ଇସ୍ରୋର ସୂର୍ଯ୍ୟ ଅଭିଯାନ, ଶ୍ରୀହରିକୋଟା ଲଞ୍ଚପ୍ୟାଡରୁ ଆଦିତ୍ୟ L1ର ସଫଳ ଉତକ୍ଷେପଣ

1 min read

ନୂଆଦିଲ୍ଲୀ: ଇସ୍ରୋର ସୂର୍ଯ୍ୟ ଅଭିଯାନ । ସଫଳ ହେଲା ଭାରତର ସ୍ବପ୍ନ । ନିର୍ଦ୍ଧାରିତ ୧୧ଟା ୫୦ରେ ଶ୍ରୀହରିକୋଟା ଲଞ୍ଚପ୍ୟାଡରେ ଉତକ୍ଷେପଣ ହୋଇଛି ଆଦିତ୍ୟ L1 । PSLV-C57 ଜରିଆରେ ଉତକ୍ଷେପଣ ହୋଇଛି ଆଦିତ୍ୟ L1 । ପିଏସଏଲଭିରୁ ଆଦିତ୍ୟ L1 ପ୍ରାୟ ୬୩ ମିନଟ ପରେ ବିଚ୍ଛିନ୍ନ ହୋଇଛି । ଏହା ସହ ବିଶ୍ବରେ ଇସ୍ରୋ ସୃଷ୍ଟି କରିଛି ନୂଆ ଅଧ୍ୟାୟ ।

ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଲାଗି ସାରା ଦେଶବାସୀ କରିଥିବା ପ୍ରତୀକ୍ଷାର ହୋଇଛି ଅବସାନ । ଇସ୍ରୋର ପ୍ରଥମ ମହାକାଶଭିତ୍ତିକ ସୋଲାର ଅଭଜର୍ଭଟୋରୀ ହେଉଛି ଆଦିତ୍ୟ ଏଲ-ଓ୍ବାନ୍‌ । ସୂର୍ଯ୍ୟ ଓ ପୃଥିବୀ ଅନ୍ତର୍ଗତ ଲାଗରେଞ୍ଜ ପଏଣ୍ଟ ୧ରେ ଏକ କକ୍ଷ ପଥରେ ସ୍ପେସକ୍ରାଫ୍ଟ ଅବସ୍ଥାପିତ ହେବ । ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଏହି ସ୍ପେସକ୍ରାଫ୍ଟ ହେବ ଅବସ୍ଥାପିତ । ସୌରମଣ୍ଡଳରେ ଚାଲିଥିବା ବିଭିନ୍ନ ଆକ୍ଟିଭିଟି ସମ୍ପର୍କରେ ଗବେଷଣା କରିବ ଆଦିତ୍ୟ L1 । ଆଦିତ୍ୟ L1ରେ ପଠାଯାଇଛି ସାତଟି ପେ-ଲୋଡ।

ଏଥି୍ରୁ ୪ଟି ପେଲୋଡ ସୂର୍ଯ୍ୟଙ୍କୁ ସିଧାସଳଖ ପର୍ଯ୍ୟବେକ୍ଷଣ କରିବେ । ଅନ୍ୟ ତିନିଟି ପେଲୋଡ L1 ପଏଣ୍ଟରେ ବିଭିନ୍ନ କଣିକାର ଗବେଷଣା କରିବେ । ଏହା ସହ କରୋନାଲ ମାସ୍ ଇଜେକ୍ସନ ସମ୍ପର୍କରେ ତଥ୍ୟ ଯୋଗାଡ କରାଯାଇପାରିବ । ମହାକାଶ ଜଳବାୟୁ ସମ୍ପର୍କରେ ବି ତଥ୍ୟ ମିଳିବ । ସୌଲାର ଫିଜିକ୍ସରେ ବି ଆଜି ଯାଏ ରହିଥିବା କେତେକ ଅସମାହିତ ପ୍ରଶ୍ନକୁ ସମାଧାନ କରିପାରେ ଆଦିତ୍ୟ ଏଲ-ଓ୍ବାନ୍‌ । ସୂର୍ଯ୍ୟଙ୍କ ଉପର ପାର୍ଶ୍ବର ଉତ୍ତାପ, ପୃଥିବୀ ଉପରେ ସୂର୍ଯ୍ୟ ବିକିରଣର ପ୍ରଭାବ, ବିଶ୍ବ ଜଳବାୟୁ ସମ୍ପର୍କରେ ବି ଉନ୍ନତ ଗବେଷଣା ହୋଇପାରିବ ବୋଲି ସୂଚନା ମିଳିଛି । ସୂର୍ଯ୍ୟର ଫଟୋସ୍ଫିହର, କ୍ରୋମସ୍ଫିହର ଆଦି ସମ୍ପର୍କରେ କରାଯିବ ଗବେଷଣା । ଏହା ସହ ସୂର୍ଯ୍ୟର ବାହ୍ୟ ଦେଶ ସମ୍ପର୍କରେ ବି ମିଳିପାରିବ ତଥ୍ୟ ।