spot_img
Home Blog Page 2585

ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଆରମ୍ଭ ହେବ ୩ ନୂତନ ବିଭାଗ

0

ଭୁବନେଶ୍ୱର: ରୋଗୀସେବା ଏବଂ ଅନ୍ୟାନ୍ୟ ବିଭିନ୍ନ ସେବାକୁ ତ୍ବରାନ୍ବିତ କରିବାକୁ, ଏମ୍‌ସ ଭୁବନେଶ୍ୱରରେ ଆଉ ତିନିଟି ନୂତନ ବିଭାଗ ଆରମ୍ଭ ହେବ। ଏହି ବିଭାଗଗୁଡ଼ିକରେ ସଂକ୍ରାମକ ରୋଗ ବିଭାଗ, ବାୟୋ ଇନଫର୍ମାଟିକ୍ସ ବିଭାଗ ଏବଂ ବାୟୋଷ୍ଟାଟିଟିକ୍ସ ବିଭାଗ ଅନ୍ତର୍ଭୁକ୍ତ। ଏମ୍‌ସରେ ଆରମ୍ଭ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ ନିମନ୍ତେ ଷ୍ଟାଣ୍ଡିଂ ଏକାଡେମିକ୍ କମିଟି ଏହାର ଅନୁମୋଦନ ପ୍ରଦାନ କରିଛି। ଏହି ରୋଗୀ ସେବା ତଥା ଅନ୍ୟାନ୍ୟ ସେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ କରିଛନ୍ତି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଜଣାଶୁଣା ସଂକ୍ରାମକ ରୋଗ ବିଶେଷଜ୍ଞ ଡ. ଆଶୁତୋଷ ବିଶ୍ବାସ। ଏମ୍‌ସର ଏକାଦଶ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅବସରରେ ଏହି ସୂଚନା ପ୍ରଦାନ କରିଛନ୍ତି ଡ. ବିଶ୍ବାସ।

ଏହି ଅବସରରେ ଡ. ବିଶ୍ବାସ କହିଛନ୍ତି ଯେ ଗତ ବର୍ଷ ସ୍ୱାସ୍ଥ୍ୟସେବା ଏବଂ ଅନୁସନ୍ଧାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଏହି ଅନୁଷ୍ଠାନ ପାଇଁ ଗୌରବ ଆଣିଦେଇଛି। ଏଥିସହିତ ଏକାଡେମିକ୍ ପ୍ରୋଗ୍ରାମର ସମ୍ପ୍ରସାରଣ ବିଷୟରେ ସୂଚନା ଦେଇଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ। ଏମ୍‌ସ ଭୁବନେଶ୍ୱରରେ ଛଅ ବର୍ଷିଆ ଏମ୍‌ସିଏଚ୍‌ ଶିଶୁରୋଗ ସର୍ଜରୀ ପାଠ୍ୟକ୍ରମ, ଶିଶୁ ପଲ୍‌ମୋନୋଲୋଜି ଏବଂ ଇଣ୍ଟେନ୍ସିଭ୍ କେୟାରରେ ଡିଏମ୍ ପାଠ୍ୟକ୍ରମ ଏବଂ ଶିଶୁ ସଂକ୍ରମଣ ରୋଗ ଏବଂ ଡିଏମ୍ ନେଫ୍ରୋଲୋଜିରେ ବିଶେଷଜ୍ଞ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ। ଏହି ନୂତନ ବିଭାଗ ଏବଂ ଏକାଡେମିକ୍ କାର୍ଯ୍ୟକ୍ରମ ରୋଗୀ ସେବାରେ ଉନ୍ନତି ତଥା ଗବେଷଣା କ୍ଷେତ୍ରରେ ବିଶେଷ ସହାୟକ ହେବାନେଇ ଡ. ବିଶ୍ବାସ ଆଶା ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରକମଲକର ଯୋଗଦେଇ ଉଲ୍ଲେଖନୀୟ ସ୍ୱାସ୍ଥ୍ୟସେବା ପାଇଁ ଏମ୍‌ସ ଭୁବନେଶ୍ୱରଙ୍କୁ ଅଭିନନ୍ଦନ ଜଣାଇବା ସହ ଗବେଷଣା ଏବଂ ରୋଗୀ ସେବା ପାଇଁ ଅନୁଷ୍ଠାନର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ |

ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା ଏବଂ କର୍ମଚାରୀଙ୍କୁ ନେଇ ଏକାଧିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏଥିସହିତ ବାହାନାଗା ଟ୍ରେନ୍ ଦୁର୍ଘଟଣାର ମୃତ ଶରୀର ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଡାକ୍ତର, ପାରାମେଡିକାଲ୍‌ କର୍ମଚାରୀ ଏବଂ କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ନ୍ଧିତ କରାଯାଇଥିଲା।

ଏକାଦଶ ବାର୍ଷିକ ଉତ୍ସବରେ ବାର୍ଷିକ ସ୍ମରଣିକା “ଦି ଇନ୍‌ସାଇଟ୍”କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସେହିପରି ବିଭିନ୍ନ ବିଭାଗର ବିଶେଷଜ୍ଞମାନଙ୍କ ଦ୍ବାରା ଲିଖିତ ପୁସ୍ତକ କ୍ଲିନିକାଲ୍‌ ଫିଚର୍‌ସ ଅଫ୍‌ ମେଲିଡିଓସିସ୍‌କୁ ମଧ୍ୟ ଅତିଥିମାନେ ଉନ୍ମୋଚିତ କରିଥିଲେ। ଏମ୍‌ସ ଭୁବନେଶ୍ୱରରେ ମେଲିଓଏଡୋସିସ୍ ରୋଗୀଙ୍କ ପରିଚାଳନା ଉପରେ ଆଧାରିତ ଏହି ପୁସ୍ତକ ଭାରତୀୟ ପ୍ରସଙ୍ଗରେ ମେଲିଓଏଡୋସିସ୍ ରୋଗ ପରିଚାଳନା ପାଇଁ ଏକ ମୂଲ୍ୟବାନ ଉତ୍ସ ହେବ ବୋଲି ଆଶା କରାଯାଉଛି।

ଅନ୍ୟମାନଙ୍କ ମଧ୍ୟରେ ଡିନ୍‌ (ଏକାଡେମିକ୍ସ) ଡ. ପି ଆର ମହାପାତ୍ର, ଡିନ୍ (ଗବେଷଣା) ଡ. ସତ୍ୟଜିତ୍ ମିଶ୍ର, ଡିନ୍ (ପରୀକ୍ଷା) ଡ. ସୌଭାଗ୍ୟ କୁମାର ଜେନା, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଭାରପ୍ରାପ୍ତ କୁଳସଚିବ ଡ. ଦେବୋପ୍ରିୟ ବନ୍ଦ୍ୟୋପଧ୍ୟାୟ, ଭାରପ୍ରାପ୍ତ ଡିଡିଏ ରଶ୍ମି ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଆୟୋଜକ କମିଟିର ଆବାହକ ଡ. ସ୍ବେତା ସିଂ ଏବଂ ସହଆବାହକ ଡ. ସୋମନାଥ ପାଢ଼ୀ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଘରେ ଘରେ ପହଞ୍ଚିଛି ରାଜ୍ୟ ସରକାରଙ୍କ ଜନ ହିତକର ଯୋଜନା

ଜୟପୁର: ଘରେ ଘରେ ପହଞ୍ଚିଛି ରାଜ୍ୟ ସରକାରଙ୍କ ସମସ୍ତ ଜନ ହିତକର ଯୋଜନା । ସେଥିପାଇଁ ପ୍ରତି ପଞ୍ଚାୟତରେ ଆରମ୍ଭ ହୋଇଛି ମୋ ସେବା କେନ୍ଦ୍ର । ଏଠାରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସୂଚନା ସହିତ ଘର ନିକଟରେ ସେବା ମିଳୁଥିବାରୁ ଲୋକ ଖୁସ୍ । କୋରାପୁଟ ଜିଲ୍ଲାରେ କେମିତି ଚାଲିଛି ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ ସେବା, ଏହାକୁ ଅନୁଧ୍ୟାନ କରିଛନ୍ତି ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଉପଦେଷ୍ଟା ଅନୁଭବ ପଟ୍ଟନାୟକ ।

ତୃଣମୂଳରେ ପହଞ୍ଚିଛି ରାଜ୍ୟ ସରକାରଙ୍କ ଜନହିତକର ଯୋଜନା । ଗାଁ ଗାଁରେ ଲୋକଙ୍କ ନିକଟରେ ସେବା ଦେବାକୁ ନିଆଯାଇଛି ପଦକ୍ଷେପ । ପ୍ରତି ପଞ୍ଚାୟତରେ ପ୍ରତିଷ୍ଠା ହୋଇଛି ମୋ ସେବା କେନ୍ଦ୍ର । ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ମୋ ସେବାକେନ୍ଦ୍ର ଦ୍ବାରା ଲୋକେ ଦୁଆର ମୁହଁରେ ସରକାରୀ ସେବା ପାଇବା ସହ ଉପକୃତ ହେଉଛନ୍ତି । ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଜିଲ୍ଲା ଗ୍ରସ୍ତ କରି ବିଭିନ୍ନ ଉପାନ୍ତ ଦୁର୍ଗମ ଅଞ୍ଚଳରେ ଏହାର ସମୀକ୍ଷା କରିଛନ୍ତି । କେନ୍ଦ୍ର ମାଧ୍ୟମରେ ମୃତ୍ୟୁ ପ୍ରମାଣପତ୍ର , ଜନ୍ମ ପଞ୍ଜିକରଣ ପ୍ରମାଣପତ୍ର , ଆବାସିକ ପ୍ରମାଣ ପତ୍ର , ଆଧାର ପ୍ରମାଣପତ୍ର ସାଙ୍ଗକୁ ଟ୍ରେନ ଟିକେଟ, ଫ୍ଲାଇଟ ଟିକେଟ ମିଳିପାରୁଛି ।

ଦିନ ଥିଲା କୌଣସି ପ୍ରମାଣପତ୍ର ପାଇବାକୁ କାର୍ଯ୍ୟାଳରୁ କାର୍ଯ୍ୟାଳୟକୁ ଦୌଡୁଥିଲେ ଲୋକ । ହେଲେ ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ଯୋଜନା ଏବେ ଦୁଆରର ମୁହଁରେ ସେବା ପ୍ରଦାନ କରୁଛି । ଏଣି ଆଉ ଅଫିସରେ ଲାଇନ ଲଗାଇବାକୁ ପଡୁନାହିଁ । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କୋରାପୁଟବାସୀ ।

 

ଖୋଲିଲା ଶ୍ରୀ ଦେବନାରାୟଣଙ୍କ ହୁଣ୍ଡି, ୨୧ ଟଙ୍କା ଦାନ କରିଛନ୍ତି ମୋଦି!

ଜୟପୁର: ରାଜସ୍ଥାନର ଗୁର୍ଜର ସମାଜର ଆରାଧ୍ୟ ଦେବତା ଦେବନାରାୟଣଙ୍କ ଦାନ ବାକ୍ସ ଖୋଲା ଯାଇଛି । ଭକ୍ତମାନେ ପ୍ରଭୁଙ୍କ ବହୁ ଅର୍ଥ ଦାନ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ଦେବନାରାୟଣଙ୍କ ୧୧୧୧ତମ ଅବତରଣ ସମାରୋହରେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅର୍ଥ ଦାନ ବାକ୍ସରେ ପକାଇଥିବା କୁହାଯାଉଥିଲା । ତେବେ ପ୍ରଧାନମନ୍ତ୍ରୀ କେତେ ଅର୍ଥ ଦାନ କରିଛନ୍ତି ତାକୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ହୋଇ ଆସୁଥିଲା । ତେବେ ଦାନବାକ୍ସ ଖୋଲାଟାଇଥିବାବେଳେ ଏକ ଲଫାପା ମିଳିଛି ।

ଏହି ଧଳା ଲଫାପାରେ ପ୍ରଧାନମନ୍ତ୍ରୀଙ୍କ ନାମ ରହିଛି । ଲଫାପା ମିଳିବା ପରେ ଭକ୍ତଙ୍କ ମନରେ ଉତ୍ସାହ ରହିଥିଲା କି, ପ୍ରଧାନମନ୍ତ୍ରୀ କେତେ ଦାନ କରିଛନ୍ତି । କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ କି, ଏହି ଲଫାପାରୁ ମାତ୍ର ୨୧ ଟଙ୍କା ବାହାରିଛି । ମନ୍ଦିରର ପୂଜକ ନିଜେ ଏହି ଲଫାପା ଖୋଲିଥିବାବେଳେ ନିଜେ ଏହା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି । ତେବେ ଅନ୍ୟ ଦୁଇଟି ଲଫାପା ମଧ୍ୟ ରହିଥିଲା । ଗୋଟିଏରେ ୧୦୧ ଟଙ୍କା ରହିଥିବାବେଳେ ଅନ୍ୟଟିରେ ୨୧୦୦ ଟଙ୍କା ରହିଛି ।

ପ୍ରଧାନମନ୍ତ୍ରୀଙ୍କ ନାମ ଥିବା ଲଫାପାରୁ ୨୧ ଟଙ୍କା ବାହାରିଥିବାବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ଅଖିଳ ଭାରତୀୟ କଂଗ୍ରେସ କମିଟିର ସେକ୍ରେଟାରୀ ତଥା ରାଜସ୍ଥାନ ବିହନ ନିଗମର ସଭାପତି ଧିରଜ ଗୁଜର ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି କି, ଏହା କ’ଣ ବିକାଶ? କ’ଣ ଏହା ଗୁଜର ସମାଜ ପାଇଁ ଉପହାର? କୌଣସି ସମାଜକୁ ସ୍ବପ୍ନ ଦେଖାଇବା ଉଚିତ ନୁହେଁ । ତେବେ କହି ରଖୁଛୁ କି, ପ୍ରଧାନମନ୍ତ୍ରୀ ଅବତରଣ ଉତ୍ସବରେ ଯୋଗ ଦେଇଥିବାବେଳେ ଗୁଜର ସମାଜକୁ ବହୁ ପ୍ରତିଶୃତି ଦେଇଥିଲେ । ଏପରିକି କହିଥିଲେ କି, ମୁଁ ଗୁଜର ସମାଜକୁ ଯାହା ଦେଇଛି ତାହା ଦାନ ବାକ୍ସରେ ରହିଛି । ଯାହାକୁ ନେଇ ଦୀର୍ଘଦିନ ହେବ ଲୋକଙ୍କ ମନରେ ଉତ୍ସାହ ରହି ଆସିଥିଲା । ପ୍ରଧାନମନ୍ତ୍ରୀ କେତେ ଦାନ କରିଛନ୍ତି । ତେବେ ୨୧ ଟଙ୍କା ମିଳିବା ପରେ ବିରୋଧୀମାନେ ପ୍ରଧାନମନ୍ତ୍ରୀଙ୍କୁ ତାଛଲ୍ୟ କରି ନିଜର ପ୍ରତିକ୍ରିୟା ରଖୁଛନ୍ତି ।

୨୦୨୩ ଜାନୁଆରୀ ୨୮ ତାରିଖରେ ରାଜସ୍ଥାନର ଭିଲବାଡ଼ାରେ ଭଗବାନ ଦେବନାରାୟଣଙ୍କ ୧୧୧୧ତମ ଅବତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥୀଭାବେ ଯୋଗ ଦେବାସହ ସମ୍ବୋଧିତ କରିଥିଲେ ।

ଅସୁରକ୍ଷିତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ

ନୀଳଗିରି: ବିପଦ ସଙ୍କୁଳ ଅବସ୍ଥାରେ କୋଠା । ନୀଳଗିରି ଔପଦା ସନ୍ତରାଗଡିଆର ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ସମ୍ପୂର୍ଣ ଅସୁରକ୍ଷିତ ଭାବେ ଚାଲିଛି। ଛାତରୁ ଖସୁଛି କଂକ୍ରିଟ, କାନ୍ଥ ଫାଟି ଆଁ କଲାଣି। ୭୦ ବର୍ଷ ପୁରୁଣା କୋଠାରେ ରହିଛି ଗୁରୁତ୍ବପୂର୍ଣ୍ଣ ଫାଇଲ୍ । ଟିକେ ବର୍ଷା ହେଲେ କାଗଜ ପତ୍ରରେ ବି ଲାଗିଯାଉଛି ଉଇ। ତୁରନ୍ତ କୋଠାର ମରାମତି ନହେଲେ ନୂତନ କୋଠା ପାଇଁ ଦାବିକଲେ ଲୋକ।

ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ନୀଳଗିରି ଔପଦା ସନ୍ତରାଗଡ଼ିଆର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ। ଛାତରୁ ଖସୁଛି କଂକ୍ରିଟ । କାନ୍ଥ ଫାଟି ଆଁ କରିଥିବା ବେଳେ ଏରୁଣ୍ଡି ବନ୍ଧ ଅଧା ଭାଙ୍ଗିଯାଇଛି । ଦୀର୍ଘ ୭୦ବର୍ଷରୁ ଅଧିକ ସମୟ ହେବ ତିଆରି ହୋଇଥିବା ଏହି ଘରର ମରାମତି ହେଉନାହିଁ । ଟିକେ ବର୍ଷା ହେଲେ କାର୍ଯ୍ୟାଳୟର ଅବସ୍ଥା ନକହିବା ଭଲ । ବର୍ଷା ପାଣି ଭିତରକୁ ଆସି କାଗଜ ପତ୍ରରେ ଉଇ ଲାଗିଯାଉଥିବା ଅଭିଯୋଗ ହୋଇଛି ।

କାର୍ଯ୍ୟାଳୟର ଏଭଳି  ଅବସ୍ଥା ଦେଖି ସେଠାକୁ ଯିବାକୁ ଭୟ କରୁଛନ୍ତି ଲୋକେ। ଅଫିସ୍ କାର୍ଯ୍ୟାଳୟର ଛାତରେ ଉଠିଛି ବଡ ବଡ ଘାସ ଗଛ। କାର୍ଯ୍ୟାଳୟ ଚାରିପଡେ ମଧ୍ୟ ଅନାବନା ଗଛରେ ଭର୍ତ୍ତି ହୋଇଛି । ଖୁବ୍ ଶୀଘ୍ର ଅଫିସ୍ ଘରକୁ ମରାମତି କରାଯାଉ ନହେଲେ ନୂତନ ଗୃହ ଯୋଗାଇଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି। ଘଟଣାକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ସରିଛି ଏବଂ ଖୁବ୍ ଶୀଘ୍ର ନୂତନ ଗୃହ ନିର୍ମାଣ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ।

ମାଆ କରମସାନି ପୂଜା ପାଇଁ ଉତ୍ସାହ

ସୋନପୁର: ମାଆ କରମସାନି ପୂଜା । ପ୍ରକୃତି ପୂଜା, ମାଟି ମାଁ ସହିତ ବୃକ୍ଷ ଉପାସନା ପାଇଁ ଏହି ପୂଜା ହେଉଛି। କେଉଁ ଆବହାମାନ କାଳରୁ ପଶ୍ଚିମ ଓଡିଶାର ଆଦିବାସୀ ସଂମ୍ପ୍ରଦାୟର ଲୋକେ ପାଳନ କରୁଛନ୍ତି ଏହି ପୂଜା । କୃଷି ଭିତ୍ତିକ ଏହି ପର୍ବ ପାଳନ କଲେ ବର୍ଷର ଫସଲ ଭଲ ହେବାର ବିଶ୍ବାସ ରହିଛି । ମାଆଙ୍କ ଆରାଧନା ସହ ନାତ ଗୀତରେ କମ୍ପିଲା ପରିବେଶ ।

ପ୍ରକୃତି ପୂଜା, ମାଟି ମାଁ ସହିତ ବୃକ୍ଷ ଉପାସନା। କେଉଁ ଆବହାମାନ କାଳରୁ ପଶ୍ଚିମ ଓଡିଶାର ଆଦିବାସି ସଂମ୍ପ୍ରଦାୟର ଲୋକେ ପାଳନ କରୁଛନ୍ତି ମାଁ କରମସାନି ପୂଜା । କୃଷି ଭିତ୍ତିକ ଏହି ପର୍ବ ପାଳନ କଲେ ବର୍ଷର ଫସଲ ଭଲ ହେବାର ବିଶ୍ବାସ ରହିଛି । ଭାଦ୍ରବ ମାସରେ ଆଦିବାସୀ ସଂସ୍କୃତିର ଏହି ମହାନ ପର୍ବ ସୁବର୍ଣ୍ଣପୁର ଜିଲ୍ଲାର ପଡା ପଡାରେ ପାଳନ ହୁଏ। ନଦୀରୁ ବାଲି ଆଣି ସାତ ପ୍ରକାର ଶସ୍ୟକୁ ସାତ ଦିନ ଆଗରୁ ଗଜା କରି ଜଙ୍ଗଲରୁ କରମା ଡାଳକୁ ବରଣ କରି ପ୍ରତିଷ୍ଠା କରାଯାଏ ପୂଜା ମଣ୍ଡପରେ।

ଏହି ପର୍ବର ମୂଖ୍ୟ ଆକର୍ଷଣ ହେଲା ଆଦିବାସୀ ମାନଙ୍କର କରମସାନି ନୃତ୍ୟ । ଛୋଟ ରୁ ବଡ ସମସ୍ତେ ଆନନ୍ଦ ଉଲ୍ଲାସରେ ଗାତର ତାଳେ ତାଳେ ନାଚନ୍ତି । କୃଷି ଭିତ୍ତିକ କରମସାନି ପର୍ବ ପାଳନ କଲେ ମାଟି ମାଁ ବର୍ଷ ଯାକର ଆହାର ଦିଏ ବୋଲି ଆଦିବାସୀ ମାନଙ୍କର ବିଶ୍ୱାସ ରହିଛି। ଏଥିସହ ପ୍ରକୃତି କେମିତି ସବୁବେଳେ ସତେଜ ଏବଂ ସୁସ୍ଥମୟ ରହିବ ସେନେଇ ମଧ୍ୟ ଏହି ପୂଜା ହୋଇଥାଏ ।

ଆଧୁନିକତାର ପ୍ରଭାବରେ ଆଜି ବି ମଳିନ ପଡିନାହିଁ କରମସାନି ପରଂମ୍ପରା । ଗାଁ ଗହଳୀ ଠୁ ଆରମ୍ଭ କରି ସହରରେ ରହୁଥିବା ଆଦିବାସୀ ସଂମ୍ପ୍ରଦାୟର ଲୋକେ ବଡ ଜାକ ଜମକର ସହିତ ପାଳନ କରୁଛନ୍ତି କରମସାନି ପର୍ବ ।

ମାଙ୍କଡ଼ଙ୍କ ପ୍ରାଦୁର୍ଭାବର ପ୍ରତିକାର ପାଇଁ ମଙ୍କି ସ୍କ୍ବାଡ୍

ଭୁବନେଶ୍ବର: ମାଙ୍କଡ଼ ମାନଙ୍କ ପ୍ରାଦୁର୍ଭାବର ପ୍ରତିକାର ପାଇଁ ଗଠନ କରାଯାଇଛି ମଙ୍କି ସ୍କ୍ବାର୍ଡ। କ୍ଷୟକ୍ଷତି ନିରୋଧକ ଦଳ ମଧ୍ୟ ପ୍ରତ୍ୟେକ ବନଖଣ୍ଡରେ ମାଙ୍କଡ଼ ଘଉଡ଼ାଇବାରେ ସାହାଯ୍ୟ କରୁଛନ୍ତି । ମାଙ୍କଡ ଘଉଡାଇବା ଯନ୍ତ୍ର ସାହାଯ୍ୟରେ ମାଙ୍କଡ଼ ମାନଙ୍କୁ ଡରାଇ ଘଉଡା ଯାଉଛି । ସମ୍ବେଦନଶୀଳ ବନଖଣ୍ଡ ମାନଙ୍କରେ ମଙ୍କି ସ୍କ୍ବାର୍ଡ କାର୍ଯ୍ୟ କରୁଛନ୍ତି  । ମାଙ୍କଡ଼ ମାନଙ୍କୁ ଧରିବା ପାଇଁ ଆବଶ୍ୟକ ସ୍ଥଳେ ଅଭିଜ୍ଞ ‘ମାଙ୍କେଡ଼ିଆ’ ମାନଙ୍କ ସାହାଯ୍ୟ ନିଆଯାଉଛି  ।

ବିପଦ ସୃଷ୍ଟିକାରୀ ମାଙ୍କଡ଼ ମାନଙ୍କୁ ନିଶ୍ଚେତକ ଦିଆଯାଇ ଦୂର ଜଙ୍ଗଲରେ ଛଡାଯାଉଛି। ମାଙ୍କଡ଼ ମାନଙ୍କୁ ଖାଦ୍ୟ ନ ଦେବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଗୃହରେ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଶ୍ନରେ ବିବୃତି ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ । ସେହିଭଳି ଷଣ୍ଢ, ବନ୍ୟପ୍ରାଣୀ ଅନ୍ତର୍ଭୁକ୍ତ ହେଉନଥ‌ିବା ହେତୁ ଏହା ଦ୍ବାରା ହେଉଥ‌ିବା କ୍ଷୟକ୍ଷତି ରୋକିବାର ବ୍ୟବସ୍ଥା ବନ ବିଭାଗ ଦ୍ବାରା କରାଯାଏ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ  ।

ଅବ୍ୟବସ୍ଥା ଘେରରେ ଶୌଚାଳୟ

ଝାରସୁଗୁଡ଼ା: ଶୌଚାଳୟରେ ପଡିଛି ତାଲା । ବ୍ରଜରାଜନଗର ପୌରପରିଷଦ ପକ୍ଷରୁ ୨୩ଟି ୱାର୍ଡରେ ୩୫ଟି କମ୍ୟୁନିଟି ଏବଂ ପବ୍ଲିକ ଟଏଲେଟ ନିର୍ମାଣ ହୋଇଥିଲା। ସେଥିରୁ ବହୁ ଟଏଲେଟରେ ପାଣି ଯାଉନି। ୨୦୧୯ ମସିହାରୁ ଏହି ଶୌଚାଳୟଗୁଡିକ ନିର୍ମାଣ ହୋଇଥିଲା। କିନ୍ତୁ ଅଧାରୁ ଅଧିକ ଶୌଚାଳୟ ଏବେ ବି କାର୍ଯ୍ୟକ୍ଷମ ହୋଇପାରିନାହିଁ  । କେଉଁଠି ଶୌଚାଳୟର କବାଟ ଭାଙ୍ଗି ଗଲାଣି ତ କିଛି ଶୌଚାଳୟ ଉପରେ ଥିବା ପାଣି ଟାଙ୍କି ଅଚଳ ହୋଇଗଲାଣି। ଆସନ୍ତୋଷ ଲୋକେ ।

ଅବ୍ୟବସ୍ଥା ଘେରରେ ଶୌଚାଳୟ । ବ୍ରଜରାଜନଗର ପୌରପରିଷଦ ପକ୍ଷରୁ ୨୩ ଟି ୱାର୍ଡରେ ୩୫ଟି କମ୍ୟୁନିଟି ଏବଂ ପବ୍ଲିକ ଟଏଲେଟ ନିର୍ମାଣ ହୋଇଛି। ଦେଢ଼ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ବହୁ ଟଏଲେଟରେ ପଡିଛି ତାଲା। ୨୦୧୯ ମସିହାରୁ ଏହି ଶୌଚାଳୟଗୁଡିକ ନିର୍ମାଣ ହୋଇଥିଲା। କିନ୍ତୁ ଅଧାରୁ ଅଧିକ ଶୌଚାଳୟ ଏବେ ବି କାର୍ଯ୍ୟକ୍ଷମ ହୋଇପାରିନାହିଁ । ୪ ବର୍ଷ ହେଲାଣି ବ୍ୟବହାର ହେଉନଥିବାରୁ କିଛି ଶୌଚାଳୟର କବାଟ ଭାଙ୍ଗି ଗଲାଣି ତ କିଛି ଶୌଚାଳୟ ଉପରେ ଥିବା ପାଣି ଟାଙ୍କି ଅଚଳ ହୋଇଗଲାଣି । ଆଉ କିଛି ସ୍ଥାନରେ ଶୌଚାଳୟର ପ୍ୟାନ ମଧ୍ୟ ଭାଙ୍ଗିଯାଇଛି । ଅନେକ ସ୍ଥାନରେ ଶୌଚାଳୟ ଚାରିପଟେ ଅନାବନା ଗଛ ଲତା ହୋଇଯାଇଥିବାରୁ ସେଠାକୁ ଯିବାକୁ ଲୋକ ଭୟ କରୁଛନ୍ତି ।

ନିର୍ମାଣ ହୋଇଥିବା ୩୫ଟି କମ୍ୟୁନିଟି ଏବଂ ପବ୍ଲିକ ଟଏଲେଟରୁ ୨୪ ଟି ବନ୍ଦ ରହିଛି  । କେବଳ ୧୧ ଟି ବର୍ତ୍ତମାନ କାର୍ଯ୍ୟକ୍ଷମ ରହିଛି  । ୨୪ ଟି  ଟଏଲେଟରେ ପାଣି ସଂଯୋଗ ହୋଇନଥିବାରୁ  କାର୍ଯ୍ୟକ୍ଷମ ହୋଇପାରି ନାହିଁ  ।  ଏହାସହ ପରିମଳ ବ୍ୟବସ୍ଥାକୁ ବ୍ରଜରାଜନଗର ପୌର କର୍ତ୍ତୃପକ୍ଷ ଗୁରୁତ୍ୱର ସହ ନେଉନଥିବାରୁ ଶୌଚାଳୟ ଗୁଡିକୁ କାର୍ଯ୍ୟକ୍ଷମ ହୋଇପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ଭାଙ୍ଗି ଯାଇଥିବା ଶୌଚାଳୟଗୁଡିକର ମରାମତି  ଶୀଘ୍ର କରାଯିବ ବୋଲି ପୌର କାର୍ଯ୍ୟ ନିର୍ବାହୀ ଅଧିକାରି କହିଛନ୍ତି ।

ଅବହେଳିତ କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମପୀଠ

କବିସୂର୍ଯ୍ୟନଗର: ଅବହେଳିତ ଅବସ୍ଥାରେ ପଡିରହିଛି କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମପୀଠ। ଜରାଜୀର୍ଣ୍ଣ ଅବସ୍ଥାରେ କୋଠରୀ। ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଐତିହ୍ୟ ସ୍ଥଳ। ପ୍ରଶାସନିକ ସ୍ତରରେ ଅଣଦେଖା ଯୋଗୁ ଭାଙ୍ଗିବାକୁ ବସିଲାଣି କବିସୂର୍ଯ୍ୟ ବଳଦେବ ରଥଙ୍କ କିର୍ତ୍ତିରାଜ। ବଣ ଜଙ୍ଗଲ ଗଛ ଲତାରେ ପରିପୂର୍ଣ୍ଣ ହୋଇପଡିଛି ଅନେକ ସ୍ମୃତିପୀଠ।

ଅବହେଳିତ ଅବସ୍ଥାରେ ପଡିରହିଛି କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମପୀଠ। ଜରାଜୀର୍ଣ୍ଣ ଅବସ୍ଥାରେ କୋଠରୀ। ଆସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଛଳୀ ପାଲଟିଛି ଐତିହ୍ୟ ସ୍ଥଳ। କବିସୂର୍ଯ୍ୟନଗର ବ୍ଳକର ଆଠଗଡପାଟଣା ଗାଁ। ଯେଉଁଠି ଜନ୍ମଗ୍ରହଣ କରିଥିଲେ କବିସୂର୍ଯ୍ୟ ବଳଦେବ ରଥ। ପ୍ରଶାସନ ସ୍ତରରେ ଅଣଦେଖା ଯୋଗୁ ଭାଙ୍ଗିବାକୁ ବସିଲାଣି କବିସୂର୍ଯ୍ୟ ବଳଦେବ ରଥଙ୍କ କିର୍ତ୍ତିରାଜ। ବଣ ଜଙ୍ଗଲ ଗଛ ଲତାରେ ପରିପୂର୍ଣ୍ଣ ହୋଇପଡିଛି ଅନେକ ସ୍ମୃତିପୀଠ। ନା ଏହାକୁ ପୁନଃରୁଦ୍ଧାର କରାଯାଉଛି ନା ଏହାର ରକ୍ଷଣାବେକ୍ଷଣ କରାଯାଉଛି।

ସାରସ୍ବତ ସାଧକ କବିସୂର୍ଯ୍ୟବଳଦେବ ରଥଙ୍କ ଜନ୍ମପୀଠର ରକ୍ଷଣାବେକ୍ଷଣ ସାଙ୍ଗକୁ ପ୍ରଚାର ପ୍ରଶାର ପାଇଁ ବହୁବାର ପ୍ରଶାସନ ପାଖରେ ଅଂଚଳବାସୀଙ୍କ ପକ୍ଷରୁ ଅନୁରୋଧ ହୋଇଛି। ହେଲେ ଏଯାଏ ଏହାର କୌଣସି ସମାଧାନ ହୋଇପାରିନାହଁ । ମାଟିର ଗର୍ବ ଓ ଗୌରବ ବିଷୟରେ ପ୍ରଚାର ପ୍ରସାର କରାଯିବାର ଆବଶ୍ୟକତା ରହିଛି। ତୁରନ୍ତ ଏହାର ପୁନଃରୁଦ୍ଧାର ପାଇଁ ସାଧାରଣରେ ଦାବି ହୋଇଛି ।

ଅକ୍ଟୋବର ୨ରୁ ଡିସେମ୍ବର ୨୬ ଯାଏଁ ବିଜେଡିର ପଦଯାତ୍ରା

ଭୁବନେଶ୍ବର: ଲୋକଙ୍କ ପାଖରେ ପହଞ୍ଚିବ ଲୋକାଭିମୁଖ୍ୟୀ କାର୍ଯ୍ୟ । ଆସନ୍ତା ଅକ୍ଟୋବର ୨ରୁ ଡିସେମ୍ବର ୨୬ ଯାଏଁ ବିଜେଡି ପକ୍ଷରୁ କରାଯିବ ଜନ ସମ୍ପର୍କ ପଦଯାତ୍ରା । ଗାନ୍ଧୀ ଜୟନ୍ତୀରୁ ପ୍ରତିଷ୍ଠା ଦିବସ ଯାଏଁ ପଦଯାତ୍ରା କରିବ ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବହୁ କାର୍ଯ୍ୟକ୍ରମ ସାଙ୍ଗକୁ ବିକାଶକୁ ଶୀର୍ଷକୁ ନେବାକୁ ସଂକଳ୍ପ ନେବେ ଦଳୀୟ ନେତା ଓ କର୍ମୀ । ତେବେ ସବୁ ନିର୍ବାଚନ ମଣ୍ଡଳୀରେ ଏହି ପଦଯାତ୍ରା ଅନୁଷ୍ଠିତ ହେବ । ଏହାସହ ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ ସାଙ୍ଗକୁ ବୃକ୍ଷରୋପଣ ମଧ୍ୟ କରାଯିବ । ସୋମବାର ଶଙ୍ଖଭବନରେ ଆୟୋଜିତ ପ୍ରେସମିଟରେ ବିଜେଡି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆୟୋଜିତ ଏହି ପ୍ରେସମିଟରେ ବିଜେଡି ଉପସଭାପତି ତଥା ବରିଷ୍ଠ ନେତା ଦେବୀ ମିଶ୍ର, ସ୍ନେହାଙ୍ଗିତୀ ଛୁରିଆ, ସାଂସଦ ସସ୍କିତ ପାତ୍ର ଏବଂ ପ୍ରିୟବ୍ରତ ମାଝୀ ପ୍ରମୁଖ ଗଣମାଧ୍ୟମକୁ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା ଦେଇଥିଲେ ।

ରାଜ୍ୟର ପ୍ରତ୍ୟେକ ପରିବାର ପାଖରେ ପହଁଚିବ ବିଜେଡି । ଘରେ ଘରେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ । ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ଏଭଳି ଏକ ବଡ କାର୍ଯ୍ୟକ୍ରମ ହାତକୁ ନେଇଛି ବିଜେଡି । ଆସନ୍ତା ଡିସେମ୍ବର ୨୬ରେ ବିଜେଡି ଦଳ ପ୍ରତିଷ୍ଠାକୁ ୨୬ ବର୍ଷ ପୂରିବ । ଦଳର ଏହି ୨୭ତମ ପ୍ରତିଷ୍ଠା ଦିବସକୁ ଲକ୍ଷ୍ୟରେ ରଖି ଜନସମ୍ପର୍କ ପଦଯାତ୍ରା ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେବ । ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀସ୍ତରରେ ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା ପାଳନ କରାଯିବ ।

ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଅକ୍ଟୋବର ୧୨ ତାରିଖରୁ ପ୍ରତିଷ୍ଠା ଦିବସ ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ଜୋନ୍ ଓ ପୌରଞ୍ଚଳ ସ୍ତରରେ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ । ପରେ ପ୍ରତ୍ୟେକ ଓ୍ବାର୍ଡରେ ବିଜେଡି ସରକାରର ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତା ପହଞ୍ଚାଇବେ ବିଜେଡି ନେତା କର୍ମୀ । ଏହା ସହ ରକ୍ତଦାନ ଶିବିର, ବୃକ୍ଷରୋପଣ ଭଳି ସାମାଜିକ ଓ ପରିବେଶ ପ୍ରତିବନ୍ଧତାର କାର୍ଯ୍ୟକ୍ରମ କରାଯିବ । ଡିସେପମ୍ବର ୨୬ରେ ଦଳର ପ୍ରତିଷ୍ଠା ଦିବସ ସବୁ ନିର୍ବାଚନମଣ୍ଡଳୀରେ ପାଳନ କରାଯିବ । ଏହି ଅବସରରେ ଓଡ଼ିଶାର ସଂଗ୍ରାମୀ ଓ ବୀରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବା ସହ ଓଡ଼ିଶା ବିକାଶକୁ ଶୀର୍ଷ ସ୍ଥାନକୁ ନେବା ପାଇଁ ସଙ୍କଳ୍ପ ନିଆଯିବ । ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିଙ୍କ ତତ୍ବାବଧନାରେ ଏହି ପଦଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିଚାଳିତ ହେବ ।

ଏହି ବିରାଟ ସାଙ୍ଗଠନିକ କାର୍ଯ୍ୟକ୍ରମରେ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ନିର୍ବାଚିତ ପଂଚାୟତ ଓ ପୌର ପ୍ରତିନିଧି, ମହିଳା, ଯୁବ ଓ ଛାତ୍ର ତିନି ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ସହ ଦଳର ସବୁ ବର୍ଗର ନେତା ସାମିଲ ହେବେ । ଦଳର ପ୍ରତିଷ୍ଠା ପାଇଁ ହୋଇଥିବା ଏହି ବିରାଟ ଜନ ସମ୍ପର୍କ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ପର୍ଯ୍ୟବେକ୍ଷକ, ସଂଯୋଜକ, ସାଂସଦ, ବିଧାୟକ, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି ଓ ଛାମୁଆ ସଂଗଠନର ରାଜ୍ୟ ସଭାପତିଙ୍କୁ ଚିଠି ଲେଖିଛନ୍ତି ।

ବଦଳିବ ଏୟାର ଇଣ୍ଡିଆ ହୋଷ୍ଟେସଙ୍କ ୟୁନିଫର୍ମ

ନନ୍ଦିଘୋଷ ବ୍ୟୁରୋ: ବଦଳିବ ଏୟାର ଇଣ୍ଡିଆ ହୋଷ୍ଟେସଙ୍କ ୟୁନିଫର୍ମ । ମେଲ୍ କ୍ରୁଙ୍କର ମଧ୍ୟ ବଦଳିଯିବ ୟୁନିଫର୍ମ । ଆଉ ଶାଢିରେ ଦେଖାଯିବେ ନାହିଁ ଏୟାର ଇଣ୍ଡିଆର ଏୟାର ହୋଷ୍ଟେସ୍ । ବର୍ତ୍ତମାନ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ଏୟାର ହୋଷ୍ଟେସ୍ ଶାଢିରେ ଦେଖାଯାଉଥିଲେ, କିନ୍ତୁ ନଭେମ୍ବର ମାସରୁ ତାଙ୍କ ଲୁକରେ ପରିବର୍ତ୍ତନ ଆସିବ । ଏହା ସହିତ, ମେଲ୍ କ୍ରୁମାନେ ମଧ୍ୟ ଭିନ୍ନ ଲୁକରେ ନଜର ଆସିବେ । ଏୟାର ଇଣ୍ଡିଆର ବିମାନ କର୍ମଚାରୀମାନେ ବର୍ତ୍ତମାନ ଏକ ନୂଆ ରୂପରେ ଦେଖିବାକୁ ଯାଉଛନ୍ତି । ଏୟାର ଇଣ୍ଡିଆର କର୍ମଚାରୀମାନେ ଚଳିତ ବର୍ଷ ନଭେମ୍ବର ମାସ ସୁଦ୍ଧା ନୂତନ ୟୁନିଫର୍ମ ଉପହାର ପାଇବେ, ଯାହା ବିଷୟରେ ଅଗଷ୍ଟ ମାସରେ ଏୟାର ଇଣ୍ଡିଆ ଘୋଷଣା କରିଥିଲା ।

ବର୍ତ୍ତମାନ ବିମାନ କର୍ମଚାରୀମାନେ ଶାଢିରେ ନୁହେଁ ଚୁରିଦାରରେ ଆସିବେ ନଜର । ମହିଳାମାନଙ୍କ ପାଇଁ ଚୁରିଦାର ଡିଜାଇନ୍ ୟୁନିଫର୍ମ ଚୟନ କରାଯାଇଛି । ପୁରୁଷମାନେ ବର୍ତ୍ତମାନ ସୁଟ୍ ରେ ମଧ୍ୟ ଦେଖାଯିବେ । ଗତ 60 ବର୍ଷ ଧରି ଏୟାର ଇଣ୍ଡିଆରେ ସାରୀ ଲୁକ୍ ଚାଲିଆସୁଛି । ଗତ ୬ ଦଶନ୍ଧି ପରେ ଏୟାର ଇଣ୍ଡିଆ ୟୁନିଫର୍ମ ବଦଳାଇବାକୁ ଯାଉଛି ।

ଏହାପୂର୍ବରୁ ୧୯୬୨ ମସିହାରେ JRD ଟାଟା ସମୟରେ ବିମାନ କମ୍ପାନୀର ଏୟାର ହୋଷ୍ଟେସ ମାନେ ପାଶ୍ଚାତ୍ୟ ପୋଷାକ ପିନ୍ଧୁଥିଲେ, ଯେଉଁଥିରେ ମହିଳା ୟୁନିଫର୍ମରେ ସ୍କର୍ଟ, ଜ୍ୟାକେଟ୍ ଏବଂ କ୍ୟାପ୍ ଅନ୍ତର୍ଭୁକ୍ତ ଥିଲା, କିନ୍ତୁ ଏହା ପରେ ଶଢିକୁ ୟୁନିଫର୍ମ ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା । ସେହି ସମୟରେ, ଟାଟା ଏୟାରଲାଇନ୍ସର ଅଧିକାଂଶ ଏୟାରହୋଷ୍ଟେସ୍ ଆଙ୍ଗ୍ଲୋ-ଇଣ୍ଡିଆନ୍ କିମ୍ବା ୟୁରୋପୀୟ ମୂଳରୁ ଆସିଥିଲେ । ଯଦି ଆମେ ନୂଆ ଲୁକ୍ ବିଷୟରେ କହିବା, ତେବେ କ୍ରୁଙ୍କ ନୂଆ ଲୁକର ଦାୟିତ୍ବ ପ୍ରସିଦ୍ଧ ଡିଜାଇନର୍ ମନୀଷ ମଲହୋତ୍ରାଙ୍କୁ ଦିଆଯାଇଛି ।

ଭିଷ୍ଟାରାର ୟୁନିଫର୍ମ ମଧ୍ୟ ସମାନ ହେବ  

ଏୟାର ଇଣ୍ଡିଆ ସହିତ ଭିଷ୍ଟାର ମିଶ୍ରଣ ପରେ ଏହାର ୟୁନିଫର୍ମ ମଧ୍ୟ ସମାନ ହେବ । ଅଗଷ୍ଟ ୧୦ ରେ ବିମାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏହା ଘୋଷଣା କରିଥିଲେ। ସେ କହିଛନ୍ତି ଯେ ବିମାନର ନୂତନ ୟୁନିଫର୍ମ A350 ବିମାନରେ ଦେଖିବାକୁ ମିଳିଥିଲା, ଯାହା ପରେ ୟୁନିଫର୍ମରେ ଏକ ପରିବର୍ତ୍ତନ ଦେଖାଯିବ  । ଏହି ନୂତନ ଲୁକ୍ ମଧ୍ୟ ସମ୍ପୂର୍ଣ୍ଣ ପାରମ୍ପାରିକ ହେବ  ।