ଅକ୍ଟୋବର ୨ରୁ ଡିସେମ୍ବର ୨୬ ଯାଏଁ ବିଜେଡିର ପଦଯାତ୍ରା

ଭୁବନେଶ୍ବର: ଲୋକଙ୍କ ପାଖରେ ପହଞ୍ଚିବ ଲୋକାଭିମୁଖ୍ୟୀ କାର୍ଯ୍ୟ । ଆସନ୍ତା ଅକ୍ଟୋବର ୨ରୁ ଡିସେମ୍ବର ୨୬ ଯାଏଁ ବିଜେଡି ପକ୍ଷରୁ କରାଯିବ ଜନ ସମ୍ପର୍କ ପଦଯାତ୍ରା । ଗାନ୍ଧୀ ଜୟନ୍ତୀରୁ ପ୍ରତିଷ୍ଠା ଦିବସ ଯାଏଁ ପଦଯାତ୍ରା କରିବ ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବହୁ କାର୍ଯ୍ୟକ୍ରମ ସାଙ୍ଗକୁ ବିକାଶକୁ ଶୀର୍ଷକୁ ନେବାକୁ ସଂକଳ୍ପ ନେବେ ଦଳୀୟ ନେତା ଓ କର୍ମୀ । ତେବେ ସବୁ ନିର୍ବାଚନ ମଣ୍ଡଳୀରେ ଏହି ପଦଯାତ୍ରା ଅନୁଷ୍ଠିତ ହେବ । ଏହାସହ ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ ସାଙ୍ଗକୁ ବୃକ୍ଷରୋପଣ ମଧ୍ୟ କରାଯିବ । ସୋମବାର ଶଙ୍ଖଭବନରେ ଆୟୋଜିତ ପ୍ରେସମିଟରେ ବିଜେଡି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆୟୋଜିତ ଏହି ପ୍ରେସମିଟରେ ବିଜେଡି ଉପସଭାପତି ତଥା ବରିଷ୍ଠ ନେତା ଦେବୀ ମିଶ୍ର, ସ୍ନେହାଙ୍ଗିତୀ ଛୁରିଆ, ସାଂସଦ ସସ୍କିତ ପାତ୍ର ଏବଂ ପ୍ରିୟବ୍ରତ ମାଝୀ ପ୍ରମୁଖ ଗଣମାଧ୍ୟମକୁ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା ଦେଇଥିଲେ ।

ରାଜ୍ୟର ପ୍ରତ୍ୟେକ ପରିବାର ପାଖରେ ପହଁଚିବ ବିଜେଡି । ଘରେ ଘରେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ । ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ଏଭଳି ଏକ ବଡ କାର୍ଯ୍ୟକ୍ରମ ହାତକୁ ନେଇଛି ବିଜେଡି । ଆସନ୍ତା ଡିସେମ୍ବର ୨୬ରେ ବିଜେଡି ଦଳ ପ୍ରତିଷ୍ଠାକୁ ୨୬ ବର୍ଷ ପୂରିବ । ଦଳର ଏହି ୨୭ତମ ପ୍ରତିଷ୍ଠା ଦିବସକୁ ଲକ୍ଷ୍ୟରେ ରଖି ଜନସମ୍ପର୍କ ପଦଯାତ୍ରା ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେବ । ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀସ୍ତରରେ ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା ପାଳନ କରାଯିବ ।

ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଅକ୍ଟୋବର ୧୨ ତାରିଖରୁ ପ୍ରତିଷ୍ଠା ଦିବସ ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ଜୋନ୍ ଓ ପୌରଞ୍ଚଳ ସ୍ତରରେ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ । ପରେ ପ୍ରତ୍ୟେକ ଓ୍ବାର୍ଡରେ ବିଜେଡି ସରକାରର ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତା ପହଞ୍ଚାଇବେ ବିଜେଡି ନେତା କର୍ମୀ । ଏହା ସହ ରକ୍ତଦାନ ଶିବିର, ବୃକ୍ଷରୋପଣ ଭଳି ସାମାଜିକ ଓ ପରିବେଶ ପ୍ରତିବନ୍ଧତାର କାର୍ଯ୍ୟକ୍ରମ କରାଯିବ । ଡିସେପମ୍ବର ୨୬ରେ ଦଳର ପ୍ରତିଷ୍ଠା ଦିବସ ସବୁ ନିର୍ବାଚନମଣ୍ଡଳୀରେ ପାଳନ କରାଯିବ । ଏହି ଅବସରରେ ଓଡ଼ିଶାର ସଂଗ୍ରାମୀ ଓ ବୀରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବା ସହ ଓଡ଼ିଶା ବିକାଶକୁ ଶୀର୍ଷ ସ୍ଥାନକୁ ନେବା ପାଇଁ ସଙ୍କଳ୍ପ ନିଆଯିବ । ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିଙ୍କ ତତ୍ବାବଧନାରେ ଏହି ପଦଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିଚାଳିତ ହେବ ।

ଏହି ବିରାଟ ସାଙ୍ଗଠନିକ କାର୍ଯ୍ୟକ୍ରମରେ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ନିର୍ବାଚିତ ପଂଚାୟତ ଓ ପୌର ପ୍ରତିନିଧି, ମହିଳା, ଯୁବ ଓ ଛାତ୍ର ତିନି ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ସହ ଦଳର ସବୁ ବର୍ଗର ନେତା ସାମିଲ ହେବେ । ଦଳର ପ୍ରତିଷ୍ଠା ପାଇଁ ହୋଇଥିବା ଏହି ବିରାଟ ଜନ ସମ୍ପର୍କ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ପର୍ଯ୍ୟବେକ୍ଷକ, ସଂଯୋଜକ, ସାଂସଦ, ବିଧାୟକ, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି ଓ ଛାମୁଆ ସଂଗଠନର ରାଜ୍ୟ ସଭାପତିଙ୍କୁ ଚିଠି ଲେଖିଛନ୍ତି ।