ଭୁବନେଶ୍ୱର: ରାଜ୍ୟରେ ବଢ଼ିନି ଡେଙ୍ଗୁ । ସ୍ଥିର ଅବସ୍ଥାରେ ଅଛି । ଭୁବନେଶ୍ୱରରେ ଦୈନିକ ୮୦ରୁ ୧୦୦ ମାମଲା ଆସୁଛି । ସାରା ରାଜ୍ୟରେ ଦୈନିକ ୨୦୦ ମାମଲା ଆସୁଛି । ଗତ ୧୦ ତାରିଖ ରିପୋର୍ଟ ଅନୁସାରେ, ସାରା ରାଜ୍ୟରେ ୬୮ ହଜାର ୬୧୦ ଟେଷ୍ଟିଂ ହୋଇଛି । ଯେଉଁଥିରୁ ୫ ହଜାର ୯୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୧୩୩ ରୋଗୀ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ରୋଗୀକୁ ମଶା କାମୁଡି ଅନ୍ୟ ଜଣଙ୍କୁ କାମୁଡିଲେ ଡେଙ୍ଗୁ ହୁଏ । ଯଦି ଏଡିସ ମଶା ଆଖପାଖରେ ଥିବ, ତେବେ ଡେଙ୍ଗୁ ଆଶଙ୍କା ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମହାନ୍ତି ।
ସାବଧାନ! ମାତିଛି ସ୍କ୍ରବ ଟାଇଫସ, ଜ୍ୱର ନକମିଲେ ଶୀଘ୍ର ପରୀକ୍ଷା କରାଇବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
ଭୁବନେଶ୍ୱର: ସାବଧାନ! ମାତିଛି ସ୍କ୍ରବ ଟାଇଫସ । ଏହା ଚିଗର ନାମକ କୀଟ କାମୁଡ଼ିଲେ ହେଉଛି । ଯାହାକୁ ଏଚାର ବୋଲି କୁହାଯାଏ । ଚାଷୀ, ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହା ହେଉଛି । ଏହାର ଲକ୍ଷଣ, ଜ୍ୱର ଲାଗି ରହିବ, ଶରୀରର ଯେଉଁ ସ୍ଥାନକୁ କାମୁଡେ, ସେଠାରେ ସ୍କିନ ଡେଡ ହୋଇଯାଏ । ମୃତ୍ୟୁ ସମ୍ଭାବନା ବି ଅଛି । ଏହାର ପରୀକ୍ଷା ସବୁ ଜିଲ୍ଲା ହସ୍ପିଟାଲର DPHL ରେ ଏଲିଶା ପଦ୍ଧତିରେ ହେବାର ବ୍ୟବସ୍ଥା ରହିଛି । ଚିହ୍ନଟ ହେଲେ ଚିକିତ୍ସା ସହଜ । ସାଧାରଣ ଆଣ୍ଟିବାୟୋଟିକ୍ କାମ ଦେବ । ଜ୍ବର ନକମିଲେ ଶୀଘ୍ର ପରୀକ୍ଷା କରାଇନିଅନ୍ତୁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ପ୍ୟାରକସିଆ ପରନରିଜିନ କୁହାଯାଏ । ପ୍ୟାରକସିଆ ପରନରିଜିନ ମାନଙ୍କୁ ସ୍କ୍ରବ ଟାଇଫସ ଟେଷ୍ଟ ପାଇଁ ନିର୍ଦେଶ ଅଛି । ବରଗଡ଼, ନବରଙ୍ଗପୁର, ସୁନ୍ଦରଗଡ଼ରେ ଅଛି । ହେଲେ ସର୍ବାଧିକ କେସ୍ କେନ୍ଦୁଝରରୁ ଆସୁଛି ।
କେରଳରେ ହେଉଥିବା ମୃତ୍ୟୁ ପଛରେ ନିପାହ ଭାଇରସ୍, ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ
ଥିରୁଅନନ୍ତପୁରମ: କେରଳରେ ପୁଣି ଗୋଟେଥ ନିପାହ ଭାଇରସ୍ ବ୍ୟାପୁଥିବା ନେଇ ଖବର ସାମ୍ନାକୁ ଆସିଛି । କୋଝିକୋଡ଼ ଜିଲ୍ଲାରେ ଜ୍ୱରରେ ପୀଡିତ ଦୁଇ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି । ଆଶଙ୍କା କରାଯାଉଛି ଯେ ନିପାହ ଭାଇରସ୍ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଛି । ଦୁଇଜଣଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ହୋଇଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସୋମବାର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଏବଂ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ତେବେ ଏହି ଦୁଇ ମୃତ୍ୟୁ ଏକ ଘରୋଇ ହସ୍ପିଟାଲରେ ହୋଇଛି ଏବଂ ନିପାହ ଭାଇରସ୍ କୁ ମୃତ୍ୟୁର କାରଣ କୁହାଯାଉଛି ।
ସ୍ୱାସ୍ଥ୍ୟ ବିଭାଗ ମୁତାବିକ ମୃତକଙ୍କ ମଧ୍ୟରୁ ଜଣଙ୍କ ସମ୍ପର୍କୀୟଙ୍କ ସ୍ଥିତି ମଧ୍ୟ ଗମ୍ଭୀର ରହିଛି ଏବଂ ତାଙ୍କୁ ଆଇସିୟୁରେ ଆଡମିଟ୍ କରାଯାଇଛି । ଜ୍ୱରରେ ଦୁଇ ଜଣଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟରେ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ବାଣା ଜର୍ଜ କହିଛନ୍ତି ଯେ, ମୃତକଙ୍କ ରକ୍ତ ନମୁନା ଯାଞ୍ଚ ପାଇଁ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜିକୁ ପଠାଯାଇଛି । ମୃତକଙ୍କ ସମ୍ପର୍କୀୟ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଜଣେ ମୃତକଙ୍କ ବୟସ ୯ ବର୍ଷ ହୋଇଥିବା ବେଳେ ଆଉଜଣଙ୍କ ବୟସ ୪ ବର୍ଷ ରହିଛି । ବର୍ତ୍ତମାନ ଉଭୟ ମୃତକଙ୍କ ଶବକୁ ଶବାଗାରରେ ରଖାଯାଇଛି । ରିପୋର୍ଟ ଆସିବା ପରେ ଅନ୍ତିମ ସଂସ୍କାର କରାଯିବ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁସାରେ, ନିପାହ ଭାଇରସ୍ ଏକ ଜିନୋଟିକ୍ ଭାଇରସ୍ ଅଟେ । ଅର୍ଥାତ ପଶୁଙ୍କ ଜରିଆରେ ମଣିଷଙ୍କ ମଧ୍ୟରେ ବ୍ୟାପିଥାଏ । ଅନେକଥର ଖାଦ୍ୟ-ପାନୀୟ ଜରିଆରେ ଏବଂ ମଣିଷରୁ ମଣିଷକୁ ମଧ୍ୟ ବ୍ୟାପିଥାଏ । ନିପାହର ସର୍ବପ୍ରଥମ ମାମଲା ୧୯୯ରେ ମାଲେସିଆର ଏକ ଗାଁ ସୁନଗଇ ନିପାହରେ ସାମ୍ନାକୁ ଆସିଥିଲା । ଏହି କାରଣରୁ ଏହି ଭାଇରସର ନାଁ ନିପାହ ରଖାଯାଇଛି । ନିପାହ ଭାଇରସର ଲକ୍ଷଣ ହେଉଛି ଗଭୀର ଜ୍ୱର ହେବା, ମୁଣ୍ଡବିନ୍ଧା, ନିଶ୍ୱାସ ନେବାରେ ସମସ୍ୟା, ଗଳାରେ ଦରଜ, ଏଟିପିକର ନିମୋନିଆ ଭଳି ଲକ୍ଷଣ ଦେଖାଯାଇଥାଏ ।
ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ, ହେଉଛି ବିଭାଗୱାରୀ ସମୀକ୍ଷା
ଭୁବନେଶ୍ୱର: ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ବସିଥିବା ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳ ସାମିଲ ହୋଇଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବିଭାଗଓ୍ବାରୀ ସମୀକ୍ଷା ହେଉଛି । କେଉଁ ବିଭାଗ କେତେ ପ୍ରତିଶତ କାମ କରିଛନ୍ତି । 5T ସଚିବଙ୍କ ଜନ ଶୁଣାଣି ସମୟରେ ଆସିଥିବା ଅଭିଯୋଗର କେତେ ସମାଧାନ ହୋଇଛି । ଆଉ କେତେ ବାକି ରହିଛି, ସେସବୁର ଅନୁଧ୍ୟାନ କରାଯାଉଛି । ଏହାସହ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ନେଇ ବୈଠକରେ ଆଲୋଚନା ହେଉଛି ।
ବିଳମ୍ୱିତ ରାତିରେ ପ୍ରେମୀ ଯୁଗଳଙ୍କ ଉନ୍ମତ୍ତ କାଣ୍ଡ, ରଙ୍ଗ୍ ରୁଟରେ ଦ୍ରୁତ ଗତିରେ ଚଳାଇଲେ ଗାଡ଼ି
ଭୁବନେଶ୍ୱର: ବିଳମ୍ୱିତ ରାତିରେ ପ୍ରେମୀ ଯୁଗଳଙ୍କ ଉନ୍ମତ୍ତ କାଣ୍ଡ । ଜାତୀୟ ରାଜପଥର ବିପରୀତ ଦିଗରେ ଚଳାଇଲେ ଗାଡ଼ି । ଜୀବନକୁ ବାଜି ଲଗାଇ ଦ୍ରୁତ ଗତିରେ ଚାଲିଥିଲା ଗାଡ଼ି । ସିଆରପି ଛକରୁ ତମାଣ୍ଡୋ ଛକ ପର୍ଯ୍ୟନ୍ତ ବିପରୀତ ଦିଗରେ ମଚାଇଲେ ଆତଙ୍କ । ଉଭୟ ମଦ୍ୟପାନ କରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସନ୍ଦେହ । ଗାଡ଼ିର ବେଗ ଆନୁମାନିକ ୭୦ରୁ ୭୫ ରହିଥିବା ସୂଚନା । ଉନ୍ମତ୍ତକାଣ୍ଡ ଦେଖି ରାଜପଥରେ ଆସୁଥିବା ଯାତ୍ରୀ ଭୟଭୀତ । ଜାତୀୟ ରାଜପଥରେ ପୋଲିସର ପେଟ୍ରୋଲିଂ ଓ ନିଷ୍କ୍ରିୟତାକୁ ନେଇ ଉଠିଲା ପ୍ରଶ୍ନ ।
ଏସିଆ କପ ସୁପର-୪ ଫାଇଟ୍, ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କଡ଼ା ଟକ୍କର
କଲମ୍ବୋ: ଏସିଆ କପ ସୁପର ଫୋର ଫାଇଟ୍ । ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ମ୍ୟାଚ୍ । କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଦିନ ୩ଟାରେ ଖେଳାଯିବ ମ୍ୟାଚ୍ । ବିଜୟ ଧାରା ବଜାୟ ରଖିବାକୁ ରଣନୀତି ପ୍ରସ୍ତୁତ କରିଛି ଟିମ୍ ଇଣ୍ଡିଆ । ସେହିପରି ଶ୍ରୀଲଙ୍କା ମଧ୍ୟ ମୁକାବିଲା କରିବାକୁ ପୂରା ପ୍ରସ୍ତୁତ । ଗତକାଲି ପାକିସ୍ତାନକୁ ୨୨୮ ରନର ବଡ଼ ବ୍ୟବଧାନରେ ହରାଇଥିଲା ଭାରତ । ବିରାଟ କୋହଲି ଓ କେ.ଏଲ ରାହୁଲ ଖେଳିଥିଲେ ଚମତ୍କାର ଇନିଂସ । ଉଭୟ ଦମଦାର ଶତକ ହାସଲ କରିଥିଲେ । ସେହିପରି ବୋଲିଂରେ ମଧ୍ୟ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିଥିଲା । ତେଣୁ ମ୍ୟାଚ ଜିତିବାକୁ ଚେଷ୍ଟା କରିବ ଭାରତ । ଆଜିର ମ୍ୟାଚ୍ ଜିତିଲେ ଭାରତର ଫାଇନାଲ୍ ଖେଳିବା ଏକପ୍ରକାର ସ୍ପଷ୍ଟ ହୋଇଯିବ ।
ସମ୍ବଲପୁରରେ ମହାନଦୀକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ
ସମ୍ବଲପୁର: ସମ୍ବଲପୁର ଚାଉଁରପୁର ମହାନଦୀ ଦ୍ଵିତୀୟ ସେତୁ ଉପରୁ ଜଣେ ବ୍ୟକ୍ତି ମହାନଦୀକୁ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି । ଆଜି ସକାଳ ପ୍ରାୟ ୭ଟା ସମୟରେ ଏହି ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ତେବେ ଚାଉଁରପୁର ବ୍ରିଜ଼ ମଧ୍ୟ ଉପରେ ଏକ ସ୍କୁଟି ସହ ଜୋତା ରହିଛି । ବ୍ରିଜ଼ ଉପରୁ ମହାନଦୀକୁ ଡେଇଁଥିବା ବ୍ୟକ୍ତିଙ୍କର ସ୍କୁଟି ଓ ଜୋତା ହୋଇଥିବା ନେଇ ସନ୍ଦେହ କରାଯାଉଛି । ଘଟଣାସ୍ଥଳକୁ ପୋଲିସ ଓ ଅଗ୍ନିଶମ ସେବା କେନ୍ଦ୍ରର ଟିମ ପହଂଚି ମହାନଦୀରେ ଖୋଜାଖୋଜି କରୁଛନ୍ତି । ତେବେ କେଉଁ କାରଣ ପାଇଁ ସେ ନଦୀକୁ ଡେଇଁଲେ ସେନେଇ ମଧ୍ୟ କିଛି ସ୍ପଷ୍ଟ ଜଣାପଡ଼ିନାହିଁ । ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ପରଚୟ ଜାଣିବାରେ ଲାଗିଛି । ଏପଟେ ଅଗ୍ନିଶମ ବିଭାଗ ପକ୍ଷରୁ ନଦୀରେ ବୋଟ୍ ସାହାଯ୍ୟରେ ଖୋଜାଖୋଜି ଚାଲିଛି ।
ଆସନ୍ତା ୪୮ ଘଣ୍ଟାରେ ଲଘୁଚାପର ରୂପନେବ ଘୂର୍ଣ୍ଣିବଳୟ, ୧୫ ପର୍ଯ୍ୟନ୍ତ ଅବିଶ୍ରାନ୍ତ ବର୍ଷା
ଭୁବନେଶ୍ୱର: ଆସୁଛି ବଡ଼ ବର୍ଷା । ଆସନ୍ତା ୪୮ ଘଣ୍ଟାରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପନେବ । ପ୍ରଭାବରେ ଆଜିଠୁ ବର୍ଷାର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବ । ୧୫ ତାରିଖ ପର୍ଯ୍ୟନ୍ତ ଅବିଶ୍ରାନ୍ତ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଲିଠୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ନେଇ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ଗଞ୍ଜାମ, ନୟାଗଡ, ବୌଦ୍ଧ, କନ୍ଧମାଳ, କଳହାଣ୍ଡି, କଟକ ଏବଂ ଅନୁଗୁଳ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ।
୧୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲା, ୧୫ ରେ ୮ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳରେ ଆକସ୍ମିକ ବନ୍ୟାର ପରିସ୍ଥିତି ଦେଖାଦେବ । ବର୍ଷା ସମୟରେ ଦୃଶ୍ୟମାନ କ୍ଷମତା କମିବା ସହ ଯାତାୟତରେ ବାଧା ସୃଷ୍ଟି ହେବ । କଚ୍ଚା ଘର ଏବଂ କଚ୍ଚା ରାସ୍ତା ପ୍ରଭାବିତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଲଘୁଚାପର ପ୍ରଭାବ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ରହିବ ବୋଲି ଆକଳନ କରାଯାଇଛି
ବିରୋଧୀ ମେଣ୍ଟ ଇଣ୍ଡିଆର ୨୧ ଜଣିଆ ପ୍ରଚାର କମିଟିର ଆଜି ବସିବ ପ୍ରଥମ ବୈଠକ
ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ଇଣ୍ଡିଆର ୨୧ ଜଣିଆ ପ୍ରଚାର କମିଟିର ଆଜି ବସିବ ପ୍ରଥମ ବୈଠକ । ବିଭିନ୍ନ ରାଜ୍ୟର ବିଧାନସଭା ଓ ଲୋକସଭା ନିର୍ବାଚନ ପରିଚାଳନା, ପ୍ରଚାର ଆଦି ନିମନ୍ତେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ଏହି ବୈଠକରେ ହେବ ଆଲୋଚନା । ସାରା ଦେଶରେ ମିଳିତ ପ୍ରଚାର, ସଭା ଆଦି ନେଇ ବୈଠକରେ ନିର୍ଦ୍ଧାରଣ ହେବ ପ୍ଲାନ । ଇଣ୍ଡିଆ-ଭାରତ ବିବାଦ ଜାରି ରହିଥିବାବେଳେ ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ନିର୍ଦ୍ଧାରଣ ଉପରେ ଦୃଷ୍ଟି ରହିଛି । ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ବୈଠକ ବସିବା ପରେ ଏହା ହେଉଛି ମେଣ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ।
ଏହି ବୈଠକରେ କଂଗ୍ରେସର ଗୁରୁଦୀପ ସିଂ ସପ୍ପଲ, ଜେଡି ୟୁର ସଞ୍ଜୟ ଝା, ଶିବସେନାର ଅନୀଲ ଦେଶାଇ, ଆରଜେଡିର ସଞ୍ଜୟ ଯାଦବ, ଏନସିପିର ପି.ସି. ଚାକୋ, ଜେଏମଏମର ଚମ୍ପେଇ ସୋରେନ, ସମାଜବାଦୀ ପାର୍ଟିର କିରଣମୟ ନନ୍ଦ, ସିପିଏମର ଅରୁଣ କୁମାର, ସିପିଆଇର ବିନୟ ବିଶ୍ବାସ ପ୍ରମୁଖ ଯୋଗଦେବେ । ଲକ୍ଷ୍ମୌ, ଭୋପାଳ ଓ ଜୟପୁରରେ ଇଣ୍ଡିଆ ମେଣ୍ଟର ମିଳିତ ରାଲି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ମୁମ୍ବାଇରେ ହୋଇଥିବା ବୈଠକ ଅନୁସାରେ ପାଟନା, ନାଗପୁର, ଚେନ୍ନାଇ, ଗୁଆହାଟି ଓ ଦିଲ୍ଲୀରେ ରାଲି କରିବା ଲାଗି ନିଷ୍ପତ୍ତି ହୋଇଥିଲା ।

