ବିଶିଷ୍ଟ ଗାୟିକା ଶାନ୍ତିଲତାଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ

ନିମାପଡ଼ା: ବିଶିଷ୍ଟ ଗାୟିକା ଶାନ୍ତିଲତା ବାରିକ ବର୍ତ୍ତମାନ ଗୁରୁତର ଅଛନ୍ତି । ଦୀର୍ଘ ଦିନ ଧରି କ୍ୟାନସରରେ ପୀଡ଼ିତ ଅଛନ୍ତି ଶାନ୍ତିଲତା । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କର ଆଶୁ ଆରୋଗ୍ୟ କାମନା କରି ନିମାପଡ଼ାରେ ସମୂହ ଦୀପଦାନ କରାଯାଇଛି ।

ଶାନ୍ତିଲତାଙ୍କ ପୈତୃକ ଘର ନିମାପଡ଼ାରେ । ଜନ୍ମମାଟିରେ ଆଶୁ ଆରୋଗ୍ୟ କାମନା କରିଛନ୍ତି ଲୋକେ । ଯୁବ ବିକାଶ ପରିଷଦ ତରଫରୁ ଗତକାଲି ରାତିରେ ନିମାପଡ଼ାଠାରେ ଏକ ପ୍ରାର୍ଥନା ସଭା ଓ ଦୀପଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶାନ୍ତିଲତାଙ୍କ ସାନ ଭାଇ ବସନ୍ତ ବାରିକ ମଧ୍ୟ ସାମିଲ ହୋଇଥିଲେ । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ବଡ଼ ଭଉଣୀ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ବସନ୍ତ କାମନା କରିଛନ୍ତି । ଉଲ୍ଲେଖଯୋଗ୍ୟ,  ଅନେକ ଲୋକପ୍ରିୟ ଭଜନ ଗାଇଛନ୍ତି ଶାନ୍ତିଲତା । ତାଙ୍କର ସୁମଧୁର ଭଜନ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ ।