spot_img
Home Blog Page 2596

ବିଶିଷ୍ଟ ଗାୟିକା ଶାନ୍ତିଲତାଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ

ନିମାପଡ଼ା: ବିଶିଷ୍ଟ ଗାୟିକା ଶାନ୍ତିଲତା ବାରିକ ବର୍ତ୍ତମାନ ଗୁରୁତର ଅଛନ୍ତି । ଦୀର୍ଘ ଦିନ ଧରି କ୍ୟାନସରରେ ପୀଡ଼ିତ ଅଛନ୍ତି ଶାନ୍ତିଲତା । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କର ଆଶୁ ଆରୋଗ୍ୟ କାମନା କରି ନିମାପଡ଼ାରେ ସମୂହ ଦୀପଦାନ କରାଯାଇଛି ।

ଶାନ୍ତିଲତାଙ୍କ ପୈତୃକ ଘର ନିମାପଡ଼ାରେ । ଜନ୍ମମାଟିରେ ଆଶୁ ଆରୋଗ୍ୟ କାମନା କରିଛନ୍ତି ଲୋକେ । ଯୁବ ବିକାଶ ପରିଷଦ ତରଫରୁ ଗତକାଲି ରାତିରେ ନିମାପଡ଼ାଠାରେ ଏକ ପ୍ରାର୍ଥନା ସଭା ଓ ଦୀପଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶାନ୍ତିଲତାଙ୍କ ସାନ ଭାଇ ବସନ୍ତ ବାରିକ ମଧ୍ୟ ସାମିଲ ହୋଇଥିଲେ । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ବଡ଼ ଭଉଣୀ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ବସନ୍ତ କାମନା କରିଛନ୍ତି । ଉଲ୍ଲେଖଯୋଗ୍ୟ,  ଅନେକ ଲୋକପ୍ରିୟ ଭଜନ ଗାଇଛନ୍ତି ଶାନ୍ତିଲତା । ତାଙ୍କର ସୁମଧୁର ଭଜନ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ ।

ମାଆ ନୁହେଁ ଇଏ ରାକ୍ଷସୀ: ନବଜାତ ଶିଶୁପୁତ୍ରକୁ ପାଇଖାନାରେ ଫିଙ୍ଗି ଫେରାର

ବାଲେଶ୍ବର: ମାଆ ମମତାର ମନ୍ଦିର । ପିଲାର ସୁଖ ପାଇଁ ସବୁ କିଛି କରିପାରେ । ପିଲା ଉପରକୁ ବିପଦ ଆସିଲେ ପାଚେରୀ ଭଳି ଆଗରେ ଛିଡ଼ା ହୋଇଯାଏ । ପିଲାର ଭଲ ପାଇଁ ସବୁ ସ୍ତରକୁ ଯାଇପାରେ । ହେଲେ ଆଜି ଆମେ ଏମିତି ଏକ ମାଆ ସମ୍ପର୍କରେ କହିବାକୁ ଯାଉଛୁ, ଯାହା ସମ୍ପର୍କରେ ଜାଣିଲେ ଆପଣ ବି ଚକିତ ହୋଇଯିବେ । କାରଣ ନିଜ ନବଜାତ ଶିଶୁପୁତ୍ର ସହ ମାଆ ଜଣଙ୍କ ଯାହା କରିଛନ୍ତି, ତାହା ଶତ୍ରୁ ବି କରିବନି ।

ଘଟଣା ବାଲେଶ୍ବର ମେଡିକାଲର । ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ମହିଳାଙ୍କ କୁକର୍ମକୁ ସବୁଠି ଥୁ ଥୁ କରାଯାଉଛି । ଜଣେ ମହିଳା ତାଙ୍କ ନବଜାତ ଶିଶୁପୁତ୍ରକୁ ମେଡିକାଲ ପାଇଖାନାରେ ପକାଇ ଫେରାର ହୋଇଯାଇଛନ୍ତି । ଶିଶୁପୁତ୍ରକୁ ଉଦ୍ଧାର କରି SNCUରେ ଭର୍ତ୍ତି କରାଯାଇଛି ।

ଗତକାଲି ମଧ୍ୟରାତ୍ରିରେ ନବଜାତ ଶିଶୁପୁତ୍ରର କାନ୍ଦ ଶୁଣି ସେଠାରେ ଉପସ୍ଥିତ କିଛି ରୋଗୀଙ୍କ ସମ୍ପର୍କୀୟ ପାଇଖାନା ପାଖରେ ପହଞ୍ଚି ଥିଲେ । ପିଲାଟି ପାଇଖାନାରେ ପଡିଥିବା ଦେଖି ଉଦ୍ଧାର କରିବା ସହ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ଏହାପରେ ଶିଶୁପୁତ୍ରକୁ SNCUରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ସ୍କ୍ରବ ଟାଇଫସ: ସୁନ୍ଦରଗଡ଼ରୁ ଆଉ ୯ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ କାୟା ମେଲାଉଛି ସ୍କ୍ରବ ଟାଇଫସ । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୯ ଆକ୍ରାନ୍ତ । ୪୯ ଜଣଙ୍କ ରକ୍ତ ନମୂନାରୁ ୯ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସୁନ୍ଦରଗ଼ରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୨୩୦କୁ ବୃଦ୍ଧି ପାଇଛି  । ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଅଛନ୍ତି ।

ତେବେ ଭୟ ନକରି ଲୋକମାନେ ସଚେତନ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସାମାନ୍ୟ ଜ୍ବର କିମ୍ବା ସେପରି କୌଣସି ଲକ୍ଷଣ ଦେଖାଗଲେ ସ୍କ୍ରବ ଟାଇଫସ ଟେଷ୍ଟ କରିବା ପାଇଁ ଜିଲ୍ଲାର ସମସ୍ତ ଡାକ୍ତରଙ୍କୁ ପରାମର୍ଶ ଦିଆଯାଇଛି । ଯେକୌଣସି ବେସରକାରୀ ଡାକ୍ତରଖାନାରେ ଆକ୍ରାନ୍ତ ଚିହ୍ନଟ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ରାଉରକେଲା ଆରଜିଏଚକୁ ପଠାଇବାକୁ ସିଡିଏମଓ ପରାମର୍ଶ ଦେଇଛନ୍ତି ।

ସ୍କ୍ରବ ଟାଇଫସ ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ଔଷଧ ଏବଂ ଡାକ୍ତର ରହିଛନ୍ତି । ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ମଧ୍ୟ ରହିଛି । ଲକ୍ଷଣ ଦେଖାଗଲେ କିମ୍ବା ସପ୍ତାହେରୁ ଅଧିକ  ସମୟ ଜ୍ବର ରହିଲେ ତୁରନ୍ତ ଡାକ୍ତରଖାନା ଯିବା ପାଇଁ ପରାମର୍ଶ ଦିଆଯାଇଛି । ଏନେଇ ଲୋକଙ୍କୁ ସଚେତନ କରାଯାଉଥିବା ସିଡିଏମଓ ସୂଚନା ଦେଇଛନ୍ତି । ଅନ୍ୟପଟେ ଗାଁ ଗାଁରେ ଡାକବାଜି ଯନ୍ତ୍ର ଦ୍ବାରା ସଚେତନା କରାଯାଉଥିବାବେଳେ ବିଭିନ୍ନ ଛକ ଓ ହାଟରେ ପାଲା ମାଧ୍ୟମରେ ସ୍କ୍ରବ ଟାଇଫସ ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ସଚେତନ କରାଯାଉଛି ।

ଖାଲିସ୍ତାନୀ ଆତଙ୍କବାଦୀ ନିଜର ହତ୍ୟାର ଗୁଇନ୍ଦା ତଥ୍ୟ କାନାଡାକୁ ଦେଇଥିଲା ଆମେରିକା

ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜରର ହତ୍ୟା ସମ୍ପର୍କରେ କାନାଡାକୁ କେତେକ ଗୁଇନ୍ଦା ତଥ୍ୟ ଦେଇଥିଲା ଆମେରିକା । ଏହି ତଥ୍ୟ ପାଇବା ପରେ ନିଜାର ହତ୍ୟାକାଣ୍ଡ ପଛରେ ଭାରତ ରହିଛି ବୋଲି କାନାଡା ଦର୍ଶାଇଥିଲା । କାନାଡାରେ ଥିବା ଆମେରିକୀୟ କୂଟନୀତିଜ୍ଞମାନେ ନିଜାର ହତ୍ୟା ନେଇ କେତେକ ସୂଚନା ଦେଇଥିଲେ ।

ଯଦିଓ ଭାରତର ହାତ ଥିବା ନେଇ ସ୍ପଷ୍ଟ ପ୍ରମାଣ ନାହିଁ ତଥାପି ଆମେରିକାର ସୂଚନା ଆଧାରରେ ଏହି ବିବାଦ ଘନୀଭୂତ ହୋଇଛି । ନିଜର ହତ୍ୟା ନେଇ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ଘନୀଭୂତ ହେଉଥିବାବେଳେ ଆମେରିକାରେ କେତେକ ଖଲିସ୍ତାନୀ ନେତାଙ୍କୁ ସାକ୍ଷାତ କରିଥିଲେ ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନର କର୍ମକର୍ତ୍ତା । ଏହି ନେତାଙ୍କ ଜୀବନ ରିସ୍କରେ ରହିଥାଇପାରେ ବୋଲି ଏଫବିଆଇ ଏଜେଣ୍ଟ କହିଥିବା ସୂଚନା ମିଳିଛି ।

ଗତ ଜୁନ ୧୮ରେ ବ୍ରିଟିଶ କଲମ୍ବିଆରେ ଖଲିସ୍ତାନ ଟାଇଗର ଫୋର୍ସ ନେତା ହରଦୀପକୁ ଦୁଇଜଣ ଅଜଣା ବ୍ୟକ୍ତି ହତ୍ୟା କରିଥିଲେ । ଏହି କାରଣକୁ ନେଇ ଭାରତ ଓ କାନାଡା ମଧ୍ୟରେ ବିବାଦ ଚାଲିଆସିଛି । ନିଜରର ହତ୍ୟା ପରେ ଆମେରିକାନ ଶିଖ୍ କକସ କମିଟିର ସଂଯୋଜକ ପ୍ରୀତପାଲ ସିଂ ଓ କାଲିଫର୍ଣ୍ଣିଆର ଦୁଇ ଜଣ ଶିଖ ବ୍ୟକ୍ତିଙ୍କୁ ଏଫବିଆଇ ସାକ୍ଷାତ କରିଥିବା ସୂଚନା ମିଳିଛି । ଗତ ଜୁନ ଶେଷ ଭାଗରେ ଏଫବିଆଇ ଏଜେଣ୍ଟମାନେ ତାଙ୍କୁ ସାକ୍ଷାତ କରିବା ସହ ଜୀବନ ପ୍ରତି ବିପଦ ଥିବା ସମ୍ପର୍କରେ ସୂଚନା ଦେଇଥିଲେ ବୋଲି କହିଛନ୍ତି ପ୍ରୀତପାଲ । ତେବେ ଏଫବିଆଇ କାହିଁକି ସାକ୍ଷାତ କରିଥିଲା ସେନେଇ ସୂଚନା ମିଳିପାରିନାହିଁ ।

ବ୍ରିଟିଶ କଲମ୍ବିଆ ଗୁରୁଦ୍ବାରା ପରିଷଦର ମୁଖପାତ୍ର ମନିନ୍ଦର ସିଂ କହିଛନ୍ତି- ନିଜର ହତ୍ୟକାଣ୍ଡା ପୂର୍ବରୁ ଖଲିସ୍ତାନୀ ନେତାଙ୍କ ଜୀବନ ବିପଦରେ ରହିଛି ବୋଲି କାନାଡାର ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା । ଯଦିଓ ଖଲିସ୍ତାନୀ ନେତାଙ୍କ ଜୀବନ ବିପଦରେ ଥିଲା ତଥାପି ଏହାରି ମୂଳରେ ଭାରତୀୟ ଗୁଇନ୍ଦାର ହାତ ଥିବା ସମ୍ପର୍କରେ କୌଣସି ସଚୂନା ନଥିଲା ବୋଲି ସେ କହିଛନ୍ତି । ସେପଟେ ନିଜର ହତ୍ୟା ଘଟଣାରେ ତଦନ୍ତରେ ସାହାଯ୍ୟ କରିବା ଲାଗି ଭାରତକୁ ଆମେରିକା ଅନୁରୋଧ କରିଛି ।

ଗଞ୍ଜାମ: କେଉଁଠି ମୃତଦେହ ଉଦ୍ଧାର ତ କେଉଁଠି ନରକଙ୍କାଳ

ଆସିକା/ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲାରେ ଭିନ୍ନ ଭିନ୍ନ ସ୍ଥାନରୁ ଯୁବକଙ୍କ ମୃତଦେହ ଓ ନରକଙ୍କାଳ ମିଳିବାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି । ହିଞ୍ଜିଳି ଅଞ୍ଚଳରେ ଯୁବକଙ୍କ କଙ୍କାଳ ମିଳିଥିବା ବେଳେ ପାଟପୁର ଅଞ୍ଚଳରୁ ଯୁବକଙ୍କ ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, ହିଞ୍ଜିଳି ଥାନା ମହୁଲପଲ୍ଲୀ ଗାଁ ନିକଟ ଏକ ପଡ଼ିଆରୁ ଜବତ ହୋଇଛି ଯୁବକଙ୍କ କଙ୍କାଳ । ଏହି କଙ୍କାଳଟି କାହାର ତାହା ସ୍ପଷ୍ଟ ହୋଇନାହିଁ । ତେବେ ମୃତ ଯୁବକ ଜଣକ ପଦ୍ମପୁର ଗ୍ରାମର ପ୍ରତାପ ଦାସ ବୋଲି ସନ୍ଦେହ କରାଯାଉଛି । ପ୍ରତାପ କିଛି ଦିନ ହେଲା ନିଖୋଜ ଥିଲେ । ନିଜ ଶ୍ବଶୁର ଘର ଡାୟାପଲ୍ଲୀ ଗ୍ରାମକୁ ଆସି ଆଉ ଘରକୁ ଫେରି ନଥିଲେ ବୋଲି ଥାନାରେ ଅଭିଯୋଗ ହୋଇଥିଲା । ଯୁବକଙ୍କ ସ୍କୁଟି, ଚପଲ ପଡିଆରେ ରହିଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି, ତାହା ଜଣାପଡିନାହିଁ । ପୋଲିସ କଙ୍କାଳ ଜବତ କରି ଘଟଣା ତଦନ୍ତ ଜାରି ରଖିଛି ।

ସେହିପରି ପାଟପୁର ଥାନା ପଦ୍ମପୁର ପଞ୍ଚାୟତ ବୃନ୍ଦାବନପୁର ଗ୍ରାମରେ ଯୁବକଙ୍କ ମୃତଦେହ ଉଦ୍ଧାର । ହାତଗୋଡ ବନ୍ଧା ଅବସ୍ଥାରେ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ବୃନ୍ଦାବନପୁର ଗ୍ରାମର ଅନୀଲ ନାଇକ । ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ଗତକାଲି ଛେଳି ଚରାଇବାକୁ ଯାଇ ନିଖୋଜ ଥିଲେ ଅନୀଲ । ଆଜି ତାଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା । ମୁଣ୍ଡ ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ସନ୍ଧାନୀ କୁକୁର ଓ ସାଇଣ୍ଟିଫକ ଟିମ ସହାୟତାରେ ପୋଲିସ ଘଟଣାର ତଦନ୍ତ କରୁଛି ।

ଏସିଆନ ଗେମ୍ସ: ପ୍ରଥମ ଦିନରେ ଭାରତକୁ ୫ ପଦକ

ହାଙ୍ଗଝୁ: ଚୀନର ହାଙ୍ଗଝୁରେ ଚାଲିଥିବା ୨୦୨୩ ଏସିଆନ ଗେମ୍ସରେ ଭାରତର ଭଲ ଆରମ୍ଭ । ପ୍ରଥମ ଦିନରେ ବର୍ତ୍ତମାନ ସୁଦ୍ଧା ଭାରତ ୫ଟି ପଦକ ହାସଲ କରିଥିଛି । ଏଥିରେ ୩ଟି ରୌପ୍ୟ ପଦକ ଥିବା ବେଳେ ଦୁଇଟି ବ୍ରୋଞ୍ଜ ରହିଛି ।

ଏୟାର ରାଇଫଲ ଓ ରୋଇଂରେ ଭାରତକୁ ୩ଟି ସିଲଭର ମେଡାଲ ମିଳିଛି । ସେହିପରି ଏହି ଦୁଇ ଇଭେଣ୍ଟରେ ଦୁଇଟି ବ୍ରୋଞ୍ଜ ମଧ୍ୟ ମିଳିଛି ।

ମହିଳା ୧୦ ମିଟର ଏୟାର ରାଇଫଲରେ ମେହୁଲି ଘୋଷ, ରମିତା ଓ ଆଶି ଚୌକସି ରୌପ୍ୟ ପଦକ ହାସଲ କରିଛନ୍ତି ।  ମହିଳା ୧୦ ମିଟର ଏୟାର ରାଇଫଲରେ ରମିତା ଜିନ୍ଦଳଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ରୋଇଂର ପୁରୁଷ ଲାଇଟଓ୍ବେଟ ଡବଲ ସ୍କଲରେ ଅର୍ଜୁନ ଲାଲ ଓ ଅରବିନ୍ଦ ସିଂହ ରୌପ୍ୟ ପଦକ ହାସଲ କରିଛନ୍ତି । ମେନ୍ସ ପେୟାର ରୋଇଂରେ ବାବୁଲାଲ ଯାଦବ ଏବଂ ଲାଖ ରାମ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ମେନ୍ସ ଏଇଟରେ ଭାରତ ରୌପ୍ୟ ପଦକ ହାସଲ କରିଛି । ଏହି ଟିମରେ ନିରଜ, ନରେଶ କଲଓ୍ବାନିଆ, ନେତୀଶ କୁମାର, ଚରଣଜିତ ସିଂ, ଜସବିନ୍ଦର ସିଂ, ଭୀମ ସିଂ, ପୁନିତ କୁମାର ଏବଂ ଆଶିଷ ସଦସ୍ୟ ଥିଲେ ।

ସେହିପରି କ୍ରିକେଟରେ ବାଂଲାଦେଶକୁ ହରାଇ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଫାଇନାଲରେ ପ୍ରବେଶ କରିଛି । ହକିରେ ଭାରତ ଉଜବେଗିସ୍ତାନକୁ ୧୬-୦ ଗୋଲରେ ହରାଇ ଧମାକଦାର ଆରମ୍ଭ କରିଛି ।

ଧସିଲା ପାହାଡ଼: ରେଳ ଧାରଣାରେ ଗଦା ହୋଇଗଲା ପଥର

ଜୟପୁର: କୋରାପୁଟରେ ଲଗାଣ ବର୍ଷା । ଧସିଲା ପାହାଡ଼, ଜାମ ହେଲା ରେଳ ଲାଇନ୍ । ମାନବାରରୁ ଜରଟି ଷ୍ଟେସନ ମଧ୍ୟରେ ପାହାଡ଼ରୁ ମାଟି ଓ ପଥର ଧସିଛି । ରେଳ ଧାରଣା ଉପରେ ପଡ଼ିଛି ବଡ଼ ବଡ଼ ପଥର ଖଣ୍ଡ । ଫଳରେ ଏହି ରୁଟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଉଦ୍ଧାର କାର୍ଯ୍ୟ ସାଙ୍ଗକୁ ଟ୍ରାକ୍ ମରାମତି କାମ ଚାଲିଥିବାରୁ ୮ଟି ଟ୍ରେନ୍ ବାତିଲ କରାଯାଇଛି । କୋରାପୁଟ ଷ୍ଟେସନରେ ଅଟକିଛି ଜଗଦଲପୁର-ବିଶାଖାପାଟଣା ଏକ୍ସପ୍ରେସ । ରେଳପଥ ଦୋହରିକରଣ କାମ ଚାଲୁ ରହିଥିବା ବେଳେ ପଥର ଖସିଥିବା ଜଣାପଡିଛି ।

ଦ୍ବିତୀୟ ଦିନିକିଆ: ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ

ଇନ୍ଦୋର: କଙ୍ଗାରୁ ଶିକର କରି ଦିନିକିଆ କ୍ରିକେଟରେ ସିରିଜ ବିଜୟ ଲକ୍ଷ୍ୟରେ ଭାରତ । ଇନ୍ଦୋରରେ ବିଜୟ ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । କେ.ଏଲ. ରାହୁଲଙ୍କ ଅଧିନାୟକତ୍ବରେ ଭାରତ ମ୍ୟାଚକୁ ଓହ୍ଲାଉଥିବା ବେଳେ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି ।

୩ ଟିକିଆ ସିରିଜର ପ୍ରଥମ ମ୍ୟାଚ ଭାରତ ଜିତି ୧-୦ରେ ଆଗରେ ରହିଛି । ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁଁ ପ୍ରଥମ ମ୍ୟାଚରେ ଭାରତ ଅଷ୍ଟ୍ରୋଲିଆକୁ ୫ ଓ୍ବିକେଟରେ ହରାଇଥିଲା । ମୋହାଲିରେ ଦେଖିବାକୁ ମିଳିଥିଲା ମହମ୍ମଦ ସାମୀଙ୍କ ବୋଲିଂର ଯାଦୁ । ୫ଟି ଓ୍ବିକେଟ ନେଇ କଙ୍ଗାରୁ ଟିମର ବ୍ୟାଟିଂ ଅର୍ଡରକୁ ଧୂଳିସାତ କରିଥିଲେ ଭାରତର ଏହି ଫାଷ୍ଟ ବୋଲର । ୪ ଜଣ ବ୍ୟାଟ୍ସମ୍ୟାନ ଅର୍ଦ୍ଧ ଶତକ ହାସଲ କରିଥିଲେ ।

ତେବେ ଆଜିର ମ୍ୟାଚରେ ନୂଆ ରଣନୀତି ନେଇ ପଡ଼ିଆକୁ ଓହ୍ଲାଇବ ଭ୍ରମଣକାରୀ ଅଷ୍ଟ୍ରେଲିଆ ଟିମ୍ । ପେଟ୍ କମିନ୍ସଙ୍କ ନେତୃତ୍ବରେ ଭାରତୀୟ ବୋଲରଙ୍କୁ ଚେକ ଦେବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଟିମ୍ ଅଷ୍ଟ୍ରେଲିଆ ।

ଏସିଆନ ଗେମ୍ସ: ପ୍ରଥମ ଦିନରେ ଭାରତକୁ ଡବଲ ପଦକ

ହାଙ୍ଗଝୁ: ଏସିଆନ୍ ଗେମସରେ ଭାରତର ଦମଦାର ଆରମ୍ଭ । ପ୍ରଥମ ଦିନ ଆରମ୍ଭରୁ ହାତେଇଲା ୨ଟି ପଦକ । ସିଲଭର ମେଡାଲରୁ ଭାରତ ଆରମ୍ଭ କରିଛି ପଦକ ଯାତ୍ରା । ଏୟାର ରାଇଫଲ ଓ ରୋଇଂରେ ଭାରତକୁ ସିଲଭର ମେଡାଲ ମିଳିଛି ।

ରୋଇଂରେ ଅର୍ଜୁନ ଲାଲ ଓ ଅରବିନ୍ଦ ସିଂହ ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ମହିଳା ୧୦ ମିଟର ଏୟାର ରାଇଫଲରେ ମଧ୍ୟ ରୌପ୍ୟ ପଦକ ହାତେଇଛି ଭାରତ । ମେହୁଲି ଘୋଷ, ରମିତା ଓ ଆଶି ଚୌକସି ଏହି ପଦକ ହାତେଇଛନ୍ତି । ସେହିପରି କ୍ରିକେଟରେ ବାଂଲାଦେଶକୁ ହରାଇ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଫାଇନାଲରେ ପ୍ରବେଶ କରିଛି ।

ଆଜି ପରିଣୀତି ଓ ରାଘବଙ୍କ ବିବାହ

ନୂଆଦିଲ୍ଲୀ: ଆଜି ହେବାକୁ ଯାଉଛି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ ସାଂସଦ ରାଘବ ଚଢାଙ୍କ ବିବାହ ।  ଦୁହେଁ ରାଜକୀୟ ଅନ୍ଦାଜରେ ରାଜସ୍ଥାନ ଉଦୟପୁରର ଲୀଲା ପ୍ୟାଲେସରେ କରିବେ ବିବାହ । ଉଭୟଙ୍କ ପରିବାର ସଦସ୍ୟ ଉଦୟପୁରରେ ପହଞ୍ଚି ସାରିଛନ୍ତି ।

ଗତକାଲି ପରିବାର ଲୋକଙ୍କ ଗହଣରେ ହଲଦୀ ରସମ୍ ହୋଇଥିଲା । ଉଭୟ ବରକନ୍ୟାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ଉଦୟପୁର ଏୟାରପୋର୍ଟରେ ବାଜା ବଜାଇ ପରିଣୀତି-ରାଘବଙ୍କ ଗ୍ରାଣ୍ଡ ଓ୍ବେଲକମ୍ କରାଯାଇଥିଲା ।  ଆଜି ବିବାହରେ ପରିଣୀତିଙ୍କ ବଡ ଭଉଣୀ ପ୍ରିୟଙ୍କା ଚୋପ୍ରା ଯୋଗଦେବେନି ବୋଲି ଜଣାପଡିଛି । ତେବେ ଉଦୟପୁରରେ ଦୁଇ ଲଭ ବାର୍ଡ ଜୀବନର ସବୁଠୁ ମୂଲ୍ୟବାନ ମୁହୂର୍ତ୍ତକୁ ଭରପୁର ସେଲିବ୍ରେଟ କରୁଛନ୍ତି । ପ୍ରେମ ରଙ୍ଗରେ ଉଭୟ ମସଗୁଲ ହୋଇଛନ୍ତି । ପ୍ରତିଷ୍ଠିତ ଡ୍ରେସ ଡିଜାଇନର ମନୀଷ ମାଲହୋତ୍ରା ପରିଣୀତିଙ୍କ କରିଛନ୍ତି ଲେହେଙ୍ଗା ଡିଜାଇନ ।