ଭୁବନେଶ୍ୱର: ଆକାଶରୁ ଖସୁଛି ବଜ୍ର । ଟ୍ୱିନ୍ ସିଟିରେ ଭୟଙ୍କର ବଜ୍ରପାତ । ୨୧ ମିନିଟରେ ୬ ହଜାର ୯୦୬ ଥର ମାରିଲା ବିଜୁଳି ଘଡ଼ଘଡ଼ି । ମୁସଳ ବର୍ଷାରେ ବେହାଲ ରାଜଧାନୀ । ରାସ୍ତାରେ ଲହଡ଼ି ମାରିଲା ଆଣ୍ଠୁଏ ଉଚ୍ଚର ପାଣି । ଯାତାୟତ ଠପ୍ । ଆସନ୍ତା ତିନି ଘଣ୍ଟା ପାଇଁ ଆଲର୍ଟ କଲା ପାଣିପାଗ ବିଭାଗ । ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ । ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ । ରାଜଧାନୀରେ ପ୍ରବଳ ବର୍ଷା ଯୋଗୁଁ ଇସ୍କନ ମନ୍ଦିର ଆଗରେ ଏକାଧିକ କାର ବୁଡି ଯାଇଥିବା ଦେଖିବାକୁ ମିଳିଛି ।
୫୩୮ କୋଟି ଟଙ୍କାର କାନାରା ବ୍ଯାଙ୍କ ଜାଲିଆତି ମାମଲା, ଜେଟ ଏୟାରଓ୍ବେଜ ପ୍ରତିଷ୍ଠାତା ନରେଶ ଗୋୟଲ ଗିରଫ
ନୂଆଦିଲ୍ଲୀ: ୫୩୮ କୋଟି ଟଙ୍କାର କାନାରା ବ୍ଯାଙ୍କ ଜାଲିଆତି ମାମଲା । ଜେଟ ଏୟାରଓ୍ବେଜ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବେଆଇନ ଅର୍ଥ କାରବାର ନିରୋଧ ଆଇନ ଅନୁସାରେ ଗୋୟଲଙ୍କୁ ହେପାଜତକୁ ନେଇଛି ଇଡି । ପିଏମଏଲଏ କୋର୍ଟରେ ୭୪ ବର୍ଷ ବୟସ୍କ ଗୋୟଲଙ୍କୁ ରିମାଣ୍ଡରେ ଆବେଦନ କରିବ ଇଡି । କାନାରା ବ୍ଯାଙ୍କରେ ୫୩୮ କୋଟି ଟଙ୍କା ଜାଲିଆତି କରିବା ଅଭିଯୋଗରେ ନରେଶ, ତାଙ୍କ ପତ୍ନୀ ଅନୀତା ଓ କେତେକ ଅଧିକାରୀଙ୍କ ବିରୋଧରେ ମାମଲା ଦାୟର କରିଥିଲା ସିବିଆଇ । ବ୍ଯାଙ୍କର ଅଭିଯୋଗ କ୍ରମେ ସିବିଆଇ ପକ୍ଷରୁ ଏଫଆଇଆର ରୁଜୁ ହୋଇଥିଲା । ଜେଟ ଏୟାରଓ୍ବେଜ ଇଣ୍ଡିଆ ଲିମିଟେଡକୁ ୮୪୮ କୋଟି ୮୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ୫୩୮ କୋଟି ଟଙ୍କା ବକେୟା ଥିବା ସୂଚନା ମିଳିଥିଲା । ଜେଟ ଏୟାରଓ୍ବେଜର ଆକାଉଣ୍ଟକୁ ଗତ ଜୁଲାଇ ୨୦୨୧ରେ ଜାଲ୍ ବୋଲି ଘୋଷଣା କରାଯାଇଥିଲା ।
ଜି-୨୦ ସମ୍ମିଳନୀ: ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ
ନୂଆଦିଲ୍ଲୀ: ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଦିଲ୍ଲୀରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଆମେରିକା ରାଷ୍ଟ୍ରପତି ଭାରତ ଗସ୍ତରେ ଆସୁଛନ୍ତି । ସେପ୍ଟେମ୍ବର ୭ ତାରିଖରେ ବାଇଡେନ ଦିଲ୍ଲୀରେ ପହଞ୍ଚି ତା ପର ଦିନ ଅର୍ଥାତ ୮ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବେ ।
ସେପ୍ଟେମ୍ବର ୯ ଏବଂ ୧୦ରେ ନୂଆଦିଲ୍ଲୀରେ ବସିବ ଜି-୨୦ ଶିଖର ସମ୍ମିଳନୀ ବୈଠକ । ଏହି ଶିଖର ସମ୍ମିଳନୀର ଭାରତ ନେତୃତ୍ବ ନେଉଛି । ଏହି ଅବସରରେ ୟୁକ୍ରେନ-ଋଷ ଯୁଦ୍ଧ ଫଳରେ ଅର୍ଥନୈତିକ ତଥା ସାମାଜିକ ପ୍ରଭାବକୁ କିପରି ହ୍ରାସ କରାଯାଇ ପାରିବ ସେ ନେଇ ସମ୍ମିଳନୀରେ ମତ ରଖିବେ ବାଇଡେନ । ବିଶ୍ୱବ୍ୟାପୀ ଚ୍ୟାଲେଞ୍ଜର ସମାଧାନ ସହିତ ଦାରିଦ୍ର୍ୟର ମୁକାବିଲା ପାଇଁ ବିଶ୍ୱ ବ୍ୟାଙ୍କ ସମେତ ଅନ୍ୟ ବ୍ୟାଙ୍କର କ୍ଷମତା ବୃଦ୍ଧି କରାଯାଇ ପାରିବ ସେ ଉପରେ ଆଲୋଚନା କରିବେ ବୋଲି ହ୍ୱାଇଟ୍ ହାଉସ୍ କହିଛି ।
ବିଶ୍ବର ବହୁ ପ୍ରଭାବଶାଳୀ ନେତା ଯୋଗଦେଉଥିବାରୁ ଦିଲ୍ଲୀ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି । ତେବେ ବାଇଡେନଙ୍କ ସୁରକ୍ଷା ବ୍ୟବସ୍ଥା ସବୁଠୁ କଡା । ବାଇଡେନଙ୍କ ଲ୍ୟାଣ୍ଡିଂ ପୂର୍ବରୁ ଏୟାର ସ୍ପେଶକୁ ବନ୍ଦ କରିଦିଆଯିବ । ଯେପର୍ଯ୍ୟନ୍ତ ବାଇଡେନଙ୍କ କାରକେଡ ହୋଟେଲ ଯାଏଁ ନପହଞ୍ଚିଛି ସେଯାଏଁ ଏୟାର ସ୍ପେଶ ବନ୍ଦ ରହିବ । ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ୪ ରନୱେ ମଧ୍ୟରୁ କୌଣସି ଗୋଟିଏକୁ ଆମେରିକା ରାଷ୍ଟ୍ରପତିଙ୍କ ବିମାନ ଏୟାର ଫୋର୍ସ ୱାନ ବ୍ୟବହାର କରିବ । ଏଥିରୁ ଗୋଟିଏ ବିକଳ୍ପ ବାଛିବାକୁ ପାଇଲଟକୁ କ୍ଷମତା ଦିଆଯାଇଛି ।
ବାଇଡେନଙ୍କ ବିମାନ ଲ୍ୟାଣ୍ଡ କଲାପରେ ତା ପୂର୍ବରୁ କିମ୍ବା ପରେ ଆଉ ଏକ ସମାନ ମଡେଲର ବିମାନ ମଧ୍ୟ ଲ୍ୟାଣ୍ଡ କରିବ । କାରଣ ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷା ନେକ୍ସଟ ଲେଭେଲରେ କରାଯାଇଥାଏ । କେଉଁ ବିମାନରେ ରାଷ୍ଟ୍ରପତି ଆସୁଛନ୍ତି କାହାରିକୁ ମାଲୁମ ନଥାଏ । ଲ୍ୟାଣ୍ଡିଂ ପରେ ବିମାନରୁ ବାହାରିବା ଯାଏଁ ପ୍ରକ୍ରିୟା ୨୦ ମିନିଟ ଧରି ଚାଲିଥାଏ । ଜି-୨୦ ପାଇଁ ଦିଲ୍ଲୀରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ ହେବେ । ସେପ୍ଟେମ୍ବର ୮ରୁ ୧୦ ତାରିଖ ଯାଏଁ ସମସ୍ତ ସ୍କୁଲ, ଶିକ୍ଷାନୁଷ୍ଠାନ ଓ ସରକାରୀ ଅଫିସ ବନ୍ଦ ଘୋଷଣା କରାଯାଇଛି । ଦିଲ୍ଲୀରେ ସମସ୍ତ ଆର୍ଥିକ ଅନୁଷ୍ଠାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ ।
ଅଭାବୀ ପରିବାର ପାଇଁ ବରଦାନ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ” କାର୍ଡ
କେନ୍ଦ୍ରାପଡ଼ା : ତିନୋଟି କନ୍ୟା ସନ୍ତାନକୁ ଏକକାଳୀନ ଜନ୍ମଦେଲେ ମହିଳା । ଗଙ୍ଗା, ଯମୁନା ଓ ସରସ୍ୱତୀ ନାମକରଣ ହୋଇଥିବା ଏହି ତିନି ଜଣ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଜନୈକ ମହିଳା, କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗାଁର ରାକେଶ ରୋଶନ ଦାସଙ୍କ ପତ୍ନୀ ସରୋଜିନୀ ଦାସଙ୍କର ଗତ ବୁଧବାର ରାକ୍ଷୀ ପୂର୍ଣ୍ଣିମା ସନ୍ଧ୍ୟାରେ ପ୍ରସବ ଯନ୍ତ୍ରଣା ହୋଇଥିଲା । ସଙ୍ଗେସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ସରୋଜିନୀଙ୍କର ଅବସ୍ଥା ସାମାନ୍ୟ ଗୁରୁତର ହୋଇଥିଲା। ପରେ ପରିବାର ଲୋକେ ସହର ଉପକଣ୍ଠ ଶ୍ରୀରାମ ହସ୍ପିଟାଲ ନାମକ ଏକ ଘରୋଇ ହସ୍ପିଟାଲରେ ସରୋଜିନୀଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ତେବେ ଅଲ୍ଟ୍ରାସାଉଣ୍ଡ ସମୟରେ ସରୋଜିନୀଙ୍କ ଗର୍ଭରେ ତିନୋଟି ସନ୍ତାନ ଥିବା ଓ ପ୍ରଥମ ସନ୍ତାନଟି ସାମାନ୍ୟ ତେରଛା (Converse) ସ୍ଥିତିରେ ଥିବା ଦେଖି ଡାକ୍ତର ସଙ୍ଗେସଙ୍ଗେ ପିଲାଟିକୁ ଅସ୍ତ୍ରୋପଚାର କରି ବାହାର କରିଥିଲେ। ଅନ୍ୟ ଦୁଇଟି ଶିଶୁଙ୍କୁ ମଧ୍ୟ ଅନୁରୂପ ଭାବେ ଅସ୍ତ୍ରୋପଚାରରେ ବାହାର କରାଯାଇଥିବା ବେଳେ ଏବେ ତିନୋଟି ସନ୍ତାନ ଓ ମା ସରୋଜିନୀଙ୍କ ଅବସ୍ଥା ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି। 
ଏହି ଅସ୍ତ୍ରୋପଚାର ଓ ଶିଶୁକନ୍ୟାଙ୍କ ଜନ୍ମ ପାଇଁ ଟଙ୍କାଟିଏ ଖର୍ଚ୍ଚ ହୋଇନଥିବା କହିଛନ୍ତି ପରିବାର ଲୋକେ । ମୁଖ୍ୟମନ୍ତ୍ରୀଙ୍କ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ” କାର୍ଡ ହିଁ ଏହି ଅଭାବୀ ପରିବାର ପାଇଁ ବରଦାନ ସାବ୍ୟସ୍ତ ହୋଇଥିବା କହିଛନ୍ତି ପରିବାର ଲୋକେ। ତେବେ ତିନୋଟି କନ୍ୟା ସନ୍ତାନ ଜନ୍ମରେ ପରିବାର ଲୋକେ ଖୁସି ଅଛନ୍ତି । ଶିଶୁ କନ୍ୟା ମାନଙ୍କର ନାମକରଣ ଗଙ୍ଗା, ଯମୁନା ଓ ସରସ୍ୱତୀ ଦିଆଯାଇଥିବା ସୂଚନା ଦେଇଛନ୍ତି ସରୋଜିନୀଙ୍କ ଶାଶୁ। ତେବେ ଏଭଳି ତିନୋଟି ଶିଶୁ ଜନ୍ମ ସମ୍ପର୍କରେ ଡାକ୍ତର ଅଧିକ ସୂଚନା ଦେଇ ଏଭଳି ଗର୍ଭଧାରଣ ବେଳେବେଳେ ଉଭୟ ମା ଓ ଶିଶୁଙ୍କ ପାଇଁ ବିପଦଜନକ ହୋଇଥାଏ ଏବଂ ବିଳମ୍ବରେ ବିବାହ ସହ ମାତୃତ୍ୱ ପାଇଁ ଗର୍ଭଧାରଣ ଏହି ସମସ୍ୟା ସୃଷ୍ଟି କରିଥାଏ ବୋଲି କହିଛନ୍ତି। ଏଭଳି ସ୍ଥିତିରେ ଅସ୍ତ୍ରୋପଚାର ଏକମାତ୍ର ବାଟ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ଜଣେ ମହିଳାଙ୍କ ପେଟରୁ ୫ କିଲୋରୁ ଉର୍ଦ୍ଧ୍ବ ଟ୍ୟୁମର ବାହାର କରି ରେକର୍ଡ କରିଥିବା ଶ୍ରୀରାମ ହସ୍ପିଟାଲରେ ପୁନଃ ଏହି ଟ୍ରିପଲେଟ ଶିଶୁ କନ୍ୟା ଜନ୍ମ ହେବା ଏକ ସଫଳତା ବୋଲି ବିବେଚନା କରାଯାଇଛି ।
ଲଖାନୀ ଗାର୍ମେଣ୍ଟସର ୨୦ ଲକ୍ଷରୁ ଉର୍ଦ୍ଧ ଅବୈଧ ପୋଷାକ ଜବତ
ବଲାଙ୍ଗୀର : ଅସଲି ବ୍ରାଣ୍ଡରେ ନକଲି ପୋଷାକ ବିକ୍ରି ମାମଲା । ସାମ୍ନାକୁ ଆସିଛି ଟିକସ ଫାଙ୍କବାରର ବଡ଼ ଚିତ୍ର । ବଲାଙ୍ଗୀର ନକଲି ପୋଷାକ ବିକ୍ରି କରୁଥିବା ଲଖାନୀ ଗାର୍ମେଣ୍ଟସର ଖଲିଆପାଲି ଗୋଦାମରେ ରେଡ କରି ୨୦ ଲକ୍ଷ ୪୨ହଜାର ୯୧୦ଟଙ୍କାର ଅବୈଧ ପୋଷାକକୁ ଜବତ କରିଛି ବଲାଙ୍ଗୀର ଜିଏସଟିର ଏନଫୋର୍ସମେଣ୍ଟ ସ୍ବାର୍ଡ । ଏତେ ମୂଲ୍ୟର ପୋଷାକ ଲଖାନୀ ବିକ୍ରି ପାଇଁ ଆଣଥିଲେ ବି ସେଗୁଡିକର କୌଣସି ବୈଧ ବିଲ କରିନଥିଲା । ଏତେ ମୂଲ୍ୟର ବିଲନଥିବା ପୋଷାକ ଉପରେ ୨ଲକ୍ଷ ଟଙ୍କାର ଜରିମାନା ଲଗାଇଛି ଜିଏସଟି । ତିନିଦିନ ଭିତରେ ଜରିମାନା ରାଶି ଦାଖଲ କରିବାକୁ କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ ଖଲିଆପାଲିର ଏହି ଗୋଦାମକୁ କୋଲକାତାର ହାଟରୁ ପୋଷାକ ଆଣୁଥିଲା ଲଖାନି ଗ୍ରୁପ । ଏଠାରେ ତାକୁ ନୂଆ ଢ଼ଙ୍ଗରେ ପ୍ୟାକିଂ କରି ନିଜ ଆଉଟଲେଟକୁ ବିକ୍ରି ପାଇଁ ପଠାଉଥିଲା ।
ବୁଧବାର ନାମୀଦାମୀ ବ୍ରାଣ୍ଡର ଲୋଗୋ ଲଗାଇ ଲଖାନୀ ନ୍ୟୁ ଗାରମେଣ୍ଟସ ନକଲି ପୋଷକ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ମୁଖ୍ୟତଃ ଲିଭାଇସ, ଆର୍ମର ଓ କାଲଭିନ କମ୍ପାନୀର ନକଲି ପୋଷାକ ଠାବ ହୋଇଥିଲା । ଏହାପରେ ଲଖାନୀ ଗାର୍ମେଣ୍ଟସର ବିଭିନ୍ନ ଗୋଦାମରେ ଚଢ଼ାଉ କରିଥିଲା ପୋଲିସ । ଆଉ ଧିରେ ଧିରେ ଆର୍ଥିକ ଅନିୟମିତତା ସୁରାଗ ମିଳିଥିଲା । ଏଣୁ ଜିଏସଟି ତଦନ୍ତ ପାଇଁ ସୁପାରିସ କରିଥିଲା ବଲାଙ୍ଗୀର ପୋଲିସ । ଆଉ ଜିଏସଟି ଟିମର ତଦନ୍ତ ପରେ ଜଣାପିଛି ୨୦ଲକ୍ଷରୁ ଅଧିକ ମୂଲ୍ୟର ପୋଷାକ କିଣାବିକାରେ ବିଲ ନକରି ଟିକସ ଫାଙ୍କିଛି ଲଖାନୀ ଗ୍ରୁପ । ସେପଟେ ଏହି ପୁରା ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ଲଖାନୀ ଗ୍ରୁପର ମାଲିକ ରାଜେଶ ଗୁାମର ଲଖାନୀ । ବର୍ତ୍ତମାନ ଠେକଇ ଭଳି ଅପରାଧିକ ମାମଲା ସହ ଆର୍ଥିକ ଅନିୟମିତତା ମାମଲା ବି ଲଖାନୀ ଗ୍ରୁପ ସହ ଯୋଡ଼ି ହୋଇଛି ।
ରାଜଧାନୀରେ ମାତିଲେ ଲୁଟେରା, ସୁନା ଦୋକାନରୁ ସଟର ତାଡ଼ି ଲୁଟ୍
ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା। ସୁନା ଦୋକନରୁ ସଟର ତାଡ଼ି ଲୁଟ। ଇନଫୋସିଟି ଥାନା ପଟିଆ ଷ୍ଟେସନ ନିକଟ କଳାରାହାଙ୍ଗ ମା ମଙ୍ଗଳା ଜୁଏଲାରୀରୁ ଲୁଟ ହୋଇଛି। ଦୋକାନର ସଟର ତଡିବା ପୂର୍ବରୁ ଲାଗିଥିବା ସିସିଟିଭିକୁ ବାଉଁଶରେ ବୁଲାଇ ଦେଇଥିଲେ ଲୁଟେରା। ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା। ସିସିଟିଭିରେ କଏଦ ହୋଇଛି ଘଟଣା।
ଇନଫୋସିଟି ଥାନା ପୋଲିସ, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଁଚି ଚଳାଇଛି ତଦନ୍ତ। ଦୋକାନରୁ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିଛି ଟିମ୍। ଶାବଳରେ ସଟର ତାଡ଼ିଛନ୍ତି ଏକାଧିକ ଲୁଟେରା। ସମସ୍ତ ଲୁଟେରା ପେଷାଦାର ଥିବା ପୋଲିସ ସନ୍ଦେହ କରୁଛି। ସୁନା ଦୋକାନ ପାଖରେ ଥିବା ବ୍ୟାଙ୍କର ସିସିଟିଭି ସହିତ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୋଲିସ ଛାନବିନ କରୁଛି। ଦୋକାନ ଭିତରେ ଲକର ଥିଲା।
ଲକର ଭାଙ୍ଗିବାକୁ ଉଦ୍ୟମ କରି ବିଫଳ ହୋଇଛି। କ୍ୟାସ କାଉଣ୍ଟର ଭାଙ୍ଗି ୧୫ ହଜାର ଟଙ୍କା ନେଇଛନ୍ତି ଲୁଟେରା। ସୁନାଦୋକାନ ସୋକେଶରେ ଇମିଟେସନ ଥିଲା। ସେଥିରେ ହାତ ମାରିନାହାନ୍ତି ଲୁଟେରା।
ଏସିଆ କପରେ ଭାରତ ଖେଳିବ ୫୦ତମ ମ୍ୟାଚ
ନନ୍ଦିଘୋଷ ବ୍ୟୁରୋ : ଆଜି ଏସିଆ କପର ହୋଇଭୋଲଟେଜ୍ ଫାଇଟ୍ । ଅନେକ ଦିନ ପରେ ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ଐତିହାସିକ ମୁକାବିଲାରେ କାହାର ପଲା ଭାରୀ ରହିବ , କିଏ ବାଜି ମାରିବ ତାକୁ ନେଇ ସବୁଠି ଚର୍ଚ୍ଚା । ଶ୍ରୀଲଙ୍କାରେ ହେବାକୁ ଥିବା ଏହି ମ୍ୟାଚ୍ ଉପରେ ଏବେ ସମସ୍ତଙ୍କ ନଜର । ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ମ୍ୟାଚ ଖେଳୁଥିବା ବେଳେ ଅଭିଯାନ ଆରମ୍ଭ କରିବ ଭାରତ । ରୋହିତ ଶର୍ମାଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଭାରତୀୟ ଟିମର ବ୍ୟାଟିଂ ଭାର ମୁଖ୍ୟତଃ ଅଧିନାୟକ ରୋହିତଙ୍କ ସମେତ ବିରାଟ କୋହଲି, ଶୁଭମିନ୍ ଗିଲ, ଶ୍ରେୟସ ଆୟରଙ୍କ ଉପରେ ରହିବ । ତେବେ କେ.ଏଲ୍. ରାହୁଲଙ୍କ ସ୍ଥାନରେ କିଏ ପଡ଼ିଆକୁ ଓହ୍ଲାଇବ ସେ ନେଇ ଚର୍ଚ୍ଚା ଲାଗି ରହିଛି । ବୋଲିଂ ଭାର ସମ୍ଭାଳିବେ ଯଶପ୍ରୀତ୍ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ ।
ରବୀନ୍ଦ୍ର ଜାଡେଜା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଇଶାନ କିଷନଙ୍କ ଉପରେ ରହିବ ନଜର । ପାକିସ୍ତାନ ପ୍ରଥମ ମ୍ୟାଚ ଜିତିଥିବା ବେଳେ ଟିମର ଆତ୍ମବିଶ୍ବାସ ବଢିଛି । ତେବେ କାଲିଠୁ ପ୍ରବଳ ବର୍ଷା ହେଉଥିବାରୁ ମ୍ୟାଚ ବିଳମ୍ବ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ପାକିସ୍ତାନର ପ୍ରଥମମ୍ୟାଚ ବିଜୟ ପରେ ଆତ୍ମବିଶ୍ୱାସ ବଢିଛି । ଭାରତ ବାନାମ ପାକିସ୍ତାନ ମ୍ୟାଚ ଉପରେ ସମସ୍ତଙ୍କର ନଜର ରହିଥାଏ କାରଣ ୨ପ୍ରତିଦ୍ୱନ୍ଦିଙ୍କ ମ୍ୟାଚ କଡ଼ା ଟକର ହୋଇଥାଏ । ଆଜିର ମ୍ୟାଚ ମଧ୍ୟ ହାଇଭୋଲଟେଜ୍ ମ୍ୟାଚ ହେବ । ଅପରପକ୍ଷେ ଏସିଆ କପ-୨୦୨୩ର ଏହା ତୃତୀୟ ମ୍ୟାଚ ଖେଳାଯିବ । ଏସିଆ କପରେ ଭାରତ ୫୦ତମ ମ୍ୟାଚ ଖେଳିବାକୁ ଯାଉଛି ।
ପୁଣି ଦମ୍ ଦେଖାଇଲା ଉତ୍ତର କୋରିଆ
ସିଓଲ: ପୁଣି ଦମ୍ ଦେଖାଇଲା ଉତ୍ତର କୋରିଆ। ନିଜର ସାମୁଦ୍ରିକ ଅଞ୍ଚଳରେ କ୍ରୁଜ ମିସାଇଲର ପରୀକ୍ଷଣ କରିଛି ନର୍ଥକୋରିଆ। ଏନେଇ ସୂଚନା ଦେଇଛି ସାଉଥକୋରିଆ ମିଲିଟାରୀ। ଗତ ମାସରେ ନର୍ଥ କୋରିଆର ସ୍ପାଏ ସାଟେଲାଇଟ ଉତକ୍ଷେପଣ ବିଫଳ ହେବା ପରେ ଏହି ମିସାଇଲ ପରୀକ୍ଷା କରାଯାଇଛି । ସେପଟେ ନର୍ଥକୋରିଆର ୫ ଜଣ ବ୍ୟକ୍ତିବିଶେଷଙ୍କ ବିରୋଧରେ ସାଉଥକୋରିଆ ଜାରି କରିଛି କଟକଣା।
ଗତ ଗୁରୁବାର ମଧ୍ୟ ନର୍ଥକୋରିଆ ପକ୍ଷରୁ କେତେକ ଆଣବିକ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିଲା । ଆମେରିକା ଓ ସାଉଥକୋରିଆ ମଧ୍ୟରେ ଚାଲିଥିବା ୧୧ ଦିନିଆ ଉଲଚି ଫ୍ରିଡମ ସିଲ୍ଡ ମିଳିତ ସମରାଭ୍ୟାସକୁ ନର୍ଥ କୋରିଆ ତୀବ୍ର ବିରୋଧ କରିଥିଲା। ଗତ ଗୁରୁବାର ଏହି ମିଳିତ ସମରାଭ୍ୟାସ ଶେଷ ହୋଇଥିଲା । ଏହି ସମରାଭ୍ୟାସରେ ବି-1ବି ବମ୍ବର ସାମିଲ ହୋଇଥିବା ଯୋଗୁ ଉଦବେଗ ପ୍ରକାଶ କରିଥିଲା ନର୍ଥକୋରିଆ ।
ଇସ୍ରୋର ସୂର୍ଯ୍ୟ ଅଭିଯାନ, ଶ୍ରୀହରିକୋଟା ଲଞ୍ଚପ୍ୟାଡରୁ ଆଦିତ୍ୟ L1ର ସଫଳ ଉତକ୍ଷେପଣ
ନୂଆଦିଲ୍ଲୀ: ଇସ୍ରୋର ସୂର୍ଯ୍ୟ ଅଭିଯାନ । ସଫଳ ହେଲା ଭାରତର ସ୍ବପ୍ନ । ନିର୍ଦ୍ଧାରିତ ୧୧ଟା ୫୦ରେ ଶ୍ରୀହରିକୋଟା ଲଞ୍ଚପ୍ୟାଡରେ ଉତକ୍ଷେପଣ ହୋଇଛି ଆଦିତ୍ୟ L1 । PSLV-C57 ଜରିଆରେ ଉତକ୍ଷେପଣ ହୋଇଛି ଆଦିତ୍ୟ L1 । ପିଏସଏଲଭିରୁ ଆଦିତ୍ୟ L1 ପ୍ରାୟ ୬୩ ମିନଟ ପରେ ବିଚ୍ଛିନ୍ନ ହୋଇଛି । ଏହା ସହ ବିଶ୍ବରେ ଇସ୍ରୋ ସୃଷ୍ଟି କରିଛି ନୂଆ ଅଧ୍ୟାୟ ।
ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଲାଗି ସାରା ଦେଶବାସୀ କରିଥିବା ପ୍ରତୀକ୍ଷାର ହୋଇଛି ଅବସାନ । ଇସ୍ରୋର ପ୍ରଥମ ମହାକାଶଭିତ୍ତିକ ସୋଲାର ଅଭଜର୍ଭଟୋରୀ ହେଉଛି ଆଦିତ୍ୟ ଏଲ-ଓ୍ବାନ୍ । ସୂର୍ଯ୍ୟ ଓ ପୃଥିବୀ ଅନ୍ତର୍ଗତ ଲାଗରେଞ୍ଜ ପଏଣ୍ଟ ୧ରେ ଏକ କକ୍ଷ ପଥରେ ସ୍ପେସକ୍ରାଫ୍ଟ ଅବସ୍ଥାପିତ ହେବ । ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଏହି ସ୍ପେସକ୍ରାଫ୍ଟ ହେବ ଅବସ୍ଥାପିତ । ସୌରମଣ୍ଡଳରେ ଚାଲିଥିବା ବିଭିନ୍ନ ଆକ୍ଟିଭିଟି ସମ୍ପର୍କରେ ଗବେଷଣା କରିବ ଆଦିତ୍ୟ L1 । ଆଦିତ୍ୟ L1ରେ ପଠାଯାଇଛି ସାତଟି ପେ-ଲୋଡ।
ଏଥି୍ରୁ ୪ଟି ପେଲୋଡ ସୂର୍ଯ୍ୟଙ୍କୁ ସିଧାସଳଖ ପର୍ଯ୍ୟବେକ୍ଷଣ କରିବେ । ଅନ୍ୟ ତିନିଟି ପେଲୋଡ L1 ପଏଣ୍ଟରେ ବିଭିନ୍ନ କଣିକାର ଗବେଷଣା କରିବେ । ଏହା ସହ କରୋନାଲ ମାସ୍ ଇଜେକ୍ସନ ସମ୍ପର୍କରେ ତଥ୍ୟ ଯୋଗାଡ କରାଯାଇପାରିବ । ମହାକାଶ ଜଳବାୟୁ ସମ୍ପର୍କରେ ବି ତଥ୍ୟ ମିଳିବ । ସୌଲାର ଫିଜିକ୍ସରେ ବି ଆଜି ଯାଏ ରହିଥିବା କେତେକ ଅସମାହିତ ପ୍ରଶ୍ନକୁ ସମାଧାନ କରିପାରେ ଆଦିତ୍ୟ ଏଲ-ଓ୍ବାନ୍ । ସୂର୍ଯ୍ୟଙ୍କ ଉପର ପାର୍ଶ୍ବର ଉତ୍ତାପ, ପୃଥିବୀ ଉପରେ ସୂର୍ଯ୍ୟ ବିକିରଣର ପ୍ରଭାବ, ବିଶ୍ବ ଜଳବାୟୁ ସମ୍ପର୍କରେ ବି ଉନ୍ନତ ଗବେଷଣା ହୋଇପାରିବ ବୋଲି ସୂଚନା ମିଳିଛି । ସୂର୍ଯ୍ୟର ଫଟୋସ୍ଫିହର, କ୍ରୋମସ୍ଫିହର ଆଦି ସମ୍ପର୍କରେ କରାଯିବ ଗବେଷଣା । ଏହା ସହ ସୂର୍ଯ୍ୟର ବାହ୍ୟ ଦେଶ ସମ୍ପର୍କରେ ବି ମିଳିପାରିବ ତଥ୍ୟ ।
ସୂର୍ଯ୍ୟ ମିଶନ: L1 ପଏଣ୍ଟ କଣ? କାହିଁକି ଏଠାରେ ଅବସ୍ଥାପିତ ହେବ ଆଦିତ୍ୟ L1
ନୂଆଦିଲ୍ଲୀ: L1 ପଏଣ୍ଟ କଣ । କାହିଁକି ଏଠାରେ ଅବସ୍ଥାପିତ ହେବ ଆଦିତ୍ଯ L1 । ଏହି ପ୍ରଶ୍ନ ସମସ୍ତଙ୍କ ନିକଟରେ ଜାତ ହେବା ସ୍ବାଭାବିକ। ଦୁଇଟି ବୃହତ ବସ୍ତୁ ମଝିରେ ସବୁଠାରୁ କମ୍ ଆକର୍ଷଣ ଶକ୍ତି ଥିବା ଅଞ୍ଚଳ ହେଉଛି L1 । L1 ସ୍ଥାନରେ ସ୍ପେସକ୍ରାଫ୍ଟ ରହିଲେ ଇନ୍ଧନ ଖର୍ଚ୍ଚ କମ୍ ହୁଏ। ଇଟାଲୀୟ ଗଣିତଜ୍ଞ ଯୋଶଫ ଲୁଇ ଲାଗରେଞ୍ଜଙ୍କ ନାମାନୁସାରେ ଏହା ନାମିତ।
ପାଞ୍ଚ ପ୍ରକାର ଲାଗରେଞ୍ଜ ପଏଣ୍ଟ ରହିଛି । ସେଗୁଡିକ ହେଲା- L1, L2, L3, L4, ଓ L5 । ନାସାର ଜେମସ ଓ୍ବେବ ସ୍ପେସ ଟେଲିସ୍କୋପ ରହିଛି L2ରେ । ଭାରତର ଆଦିତ୍ୟ ରହିବ L1ରେ । ସାରା ସୌରମଣ୍ଡଳକୁ ସୂର୍ଯ୍ୟ ନିୟନ୍ତ୍ରିତ କରୁଥିବାବେଳେ ପ୍ରତି ଗ୍ରହର ଜଳବାୟୁ ଓ ପରିବେଶ ସୂର୍ଯ୍ୟ ଦ୍ବାରା ନିୟନ୍ତ୍ରିତ ହୋଇଥାଏ । ସୌର ଜଳବାୟୁରେ ପରିବର୍ତ୍ତନ ହେଲେ ସାଟେଲାଇଟ ଉପରେ ପଡିଥାଏ ପ୍ରଭାବ । ପାଓ୍ବାର ବ୍ଲାକଆଉଟ ହେବା ସହ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ନଷ୍ଟ ହୋଇଯାଇଥାଏ । L1 ପଏଣ୍ଟ ଏସବୁ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। L1 ଦେଇ ସୂର୍ଯ୍ୟରୁ ସୃଷ୍ଟି ସମସ୍ତ ଝଡ଼ ପୃଥିବୀକୁ ଯାଇଥାଏ । ତେଣୁ L1 ପଏଣ୍ଟରେ ମୁତୟନ ଆଦିତ୍ୟ L1 ପୃଥିବୀର ବୈଜ୍ଞାନିକମାନଙ୍କୁ ସମସ୍ତ ତଥ୍ୟ ଦେଇପାରିବ।

