ନୀରବ ନୁହେଁ ଚନ୍ଦ୍ରପୃଷ୍ଠ, ତାପମାତ୍ରାରେ ଅସମାନତା କାରଣରୁ ନିୟମିତ ଘଟିଚାଲିଛି କମ୍ପନ

1 min read

ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ରପୃଷ୍ଠ ନିସ୍ତବ୍ଧ ନୁହେଁ । ସେଠାରେ ନିୟମିତ ଘଟିଚାଲିଛି କମ୍ପନ । ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର କିଛି ଦିନ ତଳେ ପ୍ରାକୃତିକ ସେସିମିକ କମ୍ପନ ସମ୍ପର୍କରେ ସୂଚନା ଦେଇଥିଲା । ମାତ୍ର ଗବେଷକ ବର୍ତ୍ତମାନ କହିଛନ୍ତି ଚନ୍ଦ୍ରପୃଷ୍ଠ ନୀରବ ନୁହେଁ । ସେଠାରେ ତାପଜ ଚନ୍ଦ୍ରକମ୍ପନ ବା ଥର୍ମାଲ ମୁନକ୍ବାକ୍‌ ଘଟିଚାଲିଛି । ଚନ୍ଦ୍ରପୃଷ୍ଠରେ ତାପମାତ୍ରାରେ ବ୍ୟାପକ ଅସମାନତା କାରଣରୁ ଏହା ସୃଷ୍ଟି ହୋଇଛି ବୋଲି କହିଛନ୍ତି ଆମେରିକାର ଗବେଷକ ଫ୍ରାନସେସ୍କୋ ସିଭିଲିନ ନେତୃତ୍ବାଧୀନ ଟିମ ।

ଜର୍ଣ୍ଣାଲ ଅଫ ଜିଓଫିଜିକାଲ ରିସର୍ଚ୍ଚରେ ପ୍ରକାଶିତ ତଥ୍ୟ ଅନୁସାରେ ଚନ୍ଦ୍ରରେ ଜଳବାୟୁ ନାହିଁ । ଫଳରେ ଏହାର ତାପମାତ୍ରା ନିୟନ୍ତ୍ରିତ ହୋଇପାରୁନାହିଁ । ଦିନରେ ଏହାର ତାପମାତ୍ରା ୧୨୦ ଡିଗ୍ରୀ ସେଲସିୟସ ହେଉଥିବାବେଳେ ରାତିରେ ମାଇନସ ୧୩୦ ଡିଗ୍ରୀ ସେଲସିୟସ ହୋଇଯାଉଛି । ଏହି ବ୍ୟାପକ ଅସମାନତା କାରଣରୁ ଚନ୍ଦ୍ରପୃଷ୍ଠ ସଙ୍କୁଚିତ ଓ ସମ୍ପ୍ରସାରିତ ହେଉଛି । ଫଳରେ ଥର୍ମାଲ ମୁନକ୍ବାକ୍‌ ଘଟୁଛି ।

୧୯୭୦ ଦଶକରେ ଆପୋଲୋ ୧୭ ମିଶନରେ ଚନ୍ଦ୍ରପୃଷ୍ଠରେ ରଖାଯାଇଥିବା ସିସମୋମିଟରରୁ ମିଳିଥିବା ତଥ୍ୟ ଆଧାରରେ ଗବେଷକମାନେ ଏହା କହିଛନ୍ତି । ଅନ୍ୟତମ ଗବେଷକ ଆଲେନ ହୁସ୍କର କହିଛନ୍ତି- ପ୍ରତିଟି ସକାଳେ ଯେତେବେଳେ ଲ୍ୟାଣ୍ଡର ସୌରତାପରେ ତାତିଥାଏ ଏବଂ ଏହା ସକ୍ରିୟ ହୋଇଥାଏ । ଚନ୍ଦ୍ରପୃଷ୍ଠକୁ ମାନବ ପଠାଇବା ଲାଗି ମହାକାଶ ଗବେଷଣା ସଂସ୍ଥା ଯୋଜନା କରୁଥିବାବେଳେ ଗବେଷକଙ୍କ ଏହି ତଥ୍ୟ ଚିନ୍ତାର କାରଣ ହୋଇଛି । ତାପଜନିତ ସମ୍ପ୍ରସାରଣ ଓ ସଂକୋଚନକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ଲ୍ୟାଣ୍ଡର ଓ ଯନ୍ତ୍ରପାତିଗୁଡିକର ଡିଜାଇନ କରାଯିବ ବୋଲି ସୂଚନା ମିଳିଛି ।