ଖାଲିସ୍ତାନୀ ଆତଙ୍କବାଦୀ ନିଜର ହତ୍ୟାର ଗୁଇନ୍ଦା ତଥ୍ୟ କାନାଡାକୁ ଦେଇଥିଲା ଆମେରିକା

1 min read

ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜରର ହତ୍ୟା ସମ୍ପର୍କରେ କାନାଡାକୁ କେତେକ ଗୁଇନ୍ଦା ତଥ୍ୟ ଦେଇଥିଲା ଆମେରିକା । ଏହି ତଥ୍ୟ ପାଇବା ପରେ ନିଜାର ହତ୍ୟାକାଣ୍ଡ ପଛରେ ଭାରତ ରହିଛି ବୋଲି କାନାଡା ଦର୍ଶାଇଥିଲା । କାନାଡାରେ ଥିବା ଆମେରିକୀୟ କୂଟନୀତିଜ୍ଞମାନେ ନିଜାର ହତ୍ୟା ନେଇ କେତେକ ସୂଚନା ଦେଇଥିଲେ ।

ଯଦିଓ ଭାରତର ହାତ ଥିବା ନେଇ ସ୍ପଷ୍ଟ ପ୍ରମାଣ ନାହିଁ ତଥାପି ଆମେରିକାର ସୂଚନା ଆଧାରରେ ଏହି ବିବାଦ ଘନୀଭୂତ ହୋଇଛି । ନିଜର ହତ୍ୟା ନେଇ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ଘନୀଭୂତ ହେଉଥିବାବେଳେ ଆମେରିକାରେ କେତେକ ଖଲିସ୍ତାନୀ ନେତାଙ୍କୁ ସାକ୍ଷାତ କରିଥିଲେ ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନର କର୍ମକର୍ତ୍ତା । ଏହି ନେତାଙ୍କ ଜୀବନ ରିସ୍କରେ ରହିଥାଇପାରେ ବୋଲି ଏଫବିଆଇ ଏଜେଣ୍ଟ କହିଥିବା ସୂଚନା ମିଳିଛି ।

ଗତ ଜୁନ ୧୮ରେ ବ୍ରିଟିଶ କଲମ୍ବିଆରେ ଖଲିସ୍ତାନ ଟାଇଗର ଫୋର୍ସ ନେତା ହରଦୀପକୁ ଦୁଇଜଣ ଅଜଣା ବ୍ୟକ୍ତି ହତ୍ୟା କରିଥିଲେ । ଏହି କାରଣକୁ ନେଇ ଭାରତ ଓ କାନାଡା ମଧ୍ୟରେ ବିବାଦ ଚାଲିଆସିଛି । ନିଜରର ହତ୍ୟା ପରେ ଆମେରିକାନ ଶିଖ୍ କକସ କମିଟିର ସଂଯୋଜକ ପ୍ରୀତପାଲ ସିଂ ଓ କାଲିଫର୍ଣ୍ଣିଆର ଦୁଇ ଜଣ ଶିଖ ବ୍ୟକ୍ତିଙ୍କୁ ଏଫବିଆଇ ସାକ୍ଷାତ କରିଥିବା ସୂଚନା ମିଳିଛି । ଗତ ଜୁନ ଶେଷ ଭାଗରେ ଏଫବିଆଇ ଏଜେଣ୍ଟମାନେ ତାଙ୍କୁ ସାକ୍ଷାତ କରିବା ସହ ଜୀବନ ପ୍ରତି ବିପଦ ଥିବା ସମ୍ପର୍କରେ ସୂଚନା ଦେଇଥିଲେ ବୋଲି କହିଛନ୍ତି ପ୍ରୀତପାଲ । ତେବେ ଏଫବିଆଇ କାହିଁକି ସାକ୍ଷାତ କରିଥିଲା ସେନେଇ ସୂଚନା ମିଳିପାରିନାହିଁ ।

ବ୍ରିଟିଶ କଲମ୍ବିଆ ଗୁରୁଦ୍ବାରା ପରିଷଦର ମୁଖପାତ୍ର ମନିନ୍ଦର ସିଂ କହିଛନ୍ତି- ନିଜର ହତ୍ୟକାଣ୍ଡା ପୂର୍ବରୁ ଖଲିସ୍ତାନୀ ନେତାଙ୍କ ଜୀବନ ବିପଦରେ ରହିଛି ବୋଲି କାନାଡାର ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା । ଯଦିଓ ଖଲିସ୍ତାନୀ ନେତାଙ୍କ ଜୀବନ ବିପଦରେ ଥିଲା ତଥାପି ଏହାରି ମୂଳରେ ଭାରତୀୟ ଗୁଇନ୍ଦାର ହାତ ଥିବା ସମ୍ପର୍କରେ କୌଣସି ସଚୂନା ନଥିଲା ବୋଲି ସେ କହିଛନ୍ତି । ସେପଟେ ନିଜର ହତ୍ୟା ଘଟଣାରେ ତଦନ୍ତରେ ସାହାଯ୍ୟ କରିବା ଲାଗି ଭାରତକୁ ଆମେରିକା ଅନୁରୋଧ କରିଛି ।