ଆଜି ସହରୀ ଗରିବଙ୍କୁ ବିଜୁ ଆଦର୍ଶ କଲୋନୀ ଭେଟି ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଉ ବସ୍ତି ନୁହେଁ, ଏଣିକି ବିଜୁ ଆଦର୍ଶ କଲୋନୀରେ ବାସ କରିବେ ସହରର ଗରିବ । ଏଥିପାଇଁ ରାଜ୍ୟ ସରକାରଙ୍କ ସ୍ବପ୍ନ ବାସ୍ତବତାରେ ପରିଣତ ହୋଇଛି  । ଆଜି ବସ୍ତିରୁ ଆଦର୍ଶ କଲୋନୀରେ ରୂପାନ୍ତରିତ ହୋଇଥିବା ୧୦୧୦ଟି ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏସବୁକୁ ଉତ୍ସର୍ଗ କରିବେ ।

ବିଜୁ ଆଦର୍ଶ କଲୋନୀରେ ଲୋକଙ୍କୁ ସମସ୍ତ ମୌଳିକ ଭିତ୍ତିଭୂମି ସହିତ ଆଦର୍ଶ ବସତି ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ରାସ୍ତା ସହିତ, ଡ୍ରେନେଜ, ଘରେ ଘରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ, ଉତ୍ତମ ପରିମଳ ବ୍ୟବସ୍ଥା ସହିତ ବିଦ୍ୟୁତ ସଂଯୋଗୀକରଣ, ରାସ୍ତାର ଆଲୋକୀରଣ, ପିଲାମାନଙ୍କ ପାଇଁ ଖେଳ ସୁବିଧା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମୌଳିକ ସୁବିଧା ଯୋଗାଇ ଦିଆଯାଉଛି ।

ସହରାଞ୍ଚଳ ବିକାଶ ଧାରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିକାଶ ଧାରାକୁ ସାରା ବିଶ୍ବ ପ୍ରଶଂସା କରୁଛି । ଏଥିପାଇଁ ୨୦୧୯ ଓ ୨୦୨୩ରେ ଗୃହ ଓ ନଗର ଉନ୍ନୟନ ବିଭାଗକୁ ମିଳିଛି ଜାତିସଂଘ ଓ୍ବାର୍ଲଡ ହାବିଟାଟ୍ ପୁରସ୍କାର । ସେହିପରି ଏସିଆ ପ୍ୟାସିଫିକ ପୁରସ୍କାର ୨୦୨୧ ଓ ଜାତୀୟ ହାଉସିଂ ଇନୋଭେସନ ପୁରସ୍କାର ୨୦୨୧ ପୁରସ୍କାର ପାଇଛନ୍ତି ରାଜ୍ୟ ସରକାର ।