ସ୍କ୍ରବ ଟାଇଫସ: ସୁନ୍ଦରଗଡ଼ରୁ ଆଉ ୯ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ କାୟା ମେଲାଉଛି ସ୍କ୍ରବ ଟାଇଫସ । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୯ ଆକ୍ରାନ୍ତ । ୪୯ ଜଣଙ୍କ ରକ୍ତ ନମୂନାରୁ ୯ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସୁନ୍ଦରଗ଼ରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୨୩୦କୁ ବୃଦ୍ଧି ପାଇଛି  । ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଅଛନ୍ତି ।

ତେବେ ଭୟ ନକରି ଲୋକମାନେ ସଚେତନ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସାମାନ୍ୟ ଜ୍ବର କିମ୍ବା ସେପରି କୌଣସି ଲକ୍ଷଣ ଦେଖାଗଲେ ସ୍କ୍ରବ ଟାଇଫସ ଟେଷ୍ଟ କରିବା ପାଇଁ ଜିଲ୍ଲାର ସମସ୍ତ ଡାକ୍ତରଙ୍କୁ ପରାମର୍ଶ ଦିଆଯାଇଛି । ଯେକୌଣସି ବେସରକାରୀ ଡାକ୍ତରଖାନାରେ ଆକ୍ରାନ୍ତ ଚିହ୍ନଟ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ରାଉରକେଲା ଆରଜିଏଚକୁ ପଠାଇବାକୁ ସିଡିଏମଓ ପରାମର୍ଶ ଦେଇଛନ୍ତି ।

ସ୍କ୍ରବ ଟାଇଫସ ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ଔଷଧ ଏବଂ ଡାକ୍ତର ରହିଛନ୍ତି । ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ମଧ୍ୟ ରହିଛି । ଲକ୍ଷଣ ଦେଖାଗଲେ କିମ୍ବା ସପ୍ତାହେରୁ ଅଧିକ  ସମୟ ଜ୍ବର ରହିଲେ ତୁରନ୍ତ ଡାକ୍ତରଖାନା ଯିବା ପାଇଁ ପରାମର୍ଶ ଦିଆଯାଇଛି । ଏନେଇ ଲୋକଙ୍କୁ ସଚେତନ କରାଯାଉଥିବା ସିଡିଏମଓ ସୂଚନା ଦେଇଛନ୍ତି । ଅନ୍ୟପଟେ ଗାଁ ଗାଁରେ ଡାକବାଜି ଯନ୍ତ୍ର ଦ୍ବାରା ସଚେତନା କରାଯାଉଥିବାବେଳେ ବିଭିନ୍ନ ଛକ ଓ ହାଟରେ ପାଲା ମାଧ୍ୟମରେ ସ୍କ୍ରବ ଟାଇଫସ ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ସଚେତନ କରାଯାଉଛି ।