ଅଭାବୀ ପରିବାର ପାଇଁ ବରଦାନ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ” କାର୍ଡ

1 min read

କେନ୍ଦ୍ରାପଡ଼ା : ତିନୋଟି କନ୍ୟା ସନ୍ତାନକୁ ଏକକାଳୀନ ଜନ୍ମଦେଲେ ମହିଳା । ଗଙ୍ଗା, ଯମୁନା ଓ ସରସ୍ୱତୀ ନାମକରଣ ହୋଇଥିବା ଏହି ତିନି ଜଣ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଜନୈକ ମହିଳା, କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗାଁର ରାକେଶ ରୋଶନ ଦାସଙ୍କ ପତ୍ନୀ ସରୋଜିନୀ ଦାସଙ୍କର ଗତ ବୁଧବାର ରାକ୍ଷୀ ପୂର୍ଣ୍ଣିମା ସନ୍ଧ୍ୟାରେ ପ୍ରସବ ଯନ୍ତ୍ରଣା ହୋଇଥିଲା । ସଙ୍ଗେସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ସରୋଜିନୀଙ୍କର ଅବସ୍ଥା ସାମାନ୍ୟ ଗୁରୁତର ହୋଇଥିଲା। ପରେ ପରିବାର ଲୋକେ ସହର ଉପକଣ୍ଠ ଶ୍ରୀରାମ ହସ୍ପିଟାଲ ନାମକ ଏକ ଘରୋଇ ହସ୍ପିଟାଲରେ ସରୋଜିନୀଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ତେବେ ଅଲ୍ଟ୍ରାସାଉଣ୍ଡ ସମୟରେ ସରୋଜିନୀଙ୍କ ଗର୍ଭରେ ତିନୋଟି ସନ୍ତାନ ଥିବା ଓ ପ୍ରଥମ ସନ୍ତାନଟି ସାମାନ୍ୟ ତେରଛା (Converse) ସ୍ଥିତିରେ ଥିବା ଦେଖି ଡାକ୍ତର ସଙ୍ଗେସଙ୍ଗେ ପିଲାଟିକୁ ଅସ୍ତ୍ରୋପଚାର କରି ବାହାର କରିଥିଲେ। ଅନ୍ୟ ଦୁଇଟି ଶିଶୁଙ୍କୁ ମଧ୍ୟ ଅନୁରୂପ ଭାବେ ଅସ୍ତ୍ରୋପଚାରରେ ବାହାର କରାଯାଇଥିବା ବେଳେ ଏବେ ତିନୋଟି ସନ୍ତାନ ଓ ମା ସରୋଜିନୀଙ୍କ ଅବସ୍ଥା ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି।

ଏହି ଅସ୍ତ୍ରୋପଚାର ଓ ଶିଶୁକନ୍ୟାଙ୍କ ଜନ୍ମ ପାଇଁ ଟଙ୍କାଟିଏ ଖର୍ଚ୍ଚ ହୋଇନଥିବା କହିଛନ୍ତି ପରିବାର ଲୋକେ । ମୁଖ୍ୟମନ୍ତ୍ରୀଙ୍କ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ” କାର୍ଡ ହିଁ ଏହି ଅଭାବୀ ପରିବାର ପାଇଁ ବରଦାନ ସାବ୍ୟସ୍ତ ହୋଇଥିବା କହିଛନ୍ତି ପରିବାର ଲୋକେ। ତେବେ ତିନୋଟି କନ୍ୟା ସନ୍ତାନ ଜନ୍ମରେ ପରିବାର ଲୋକେ ଖୁସି ଅଛନ୍ତି । ଶିଶୁ କନ୍ୟା ମାନଙ୍କର ନାମକରଣ ଗଙ୍ଗା, ଯମୁନା ଓ ସରସ୍ୱତୀ ଦିଆଯାଇଥିବା ସୂଚନା ଦେଇଛନ୍ତି ସରୋଜିନୀଙ୍କ ଶାଶୁ। ତେବେ ଏଭଳି ତିନୋଟି ଶିଶୁ ଜନ୍ମ ସମ୍ପର୍କରେ ଡାକ୍ତର ଅଧିକ ସୂଚନା ଦେଇ ଏଭଳି ଗର୍ଭଧାରଣ ବେଳେବେଳେ ଉଭୟ ମା ଓ ଶିଶୁଙ୍କ ପାଇଁ ବିପଦଜନକ ହୋଇଥାଏ ଏବଂ ବିଳମ୍ବରେ ବିବାହ ସହ ମାତୃତ୍ୱ ପାଇଁ ଗର୍ଭଧାରଣ ଏହି ସମସ୍ୟା ସୃଷ୍ଟି କରିଥାଏ ବୋଲି କହିଛନ୍ତି। ଏଭଳି ସ୍ଥିତିରେ ଅସ୍ତ୍ରୋପଚାର ଏକମାତ୍ର ବାଟ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ଜଣେ ମହିଳାଙ୍କ ପେଟରୁ ୫ କିଲୋରୁ ଉର୍ଦ୍ଧ୍ବ ଟ୍ୟୁମର ବାହାର କରି ରେକର୍ଡ କରିଥିବା ଶ୍ରୀରାମ ହସ୍ପିଟାଲରେ ପୁନଃ ଏହି ଟ୍ରିପଲେଟ ଶିଶୁ କନ୍ୟା ଜନ୍ମ ହେବା ଏକ ସଫଳତା ବୋଲି ବିବେଚନା କରାଯାଇଛି ।