ରଥମ ସ୍ଥାନ ପାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ସମ୍ବର୍ଦ୍ଧିତ କରିଛନ୍ତି । ସେହିପରି ରାଜ୍ୟର ଜାଗା ମିଶନ କାର୍ଯ୍ୟକ୍ରମ UN-World Habitat Award 2023 ପାଇଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟର ଜାଗା ମିଶନ ଟିମକୁ ସମ୍ବର୍ଦ୍ଧିତ କରିଥିଲେ ।

କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଉଷା ଦେବୀ କହିଥିଲେ, ‘ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଉଦ୍ୟମ ଯୋଗୁଁ ରାଜ୍ୟର ଗରିବ ଲୋକଙ୍କ ମୁହଁରେ ହସ ଫୁଟିଛି । ସେମାନେ ଆଜି ନିଜର ଅଧିକାର ପାଇଛନ୍ତି ଓ ଆଗକୁ ବଢିବାର ସୁଯୋଗ ପାଇଛନ୍ତି ।’

କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଫାଉଣ୍ଡେସନ୍‌ ପରିଚାଳନା ନିର୍ଦ୍ଦେଶକ କହିଥିଲେ, ‘ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମରେ ସରକାରଙ୍କୁ ସହଯୋଗ ଯୋଗାଇଦେବା ପାଇଁ ଟାଟା ଷ୍ଟିଲ ସବୁବେଳେ ପ୍ରସ୍ତୁତ । ଏପରି ଏକ କାର୍ଯ୍ୟକ୍ରମ ଟାଟା ଷ୍ଟିଲ ପାଇଁ ସମ୍ପୂର୍ଣ୍ଣ ଭାବେ ନୂଆ ହୋଇଥିଲେ ମଧ୍ୟ ଏହି ଦାୟିତ୍ୱକୁ ଆମେ ଠିକ୍ ଭାବେ ତୁଲାଇଛୁ । ଆଗକୁ ମଧ୍ୟ ଏହିପରି ସହଯୋଗ ଜାରି ରହିବ ।’

କାର୍ଯ୍ୟକ୍ରମରେ 5T ସଚିବ ଭି.କେ. ପାଣ୍ଡିଆନ୍, ମୁଖ୍ୟ ଶାସନ ସଚିବ ପି.କେ. ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

NEET ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଦୁଇ ଛାତ୍ରଙ୍କ ଆତ୍ମହତ୍ୟା

କୋଟା: ଇଞ୍ଜିନିୟରିଂ, ମେଡିକାଲ କୋଚିଂ ହବ୍ କୁହାଯାଉଥିବା କୋଟା ସହରରେ ଆଉ ଦୁଇ ଛାତ୍ରଙ୍କ ଆତ୍ମହତ୍ୟା । NEET ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ର ଆତ୍ମହତ୍ୟା କରିଛନ୍ତି । ଜଣେ ଛାତ୍ର କୋଚିଂ ସେଣ୍ଟରରେ ଟେଷ୍ଟ ଦେବା ପରେ କୋଚିଂ ସେଣ୍ଟରର ୬ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ର ହେଲେ ମହାରାଷ୍ଟ୍ର ଲାତୁର ଜିଲ୍ଲାର ଅଭିଷ୍କାର କସଲେ । ଅଭିଷ୍କାର ଗତ ତିନିବର୍ଷ ଧରି କୋଟାରେ NEET ପାଇଁ କୋଚିଂ ନେଉଥିଲେ । ସେ ଛାତରୁ ଡେଇଁବା ସମୟର ଦୃଶ୍ୟ କୋଚିଂ ସେଣ୍ଟରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ଅନ୍ୟ ଜଣେ ମୃତ ଛାତ୍ର ହେଲେ ବିହାର ଆଦର୍ଶ ରାଜ୍ । ଆଦର୍ଶ ତାଙ୍କ ଭଡ଼ା ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପରୀକ୍ଷାରେ କମ୍ ନମ୍ବର ଆସିବା ଭୟରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆଦର୍ଶଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଦୁଇ ଛାତ୍ରଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଗତ ୮ ମାସ ମଧ୍ୟରେ କୋଟାରେ ୨୪ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି ।

ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଦୁଇ ଗିରଫ

ଭୁବନେଶ୍ବର: ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ସ୍ପେଶାଲ କ୍ଲାସ୍ କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲ ଓ ତାଙ୍କ ପାୱାର ଅପ୍ ଆଟର୍ଣ୍ଣିଂ ହୋଲଡର ଦୀପକ କୁମାର ଅଗ୍ରୱାଲ ଗିରଫ । ଉଭୟଙ୍କୁ ଭିଜିଲାନ୍ସ ଗିରଫ କରିଛି ।

ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ଶହେ ଶଯ୍ୟା ବିଶିଷ୍ଟ ୪ଟି ହଷ୍ଟେଲ ନିର୍ମାଣ ପାଇଁ ବିଜୟ ଠିକା ନେଇଥିଲେ । ଏହି କାମରେ ଅର୍ଥ ହେରଫେର ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଭିଜିଲାନ୍ସ ତଦନ୍ତ ଆରମ୍ଭ ପରେ ବିଜୟ ଓ ଦୀପକ ବଳାଙ୍ଗୀର ବାସଭବନରୁ ଫେରାର ହୋଇଯାଇଥିଲେ । ରାଉରକେଲାରୁ ଉଭୟଙ୍କୁ ଭିଜିଲାନ୍ସ ଗିରଫ କରିଛି । ଏବେ ଉଭୟଙ୍କୁ କଟକସ୍ଥିତ ଭିଜିଲାନ୍ସ ଅଫିସକୁ ଆଣି ପଚାରାଉଚରା କରାଯାଉଛି ।

ଆଜି ସହରୀ ଗରିବଙ୍କୁ ବିଜୁ ଆଦର୍ଶ କଲୋନୀ ଭେଟି ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଉ ବସ୍ତି ନୁହେଁ, ଏଣିକି ବିଜୁ ଆଦର୍ଶ କଲୋନୀରେ ବାସ କରିବେ ସହରର ଗରିବ । ଏଥିପାଇଁ ରାଜ୍ୟ ସରକାରଙ୍କ ସ୍ବପ୍ନ ବାସ୍ତବତାରେ ପରିଣତ ହୋଇଛି  । ଆଜି ବସ୍ତିରୁ ଆଦର୍ଶ କଲୋନୀରେ ରୂପାନ୍ତରିତ ହୋଇଥିବା ୧୦୧୦ଟି ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏସବୁକୁ ଉତ୍ସର୍ଗ କରିବେ ।

ବିଜୁ ଆଦର୍ଶ କଲୋନୀରେ ଲୋକଙ୍କୁ ସମସ୍ତ ମୌଳିକ ଭିତ୍ତିଭୂମି ସହିତ ଆଦର୍ଶ ବସତି ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ରାସ୍ତା ସହିତ, ଡ୍ରେନେଜ, ଘରେ ଘରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ, ଉତ୍ତମ ପରିମଳ ବ୍ୟବସ୍ଥା ସହିତ ବିଦ୍ୟୁତ ସଂଯୋଗୀକରଣ, ରାସ୍ତାର ଆଲୋକୀରଣ, ପିଲାମାନଙ୍କ ପାଇଁ ଖେଳ ସୁବିଧା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମୌଳିକ ସୁବିଧା ଯୋଗାଇ ଦିଆଯାଉଛି ।

ସହରାଞ୍ଚଳ ବିକାଶ ଧାରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିକାଶ ଧାରାକୁ ସାରା ବିଶ୍ବ ପ୍ରଶଂସା କରୁଛି । ଏଥିପାଇଁ ୨୦୧୯ ଓ ୨୦୨୩ରେ ଗୃହ ଓ ନଗର ଉନ୍ନୟନ ବିଭାଗକୁ ମିଳିଛି ଜାତିସଂଘ ଓ୍ବାର୍ଲଡ ହାବିଟାଟ୍ ପୁରସ୍କାର । ସେହିପରି ଏସିଆ ପ୍ୟାସିଫିକ ପୁରସ୍କାର ୨୦୨୧ ଓ ଜାତୀୟ ହାଉସିଂ ଇନୋଭେସନ ପୁରସ୍କାର ୨୦୨୧ ପୁରସ୍କାର ପାଇଛନ୍ତି ରାଜ୍ୟ ସରକାର ।

୧୨ ଘଣ୍ଟା ଯାଇ ୨୪ ଘଣ୍ଟା ବିତିଲା, ସୌମ୍ୟ ଦେଇ ପାରିଲେନି ପ୍ରମାଣ

ଭୁବନେଶ୍ବର: ୧୨ ଘଣ୍ଟା ଯାଇ ୨୪ ଘଣ୍ଟା ବିତିଲା । ପ୍ରମାଣ ଦେଇପାରିଲେନି ସୌମ୍ୟରଞ୍ଜନ ପଟ୍ଟନାୟକ । ଅନୁଭବ ପଟ୍ଟନାୟକ ଦେଇଥିଲେ ଚ୍ୟାଲେଞ୍ଜ । କହିଥିଲେ- ଆଲେଖ୍ୟରେ କରିଥିବା ଅଭିଯୋଗ ପ୍ରମାଣ କରିନପାରିଲେ ରାଜ୍ୟବାସୀଙ୍କ ଆଗରେ ମିଛୁଆ ହେବେ ସୌମ୍ୟ ।

ଆଲେଖ୍ୟରେ ସୌମ୍ୟ ଲେଖିଥିଲେ କି ମିଛ କଥା ? ହଟଚମଟ ପାଇଁ ନେଇଥିଲେ କି ମିଛର ସାହାରା ? ଦୈନିକ ସମ୍ବାଦରେ ସୌମ୍ୟଙ୍କ ଆଲେଖ୍ୟକୁ ନେଇ ଚ୍ୟାଲେଞ୍ଜ କରିଥିଲେ ଅନୁଭବ । ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ 5T ସଚିବ କେଉଁଠି କହିଥିଲେ ତା’ର ପ୍ରମାଣ ଦେବାକୁ ଅନୁଭବ ସୌମ୍ୟଙ୍କୁ ଆହ୍ୱାନ ଦେଇଥିଲେ । ସୌମ୍ୟଙ୍କ ଟିଭି ଚ୍ୟାନେଲ ଓ ଖବରକାଗଜରେ ୧୨ ଘଣ୍ଟା ମଧ୍ୟରେ ଏହା ପ୍ରସାରଣ ଓ ପ୍ରକାଶ କରିବାକୁ ମଧ୍ୟ ଆହ୍ବାନ ଦେଇଥିଲେ ।

5T ସଚିବଙ୍କ ଗସ୍ତ ଖର୍ଚ୍ଚ ନେଇ ମଧ୍ୟ ସୌମ୍ୟରଞ୍ଜନଙ୍କୁ ଅନୁଭବ ଚ୍ୟାଲେଞ୍ଜ କରିଥିଲେ । ଗସ୍ତଖର୍ଚ୍ଚ ସମ୍ପର୍କରେ କୌଣସି ପ୍ରମାଣ ଅଛି କି ବୋଲି ପ୍ରଶ୍ନ କରିଥିଲେ ଅନୁଭବ । 5T ସଚିବ ନିଜ ପରିବାରକୁ ଭେଟିବା ପାଇଁ ଓଡ଼ିଶା ବୁଲୁନାହାନ୍ତି । ସେ ଲୋକଙ୍କୁ ଭେଟୁଛନ୍ତି । ସେମାନଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରୁଛନ୍ତି । ଖଣ୍ଡପଡ଼ାରୁ ସର୍ବାଧିକ ଅଭିଯୋଗପତ୍ର ପାଇଛନ୍ତି 5T ସଚିବ । ଏହା ସୂଚାଇ ଦେଉଛି ଯେ, ସୌମ୍ୟଙ୍କ ଉପରୁ ଖଣ୍ଡପଡ଼ାବାସୀ ବିଶ୍ବାସ ହରାଇ ସାରିଲେଣି । ଏହା ସୌମ୍ୟଙ୍କୁ ବାଧୁଛି । ଯେଉଁଥି ପାଇଁ ସୌମ୍ୟ ନିଜ ଖବରକାଗଜ ମାଧ୍ୟମରେ ରାଗ ସୁଝାଇବାକୁ ଉଦ୍ୟମ କରୁଛନ୍ତି ।

ସୌମ୍ୟ ତ ପ୍ରମାଣ ଦେଇପାରିଲେନି । ଯଦି ସତସାହସ ଅଛି ତେବେ ବିଧାୟକ ପଦରୁ ଇସ୍ତଫା ଦେଇ ପୁଣି ଥରେ ନିର୍ବାଚନ ଲଢ଼ନ୍ତୁ । ଜଣାପଡିବ ତାଙ୍କ ପ୍ରତି ଖଣ୍ଡପଡ଼ାବାସୀଙ୍କ କେତେ ସମର୍ଥନ ଅଛି ବୋଲି ଅନୁଭବ କହିଛନ୍ତି ।