ଋଷ ଅଧିକୃତ ୟୁକ୍ରେନରେ ପୌରପରିଷଦ ନିର୍ବାଚନ, ୟୁନାଇଟେଡ ଋଷିଆ ପାର୍ଟିକୁ ବହୁମତ

ମସ୍କୋ: ଋଷ ଅଧିକୃତ ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ହୋଇଥିବା ଆଞ୍ଚଳିକ ଓ ପୌରପରିଷଦ ନିର୍ବାଚନରେ ୟୁନାଇଟେଡ ଋଷିଆ ପାର୍ଟିକୁ ବହୁମତ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସମର୍ଥନ କରୁଥିବା ୟୁଆରପି ଏହି ନିର୍ବାଚନରେ ବ୍ୟାପକ ସଫଳଦା ହାସଲ କରିଥିବା ଦାବି କରାଯାଇଛି । ୟୁକ୍ରେନର ପୂର୍ବାଞ୍ଚଳ ଓ ଦକ୍ଷିଣାଞ୍ଚଳ ବର୍ତ୍ତମାନ ଋଷ କବଜାରେ ଥିବାବେଳେ ଏହି ନିର୍ବାଚନ ୟୁକ୍ରେନର ଦାବିକୁ ଜବରଦସ୍ତ ଝଟକା ଦେଇଛି ।

ଋଷ ଅଧିକୃତ ଅଞ୍ଚଳରେ ୭୦ ପ୍ରତିଶତ ଭୋଟ ୟୁନାଇଟେଡ ଋଷିଆ ପାର୍ଟିକୁ ମିଳିଥିବା କୁହାଯାଇଛି । ଆସନ୍ତା ବର୍ଷ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯିବା ପୂର୍ବରୁ ଏହି ନିର୍ବାଚନ ଗୁରୁତ୍ବ ବହନ କରୁଛି । ୟୁକ୍ରେନ ଅନ୍ତର୍ଗତ ତଥା ଋଷ ଅଧିକୃତ ଦୋନେସ୍କ, ଲୁଗାନସ୍କ, ଖେରସନ ଓ ଜାପୋରଜିୟାରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଛି । ତେବେ ନିର୍ବାଚନକୁ ଭଣ୍ଡୁର କରିବା ଲାଗି ୟୁକ୍ରେନ ବାହିନୀ ପକ୍ଷରୁ କେତେକ ସ୍ଥାନରେ ଡ୍ରୋନ ଆକ୍ରମଣ କରାଯାଇଥିବା ଦେଖାଯାଇଥିଲା । ୨୦୧୪ରୁ ଋଷ ଅଧୀନରେ ଥିବା କ୍ରିମିଆରେ ବି ଏହି ନିର୍ବାଚନ ହୋଇଛି । ସେପଟେ ଏହି ନିର୍ବାଚନକୁ ବିରୋଧ କରିଛି ୟୁରୋପର ପ୍ରମୁଖ ଅଧିକାର ସଂଗଠନ କାଉନସିଲ ଅଫ ୟୁରୋପ ।

ଆନ୍ତର୍ଜାତିକ ନିୟମକୁ ଉଲ୍ଲଂଘନ କରି ଏହି ନିର୍ବାଚନ ହୋଇଥିବା କହିଛି ସଂଗଠନ । ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିବାରୁ ଭୋଟରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦଭେଦେବ ।