spot_img
Home Blog Page 2639

ଡାବର ପ୍ରଡକ୍ଟକୁ ନେଇ ଏହି ଦେଶରେ ହଙ୍ଗାମା, କ୍ୟାନ୍ସର ହେଉଥିବା ଅଭିଯୋଗ

ନୂଆଦିଲ୍ଲୀ: ଆମେରିକା ଏବଂ କାନାଡାରେ ଦେଶର ନାମିଦାମି କମ୍ପାନୀ ଡାବରକୁ ବଡ଼ ଝଟକା। ଆମେରିକା ଏବଂ କାନାଡାରେ ଡାବର ଇଣ୍ଡିଆ ଏବଂ କିଛି ସହଯୋଗୀ କମ୍ପାନୀ ନାଁରେ ଏକାଧିକ ମାମଲା ରୁଜୁ ହୋଇଛି। ଡାବରର ସହଯୋଗୀ କମ୍ପାନୀ ଦ୍ବାରା ପ୍ରସ୍ତୁତ ହେୟାର ରିଲେକ୍ସର ସାମଗ୍ରୀ ଦ୍ବାରା କ୍ୟାନସର ଦେଖାଦେଉଥିବା ଅଭିଯୋଗ ହୋଇଛି।

ମହିଳାଙ୍କୁ ଗର୍ଭାଶୟ ଏବଂ ଅଣ୍ଡକୋଷରେ କ୍ୟାନସର ସହ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଥିବା ଅଭିଯୋଗ ହୋଇଛି। ସହଯୋଗୀ କମ୍ପାନୀ ନମସ୍ତେ ଲାବୋରେଟୋରୀ, ଡର୍ମୋ ବିବା ସ୍କିନ ଏସେନସିଆଲ ଏବଂ ଡାବର ଇଣ୍ଟରନାସନାଲ ଭଳି କମ୍ପାନୀ ନାଁରେ ଏହି ମାମଲା ରୁଜୁ ହୋଇଛି। ତେବେ ଏହି ମାମଲାକୁ ନେଇ ଡାବର ଇଣ୍ଟରନ୍ୟାସନାଲ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି।

ଆମେରିକା ଏବଂ କାନାଡାରେ ଏଭଳି ୫ ହଜାର ୪ଶହ ମାମଲା ରହିଛି। ଏହି ମାମଲାକୁ ନେଇ ଡାବରର ସେୟାର ତଳକୁ ଖସିଛି। ବିଗତ ୫ ଦିନ ମଧ୍ୟରେ ଡାବର ଇଣ୍ଡିଆ ଲିମିଟେଡର ସେୟାର ପାଖାପାଖି ୪ ପ୍ରତିଶତ ହ୍ରାସ ପାଇଛି। ସେୟାର ବଜାରରେ ୯୧ ହଜାର ୭୯୦ କୋଟି ଟଙ୍କାର ଅଂଶଧନ ଥିବା ଏହି କମ୍ପାନୀର ସେୟାର ୬୧୦ ଟଙ୍କା ହ୍ରାସ ପାଇଛି। ଏହା ଗତ ୫୨ ସପ୍ତାହ ମଧ୍ୟରେ ସର୍ବନିମ୍ନ ବୋଲି ଜଣାପଡିଛି। ସେପଟେ ମାସକ ମଧ୍ୟରେ ଡାବର ଇଣ୍ଡିଆ ଲିମିଟେଡରୁ ପ୍ରାୟ ୮ ପ୍ରତିଶତ ନିବେଶକ ସେମାନଙ୍କ ଅଂଶଧନ ପ୍ରତ୍ୟାହାର କରି ନେଇଛନ୍ତି।

ଭାରତରୁ ୪୧ କୁଟନୀତିଜ୍ଞଙ୍କୁ ପୁଣିଥରେ ଡାକିନେଲେ କାନାଡା ସରକାର

ଅଟାୱା: କାନାଡା ସରକାର ଭାରତରୁ ୪୧ କୁଟନୀତିଜ୍ଞଙ୍କୁ ପୁଣିଥରେ ଡାକିନେଲେ । ବିବାଦ ପରେ ଭାରତ ଦେଇଥିଲା ଦେଶ ଛାଡିବାର ଆଦେଶ । କାନାଡର ବିଦେଶ ମନ୍ତ୍ରୀ ମେଲାନୀ ଜୋଲି ଗୁରୁବାର ଦିନ ଜଣାଇଛନ୍ତି । ଭାରତ କୁଟନୀତିଜ୍ଞ ମାନଙ୍କୁ ଶୁକ୍ରବାର ଦେଶ ଛାଡିବାକୁ ଆଦେଶ ଦେଇଥିଲେ । ନଚେତ ସେମାନଙ୍କ କୁଟନୀତିଜ୍ଞଙ୍କ ପଦ ରଦ୍ଦ କରିଦିଆଯିବ ।

ଭାରତ ୨୦ ଅକ୍ଟୋବରରେ ଦିଲ୍ଲୀର ୨୧ କୁଟନୀତିଜ୍ଞଙ୍କୁ ଭାରତ ଛାଡି ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଇମିଗ୍ରେସନ ଏବଂ ଭିସା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବ । ଖାଲିସ୍ତାନୀ ଆତଙ୍କୀ ହରଦ୍ୱୀପ ସିଂଙ୍କ ମୃତ୍ୟୁ ପରେ କାନାଡା ଓ ଭାରତ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋଙ୍କ ଦ୍ୱାରା ସାର୍ବଜନିକ ଭାବରେ ଭାରତୀୟ ଏଜେନ୍ସିଙ୍କୁ କାନାଡାର ନାଗରିକ ହରଦ୍ୱୀପ ସିଂ ହତ୍ୟା ମାମଲାରେ ଯୋଡିବା ପରେ ଭାରତ ଓ କାନାଡା ମଧ୍ୟରେ ସଂପର୍କ ଖରାପ ହେବାରେ ଲାଗିଛି ।

କାନାଡା ଅନ୍ତରାଷ୍ଟ୍ରୀୟ କାନୁନର ପାଳନ କରୁଛି । ଏଥିସହିତ ଭାରତ ସହିତ ସମ୍ବନ୍ଧ ବଜାୟ ରଖିବୁ । ସେ କହିଛନ୍ତି ଏବେ ବହୁତ ମାତ୍ରାରେ ନିଜ ଦେଶରେ କୁଟନୀତିଜ୍ଞଙ୍କ ଆବଶ୍ୟକତା ଅଛି । ହେଲେ ଭାରତ ସଫା ମନା କରିଦେଇଛି କାନାଡାରେ ଖାଲିସ୍ତାନୀ ଆତଙ୍କୀଙ୍କ ମୃତ୍ୟୁ ମାମଲାରେ ଭାରତର କୌଣସି ହାତ ନାହିଁ । ଏଥି ସହିତ କାନାଡା ପାଖରେ ଯଦି କିଛି ତଥ୍ୟ ମହଜୁଦ ଅଛି ତାହଲେ ତାହା ପ୍ରମାଣ ଦେଖାନ୍ତୁ ବୋଲି ଭାରତ ଦାବି କରିଛି । କାନାଡା ପକ୍ଷରୁ କୌଣସି ପ୍ରକାର ବାଧ୍ୟତାମୂଳକ ଯୋଜନା କରାଯାଇନାହିଁ ଯାହା ଫଳରେ ଭାରତ ଓ କାନାଡା ମଧ୍ୟରେ ସ୍ଥିତି ଖରାପ ନହେଉ  ।

ଦଶହରା ପୂର୍ବରୁ ରାଜ୍ୟ ସରକାରଙ୍କ କର୍ମଚାରୀକୁ ଭେଟି, ୪ ପ୍ରତିଶତ ବଢିଲା DA

ଭୁବନେଶ୍ବର: ଦଶହରା ପୂର୍ବରୁ ରାଜ୍ୟ ସରକାରଙ୍କ ୪ ଲକ୍ଷ ୫୦ ହଜାର ସରକାରୀ କର୍ମଚାରୀ ବଡ଼ ଉପହାର ପାଇଛନ୍ତି । କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ଚାରି ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି । ଭତ୍ତା ବୃଦ୍ଧି ପରେ କର୍ମଚାରୀଙ୍କ ଡିଏ ୪୨ ରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇଛି ।

ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ ହେବ ବର୍ଦ୍ଧିତ DA ।  ଏହାର ଅର୍ଥ ହେଉଛି ନଭେମ୍ବରରେ ବର୍ଦ୍ଧିତ ଦରମା ସହିତ କେନ୍ଦ୍ରୀୟ କର୍ମଚାରୀମାନେ ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ଚାରିମାସ ବକେୟା ଟଙ୍କା ପାଇବେ। ପେନସନଭୋଗୀଙ୍କୁ ମଧ୍ୟ ମିଳିବ ଡିୟରନେସ୍ ରିଲିଫ । ଉପକୃତ ହେବେ ୩ ଲକ୍ଷ ୫୦ ହଜାର ପେନସନଭୋଗୀ ।

 

ଗଜପତିରେ ଆଜିଠୁ ଗଡିବ ଲକ୍ଷ୍ମୀବସ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ବିକାଶରେ ନୂଆ ଅଧ୍ୟାୟ । ଗଜପତି ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ୍ । ଆଜି ଗଜପତି ଜିଲ୍ଲାରେ ଚଳାଚଳ ଆରମ୍ଭ କରିଛି ଲକ୍ଷ୍ମୀ ଯୋଜନା ବସ୍‌ । ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି- ଆଜି ଗଜପତି ଲାଗି ଗୌରବର ଦିନ । କିଛି ଦିନ ପୂର୍ବରୁ ଏହି ଯୋଜନା ମାଲକାନଗିରିରେ ଆରମ୍ଭ ହୋଇଥିଲା । ଏହି ଯୋଜନା ଜନଗଣଙ୍କର ଯୋଜନା । ଏହି ଯୋଜନାରେ ଗାଁକୁ ଗାଁକୁ ଯୋଡିହେବ ।

ଲୋକଙ୍କ ସାମାଜିକ ସମ୍ପର୍କ ମଜଭୁତ ହେବ । ଅର୍ଥନୀତି ସଶକ୍ତ ହେବ । ୧ ହଜାରରୁ ଅଧିକ ବସ୍ ଚାଲିବ । ପଞ୍ଚାୟତରେ ବିକାଶର ଧାରା ଜାରି ରହିଛି । ଯୋଗାଯୋଗ ବିକାଶର ଆଧାର । ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହିତ ଯୋଡିବ । ଏହି ଯୋଜନା ଘରେ ଘରେ ଖୁସି ଆଣିବ । ବ୍ୟାଙ୍କିଙ୍ଗ, ଇଣ୍ଟରନେଟ, ଡିଜିଟାଲର ବିକାଶ ହେବ । ସଂସ୍କୃତିର ମଧ୍ୟ ବିକାଶ ହେବ । ଗଜପତିର ବିକାଶ ଆହୁରି ଉଜ୍ବଳ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରଥମ ପର୍ଯ୍ୟାୟରେ ଗଜପତି ଜିଲ୍ଲାକୁ ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ୩୬ଟି ବସ୍‌ ଯୋଗାଇଛନ୍ତି । ଗଜପତି ଜିଲ୍ଲାର ସାତଟି ବ୍ଲକର ଉପାନ୍ତ ପଞ୍ଚାୟତଗୁଡ଼ିକରୁ ବ୍ଲକ୍‌ ସଦର ମହକୁମାକୁ ଲକ୍ଷ୍ମୀ ବସ୍ ଚଳାଚଳ ଆରମ୍ଭ ହୋଇଛି ‌। ଯାତାୟାତର ସୁବିଧା ପାଇବେ ଗ୍ରାମାଞ୍ଚଳର ଜନସାଧାରଣ। ବିକାଶରେ ସହଯୋଗ କରିବ ଲକ୍ଷ୍ମୀ ଯୋଜନାର ବସ୍ ସେବା । ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଲୋକଙ୍କ ନିକଟରେ ଧନଲକ୍ଷ୍ମୀ ପହଞ୍ଚାଇବ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା । ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପାଇବ । ସୁଗମ ହେବ ଗମନାଗମନ ।

ଡେଙ୍ଗୁ ଆକ୍ରାନ୍ତଙ୍କ ସମସ୍ୟା ବଢାଉଛି କୋଭିଡ୍-୧୯ର ରୋଗପ୍ରତିରୋଧକାରୀ ଶକ୍ତି

ଭୁବନେଶ୍ବର: କୋଭିଡ୍-୧୯ ମହାମାରୀ ରୋଗପ୍ରତିରୋଧକାରୀ ଶକ୍ତି ଡେଙ୍ଗୁ ଆକ୍ରାନ୍ତଙ୍କ ଉପରେ ପଡିପାରେ ଗମ୍ଭୀର ପ୍ରଭାବ । ସରକାରଙ୍କ ଟ୍ରାନ୍ସନେସନାଲ ହେଲଥ୍ ସାଇନ୍ସ ଆଣ୍ଡ ଟେକନୋଲଜି ପକ୍ଷରୁ କରାଯାଇଥିବା ଏକ ଗୁରୁତ୍ବପୂର୍ଣ୍ଣ ଗବେଷଣାରୁ ଏହି ତଥ୍ୟ ସାମନାକୁ ଆସିଛି । କୋଭିଡ୍ ରୋଗପ୍ରତିରୋଧକାରୀ ଶକ୍ତି ଡେଙ୍ଗୁ ରୋଗ ଭାଇରସ ସିରୋଟାଇପ ସହ ପାର୍ଶ୍ବପ୍ରତିକ୍ରିୟା ସୃଷ୍ଟି କରୁଛି ।

ଯାହାକୁ ସମ୍ଭାବିତ ଡେଙ୍ଗୁ ସଂକ୍ରମଣକୁ ବୃଦ୍ଧି କରୁଥିବା ଜଣାପଡିଛି । ଡେଙ୍ଗୁ ଆକ୍ରାନ୍ତ ପ୍ରଥମଥର କରି ୧୯୯୬ରେ ଚିହ୍ନଟ ହେବା ପରେ ୨୦୦୨ ସୁ୍ଦଧା ଏହା ୧୩୧୨ ପ୍ରତିଶତ ବୃଦ୍ଧି ପାଇଛି । ଗତବର୍ଷ ଦେଶରେ ୩୦୩ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଦର୍ଶାଉଛି । ବୈଜ୍ଞାନିକଙ୍କ ଗବେଷଣା ଅନୁସାରେ କୋଭିଡ୍ ବିରୋଧରେ ଶରୀରରେ ସୃଷ୍ଟି ହୋଇଥିବା ରୋଗପ୍ରତିରୋଧକାରୀ ଶକ୍ତି ଡେଙ୍ଗୁ ସୃଷ୍ଟି କରୁଥିବା ଭାଇରସ ସିରୋଟାଇପ୍ DENV-2 ସହ ମିଶି ପାର୍ଶ୍ବପ୍ରତିକ୍ରିୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି ।

ଏହାଦ୍ବାରା ଡେଙ୍ଗୁ ରୋଗୀଙ୍କ ଠାରେ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଗତ କିଛି ଦଶନ୍ଧି ମଧ୍ୟରେ ଭାରତରେ ଡେଙ୍ଗୁ ଭୂତାଣରେ ଅନେକ ପରିବର୍ତ୍ତନ ଘଟିଛି । ବିଭିନ୍ନ ସ୍ଥିତି ଦେଇ ଯିବା ସହ ଏହି ଭୂତାଣୁ ନୂଆ ଭାରିଆଣ୍ଟର ରୂପ ନେଉଛି । ୨୦୧୨ ପୂର୍ବରୁ ଡେଙ୍ଗୁର ଭୂତାଣୁ DENv 1 ଥିଲା । କିନ୍ତୁ ଏବେ DENv 2, DENv3 ଏବଂ DENv4 ଭାରିଆଣ୍ଟ ଆସିଛି । ପୂର୍ବରୁ DENv4 ଭାରିଆଣ୍ଟ କମ ସଂକ୍ରାମକ ଥିଲା କିନ୍ତୁ ଏବେ ଦକ୍ଷିଣ ଭାରତରେ ଏହି ଡେଙ୍ଗୁ ଭୂତାଣୁର ଏହି ଭାରିଆଣ୍ଟ ଘାତକ ସାଜିଛି ।.

ସାଲିଆ ସାହିରେ ଚାଲିଥିଲା ଦଶହରା ପାଇଁ ସ୍ପେଶାଲ୍ ମଦ ରନ୍ଧା, ଜବତ କଲା ଅବକାରୀ ବିଭାଗ

ଭୁବନେଶ୍ବର: ପାର୍ବଣ ପୂର୍ବରୁ ଆକ୍ସନ ମୋଡ଼ରେ ଅବକାରୀ ବିଭାଗ। ପୂଜା ପାଇଁ ପ୍ରସ୍ତୁତ ହେଉଥିଲା ମଦ । ସାଲିଆ ସାହିରେ ଚାଲିଥିଲା ଦଶହରା ପାଇଁ ସ୍ପେଶାଲ୍ ମଦ ରନ୍ଧା । ଚଢ଼ାଉ କରିଛି ଅବକାରୀ ବିଭାଗ । ଶହ ଶହ ଲିଟର ମଦ ନଷ୍ଟ କରିବା ସହ ବ୍ୟାପକ ଚଢ଼ାଉ କରିଛି ଅବକାରୀ ବିଭାଗ । ମଦ ପ୍ରସ୍ତୁତ ପାଇଁ ସମସ୍ତ ସାମଗ୍ରୀ ଜବତ କରିଛି ।

୧୦ ହଜାର ଲିଟର ପୋଚ ଓ ୧ ହଜାର ଲିଟର ଦେଶୀ ମଦ ଜବତ କଲା ଅବକାରୀ ଥାନା । ଭୁବନେଶ୍ୱର ଅବକାରୀ ଥାନା ପକ୍ଷରୁ IIC ବିକାଶ ନାୟକଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ କରାଯାଇ ୧୫ ଜଣଙ୍କୁ ଗିରଫ କରାଯାଇଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ସେପଟେ ଆଗକୁ ବସ୍ତି ଓ ଚୋରା ମଦ ଆଡ୍ଡା ଉପରେ ଚଢ଼ାଉ ଅଭିଯାନ ଜାରି ରହିବ ବୋଲି ସୂଚନା ଦେଇଛି ଅବକାରୀ ବିଭାଗ ।

ଦଶହରା ସମୟରେ ବସ୍ ଧର୍ମଘଟ ଯାତ୍ରୀଙ୍କୁ ସମସ୍ୟାରେ ପକାଇଛି, ବସଷ୍ଟାଣ୍ଡରେ ଫସିଛନ୍ତି ଯାତ୍ରୀ

ଭୁବନେଶ୍ବର: ଘରୋଇ ବସ୍‌ ମାଲିକ ସଂଘର ମନମାନି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଯୋଗୁ ଯାତ୍ରୀ ହଇରାଣ ହୋଇଛନ୍ତି । ଦଶହରା ସମୟରେ ବସ୍ ଧର୍ମଘଟ ଯାତ୍ରୀଙ୍କୁ ସମସ୍ୟାରେ ପକାଇଛି । ତେବେ ଯାତ୍ରୀଙ୍କ ସୁବିଧା ଲାଗି କଟକ- ଭୁବନେଶ୍ଵର ମଧ୍ୟରେ ଓଏସଆରଟିସି ତରଫରୁ ସ୍ବତନ୍ତ୍ର ବସ୍ ଚଳାଚଳ ବ୍ୟବସ୍ଥା କରାଯାଇଛି ।

ବାଲେଶ୍ୱର ଓ ନୟାଗଡ଼କୁ ମଧ୍ୟ ବରମୁଣ୍ଡା ବସଷ୍ଟାଣ୍ଡରୁ OSRTC ବସ ଚଳାଚଳ କରୁଛି । ବରମୁଣ୍ଡା ବସଷ୍ଟାଣ୍ଡରେ ବି ଫସିଛନ୍ତି ଯାତ୍ରୀ । ରାଜ୍ୟ ତଥା ରାଜ୍ୟ ବାହାରୁ ଓଡ଼ିଶା ଆସିଥିବା ଛାତ୍ରଛାତ୍ରୀ ଓ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ପୂଜା ଛୁଟିରେ ଘରକୁ ଯିବା ପାଇଁ ଥିବା ଯାତ୍ରୀମାନେ ବସ ଧର୍ମଘଟ ଯୋଗୁ ବରମୁଣ୍ଡା ବସଷ୍ଟାଣ୍ଡ ରେ ଅଟକି ରହିଛନ୍ତି ।

ଗାଜା ଚର୍ଚ୍ଚରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ, ୮ ପାଲେଷ୍ଟିନୀୟ ନାଗରିକଙ୍କ ମୃତ୍ୟୁ

ଗାଜା: ଇସ୍ରାଏଲ-ଗାଜା ଯୁଦ୍ଧ ଆଜି ୧୪ ଦିନରେ ପହଞ୍ଚିଛି । ଏବେବି ଚାଲିଛି ଘମାଘୋଟ ସଂଘର୍ଷ। ଗାଜାର ଏକ ଚର୍ଚ୍ଚ ଉପରେ ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ୍ ହୋଇଥିବା ଜଣାପଡିଛି । ଆକ୍ରମଣରେ ୮ ପାଲେଷ୍ଟିନୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।

ଗାଜା ସୀମାନ୍ତ ଅଲଜେଟନରେ ଥିବା ଏକ ଚର୍ଚ୍ଚ ଉପରେ ହୋଇଥିଲା ଏହି ହମଲା । ପାଲେଷ୍ଟାଇନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏହି ଆକ୍ରମଣ ନେଇ ସୂଚନା ଦିଆଯାଇଛି । ଗତକାଲି ରାତିରେ ହୋଇଥିଲା ଏହି ଆକ୍ରମଣ। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି। ହମଲାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଥିବାରୁ ଚର୍ଚ୍ଚରେ ଅନେକ ଆଶ୍ରୟ ନେଇଥିଲେ। ଚର୍ଚ୍ଚ ଉପରେ ଆକ୍ରମଣକୁ ନେଇ ଇସ୍ରାଏଲକୁ ନିନ୍ଦା କରିଛି ପାଲେଷ୍ଟାଇନ୍।

ଗଜପତି ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ, ପ୍ରଥମ ପର୍ଯ୍ୟାୟରେ ଚାଲିବ ୩୬ ବସ

ଗଜପତି: ରାଜ୍ୟର ବିକାଶରେ ସହଯୋଗ କରିବ ଲକ୍ଷ୍ମୀ। ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଲୋକଙ୍କ ନିକଟରେ ଧନଲକ୍ଷ୍ମୀ ପହଞ୍ଚାଇବ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନା। ଗଜପତି ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ଯୋଜନାର ବସ। ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ଯୋଗଦେବେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ।

ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ମୋଟ ୩୬ ଗୋଟି ବସ ଯୋଗାଇଛନ୍ତି ସରକାର। ଜିଲ୍ଲାର ସାତୋଟି ବ୍ଲକର ଉପାନ୍ତ ପଞ୍ଚାୟତ ଗୁଡ଼ିକରୁ ବ୍ଲକ ସଦର ମହକୁମାକୁ ଗଢ଼ିବ ଏହି ଲକ୍ଷ୍ମୀ ବସ। ଯାତାୟାତର ସୁବିଧା ପାଇବେ ଗ୍ରାମାଞ୍ଚଳର ଜନସାଧାରଣ। ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପାଇବ। ସୁଗମ ହେବ ଗମନାଗମନ। ଏନେଇ ଚୁଡାନ୍ତ ହୋଇଛି ବସ ଗଢ଼ିବାର ରାସ୍ତା। ଜିଲ୍ଲାର ବିଭିନ୍ନ କୋଣରୁ ୧୫ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଏଥିରେ ଯୋଗ ଦେବେ ।

ରାଜ୍ୟ ବସସଂଘର ନିଷ୍ପତ୍ତି ବିରୋଧରେ ବାଲେଶ୍ବର, ଗଡିଲା ଘରୋଇ ବସ

ବାଲେଶ୍ବର: ଜିଲ୍ଲା ଭିତରେ ଘରୋଇ ବସ୍‌ ଚଳାଚଳ ସ୍ବାଭାବିକ । ବାଲେଶ୍ବରରୁ ଜଳେଶ୍ବର, ଭୋଗରାଇ, ବାଲିଆପାଳ, ନୀଳଗିରି, ସୋର, ଖଇରାକୁ ଚାଲିଛି ବସ୍‌ । ଭୁବନେଶ୍ବରକୁ ମଧ୍ୟ ଗୋଟିଏ ବସ୍‌ ଚଳାଚଳ କରିଛି । ରାଜ୍ୟ ସଂଘର ନିଷ୍ପତ୍ତିକୁ ବିରୋଧକରି ବାଲେଶ୍ବର ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘ ଆଜି ସକାଳୁ ଜିଲ୍ଲାର ସମସ୍ତ ସ୍ଥାନକୁ ବସ୍‌ ଚଳାଇଛନ୍ତି । ଫଳରେ ଯାତ୍ରୀସେବା ସ୍ବାଭାବିକ ରହିଛି ।

ବାଲେଶ୍ବର ବସ୍‌ଷ୍ଟାଣ୍ଡରୁ ଭୂବନେଶ୍ବରକୁ ଗୋଟିଏ ବସ୍‌ ଯାତ୍ରୀ ମାନଙ୍କୁ ନେଇ ବାହାରିଥିବାବେଳେ, ବାଲିଆପାଳ, ଜଳେଶ୍ବର, ଭୋଗରାଇ, ଚନ୍ଦନେଶ୍ବର, ବସ୍ତା, ନୀଳଗିରି, ସୋର, ଖଇରା ପ୍ରଭୃତି ସ୍ଥାନକୁ ବସ୍‌ ଚଳାଚଳ କରିଛି । ବସ୍‌ ଧର୍ମଘଟ ନେଇ ରାଜ୍ୟ ସଂଘର ନିଷ୍ପତ୍ତି ପରେ ବାଲେଶ୍ବର ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘ ଏହାକୁ ବିରୋଧ କରିଥିଲା । ପାର୍ବଣ ଋତୁ ଥିବାରୁ ଲକ୍ଷ୍ମୀପୂଜା ପରେ ମଧ୍ୟ ସରକାରଙ୍କ ସହିତ ସମସ୍ୟା ନେଇ ଆଲୋଚନା କରାଯାଇ ପାରିବ ।

ଯାତ୍ରୀ ମାନଙ୍କୁ ସମସ୍ୟାରେ ନପକାଇ ବସ୍‌ସେବା ସ୍ବାଭାବିକ ରଖିବାକୁ ସଂଘ ଗତକାଲି ଘୋଷଣା କରିଥିଲା । ଏହି ଘୋଷଣା ଅନୁସାରେ ଆଜି ସକାଳ ଠାରୁ ବସ୍‌ ଚଳାଚଳ ସ୍ବାଭାବିକ ରହିଛି ।