ଖୋଲିଲା ଶ୍ରୀ ଦେବନାରାୟଣଙ୍କ ହୁଣ୍ଡି, ୨୧ ଟଙ୍କା ଦାନ କରିଛନ୍ତି ମୋଦି!

ଜୟପୁର: ରାଜସ୍ଥାନର ଗୁର୍ଜର ସମାଜର ଆରାଧ୍ୟ ଦେବତା ଦେବନାରାୟଣଙ୍କ ଦାନ ବାକ୍ସ ଖୋଲା ଯାଇଛି । ଭକ୍ତମାନେ ପ୍ରଭୁଙ୍କ ବହୁ ଅର୍ଥ ଦାନ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ଦେବନାରାୟଣଙ୍କ ୧୧୧୧ତମ ଅବତରଣ ସମାରୋହରେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅର୍ଥ ଦାନ ବାକ୍ସରେ ପକାଇଥିବା କୁହାଯାଉଥିଲା । ତେବେ ପ୍ରଧାନମନ୍ତ୍ରୀ କେତେ ଅର୍ଥ ଦାନ କରିଛନ୍ତି ତାକୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ହୋଇ ଆସୁଥିଲା । ତେବେ ଦାନବାକ୍ସ ଖୋଲାଟାଇଥିବାବେଳେ ଏକ ଲଫାପା ମିଳିଛି ।

ଏହି ଧଳା ଲଫାପାରେ ପ୍ରଧାନମନ୍ତ୍ରୀଙ୍କ ନାମ ରହିଛି । ଲଫାପା ମିଳିବା ପରେ ଭକ୍ତଙ୍କ ମନରେ ଉତ୍ସାହ ରହିଥିଲା କି, ପ୍ରଧାନମନ୍ତ୍ରୀ କେତେ ଦାନ କରିଛନ୍ତି । କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ କି, ଏହି ଲଫାପାରୁ ମାତ୍ର ୨୧ ଟଙ୍କା ବାହାରିଛି । ମନ୍ଦିରର ପୂଜକ ନିଜେ ଏହି ଲଫାପା ଖୋଲିଥିବାବେଳେ ନିଜେ ଏହା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି । ତେବେ ଅନ୍ୟ ଦୁଇଟି ଲଫାପା ମଧ୍ୟ ରହିଥିଲା । ଗୋଟିଏରେ ୧୦୧ ଟଙ୍କା ରହିଥିବାବେଳେ ଅନ୍ୟଟିରେ ୨୧୦୦ ଟଙ୍କା ରହିଛି ।

ପ୍ରଧାନମନ୍ତ୍ରୀଙ୍କ ନାମ ଥିବା ଲଫାପାରୁ ୨୧ ଟଙ୍କା ବାହାରିଥିବାବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ଅଖିଳ ଭାରତୀୟ କଂଗ୍ରେସ କମିଟିର ସେକ୍ରେଟାରୀ ତଥା ରାଜସ୍ଥାନ ବିହନ ନିଗମର ସଭାପତି ଧିରଜ ଗୁଜର ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି କି, ଏହା କ’ଣ ବିକାଶ? କ’ଣ ଏହା ଗୁଜର ସମାଜ ପାଇଁ ଉପହାର? କୌଣସି ସମାଜକୁ ସ୍ବପ୍ନ ଦେଖାଇବା ଉଚିତ ନୁହେଁ । ତେବେ କହି ରଖୁଛୁ କି, ପ୍ରଧାନମନ୍ତ୍ରୀ ଅବତରଣ ଉତ୍ସବରେ ଯୋଗ ଦେଇଥିବାବେଳେ ଗୁଜର ସମାଜକୁ ବହୁ ପ୍ରତିଶୃତି ଦେଇଥିଲେ । ଏପରିକି କହିଥିଲେ କି, ମୁଁ ଗୁଜର ସମାଜକୁ ଯାହା ଦେଇଛି ତାହା ଦାନ ବାକ୍ସରେ ରହିଛି । ଯାହାକୁ ନେଇ ଦୀର୍ଘଦିନ ହେବ ଲୋକଙ୍କ ମନରେ ଉତ୍ସାହ ରହି ଆସିଥିଲା । ପ୍ରଧାନମନ୍ତ୍ରୀ କେତେ ଦାନ କରିଛନ୍ତି । ତେବେ ୨୧ ଟଙ୍କା ମିଳିବା ପରେ ବିରୋଧୀମାନେ ପ୍ରଧାନମନ୍ତ୍ରୀଙ୍କୁ ତାଛଲ୍ୟ କରି ନିଜର ପ୍ରତିକ୍ରିୟା ରଖୁଛନ୍ତି ।

୨୦୨୩ ଜାନୁଆରୀ ୨୮ ତାରିଖରେ ରାଜସ୍ଥାନର ଭିଲବାଡ଼ାରେ ଭଗବାନ ଦେବନାରାୟଣଙ୍କ ୧୧୧୧ତମ ଅବତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥୀଭାବେ ଯୋଗ ଦେବାସହ ସମ୍ବୋଧିତ କରିଥିଲେ ।