ଘରେ ଘରେ ପହଞ୍ଚିଛି ରାଜ୍ୟ ସରକାରଙ୍କ ଜନ ହିତକର ଯୋଜନା

ଜୟପୁର: ଘରେ ଘରେ ପହଞ୍ଚିଛି ରାଜ୍ୟ ସରକାରଙ୍କ ସମସ୍ତ ଜନ ହିତକର ଯୋଜନା । ସେଥିପାଇଁ ପ୍ରତି ପଞ୍ଚାୟତରେ ଆରମ୍ଭ ହୋଇଛି ମୋ ସେବା କେନ୍ଦ୍ର । ଏଠାରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସୂଚନା ସହିତ ଘର ନିକଟରେ ସେବା ମିଳୁଥିବାରୁ ଲୋକ ଖୁସ୍ । କୋରାପୁଟ ଜିଲ୍ଲାରେ କେମିତି ଚାଲିଛି ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ ସେବା, ଏହାକୁ ଅନୁଧ୍ୟାନ କରିଛନ୍ତି ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଉପଦେଷ୍ଟା ଅନୁଭବ ପଟ୍ଟନାୟକ ।

ତୃଣମୂଳରେ ପହଞ୍ଚିଛି ରାଜ୍ୟ ସରକାରଙ୍କ ଜନହିତକର ଯୋଜନା । ଗାଁ ଗାଁରେ ଲୋକଙ୍କ ନିକଟରେ ସେବା ଦେବାକୁ ନିଆଯାଇଛି ପଦକ୍ଷେପ । ପ୍ରତି ପଞ୍ଚାୟତରେ ପ୍ରତିଷ୍ଠା ହୋଇଛି ମୋ ସେବା କେନ୍ଦ୍ର । ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ମୋ ସେବାକେନ୍ଦ୍ର ଦ୍ବାରା ଲୋକେ ଦୁଆର ମୁହଁରେ ସରକାରୀ ସେବା ପାଇବା ସହ ଉପକୃତ ହେଉଛନ୍ତି । ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଜିଲ୍ଲା ଗ୍ରସ୍ତ କରି ବିଭିନ୍ନ ଉପାନ୍ତ ଦୁର୍ଗମ ଅଞ୍ଚଳରେ ଏହାର ସମୀକ୍ଷା କରିଛନ୍ତି । କେନ୍ଦ୍ର ମାଧ୍ୟମରେ ମୃତ୍ୟୁ ପ୍ରମାଣପତ୍ର , ଜନ୍ମ ପଞ୍ଜିକରଣ ପ୍ରମାଣପତ୍ର , ଆବାସିକ ପ୍ରମାଣ ପତ୍ର , ଆଧାର ପ୍ରମାଣପତ୍ର ସାଙ୍ଗକୁ ଟ୍ରେନ ଟିକେଟ, ଫ୍ଲାଇଟ ଟିକେଟ ମିଳିପାରୁଛି ।

ଦିନ ଥିଲା କୌଣସି ପ୍ରମାଣପତ୍ର ପାଇବାକୁ କାର୍ଯ୍ୟାଳରୁ କାର୍ଯ୍ୟାଳୟକୁ ଦୌଡୁଥିଲେ ଲୋକ । ହେଲେ ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ଯୋଜନା ଏବେ ଦୁଆରର ମୁହଁରେ ସେବା ପ୍ରଦାନ କରୁଛି । ଏଣି ଆଉ ଅଫିସରେ ଲାଇନ ଲଗାଇବାକୁ ପଡୁନାହିଁ । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କୋରାପୁଟବାସୀ ।