spot_img
Home Blog Page 2638

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ବିଲଡିଂ ଉଦଘାଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ସାମ୍ପ୍ରସାରିତ ବିଲଡିଂ ଉଦଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ୍ ରହିଛି। ସେଥିପାଇଁ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ କଲେଜକୁ ଗୋଟେ ଛାତ ତଳକୁ ଅଣାଯାଇଛି। ଏହାଦ୍ୱାରା ରାଜ୍ୟରେ ଥିବା ସମୁଦାୟ ୨୮୩କଲେଜର ମେଡିକାଲ, ହୋମିଓପାଥି, ଆୟୁର୍ବେଦ, ଫିଜିଓଥେରାପି, ଲବୋରେଟୋରୀ ଟେକନିସିଆନ ପରି ୯ଟି ବିଷୟବସ୍ତୁ ଏହି ବିଶ୍ଵବିଦ୍ୟାଳୟ ଅଧୀନକୁ ଆସିଛି।

ଏଠାରେ ରିସର୍ଚ୍ଚ ଓ ଟ୍ରେନିଂକୁ ଅଧିକ ଗୁରୁତ୍ୱ ଦିଆଯିବ। ଆଗକୁ ଅବସରପ୍ରାପ୍ତ ସୁନାମଧନ୍ୟ ଡାକ୍ତରଙ୍କୁ ନେଇ ରିଫ୍ରେସର ମେମୋରୀ କୋର୍ସ କରାଯିବ। ଚଳିତ ଅକ୍ଟୋବର ୧୬ତାରିଖରେ ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମ ପରିଷଦର ପ୍ରଥମ ବୈଠକ ବସିଥିଲା। ଆଜି ପ୍ରଥମ କାର୍ଯ୍ୟକାରୀ ସମିତି ବୈଠକ ପରିଚାଳିତ ହୋଇଛି।

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ୫ ମାସ ତଳେ କରିଥିଲେ ବିବାହ

ଭୁବନେଶ୍ବର: ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ବର ୟୁନିଟ୍‌ ୯ ଭଗବତୀ ବସ୍ତିର ଏକ ଘରୁ ନବବଧୂଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ଖାରବେଳନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ନବବଧୂ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ଅସ୍ପଷ୍ଟ ରହିଛି ।

ମାତ୍ର ୫ମାସ ତଳେ ବିବାହ କରିଥିଲେ ନବବଧୂ । ସ୍ବାମୀ ଓ ଦିଅରଙ୍କ ସହ ଭଗବତୀ ବସ୍ତିରେ ରହୁଥିଲେ । ମହିଳାଙ୍କ ଦେହରେ କ୍ଷତ ଚିହ୍ନ ଥିବା ନେଇ ସନ୍ଦେହ କରାଯାଉଛି ।

ଶିମିଳିପାଳରେ ଆରମ୍ଭ ହେଲା ବାଘ ଗଣନା, ୩ଟି ପର୍ଯ୍ୟାୟରେ ଗଣାଯିବ ବାଘ

ମୟୂରଭଞ୍ଜ: ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ଓ ଏହାର ପାଦଦେଶରେ ଆରମ୍ଭ ହୋଇଛି ବାଘ ଗଣନା। ଏହି ଗଣନା କାର୍ଯ୍ୟ ଶିମିଳିପାଳ ଅଭୟାରଣ୍ୟ ଏବଂ ଅଭୟାରଣ୍ୟ ବାହାରେ ଥିବା ବାରିପଦା, କରଞ୍ଜିଆ, ରାଇରଙ୍ଗପୁର, ବାଲେଶ୍ଵର ଏବଂ କେନ୍ଦୁଝର ଜିଲ୍ଲାରେ ଥିବା ବନାଞ୍ଚଳ ଅଂଚଳରେ କରାଯିବ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଗଣନା ପ୍ରକ୍ରିୟାରେ ୫ ଶହରୁ ଅଧିକ ବନ କର୍ମଚାରୀ ଓ ଅଧିକାରୀ ସାମିଲ ହୋଇଛନ୍ତି ।

ଏହି ପ୍ରକ୍ରିୟା ୩ଟି ପର୍ଯ୍ୟାୟରେ କରାଯିବ । ସମସ୍ତ ପ୍ରକ୍ରିୟାର ଫଳାଫଳକୁ ଆଧାର କରି ସାରା ରାଜ୍ୟରେ ଫଳାଫଳ ପ୍ରକାଶିତ ହେବ ବୋଲି ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ସାଇନ ସର୍ଭେ କାର୍ଯ୍ୟ ଓ ଦ୍ବିତୀୟ ପର୍ଯ୍ୟାୟରେ ଟ୍ରାନଜିଟ ଲାଇନ ସର୍ଭେ କାର୍ଯ୍ୟ କରାଯିବ । ନଭେମ୍ବର ୧୧ ତାରିଖରୁ ୩ ଟି ପର୍ଯ୍ୟାୟରେ ଶିମିଳିପାଳ ଅଭୟାରଣ୍ୟ ଭିତରେ ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯାଇ ବାଘର ଉପସ୍ଥିତି ଉପରେ ନଜର ରଖାଯିବ ।

ଭିଜିଲାନ୍ସ ଜାଲରେ ସମଗ୍ର ଶିକ୍ଷା ଅଭିଯାନର ଜେଇ, ବିଭିନ୍ନ ସ୍ଥାନରେ ଥିବା ଘରେ ଚାଲିଛି ରେଡ

ଭୁବନେଶ୍ବର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଜିରୋ ଟଲରାନ୍ସ । ଦୁର୍ନୀତିଖୋରଙ୍କୁ ନାହିଁ ମାଫ୍ । ଭିଜିଲାନ୍ସ ଜାଲରେ ସମଗ୍ର ଶିକ୍ଷା ଅଭିଯାନର ଜେଇ । ଅନୁଗୁଳ ପାଲଲହଡ଼ାରେ କାର୍ଯ୍ୟରତ ପ୍ରସନ୍ନ ପାଣିଙ୍କ ଘରେ ରେଡ୍ । ସୁନ୍ଦରପଦା ଏବରଙ୍ଗରେ ପ୍ଲଟ ନମ୍ବର ୩୬୬ ଓ ୩୬୭ରେ ଚଢ଼ାଉ ଚାଲିଛି ।

ସୁନ୍ଦରପଦା ପ୍ରେଣ୍ଡସ୍ କ୍ଲବ ନିକଟରେ ଥିବା ୩ ମହଲା ଘର, ହାଇଟେକ ପ୍ଲାଜା ଆପାର୍ଟମେଣ୍ଟରେ ଥିବା ଫ୍ଲାଟ ନମ୍ବର B/4ରେ ଚଢ଼ାଉ ହୋଇଛି । ସେହିପରି ପାଲଲହଡ଼ା ଉଦୟ ବିହାରରେ ଥିବା ଭଡା ଘର, ନିମାପଡ଼ାରେ ଥିବା ଆଉ ଏକ ତିନି ମହଲା ଘରେ ମଧ୍ୟ ଭିଜିଲାନ୍ସ ଖୋଳତାଡ଼ କରୁଛି । ବ୍ୟାବସାୟିକ ପାର୍ଟନର ଓ ସମ୍ପର୍କୀୟଙ୍କ ଘରେ ବି ମାରାଥନ ରେଡ୍ କରୁଛି ଭିଜିଲାନ୍ସ । ରେଡରେ ୬ ଡିଏସପି, ୬ ଇନ୍ସପେକ୍ଟରଙ୍କ ସହ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି ।

ପୂଜା ପୂର୍ବରୁ ପୁଣି ରାଜଧାନୀରେ କ୍ରାଇମ୍, ପାଣି ମାଗି ହାଣିଦେଲେ

ଭୁବନେଶ୍ବର: ରାଜଧାନୀରେ ଲୁଟେରାଙ୍କ ଆତଙ୍କ । କେତେ ବେଳେ ସହର ଭିତରେ ତ ପୁଣି କେତେବେଳେ ଆପର୍ଟମେଣ୍ଟରେ । ଗତକାଲି ଇନଫୋସିଟି ଥାନା ରାଜବାଟିକା ଆପାର୍ଟମେଣ୍ଟରେ କଳାକାନା ବୁଲାଇବା ପରେ ପୁଣି ପୋଲିସକୁ ଦୁର୍ବୃତ୍ତ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।

ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ପାଣି ମାଗି ହାଣି ଦେଇଛନ୍ତି ଦୁର୍ବୃତ୍ତ । ଅଟୋ ସୋରୁମରେ ଲୁଟ୍ ଯୋଜନା ରଖି ଡ୍ୟୁଟିରେ ଥିବା ଜଣେ ସିକ୍ୟୁରିଟି ଗାର୍ଡକୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଏକ ଅଟୋ ସୋ ରୁମରେ ଡ୍ୟୁଟି କରୁଥିବା ଅବସ୍ଥାରେ ଏହି ଘଟଣା ଘଟିଛି । ଆହତ ସିକ୍ୟୁରିଟି ଗାର୍ଡ ଗୌରାଙ୍ଗ ଦାସ K1 ସଂସ୍ଥାରେ କାମ କରୁଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ପୁରୀ ବାଇପାସ୍ ରୋଡ ମଙ୍ଗରାଜ ପଏଣ୍ଟ ନିକଟରେ ଏହି ଘଟଣା ଘଟିଛି । ଏବେ ଯାଏ ବି ଦୁର୍ବୃତ୍ତଙ୍କ ଟେର ପାଉନି ପୋଲିସ ।

ଗାଜାର ଏକ ହସ୍ପିଟାଲରେ ରକେଟ ମାଡ଼, ୫ଶହ ମୃତ

ନନ୍ଦିଘୋଷ ବ୍ୟୁରୋ: ଗାଜାର ଏକ ହସ୍ପିଟାଲ ଉପରେ ଭୟଙ୍କର ରକେଟ ମାଡ଼ । ଏହି ରକେଟ ମାଡ଼ରେ ୫ଶହରୁ ଅଧିକ ଲୋକଙ୍କ ମୃତ୍ଯୁ । ପାଲେଷ୍ଟିନୀୟ ବସବାସ କରୁଥିବା ଅଞ୍ଚଳର ଅଲ ଆଲି ଆରବ ହସ୍ପିଟାଲରେ ହୋଇଛି ରକେଟ ମାଡ଼ । ହମଲା ପରେ ସାରା ଅଞ୍ଚଳରେ ଖେଳିଯାଇଛି ଆତଙ୍କ ।

ଆର୍ତ୍ତଚିତ୍କାରରେ ଫାଟୁଛି ପରିବେଶ । ଜୀବନ ବିକଳରେ ଲୋକେ ପଳାୟନ ଆରମ୍ଭ କରିଛନ୍ତି । ଗୁଇନ୍ଦା ସୂଚନା ଅନୁସାରେ, ଇସଲାମିକ ଜିହାଦ ଗୋଷ୍ଠୀ ଇସ୍ରାଏଲ ଉପରେ ରକେଟ ମାଡ କରୁଥିବା ବେଳେ ତାହା ବିଫଳ ହୋଇ ହସ୍ପିଟାଲରେ ପଡିଥିଲା । ଏହି ସମୟରେ ଇସ୍ରାଏଲର କୌଣସି ଏରିଆଲ ଅପରେସନ ହେଉ ନଥିଲା । ସେପଟେ ଏହି ହମଲା ପଛରେ ଇସ୍ରାଏଲର ହାତ ରହିଛି ବୋଲି ଦାବି କରିଛି ପାଲେଷ୍ଟାଇନର ଇସଲାମିକ ଜିହାଦ ମୁଭମେଣ୍ଟ ।

ଏହି ରକେଟ ହମଲା ଲାଗି ଇସ୍ରାଏଲ ଉପରେ ଦୋଷ ଲଦିଛନ୍ତି ସାଉଦିଆରବ, ୟୁଏଇ, ବାହାରିନ, ଇଜିପ୍ଟ, ଜୋର୍ଡାନ ଓ ତୁର୍କୀ ।  ଇସ୍ରାଏଲ ପ୍ରତିରକ୍ଷା ବାହିନୀ ମୁଖପାତ୍ର ଦାନିଏଲ ହାଗାରି କହିଛନ୍ତି ଏହି ହମଲା ଲାଗି ଇସଲାମିକ ଜିହାଦ ଦାୟୀ । ରକେଟମାଡ ପ୍ରସଙ୍ଗରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁଙ୍କ ସହ ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ଏହି ଘଟଣା ପରେ ଇରାନ ତେହେରାନସ୍ଥିତ ବ୍ରିଟେନ ଓ ଫ୍ରାନ୍ସ ଦୂତାବାସ ଉପରେ ଶହ ଶହ ଲୋକ ବିକ୍ଷୋଭ କରିଛନ୍ତି । ରକେଟ ମାଡକୁ ବି ନିନ୍ଦା କରିଛି ବିଶ୍ବ ସ୍ବାସ୍ଥ୍ଯ ସଂଗଠନ ।

ଅନ୍ୟପକ୍ଷରେ ଆଜି ଇସ୍ରାଏଲ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ତେବେ ଗସ୍ତ ପୂର୍ବରୁ ଗାଜା ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକକୁ ନେଇ କୂଟନୀତି ସ୍ତରରେ ହୋଇଛି ହଲଚଲ । ଜୋର୍ଡାନର ଆମାନରେ ହେବାକୁ ଥିବା କେତେକ ଦେଶର ନେତାଙ୍କ ସହ ବାଇଡେନଙ୍କ ବୈଠକ ବାତିଲ ହୋଇଛି । ବାଇଡେନଙ୍କ ଇସ୍ରାଏଲ ଗସ୍ତକୁ ବହୁ ଆରବ ରାଷ୍ଟ୍ର ବିରୋଧ କରିଆସୁଛନ୍ତି ।

ଜୋର୍ଡାନ ବୈଦେଶିକ ମନ୍ତ୍ରୀ ଆୟାମାନ ସଫାଦି କହିଛନ୍ତି ଜୋର୍ଡାନ ରାଜା ଅବଦୁଲ୍ଲା, ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତା ଏଲ ସିସି, ପାଲେଷ୍ଟାଇନ କର୍ତ୍ତୃପକ୍ଷ ରାଷ୍ଟ୍ରପତି ମହମ୍ମଦ ଆବାସଙ୍କ ସହ ବାଇଡେନଙ୍କ କଥାବାର୍ତ୍ତା ବାତିଲ ହୋଇଛି । ସେପଟେ ଲେବାନନ ଛାଡିବା ଲାଗି ନିଜ ଦେଶର ନାଗରିକଙ୍କୁ ପରାମର୍ଶ ଦେଇଛି ଆମେରିକା ।

ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବାରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ୩୧ ମାର୍କିନ ନାଗରିକ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ଏଥର ଭିଜିବ ଦଶହରା, ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ବର: ଦଶହରାରେ ଭିଜିବ ଓଡ଼ିଶା ! ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ୨୦ ତାରିଖ ବେଳକୁ ତାହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ସାରା ରାଜ୍ୟରେ ଏବେ ପାଗ ମୁଖ୍ୟତଃ ଶୁଖିଲା ରହିଥିବା ବେଳେ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଉପରେ ରହୁଛି । ତେବେ ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀ, କେନ୍ଦୁଝର ଏବଂ ମୟରୁଭଞ୍ଜରେ ବର୍ଷା ହୋଇପାରେ ।

କାଲି ମଧ୍ୟ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାରେ ପାଗ ମେଘୁଆ ରହିବା ସହ ବର୍ଷା ହେବ । ତେବେ ୨୦ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ବର୍ଷାର ପରିମାଣ ବଢିପାରେ । କିନ୍ତୁ ଲଘୁଚାପଟିର କେନ୍ଦ୍ରସ୍ଥଳ ଏବଂ ତାହାର ଗତି କୁଆଡେ ହେବ ସେ ନେଇ ବର୍ତ୍ତମାନ ସ୍ପଷ୍ଟ ସୂଚନା ମିଳିନାହିଁ । ଯଦି ତାହା କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଦକ୍ଷିଣ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ମୁହାଁ ହେବ ତେବେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାରେ ବର୍ଷା ହୋଇପାରେ । ଯଦି ତାହା ପଶ୍ଚିମବଙ୍ଗ –ବାଂଲାଦେଶ ମୁହାଁ ହୁଏ ତେବେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

ତେବେ ଲଘୁଚାପଟି ଅଧିକ ଘନୀଭୁତ ହୋଇ ଓ୍ବେଲମାର୍କ ଲୋପ୍ରେସର ଏବଂ ଅବପାତରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅବପାତ ହେଲେ ମଧ୍ୟ ଓଡ଼ିଶାରେ ତାର ପ୍ରଭାବ ଅଧିକ ରହିବ ନାହିଁ । କିନ୍ତୁ ବର୍ଷା ପ୍ରଭାବରେ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବା ସହ ସାମାନ୍ୟ ଶୀତ ଅନୁଭୁତ ହୋଇପାରେ ବୋଲି ଆକଳନ କରାଯାଇଛି ।

ଆରମ୍ଭ ହେବ ମିଶନ ଗଗନୟାନ, ୨୧ ତାରିଖରେ ହେବ ବଡ଼ ପରୀକ୍ଷା

ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ ଇତିହାସର ସବୁଠାରୁ ବଡ ମିଶନ ଗଗନାୟାନ ଆରମ୍ଭ କରିବାକୁ ଯାଉଛି ଭାରତ । ଇସ୍ରୋ ଏହି ମିଶନ ପରୀକ୍ଷାମୂଳକ ଭାବେ ଆରମ୍ଭ କରିବ । ଏହା ସଫଳ ହେଲେ ଗଗନାୟାନରେ ମହାକାଶକୁ ଯିବେ ମହାକାଶଚାରୀ ।

ଯାନ ପଠାଇବା ପୂର୍ବରୁ ପ୍ରାୟ ୨୦ଟି ବଡ଼ଧରଣର ଟେଷ୍ଟ କରାଯିବ । ଟିଭି-ଡି୧ର ଟେଷ୍ଟ ଆସନ୍ତା ୨୧ ତାରିଖ ସକାଳ ୮ଟାରେ କରିବାକୁ ଧାର୍ଯ୍ୟ କରାଯାଇଛି  । ଶ୍ରୀହରିକୋଟାରୁ ଏହାକୁ ପରୀକ୍ଷଣ କରାଯିବ ।  ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତୀୟ ବୈଜ୍ଞାନିକମାନଙ୍କ ମଧ୍ୟରେ ମହାକାଶ ପ୍ରତି ଉତ୍ସାହ ଅଧିକ ରହିଛି ।  ଆଦିତ୍ୟ L1 ର ସଫଳତା ସମଗ୍ର ବିଶ୍ବକୁ ଚକିତ କରିଛି। ଭାରତ ୨୦୩୫ ସୁଦ୍ଧା ସ୍ପେଶ୍ ଷ୍ଟେସନ୍ ଓ ୨୦୪୦ ସୁଦ୍ଧା ଚନ୍ଦ୍ରକୁ ମାନବ ପଠାଇବାକୁ ଲକ୍ଷ ରଖିଛି  ।

ଏହା ବ୍ୟତୀତ ଶୁକ୍ର ଓ ମଙ୍ଗଳ ଗ୍ରହ ମିଶନ ମଧ୍ୟ ଆରମ୍ଭ କରିବ ଇସ୍ରୋ । ତେଣୁ ଏବେଠାରୁ ତତ୍ପର ଅଛନ୍ତି ଇସ୍ରୋ ବୈଜ୍ଞାନିକ ।  ଏବେ ମହାକାଶରେ ଥିବା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଉଭୟ ଆମେରିକା ଓ ରୁଷ ମିଳିତଭାବେ ପ୍ରତିଷ୍ଠା କରିଛନ୍ତି । ଏଥିରେ ୟୁରୋପୀୟ ମହାକାଶ ଏଜେନ୍ସି, ଜାପାନ ଓ କାନାଡାର ମହାକାଶ ଏଜେନ୍ସି ବି ସଂପୃକ୍ତ ଅଛନ୍ତି । ସେହିପରି ଚୀନ ମଧ୍ୟ ନିଜସ୍ବ ମହାକାଶ କେନ୍ଦ୍ର ସ୍ଥାପନ କରିସାରିଛି ।

ରାଜଧାନୀରୁ ଅପହୃତ ଯୁବକଙ୍କ ମିଳିଲା ସନ୍ଧାନ

ଭୁବନେଶ୍ବର: ରାଜଧାନୀର ଏସପ୍ଲାନେଡ୍  ମଲ ସମ୍ମୁଖରୁ ଅପହୃତ ଯୁବକଙ୍କ ମିଳିଲା ସନ୍ଧାନ । ଏବେ ମୈତ୍ରୀ ବିହାର ଥାନା ଅଞ୍ଚଳରେ ଥିବା ଲୋକେଟ କରାଯାଇଥିବା ପୋଲିସ ସୂଚନା ଦେଇଛି । ୨୦ ଲକ୍ଷ ଟଙ୍କା ଧାର ପାଇଁ ଯୁବକଙ୍କୁ ଉପହରଣ କରାଯାଇଥିବା ସୂଚନା ମିଳିଛି  ।

ଅଭିଯୋଗ ଅନୁସାରେ, ଆନନ୍ଦପୁର ବେଲବାହାଳି ଅଞ୍ଚଳର ପ୍ରିୟବ୍ରତ ସାହୁଙ୍କୁ ଏସପ୍ଲାନେଡ ମଲ୍ ସମ୍ମୁଖରୁ ଏକ କଳା ରଙ୍ଗର କାରରେ ୪ ଜଣ ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା । ପରିବାର ଲୋକେ ଏନେଇ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଯୁବକଙ୍କ ମୋବାଇଲ୍ ନମ୍ବରକୁ ଟ୍ରାକ କରି ସେ ମୈତ୍ରୀ ବିହାର ଥାନା ଅଞ୍ଚଳରେ ଥିବା ପୋଲିସ ଜାଣିବାକୁ ପାଇଛି ।

ବିଶ୍ବକପର ବଡ଼ ବିପର୍ଯ୍ୟୟ: ଦକ୍ଷିଣ ଆଫ୍ରିକାକୁ ୩୮ ରନରେ ହରାଇଲା ନେଦରଲ୍ୟାଣ୍ଡସ

ହିମାଚଳ ପ୍ରଦେଶ: ବିଶ୍ବକପରେ ପୁଣି ଏକ ବିପର୍ଯ୍ୟୟ । ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇଲା ନେଦରଲ୍ୟାଣ୍ଡସ । ୨୪୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୨୦୭ ରନରେ ଅଲଆଉଟ ହୋଇଗଲା ଦକ୍ଷିଣ ଆଫ୍ରିକା । ଫଳରେ ମ୍ୟାଚକୁ ୩୮ ରନରେ ଜିତି ନେଇଛି । ଦକ୍ଷିଣ ଆଫ୍ରିକାକୁ ପରାଜିତ କରିବା ସହ ବିଶ୍ବକପରେ ପ୍ରଥମ ବିଜୟ ସ୍ବାଦ ଚାଖିଛି ନେଦରଲ୍ୟାଣ୍ଡସ ।

ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିବାରୁ ଓଭରକୁ ୪୩କୁ କମାଇ ଦିଆଯାଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ନେଦରଲାଣ୍ଡସ୍ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ଆଗଧାଡ଼ିର ବ୍ୟାଟ୍ସମ୍ୟାନ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବୋଲିଂର ସାମନା କରିପାରିନଥିଲେ । ଏପରିକି ଦଳ ୮୨ ରନରେ ୪ଟି ଓ୍ବିକେଟ ଓ ୧୪୦ ରନରେ ୭ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ସ୍କଟ୍ ଏଡଓ୍ବାଡସ ଅଧିନାୟକ ଇନିଂସ ଖେଳି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ । ସେ ୬୯ଟି ବଲ ଖେଳି ଅପରାଜିତ ୭୮ ରନ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୪୩ ଓଭରରେ ୮ ଓ୍ବିକେଟ ହରାଇ ୨୪୫ ରନ କରିଥିଲା ।ଦକ୍ଷିଣ ଆଫ୍ରିକା ପକ୍ଷରୁ କାସିଗୋ ରାବାଡା, ଲୁଙ୍ଗି ଏନଗିଡି ଓ ମାର୍କୋ ଜାନସେନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେପଟେ ୨୪୬ରନ ବିଜୟ ଲକ୍ଷ୍ୟକୁ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା । ସ୍ଥିତି ଏପରି ହୋଇଥିଲା ଯେ ଦଳର କୌଣସି ଖେଳାଳି ଅର୍ଦ୍ଧଶତକ ମଧ୍ୟ କରିପାରିନଥିଲେ । ଶେଷରେ ଗୋଟିଏ ବଲ ପୂର୍ବରୁ ଦକ୍ଷିଣ ଆଫ୍ରିକା ୨୦୭ ରନରେ ଅଲଆଉଟ ହୋଇଯାଇଥିଲା ।