spot_img
Home Blog Page 2646

ଗାଜାର ହସ୍ପିଟାଲରେ କିଏ କଲା ଏୟାରଷ୍ଟ୍ରାଇକ ?

ନନ୍ଦିଘୋଷ ବ୍ୟୁରୋ: ଗାଜାର ହସ୍ପିଟାଲରେ କିଏ କଲା ଏୟାରଷ୍ଟ୍ରାଇକ ? ଇସ୍ରାଏଲ ନା ହମାସ? ଏହାକୁ ନେଇ ଚାଲିଛି ଦୋଷାରୋପ । ଏହି ଆକ୍ରମଣ ଇସ୍ରାଏଲ ଆଡୁ ହୋଇଛି ବୋଲି କହିଛି ପାଲେଷ୍ଟାଇନର ଇସଲାମିକ ଜିହାଦ ମୁଭମେଣ୍ଟ । ତେଣେ ବିସ୍ଫୋରଣ ପଛରେ ହମାସ ରହିଛି ବୋଲି କହିଛି ଇସ୍ରାଏଲ । ଏହି ହମଲାରେ ୫୦୦ରୁ ଅଧିକ ଲୋକ ପ୍ରାଣ  ହରାଇଥିବାବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ଅଧିକାଂଶ ଶିଶୁ ଓ ମହିଳା । ପାଲେଷ୍ଟିନୀୟ ବସବାସ କରୁଥିବା ଅଞ୍ଚଳର ଅଲ ଆଲି ଆରବ ହସ୍ପିଟାଲରେ ହୋଇଥିଲା ରକେଟ ମାଡ଼ ।

ଜୀବନ ବିକଳରେ ଲୋକେ ଆରମ୍ଭ କରିଛନ୍ତି ପଳାୟନ । ଗୁଇନ୍ଦା ସୂଚନା ଅନୁସାରେ ଇସଲାମିକ ଜିହାଦ ଗୋଷ୍ଠୀ ଇସ୍ରାଏଲ ଉପରେ ରକେଟ ମାଡ କରୁଥିବା ବେଳେ ତାହା ବିଫଳ ହୋଇ ହସ୍ପିଟାଲରେ ପଡିଥିଲା । ଏହି ସମୟରେ ଇସ୍ରାଏଲର କୌଣସି ଏରିଆଲ ଅପରେସନ ହେଉ ନଥିଲା । ସେପଟେ ଏହି ହମଲା ପଛରେ ଇସ୍ରାଏଲର ହାତ ରହିଛି ବୋଲି ଦାବି କରିଛି ପାଲେଷ୍ଟାଇନର ଇସଲାମିକ ଜିହାଦ ମୁଭମେଣ୍ଟ । ଏହି ରକେଟ ହମଲା ଲାଗି ଇସ୍ରାଏଲ ଉପରେ ଦୋଷ ଲଦିଛନ୍ତି ସାଉଦିଆରବ, ୟୁଏଇ, ବାହାରିନ, ଇଜିପ୍ଟ, ଜୋର୍ଡାନ ଓ ତୁର୍କୀ ।  ଇସ୍ରାଏଲ ପ୍ରତିରକ୍ଷା ବାହିନୀ ମୁଖପାତ୍ର ଦାନିଏଲ ହାଗାରି କହିଛନ୍ତି ଏହି ହମଲା ଲାଗି ଇସଲାମିକ ଜିହାଦ ଦାୟୀ ।

ରକେଟମାଡ ପ୍ରସଙ୍ଗରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁଙ୍କ ସହ ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ଏହି ଘଟଣା ପରେ ଇରାନ ତେହେରାନସ୍ଥିତ ବ୍ରିଟେନ ଓ ଫ୍ରାନ୍ସ ଦୂତାବାସ ଉପରେ ଶହ ଶହ ଲୋକ ବିକ୍ଷୋଭ କରିଛନ୍ତି । ରକେଟ ମାଡକୁ ବି ନିନ୍ଦା କରିଛି ବିଶ୍ବ ସ୍ବାସ୍ଥ୍ଯ ସଂଗଠନ । ତେଣେ ଗାଜା ହସ୍ପିଟାଲ ଉପରେ ଆକ୍ରମଣକୁ ଆରବ ଜଗତରେ କରାଯାଇଛି ବିରୋଧ । ଲେବାନନ ବେରୁଟରେ ଆମେରିକୀୟ  ଦୂତାବାସରେ ଲୋକେ ନିଆଁ ଲଗାଇଦେଇଥିବାବେଳେ ଟ୍ୟୁନିସିଆ ସମେତ ବିଭିନ୍ନ ଦେଶରେ ଏୟାରଷ୍ଟ୍ରାଇକକୁ ନେଇ କରାଯାଇଛି ପ୍ରତିବାଦ ।

5T ସଚିବଙ୍କ ଜିଲ୍ଲାଗସ୍ତ ପରେ ଲୋକଙ୍କ ଜମି ସମସ୍ୟାର ସମାଧାନ ପାଇଁ ଫିଟିଲା ରାସ୍ତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସକ ନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରି ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ପୂର୍ବରୁ ଝାରସୁଗୁଡାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ୍‌, ପୁରୀ ପୌରପାଳିକାରେ ଜମିଜମା ସମସ୍ୟାର ସମାଧାନ ପାଇଁ ନୀତିଗତ ନିଷ୍ପତ୍ତି ହୋଇଥିଲା । ଆଜି ସିକିମ ରୟତ ମାନଙ୍କ ଜମି ସମସ୍ୟା ଓ ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ତହସିଲର ହୀରାକୁଦ ବାସଚ୍ୟୁତ ମାନଙ୍କ ଜମି ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ। ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ଦୀର୍ଘ ବର୍ଷର ସମସ୍ୟା, ଅନ୍ୟ ସ୍ଥାନରେ ସରକାରୀ ଜମିରେ ବହୁ ଦିନ ଧରି ରହୁଥିବା ଲୋକଙ୍କର ଜମି ଅଧିକାର ସମସ୍ୟା, ରୟତ ସମସ୍ୟା – ଏହିପରି ଅନେକ ସମସ୍ୟା ସଂପର୍କରେ ଲୋକମାନେ ୫-ଟି ସଚିବଙ୍କୁ ଜଣାଇଥିଲେ । ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ଲୋକଙ୍କ ବହୁ ବର୍ଷର ଜମି ସମସ୍ୟାର ସମାଧାନ ପାଇଁ ବାଟ ଫିଟିଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏ ସଂପର୍କରେ ସେପ୍ଟେମ୍ବର ମାସର ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ତିନି ଥର ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ସମୀକ୍ଷା ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ଅଗ୍ରଗତି ସଂପର୍କରେ ଆଜି ଆଉ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ବହୁ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ବୈଠକରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଆଇନ ସଚିବ ଶ୍ରୀ ମାନସ ରଂଜନ ବାରିକ, ଗଞ୍ଜାମ, ସମ୍ବଲପୁର, ପୁରୀ, ଖୋର୍ଦ୍ଧା ଓ ଝାରସୁଗୁଡା ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଲୋକଙ୍କୁ ଜମି ଯୋଗାଇ ଦେବାକୁ ନିଷ୍ପତ୍ତି କରାଯାଇଛି ।

ହୀରାକୁଦ ପ୍ରକଳ୍ପ ଯୋଗୁ ବାସଚ୍ୟୁତ ହୋଇଥିବା ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ତହସିଲ ଅନ୍ତର୍ଗତ କୁର୍ଲା, ଥୁଣ୍ଟିକତରବଗା, ଯୋଗୀପାଲ୍ଲୀ, ସପନେ ଗ୍ରାମରେ ହାଇଟେକ୍‌ ସର୍ଭେ ମାଧ୍ୟମରେ ପୁରୁଣା ଜମିଜମା ସମସ୍ୟାର ସମାଧାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ସର୍ଭେ କାର୍ଯ୍ୟକୁ ଯେତେଶୀଘ୍ର ସମ୍ଭବ ସଂପୂର୍ଣ୍ଣ କରି ଜମି ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ସିକିମ ରୟତ ମାନଙ୍କର ଜମି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ନୀତିଗତ ନିଷ୍ପତ୍ତି ନିଆଯାଇଛି । ଏହାଦ୍ବାରା କଟକ, ପୁରୀ ଓ ବାଲେଶ୍ବର ଜିଲ୍ଲାର ପ୍ରାୟ ୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ ।

ସୂଚନାଯୋଗ୍ୟ ଯେ ପୂର୍ବରୁ ପୂର୍ବରୁ ଝାରସୁଗୁଡାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ୍‌, ପୁରୀ ପୌରପାଳିକାରେ ଜମିଜମା ସମସ୍ୟାର ସମାଧାନ ପାଇଁ ନୀତିଗତ ନିଷ୍ପତ୍ତି ହୋଇଥିଲା ।

ଝାରସୁଗୁଡା ଜିଲ୍ଲାରେ ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ସମସ୍ୟା ୫୦ ବର୍ଷରୁ ଅଧିକ ସମୟର। ଲଖନପୁର ତହସିଲର ୧୮ଟି ଗାଁ ଓ ଝାରସୁଗୁଡା ତହସିଲର ଗୋଟିଏ ଗାଁ, ଏହିପରି ୧୯ଟି ଗାଁର ଜମି ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ହୋଇଥିଲା । ପ୍ରଥମ ପର୍ଯ୍ୟାୟ ପଟ୍ଟା ଲିମେଇତିକ୍ରା ଗ୍ରାମରୁ ବଣ୍ଟନ କରାଯିବ। ଗଞ୍ଜାମ ଜିଲ୍ଲା ସୋରଡାର ୨୨ଟି ଗାଁରେ ବହୁ ପୁରାତନ ଜମି ସମସ୍ୟାର ସମାଧାନ କରାଯାଇ ଉଭୟ ଘରବାଡି ଓ ଚାଷଜମି ପଟ୍ଟା ବଣ୍ଟନ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ସେହିପରି ଜଟଣୀ ଖାସମାହାଲ ଜମି ସମସ୍ୟାର ସମାଧାନ କରାଯାଇ ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟ ପଟ୍ଟା ବଣ୍ଟନ କରାଯିବ।

ସେହିପରି ପୁରୀ ପୌରପାଳିକା ବହୁ ବର୍ଷ ଧରି ବିଭିନ୍ନ ଅନୁଷ୍ଠାନ ଓ ଲୋକମାନଙ୍କୁ ଲିଜ ସୂତ୍ରରେ ପ୍ରାୟ ୫୦୪ ଏକର ଜମି ଦେଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ ଉପଯୁକ୍ତ ଲିଜ୍ ସର୍ତ୍ତାବଳୀ ଓ ପୌରପାଳିକା ନିୟମ ଅନୁସାରେ ଆବଣ୍ଟିତ ଲିଜ୍୍ ନିୟମିତ କରିବା ପାଇଁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମାନଙ୍କ ଉପରେ ଉପଯୁକ୍ତ ଦେୟ ଧାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଥିଲା । ଲିଜ୍‌କୁ ନିୟମିତ କରିବାପାଇଁ ନିୟମାବଳୀ ଅନୁମୋଦନ ପରେ OGLS ନିୟମରେ ଆବଶ୍ୟକ ପରିବର୍ତ୍ତନ ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି

ଇଣ୍ଡିଆନ ଆଇଡଲ ପ୍ଲାଟଫର୍ମରେ ଚମକୁଛନ୍ତି ଓଡ଼ିଆ ପୁଅ, ଗୋଲ୍ଡେନ ଟିକେଟ ହାତେଇଲେ ବଲାଙ୍ଗୀରର ଅଜୟ

ଭୁବନେଶ୍ୱର: ଇଣ୍ଡିଆନ ଆଇଡଲ ପ୍ଲାଟଫର୍ମରେ ଚମକୁଛନ୍ତି ଓଡ଼ିଆ ପୁଅ । ଅଡିସନରେ ଗୋଲ୍ଡେନ ଟିକେଟ ହାତେଇଛନ୍ତି ବଲାଙ୍ଗୀରର ଅଜୟ ଅମର ସିଂଦେଓ । ବାପା ସଂଗୀତ ଗୁରୁ ଦିଲ୍ଲୀପ ସିଂହଦେଓ । ପୁଅ ଅଜୟକୁ ପିଲା ଦିନରୁ ହିଁ ସଂଗୀତ ଶିକ୍ଷା ଦେଇଥିଲେ। ଅଳ୍ପ ବୟସରୁ ଅଜୟ ପାଇଛନ୍ତି ଅନେକ ସମ୍ମାନ । ଏବେ ସେ ବିଏଚୟୁରେ ପରଫର୍ମିଂ ଆର୍ଟ ଭାଓଲିନରେ ମାଷ୍ଟର ଡିଗ୍ରୀ କରୁଛନ୍ତି ।

ପୂର୍ବରୁ ଅଜୟ ବଲାଙ୍ଗୀର ଶିଶୁ ମନ୍ଦିର ଓ ପରେ ରାଜେନ୍ଦ୍ର କଲେଜରେ ପଢ଼ିଥିଲେ । ଇଣ୍ଡିଆନ ଆଇଡଲ୍ ମଞ୍ଚରେ ଅଗ୍ନିପଥ ଫିଲ୍ମର ଗୀତ ଗାଇ ଗୋଲ୍ଡେନ କାର୍ଡ ପାଇଛନ୍ତି । ଲକ୍ଷ୍ନୌ ଅଡିସନରୁ ମନୋନୀତ ହୋଇ ମୁମ୍ବାଇରେ ଇଣ୍ଡିଆନ ଆଇଡଲ୍ ମଞ୍ଚରେ ଗୀତ ଗାଇବାକୁ ସୁଯୋଗ ପାଇଛନ୍ତି ଅଜୟ । ୨୪ଜଣଙ୍କ ଭିତରୁ ଦଶମ ସ୍ଥାନରେ ରହିଛନ୍ତି ଅଜୟ। ସେହିପରି ଭୁବନେଶ୍ବରର ଡାକ୍ତର ରୋହନ ବିଶ୍ବାଳ ଓ କଟକର ଅଭିଷେକ ଜେନାଙ୍କୁ ବି ମିଳିଛି ଗୋଲଡେନ୍ କାର୍ଡ ।

ଇସ୍ରାଏଲରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଯୁଦ୍ଧ ପ୍ରସଙ୍ଗରେ କରିବେ ଆଲୋଚନା

ନନ୍ଦିଘୋଷ ଡିଜିଟାଲ: ଇସ୍ରାଏଲ ତେଲ ଅଭିଭରେ ପହଞ୍ଚିଲେ  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଯୁଦ୍ଧ ପ୍ରସଙ୍ଗରେ କରିବେ ଆଲୋଚନା । ଗସ୍ତ ପୂର୍ବରୁ ଗାଜା ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକକୁ ନେଇ କୂଟନୀତି ସ୍ତରରେ ହୋଇଛି ହଲଚଲ ।

ଜୋର୍ଡାନର ଅମାନରେ ହେବାକୁ ଥିବା କେତେକ ଦେଶର ନେତାଙ୍କ ସହ ବାଇଡେନଙ୍କ ବୈଠକ ବାତିଲ ହୋଇଛି ।  ନେତାନ୍ୟାହୁଙ୍କ ଉପରେ ଯୁଦ୍ଧ ବନ୍ଦ ଲାଗି ଚାପ ପକାଇପାରନ୍ତି ବାଇଡେନ । ଇସ୍ରାଏଲ ଗସ୍ତ ପରେ ବାଇଡେନ ଜୋର୍ଡାନ ଯିବାର କାର୍ଯ୍ୟକ୍ରମ ଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ଏହି ଗସ୍ତ ବାତିଲ ହୋଇଛି । ବାଇଡେନଙ୍କ ଇସ୍ରାଏଲ ଗସ୍ତକୁ ବହୁ ଆରବ ରାଷ୍ଟ୍ର ବିରୋଧ କରିଆସୁଛନ୍ତି ।

ଜୋର୍ଡାନ ବୈଦେଶିକ ମନ୍ତ୍ରୀ ଆୟାମାନ ସଫାଦି କହିଛନ୍ତି ଜୋର୍ଡାନ ରାଜା ଅବଦୁଲ୍ଲା, ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତା ଏଲ ସିସି, ପାଲେଷ୍ଟାଇନ କର୍ତ୍ତୃପକ୍ଷ ରାଷ୍ଟ୍ରପତି ମହମ୍ମଦ ଆବାସଙ୍କ ସହ ବାଇଡେନଙ୍କ କଥାବାର୍ତ୍ତା ବାତିଲ ହୋଇଛି । ସେପଟେ ଲେବାନନ ଛାଡିବା ଲାଗି ନିଜ ଦେଶର ନାଗରିକଙ୍କୁ ପରାମର୍ଶ ଦେଇଛି ଆମେରିକା । ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବାରୁ ଏହି ନିର୍ଦ୍ଦେଶ ଦିଆଯାଇଛି ।

ବୁଲେଟ୍ ପ୍ରୁଫ୍ ‘ଦୁର୍ଗ’ ମଧ୍ୟରେ ଇସ୍ରାଏଲରେ ବାଇଡେନଙ୍କ ଲ୍ୟାଣ୍ଡିଂ!

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ-ହମାସ ଯୁଦ୍ଧ ସ୍ଥିତି ମଧ୍ୟରେ ବୁଧବାର ରାଜଧାନୀ ତେଲ ଅଭିଭରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଅକ୍ଟୋବର ୭ରେ ହମାସ ଆକ୍ରମଣ ପରଠାରୁ ଇସ୍ରାଏଲ ଏବଂ ଗାଜାରେ ପରିସ୍ଥିତି ସାଘାଂତିକ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଚାରି ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

ଖାଲି ଏତିକି ନୁହେଁ ଉଭୟ ପାର୍ଶ୍ୱରୁ ରକେଟ୍ ମାଡ଼ ଜାରି ରହିଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ବାଇଡେନଙ୍କ ଗସ୍ତ ଉପରେ ସମସ୍ତଙ୍କ ନଜର। ଏହି ବିଶ୍ୱ ନେତାଙ୍କ ସୁରକ୍ଷା ଏବେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ସହ  ଆମେରିକା ସେନାବାହିନୀ ପାଇଁ ମଧ୍ୟ ଚାଲେଞ୍ଜିଂ ହୋଇପଡିଛି। ତେବେ ଆସନ୍ତୁ ଜାଣିବା କିଭଳି ରହିଛି ବାଇଡେନଙ୍କ ସୁରକ୍ଷା ବ୍ୟବସ୍ଥା…

ବାଇଡେନଙ୍କ ଲ୍ୟାଣ୍ଡିଂ ବେଳେ ଦୁଇ ହଜାର ଆମେରିକୀୟ ସୈନ୍ୟ, ୨୪ ହଜାର ନୌସେନା ଓ ୧୩ଟି ଯୁଦ୍ଧ ଜାହାଜ ମଧ୍ୟ ପୂର୍ବ ଇସ୍ରାଏଲକୁ ଘେରି ରହିବେ। କେବଳ ଏତିକି ନୁହେଁ, ପେଣ୍ଟାଗନର ପ୍ରାୟ ଦୁଇ ହଜାର ସେନା ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏବିସି ନ୍ୟୁଜ୍ ର ଏକ ରିପୋର୍ଟ ଅନୁଯାୟୀ, ବାଇଡେନଙ୍କ ପୂର୍ବରୁ ଯୁଦ୍ଧଗ୍ରସ୍ତ ରାଷ୍ଟ୍ରକୁ ଯାଇଥିବା ରାଷ୍ଟ୍ରପତିମାନଙ୍କ ଗସ୍ତ କୋବର୍ଟ ଅପରେସନ୍ ଜରିଆରେ ହୋଇଥାଏ ।

ଏହାପୂର୍ବରୁ ଆମେରିକାର ସିକ୍ରେଟ୍ ସର୍ଭିସ ଦ୍ୱାରା ଗୋପନରେ ପ୍ଲାନ କରାଯିବା ପରେ ହିଁ ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ, ବାରାକ ଓବାମା ଏବଂ ଡୋନାଲ୍ଡ ଟ୍ରମ୍ପ ଇରାକ ଏବଂ ଆଫଗାନିସ୍ତାନ ଗସ୍ତ କରିଥିଲେ। କିନ୍ତୁ ବାଇଡେନଙ୍କ ଗସ୍ତକୁ ସାର୍ବଜନିନ ଭାବେ ଘୋଷଣା କରାଯାଇଛି । ଯାହାଫଳରେ ତାଙ୍କ ସୁରକ୍ଷା ଦୁଇ ଦେଶ ପାଇଁ ଚାଲେଞ୍ଜିଂ ହୋଇପଡିଛି ।

ହ୍ୱାଇଟ ହାଉସର କର୍ମଚାରୀ, ଆମେରିକା ଦୂତାବାସ ଇସ୍ରାଏଲର ସୁରକ୍ଷା ଏଜେନ୍ସି ସିନ ବେଟ୍ ସହ ସମ୍ପର୍କ କରିଛନ୍ତି । ସିନ ବେଟ୍ ଆତଙ୍କବାଦୀ ବିରୋଧି ଅପରେସନ୍ ପାଇଁ ଖୁବ୍ ଜଣାଶୁଣା। ସିକ୍ରେଟ୍ ସର୍ଭିସ ପୂର୍ବରୁ ମଧ୍ୟ ରାଷ୍ଟ୍ରପତିମାନଙ୍କୁ ଇସ୍ରାଏଲ୍ ଓ ୱେଷ୍ଟ ବ୍ୟାଙ୍କ ଭଳି ସ୍ଥାନକୁ ନେଇଛନ୍ତି। ଏହି ଦୁଇ ସ୍ଥାନ ଫିଲିସ୍ତାନ ଲିବ୍ରେସନ୍ ଅର୍ଗାନାଇଜେସନ୍ (ପିଏଲଓ) ଶାସନାଧିନ। ଏହା ଶାନ୍ତିପୂର୍ଣ୍ଣ କ୍ଷେତ୍ରରେ ରହିଲେ ମଧ୍ୟ ସବୁବେଳେ ବିପଦର ଭୟ ଲାଗି ରହିଥାଏ।

ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ ରାଷ୍ଟ୍ରପତି ବାଇଡେନଙ୍କୁ ନେଇ ଯାଉଥିବା ସାମରିକ ବିମାନ ଚାରିପାଖରେ ତଥା ଆକାଶ ମାର୍ଗରେ ସୁରକ୍ଷା ପାଇଁ ଏକ ୟୁନିଟ୍ ସହିତ ସମନ୍ୱୟ ରକ୍ଷା କରିବେ । ଉଭୟ ପକ୍ଷରୁ ରକେଟ୍ ମାଡ଼ ମଧ୍ୟରେ ଆକାଶ ମାର୍ଗରେ ସୁରକ୍ଷା ବ୍ୟବସ୍ଥା ଖୁବ୍ କଡ଼ାକଡ଼ି ହେବ । ତେବେ ସ୍ପେଶାଲ୍ ଅପରେସନ୍ ଡିଭିଜନ୍ ରେ ସିକ୍ରେଟ୍ ସର୍ଭିସ୍ ଏୟାରସ୍ପେଶ୍ ସିକ୍ୟୁରିଟି ବ୍ରାଞ୍ଚକୁ ଇସ୍ରାଏଲ୍ ଓ ଆମେରିକା ସୈନ୍ୟବାହିନୀ ସହ କାମ କରିବା ପାଇଁ କୁହାଯାଇଛି

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ବିଲଡିଂ ଉଦଘାଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ସାମ୍ପ୍ରସାରିତ ବିଲଡିଂ ଉଦଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ୍ ରହିଛି। ସେଥିପାଇଁ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ କଲେଜକୁ ଗୋଟେ ଛାତ ତଳକୁ ଅଣାଯାଇଛି। ଏହାଦ୍ୱାରା ରାଜ୍ୟରେ ଥିବା ସମୁଦାୟ ୨୮୩କଲେଜର ମେଡିକାଲ, ହୋମିଓପାଥି, ଆୟୁର୍ବେଦ, ଫିଜିଓଥେରାପି, ଲବୋରେଟୋରୀ ଟେକନିସିଆନ ପରି ୯ଟି ବିଷୟବସ୍ତୁ ଏହି ବିଶ୍ଵବିଦ୍ୟାଳୟ ଅଧୀନକୁ ଆସିଛି।

ଏଠାରେ ରିସର୍ଚ୍ଚ ଓ ଟ୍ରେନିଂକୁ ଅଧିକ ଗୁରୁତ୍ୱ ଦିଆଯିବ। ଆଗକୁ ଅବସରପ୍ରାପ୍ତ ସୁନାମଧନ୍ୟ ଡାକ୍ତରଙ୍କୁ ନେଇ ରିଫ୍ରେସର ମେମୋରୀ କୋର୍ସ କରାଯିବ। ଚଳିତ ଅକ୍ଟୋବର ୧୬ତାରିଖରେ ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମ ପରିଷଦର ପ୍ରଥମ ବୈଠକ ବସିଥିଲା। ଆଜି ପ୍ରଥମ କାର୍ଯ୍ୟକାରୀ ସମିତି ବୈଠକ ପରିଚାଳିତ ହୋଇଛି।

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ୫ ମାସ ତଳେ କରିଥିଲେ ବିବାହ

ଭୁବନେଶ୍ବର: ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ବର ୟୁନିଟ୍‌ ୯ ଭଗବତୀ ବସ୍ତିର ଏକ ଘରୁ ନବବଧୂଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ଖାରବେଳନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ନବବଧୂ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ଅସ୍ପଷ୍ଟ ରହିଛି ।

ମାତ୍ର ୫ମାସ ତଳେ ବିବାହ କରିଥିଲେ ନବବଧୂ । ସ୍ବାମୀ ଓ ଦିଅରଙ୍କ ସହ ଭଗବତୀ ବସ୍ତିରେ ରହୁଥିଲେ । ମହିଳାଙ୍କ ଦେହରେ କ୍ଷତ ଚିହ୍ନ ଥିବା ନେଇ ସନ୍ଦେହ କରାଯାଉଛି ।

ଶିମିଳିପାଳରେ ଆରମ୍ଭ ହେଲା ବାଘ ଗଣନା, ୩ଟି ପର୍ଯ୍ୟାୟରେ ଗଣାଯିବ ବାଘ

ମୟୂରଭଞ୍ଜ: ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ଓ ଏହାର ପାଦଦେଶରେ ଆରମ୍ଭ ହୋଇଛି ବାଘ ଗଣନା। ଏହି ଗଣନା କାର୍ଯ୍ୟ ଶିମିଳିପାଳ ଅଭୟାରଣ୍ୟ ଏବଂ ଅଭୟାରଣ୍ୟ ବାହାରେ ଥିବା ବାରିପଦା, କରଞ୍ଜିଆ, ରାଇରଙ୍ଗପୁର, ବାଲେଶ୍ଵର ଏବଂ କେନ୍ଦୁଝର ଜିଲ୍ଲାରେ ଥିବା ବନାଞ୍ଚଳ ଅଂଚଳରେ କରାଯିବ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଗଣନା ପ୍ରକ୍ରିୟାରେ ୫ ଶହରୁ ଅଧିକ ବନ କର୍ମଚାରୀ ଓ ଅଧିକାରୀ ସାମିଲ ହୋଇଛନ୍ତି ।

ଏହି ପ୍ରକ୍ରିୟା ୩ଟି ପର୍ଯ୍ୟାୟରେ କରାଯିବ । ସମସ୍ତ ପ୍ରକ୍ରିୟାର ଫଳାଫଳକୁ ଆଧାର କରି ସାରା ରାଜ୍ୟରେ ଫଳାଫଳ ପ୍ରକାଶିତ ହେବ ବୋଲି ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ସାଇନ ସର୍ଭେ କାର୍ଯ୍ୟ ଓ ଦ୍ବିତୀୟ ପର୍ଯ୍ୟାୟରେ ଟ୍ରାନଜିଟ ଲାଇନ ସର୍ଭେ କାର୍ଯ୍ୟ କରାଯିବ । ନଭେମ୍ବର ୧୧ ତାରିଖରୁ ୩ ଟି ପର୍ଯ୍ୟାୟରେ ଶିମିଳିପାଳ ଅଭୟାରଣ୍ୟ ଭିତରେ ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯାଇ ବାଘର ଉପସ୍ଥିତି ଉପରେ ନଜର ରଖାଯିବ ।

ଭିଜିଲାନ୍ସ ଜାଲରେ ସମଗ୍ର ଶିକ୍ଷା ଅଭିଯାନର ଜେଇ, ବିଭିନ୍ନ ସ୍ଥାନରେ ଥିବା ଘରେ ଚାଲିଛି ରେଡ

ଭୁବନେଶ୍ବର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଜିରୋ ଟଲରାନ୍ସ । ଦୁର୍ନୀତିଖୋରଙ୍କୁ ନାହିଁ ମାଫ୍ । ଭିଜିଲାନ୍ସ ଜାଲରେ ସମଗ୍ର ଶିକ୍ଷା ଅଭିଯାନର ଜେଇ । ଅନୁଗୁଳ ପାଲଲହଡ଼ାରେ କାର୍ଯ୍ୟରତ ପ୍ରସନ୍ନ ପାଣିଙ୍କ ଘରେ ରେଡ୍ । ସୁନ୍ଦରପଦା ଏବରଙ୍ଗରେ ପ୍ଲଟ ନମ୍ବର ୩୬୬ ଓ ୩୬୭ରେ ଚଢ଼ାଉ ଚାଲିଛି ।

ସୁନ୍ଦରପଦା ପ୍ରେଣ୍ଡସ୍ କ୍ଲବ ନିକଟରେ ଥିବା ୩ ମହଲା ଘର, ହାଇଟେକ ପ୍ଲାଜା ଆପାର୍ଟମେଣ୍ଟରେ ଥିବା ଫ୍ଲାଟ ନମ୍ବର B/4ରେ ଚଢ଼ାଉ ହୋଇଛି । ସେହିପରି ପାଲଲହଡ଼ା ଉଦୟ ବିହାରରେ ଥିବା ଭଡା ଘର, ନିମାପଡ଼ାରେ ଥିବା ଆଉ ଏକ ତିନି ମହଲା ଘରେ ମଧ୍ୟ ଭିଜିଲାନ୍ସ ଖୋଳତାଡ଼ କରୁଛି । ବ୍ୟାବସାୟିକ ପାର୍ଟନର ଓ ସମ୍ପର୍କୀୟଙ୍କ ଘରେ ବି ମାରାଥନ ରେଡ୍ କରୁଛି ଭିଜିଲାନ୍ସ । ରେଡରେ ୬ ଡିଏସପି, ୬ ଇନ୍ସପେକ୍ଟରଙ୍କ ସହ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି ।

ପୂଜା ପୂର୍ବରୁ ପୁଣି ରାଜଧାନୀରେ କ୍ରାଇମ୍, ପାଣି ମାଗି ହାଣିଦେଲେ

ଭୁବନେଶ୍ବର: ରାଜଧାନୀରେ ଲୁଟେରାଙ୍କ ଆତଙ୍କ । କେତେ ବେଳେ ସହର ଭିତରେ ତ ପୁଣି କେତେବେଳେ ଆପର୍ଟମେଣ୍ଟରେ । ଗତକାଲି ଇନଫୋସିଟି ଥାନା ରାଜବାଟିକା ଆପାର୍ଟମେଣ୍ଟରେ କଳାକାନା ବୁଲାଇବା ପରେ ପୁଣି ପୋଲିସକୁ ଦୁର୍ବୃତ୍ତ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।

ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ପାଣି ମାଗି ହାଣି ଦେଇଛନ୍ତି ଦୁର୍ବୃତ୍ତ । ଅଟୋ ସୋରୁମରେ ଲୁଟ୍ ଯୋଜନା ରଖି ଡ୍ୟୁଟିରେ ଥିବା ଜଣେ ସିକ୍ୟୁରିଟି ଗାର୍ଡକୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଏକ ଅଟୋ ସୋ ରୁମରେ ଡ୍ୟୁଟି କରୁଥିବା ଅବସ୍ଥାରେ ଏହି ଘଟଣା ଘଟିଛି । ଆହତ ସିକ୍ୟୁରିଟି ଗାର୍ଡ ଗୌରାଙ୍ଗ ଦାସ K1 ସଂସ୍ଥାରେ କାମ କରୁଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ପୁରୀ ବାଇପାସ୍ ରୋଡ ମଙ୍ଗରାଜ ପଏଣ୍ଟ ନିକଟରେ ଏହି ଘଟଣା ଘଟିଛି । ଏବେ ଯାଏ ବି ଦୁର୍ବୃତ୍ତଙ୍କ ଟେର ପାଉନି ପୋଲିସ ।