କଲମ୍ବୋ: ଗିଲ୍, ରୋହିତଙ୍କ ପରେ ରାହୁଲଙ୍କ ଅର୍ଦ୍ଧଶତକ । ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚରେ ରାହୁଲଙ୍କ ଦମଦାର ବ୍ୟାଟିଂ । ଖେଳ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିବା ସହ ପାକିସ୍ତାନୀ ବୋଲରଙ୍କୁ ଧୁଲେଇ କରୁଛନ୍ତି ରାହୁଲ । ଦୀର୍ଘଦିନ ପରେ ମଇଦାନକୁ ଫେରିଥିବାବେଳେ ବଡ଼ ପାଳି ଲକ୍ଷ୍ୟରେ ରହିଛନ୍ତି । ଅନ୍ୟପଟେ କୋହଲି ମଧ୍ୟ ବଡ଼ ସଟ ମାରିବା ସହ ଅର୍ଦ୍ଧଶତକର ଅତି ନିକଟତର ହୋଇଛନ୍ତି । ରିଜର୍ଭ ଡେ’ରେ ୫୦ ଓଭରର ଖେଳ ହେବ ବୋଲି ସୂଚନା ରହିଛି ।
ଋଷ ଅଧିକୃତ ୟୁକ୍ରେନରେ ପୌରପରିଷଦ ନିର୍ବାଚନ, ୟୁନାଇଟେଡ ଋଷିଆ ପାର୍ଟିକୁ ବହୁମତ
ମସ୍କୋ: ଋଷ ଅଧିକୃତ ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ହୋଇଥିବା ଆଞ୍ଚଳିକ ଓ ପୌରପରିଷଦ ନିର୍ବାଚନରେ ୟୁନାଇଟେଡ ଋଷିଆ ପାର୍ଟିକୁ ବହୁମତ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସମର୍ଥନ କରୁଥିବା ୟୁଆରପି ଏହି ନିର୍ବାଚନରେ ବ୍ୟାପକ ସଫଳଦା ହାସଲ କରିଥିବା ଦାବି କରାଯାଇଛି । ୟୁକ୍ରେନର ପୂର୍ବାଞ୍ଚଳ ଓ ଦକ୍ଷିଣାଞ୍ଚଳ ବର୍ତ୍ତମାନ ଋଷ କବଜାରେ ଥିବାବେଳେ ଏହି ନିର୍ବାଚନ ୟୁକ୍ରେନର ଦାବିକୁ ଜବରଦସ୍ତ ଝଟକା ଦେଇଛି ।
ଋଷ ଅଧିକୃତ ଅଞ୍ଚଳରେ ୭୦ ପ୍ରତିଶତ ଭୋଟ ୟୁନାଇଟେଡ ଋଷିଆ ପାର୍ଟିକୁ ମିଳିଥିବା କୁହାଯାଇଛି । ଆସନ୍ତା ବର୍ଷ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯିବା ପୂର୍ବରୁ ଏହି ନିର୍ବାଚନ ଗୁରୁତ୍ବ ବହନ କରୁଛି । ୟୁକ୍ରେନ ଅନ୍ତର୍ଗତ ତଥା ଋଷ ଅଧିକୃତ ଦୋନେସ୍କ, ଲୁଗାନସ୍କ, ଖେରସନ ଓ ଜାପୋରଜିୟାରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଛି । ତେବେ ନିର୍ବାଚନକୁ ଭଣ୍ଡୁର କରିବା ଲାଗି ୟୁକ୍ରେନ ବାହିନୀ ପକ୍ଷରୁ କେତେକ ସ୍ଥାନରେ ଡ୍ରୋନ ଆକ୍ରମଣ କରାଯାଇଥିବା ଦେଖାଯାଇଥିଲା । ୨୦୧୪ରୁ ଋଷ ଅଧୀନରେ ଥିବା କ୍ରିମିଆରେ ବି ଏହି ନିର୍ବାଚନ ହୋଇଛି । ସେପଟେ ଏହି ନିର୍ବାଚନକୁ ବିରୋଧ କରିଛି ୟୁରୋପର ପ୍ରମୁଖ ଅଧିକାର ସଂଗଠନ କାଉନସିଲ ଅଫ ୟୁରୋପ ।
ଆନ୍ତର୍ଜାତିକ ନିୟମକୁ ଉଲ୍ଲଂଘନ କରି ଏହି ନିର୍ବାଚନ ହୋଇଥିବା କହିଛି ସଂଗଠନ । ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିବାରୁ ଭୋଟରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦଭେଦେବ ।
ନୀରବ ନୁହେଁ ଚନ୍ଦ୍ରପୃଷ୍ଠ, ତାପମାତ୍ରାରେ ଅସମାନତା କାରଣରୁ ନିୟମିତ ଘଟିଚାଲିଛି କମ୍ପନ
ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ରପୃଷ୍ଠ ନିସ୍ତବ୍ଧ ନୁହେଁ । ସେଠାରେ ନିୟମିତ ଘଟିଚାଲିଛି କମ୍ପନ । ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର କିଛି ଦିନ ତଳେ ପ୍ରାକୃତିକ ସେସିମିକ କମ୍ପନ ସମ୍ପର୍କରେ ସୂଚନା ଦେଇଥିଲା । ମାତ୍ର ଗବେଷକ ବର୍ତ୍ତମାନ କହିଛନ୍ତି ଚନ୍ଦ୍ରପୃଷ୍ଠ ନୀରବ ନୁହେଁ । ସେଠାରେ ତାପଜ ଚନ୍ଦ୍ରକମ୍ପନ ବା ଥର୍ମାଲ ମୁନକ୍ବାକ୍ ଘଟିଚାଲିଛି । ଚନ୍ଦ୍ରପୃଷ୍ଠରେ ତାପମାତ୍ରାରେ ବ୍ୟାପକ ଅସମାନତା କାରଣରୁ ଏହା ସୃଷ୍ଟି ହୋଇଛି ବୋଲି କହିଛନ୍ତି ଆମେରିକାର ଗବେଷକ ଫ୍ରାନସେସ୍କୋ ସିଭିଲିନ ନେତୃତ୍ବାଧୀନ ଟିମ ।
ଜର୍ଣ୍ଣାଲ ଅଫ ଜିଓଫିଜିକାଲ ରିସର୍ଚ୍ଚରେ ପ୍ରକାଶିତ ତଥ୍ୟ ଅନୁସାରେ ଚନ୍ଦ୍ରରେ ଜଳବାୟୁ ନାହିଁ । ଫଳରେ ଏହାର ତାପମାତ୍ରା ନିୟନ୍ତ୍ରିତ ହୋଇପାରୁନାହିଁ । ଦିନରେ ଏହାର ତାପମାତ୍ରା ୧୨୦ ଡିଗ୍ରୀ ସେଲସିୟସ ହେଉଥିବାବେଳେ ରାତିରେ ମାଇନସ ୧୩୦ ଡିଗ୍ରୀ ସେଲସିୟସ ହୋଇଯାଉଛି । ଏହି ବ୍ୟାପକ ଅସମାନତା କାରଣରୁ ଚନ୍ଦ୍ରପୃଷ୍ଠ ସଙ୍କୁଚିତ ଓ ସମ୍ପ୍ରସାରିତ ହେଉଛି । ଫଳରେ ଥର୍ମାଲ ମୁନକ୍ବାକ୍ ଘଟୁଛି ।
୧୯୭୦ ଦଶକରେ ଆପୋଲୋ ୧୭ ମିଶନରେ ଚନ୍ଦ୍ରପୃଷ୍ଠରେ ରଖାଯାଇଥିବା ସିସମୋମିଟରରୁ ମିଳିଥିବା ତଥ୍ୟ ଆଧାରରେ ଗବେଷକମାନେ ଏହା କହିଛନ୍ତି । ଅନ୍ୟତମ ଗବେଷକ ଆଲେନ ହୁସ୍କର କହିଛନ୍ତି- ପ୍ରତିଟି ସକାଳେ ଯେତେବେଳେ ଲ୍ୟାଣ୍ଡର ସୌରତାପରେ ତାତିଥାଏ ଏବଂ ଏହା ସକ୍ରିୟ ହୋଇଥାଏ । ଚନ୍ଦ୍ରପୃଷ୍ଠକୁ ମାନବ ପଠାଇବା ଲାଗି ମହାକାଶ ଗବେଷଣା ସଂସ୍ଥା ଯୋଜନା କରୁଥିବାବେଳେ ଗବେଷକଙ୍କ ଏହି ତଥ୍ୟ ଚିନ୍ତାର କାରଣ ହୋଇଛି । ତାପଜନିତ ସମ୍ପ୍ରସାରଣ ଓ ସଂକୋଚନକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ଲ୍ୟାଣ୍ଡର ଓ ଯନ୍ତ୍ରପାତିଗୁଡିକର ଡିଜାଇନ କରାଯିବ ବୋଲି ସୂଚନା ମିଳିଛି ।

