ଗଞ୍ଜାମ: କେଉଁଠି ମୃତଦେହ ଉଦ୍ଧାର ତ କେଉଁଠି ନରକଙ୍କାଳ

ଆସିକା/ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲାରେ ଭିନ୍ନ ଭିନ୍ନ ସ୍ଥାନରୁ ଯୁବକଙ୍କ ମୃତଦେହ ଓ ନରକଙ୍କାଳ ମିଳିବାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି । ହିଞ୍ଜିଳି ଅଞ୍ଚଳରେ ଯୁବକଙ୍କ କଙ୍କାଳ ମିଳିଥିବା ବେଳେ ପାଟପୁର ଅଞ୍ଚଳରୁ ଯୁବକଙ୍କ ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, ହିଞ୍ଜିଳି ଥାନା ମହୁଲପଲ୍ଲୀ ଗାଁ ନିକଟ ଏକ ପଡ଼ିଆରୁ ଜବତ ହୋଇଛି ଯୁବକଙ୍କ କଙ୍କାଳ । ଏହି କଙ୍କାଳଟି କାହାର ତାହା ସ୍ପଷ୍ଟ ହୋଇନାହିଁ । ତେବେ ମୃତ ଯୁବକ ଜଣକ ପଦ୍ମପୁର ଗ୍ରାମର ପ୍ରତାପ ଦାସ ବୋଲି ସନ୍ଦେହ କରାଯାଉଛି । ପ୍ରତାପ କିଛି ଦିନ ହେଲା ନିଖୋଜ ଥିଲେ । ନିଜ ଶ୍ବଶୁର ଘର ଡାୟାପଲ୍ଲୀ ଗ୍ରାମକୁ ଆସି ଆଉ ଘରକୁ ଫେରି ନଥିଲେ ବୋଲି ଥାନାରେ ଅଭିଯୋଗ ହୋଇଥିଲା । ଯୁବକଙ୍କ ସ୍କୁଟି, ଚପଲ ପଡିଆରେ ରହିଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି, ତାହା ଜଣାପଡିନାହିଁ । ପୋଲିସ କଙ୍କାଳ ଜବତ କରି ଘଟଣା ତଦନ୍ତ ଜାରି ରଖିଛି ।

ସେହିପରି ପାଟପୁର ଥାନା ପଦ୍ମପୁର ପଞ୍ଚାୟତ ବୃନ୍ଦାବନପୁର ଗ୍ରାମରେ ଯୁବକଙ୍କ ମୃତଦେହ ଉଦ୍ଧାର । ହାତଗୋଡ ବନ୍ଧା ଅବସ୍ଥାରେ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ବୃନ୍ଦାବନପୁର ଗ୍ରାମର ଅନୀଲ ନାଇକ । ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ଗତକାଲି ଛେଳି ଚରାଇବାକୁ ଯାଇ ନିଖୋଜ ଥିଲେ ଅନୀଲ । ଆଜି ତାଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା । ମୁଣ୍ଡ ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ସନ୍ଧାନୀ କୁକୁର ଓ ସାଇଣ୍ଟିଫକ ଟିମ ସହାୟତାରେ ପୋଲିସ ଘଟଣାର ତଦନ୍ତ କରୁଛି ।