spot_img
Home Blog Page 2583

ଏସିଆନ ଗେମ୍‌ସରେ ଭାରତର ମେଡାଲ ବର୍ଷା, ପଦକ ସଂଖ୍ୟା ୧୯ କୁ ବୃଦ୍ଧି

ନୂଆଦିଲ୍ଲୀ  ଏସିଆନ୍ ଗେମ୍ସରେ ଗୋଟିଏ ପରେ ଗୋଟିଏ ମେଡାଲ ଜିତୁଛି ଭାରତ । ୪ର୍ଥ ଦିନ ଆରମ୍ଭରୁ ଭାରତ ୨ଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ଜିତି ଦେଶ ପାଇଁ ଗର୍ବ ଆଣିଛନ୍ତି । ମହିଳା ସୁଟିଂରେ ସ୍ୱର୍ଣ୍ଣ ଜିତିଛନ୍ତି ସୁଟର ସିଫ୍ତ କୌର ସାମ୍ରା। ଏହି ବିଜୟ ସହ ଭାରତର ସ୍ୱର୍ଣ୍ଣ ସଂଖ୍ୟା ୫ରେ ପହଞ୍ଚିଛି ।

୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ସଫଳତା ପାଇଛନ୍ତି ସାମ୍ରା। ସମାନ ଇଭେଣ୍ଟରେ ମଧ୍ୟ ବ୍ରୋଞ୍ଜ ବିଜୟୀ ହୋଇଛନ୍ତି ଆଶି ଚୌକଶି। ୫ ସ୍ୱର୍ଣ୍ଣ, ୫ ରୌପ୍ୟ, ୯ ବ୍ରୋଞ୍ଜ ସହ ଭାରତର ପଦକ ସଂଖ୍ୟା ୧୯ରେ ପହଞ୍ଚିଛି। ଇଭେଣ୍ଟର ପଞ୍ଚମ ଦିନ ଅର୍ଥାତ୍ ଆଜି ମଧ୍ୟ ଭାରତ ଆଉ ଏକ ସ୍ୱର୍ଣ୍ଣ ଜିତିଥିଲା।  ମହିଳା ୨୫ମିଟର ପିସ୍ତଲ ଟିମ୍ ଇଭେଣ୍ଟରେ ସୂର୍ଣ୍ଣ ଜିତିଥିଲେ ମାନୁ ଭାକର, ଇଶା ସିଂହ ଓ ଆର୍ ସାଙ୍ଗୱାନ୍। ଆୟୋଜକ ଟିମ୍ ଚୀନକୁ ହରାଇ ଏହି ବିଜୟ ହାସଲ କରିଥିଲେ ମହିଳା ଟିମ୍।

ବାହାଘର ଭୋଜିରେ ବଡ଼ ଅଘଟଣ , ୧୧୩ରୁ ଅଧିକ ଜୀବନ୍ତ ଦଗ୍ଧ

ବାଗଦାଦ:  ବାହାଘର ଉତ୍ସବରେ ଅଗ୍ନି ତାଣ୍ଡବ । ୧୧୩ରୁ ଅଧିକ ଲୋକଙ୍କ ମୃତ୍ୟୁ, ୧୫୦ରୁ ଅଧିକ ଆହତ । ଇରାକ ସହରର ହାମ୍‌ଦାନିୟା ଘଟିଥିବା ଏହି ଭୟାନକ ଅଗ୍ନିକାଣ୍ଡ ସାରା ଦେଶରେ ଶୋକର ବାତାବରଣ ସୃଷ୍ଟି କରିଛି । ନିନେଭ ଡେପୁଟି ଗଭର୍ଣ୍ଣର ହାସନ ଅଲ ଅଲାକ କହିଛନ୍ତି- ମଙ୍ଗଳବାର ରାତି ପ୍ରାୟ ୧୦ଟା ୪୫ରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୧୧୩ ଲୋକଙ୍କ ମୃତ୍ୟୁ ଘଟିଛି । ମୃତାହତଙ୍କ ସଂଖ୍ୟା ବହୁ ଅଧିକ ହେବାର ଆଶଙ୍କା ରହିଛି ।

ଗତକାଲି ନିନେଭ ଅନ୍ତର୍ଗତ ହାମଦାନିୟାରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହେଉଥିଲା । ତେବେ ଏକ ହଲରେ ଆୟୋଜିତ ହେଉଥିବା ଏହି ବିବାହ ଉତ୍ସବରେ ବାଣ ଫୁଟାଇବା କାରଣରୁ ସେଠାରେ ନିଆଁ ଲାଗିଯାଇଥିଲା । ତୁରନ୍ତ ସେଠାରେ ଆମ୍ବୁଲାନ୍ସ ଓ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ନିରାପତ୍ତାକୁ ଗୁରୁତ୍ବ ଦିଆଯାଇଥିବାବେଳେ ସମସ୍ତ ଆସବାବପତ୍ର ପୋଡିଯାଇଥିବା ସୂଚନା ମିଳିଛି । ଉତ୍ସବରେ ପ୍ରାୟ ୧ ହଜାର ଲୋକ ଉପସ୍ଥିତ ଥିବା ସୂଚନା ମିଳିଛି ।

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବଳି ବାମନ ବେଶ

ପୁରୀ : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଳି ବାମନ ବେଶ ଅନୁଷ୍ଠିତ ହେବ | ବାମନ ବେଶରେ ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବାକୁ ଥିବା ବେଳେ ବଡ଼ଭାଇ ଶ୍ରୀବଳଭଦ୍ର ବଳି ରାଜ ବେଶ ଧାରଣ କରିବା ସହ ଦେବୀ ସୁଭଦ୍ରା ରାଜା ବଳିଙ୍କ ପତ୍ନୀ ବିନ୍ଧ୍ୟା ବଳି ବେଶରେ ସଜ୍ଜିତ ହେବେ | ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦ୍ବିପ୍ରହର ଧୂପ ବଢିବା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବାମନ ବେଶରେ ସଜ୍ଜିତ କରାଯିବ ।

ବଡ଼ସିଂହାର ବେଶ ପର୍ଯ୍ୟନ୍ତ ଏହି ବେଶ ରହିବାକୁ ଥିବା ବେଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସ୍ୱର୍ଣ୍ଣ ଅଳଙ୍କାର ବିଭୂଷିତ କରାଯିବ । ମହାପ୍ରଭୁ ବିଷ୍ଣୁ ପଞ୍ଚମ ଅବତାରରେ ବାମନ ରୂପ ନେଇ ବଳି ମହାରାଜାଙ୍କୁ ପାତାଳରେ ଚାପି ଦେଇଥିଲେ। ମହାପ୍ରଭୁଙ୍କ ଦଶ ଅବତାର ମଧ୍ୟରୁ ପଞ୍ଚମ ଅବତାର ହେଉଛି ବାମନ ଅବତାର । ଏହି ବେଶ ରମଣିୟ ହୋଇଥିବା ବେଳେ ପୁଷ୍ପାଳକ ଓ ସିଂହାରୀ ସେବକ ମହାପ୍ରଭୁଙ୍କୁ ଏହି ବେଶରେ ବିଭୂଷିତ କରିବେ।

ବିଶ୍ୱ ପର୍ଯ୍ୟଟନ ଦିବସରେ ରାଜଧାନୀରେ ସୁପର ବାଇକ ରାଲି

ଭୁବନେଶ୍ୱର : ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । ଏହି ଅବସରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ସୁପର ବାଇକ ରାଲିର ଆୟୋଜନ ହୋଇଥିଲା । ସ୍ଯାଣ୍ଡି ଟାଓ୍ବାର ନିକଟରୁ ଏହି ସୁପର ବାଇକ ରାଲିର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱରରୁ ଏହି ସୁପର ବାଇକ ରାଲି ବାହାରି କଟକସ୍ଥିତ ସିଲଭର ସିଟି ବୋଟ କ୍ଲବ ପର୍ଯ୍ୟନ୍ତ ଯାଇଥିଲା ।

ଏହି ରାଲିରେ କଳିଙ୍ଗ ରାଇଡର୍ସର ୧୫୦ରୁ ଉର୍ଦ୍ଧ ବାଇକର୍‌ ଅଂଶଗ୍ରହଣ କରିଥିଲେ। ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଲେଲିନ ମହାନ୍ତି, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଏମସି କମିଶନର ବୈଜୟ ଅମୃତା କୁଲାଙ୍ଗେ, ଖୋର୍ଦ୍ଧା ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ଭଞ୍ଜ କଳା ମଣ୍ଡପ ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ତୃତୀୟ ଦିନିକିଆ , କ୍ଲିନ ସୁଇପ ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ତୃତୀୟ ଦିନିକିଆ ଖେଳାଯିବ । ରାଜକୋଟରେ ଉଭୟ ଦଳ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୧.୩୦ ରେ ଆରମ୍ଭ ହେବ । ତେବେ ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଓପନର୍ ଶୁବମନ ଗିଲ, ବୋଲର ମହମ୍ମଦ ଶାମି, ଶାର୍ଦ୍ଦୁଲ ଠାକୁର ଓ ଅକ୍ଷର ପଟେଲ ପ୍ଲେଇଂ ଇଲେଭେନର ଅଂଶ ହେବେ ନାହିଁ । ଏମାନଙ୍କ ବିନା ଭାରତୀୟ ଟିମ୍‌ ଆଜି ପଡ଼ିଆକୁ ଓହ୍ଲାଇବ । ତେବେ ବିରାଟ କୋହଲ ଓ ରୋହିତ ଶର୍ମା ଟିମ୍‌ରେ ସାମିଲ ହେବେ ।

ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ସିରିଜର ପ୍ରଥମ ୨ଟି ମ୍ୟାଚରେ ମଧ୍ୟ ପ୍ଲେଇଂ ଇଲେଭେନରେ ଅଂଶ ନଥିଲେ । କିନ୍ତୁ ଆଜିର ମ୍ୟାଚ୍ ପାଇଁ ପ୍ଲେଇଂ ଇଲେଭେନରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ଭାରତୀୟ ଦଳକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଇନ୍ଦୋର ଦିନିକିଆରେ ଶୁବମନ ଗିଲ ଏକ ଚମତ୍କାର ଶତକ ହାସଲ କରିଥିଲେ । ଏହି ମ୍ୟାଚ୍‌ରେ ଶୁବମନ ଗିଲ ୯୭ ବଲରେ ୧୦୪ ରନର ଏକ ଇନିଂସ ଖେଳିଥିଲେ । ଆଜିର ମ୍ୟାଚ ଜିତି ଭାରତ ସିରିଜ କ୍ଲିନ ସୁଇପ କରିବାକୁ ଲକ୍ଷ୍ୟ ରଖିଛି । ଅଷ୍ଟ୍ରେଲିଆ ମଧ୍ୟ ମ୍ୟାଚ ଜିତି ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ ।

ଆଜି ସୁପ୍ରିମକୋର୍ଟରେ ଚନ୍ଦ୍ରବାବୁ ନାଇଡୁଙ୍କ ଆବେଦନର ଶୁଣାଣି

ନୂଆଦିଲ୍ଲୀ : ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଆଜି ସୁପ୍ରିମକୋର୍ଟରେ ଚନ୍ଦ୍ରବାବୁ ନାଇଡୁଙ୍କ ଆବେଦନର ଶୁଣାଣି ହେବ । ହାଇକୋର୍ଟ ଆଦେଶ ବିରୋଧରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି । ଏହି ମାମଲାରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍ଆଇଆର୍ ଓ ରିମାଣ୍ଡ ଅର୍ଡର ରଦ୍ଦ ନେଇ ଶୁଣାଣି ହେବ । ଗତକାଲି ମାମଲାର ଶୁଣାଣି ହୋଇଥିଲେ ମଧ୍ୟ କୋର୍ଟ ଆସନ୍ତାକାଲି ଆସନ୍ତୁ ବୋଲି କହିଥିଲେ । ପୂର୍ବରୁ ତାଙ୍କ ଆବେଦନ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଶୁକ୍ରବାର ଖାରଜ କରିଦେଇଥିଲେ ।

ହାଇକୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଚନ୍ଦ୍ରବାବୁ ନାଇଡୁ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ସିଆଇଡି ପକ୍ଷରୁ ହାଇକୋର୍ଟରେ ଯୁକ୍ତି କରାଯାଇଥିଲା ଯେ ଦୁର୍ନୀତି ନିବାରଣ ଆଇନର ଧାରା ୧୭-ଏ ଚନ୍ଦ୍ରବାବୁଙ୍କ ବିରୋଧରେ ଲାଗୁ ହୋଇଛି । କିନ୍ତୁ ନାଇଡୁଙ୍କ ପିଟିସନରେ ଏସିବି କୋର୍ଟ ଦେଇଥିବା ରିମାଣ୍ଡ ଆଦେଶକୁ ମଧ୍ୟ ରଦ୍ଦ କରିବାକୁ ଦାବି କରାଯାଇଥିଲା । ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ସେପ୍ଟେମ୍ବର ୯ରେ ନାଇଡୁଙ୍କୁ ଗିରଫ କରାଯାଇଥିଲା । ଏହା ପରେ ବିଜୟୱାଡା କୋର୍ଟ ତାଙ୍କୁ ୧୪ ଦିନ ଜେଲ ପଠାଇଥିଲେ। ଏହି ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ରାଜ୍ୟ ସରକାରଙ୍କ ୩୦୦ କୋଟି କ୍ଷତି ହୋଇଥିବା ଅଭିଯୋଗ ହୋଇଛି ।

ପୁଣି ଅଶାନ୍ତ ମଣିପୁର, ଅକ୍ଟୋବର ପହିଲା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ

ଇମ୍ଫାଲ : ଦୁଇ ଜଣ ଶିକ୍ଷାର୍ଥୀଙ୍କ ମୃତଦେହର ଫଟୋ ଭାଇରାଲ ହେବା ପରେ ପୁଣି ଥରେ ଅଶାନ୍ତ ହୋଇପଡ଼ିଛି ମଣିପୁର । ଏଥିପାଇଁ ମଣିପୁରରେ ମୋବାଇଲ ଇଣ୍ଟରନେଟ ସେବାକୁ ବ୍ୟାନ କରି ଦିଆଯାଇଛି । ମାତ୍ର ୨ ଦିନ ତଳେ ମଣିପୁରରେ ଇଣ୍ଟରନେଟ ସେବା ସ୍ୱାଭାବିକ ହୋଇଥିଲା। ହେଲେ ପୁଣିଥରେ ଏହା ଉପରେ ଲଗାଯାଇଛି । ଅସ୍ଥାୟୀ ଭାବେ ମୋବାଇଲ ଇଣ୍ଟନନେଟ ସେବାକୁ ବନ୍ଦ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଅକ୍ଟୋବର ୧ ତାରିଖ କାର୍ଯ୍ୟକାରୀ ହେବ। ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ମଣିପୁର ସ୍ଥିତି ବେହାଲ ହୋଇଥିଲା ।

ଏଥିପାଇଁ ମେ’ ମାସ ଆରମ୍ଭରୁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା । କିନ୍ତୁ ଧୀରେଧୀରେ ସ୍ଥିତି ସ୍ୱାଭାବିକ ହେବାରୁ ଦୁଇ ଦିନ ତଳେ ହିଁ ଇଣ୍ଟରନେଟ ସେବା ଆରମ୍ଭ ହୋଇଥିଲା । କିନ୍ତୁ ଦୁଇ ଜଣ ଶିକ୍ଷାର୍ଥୀଙ୍କ ମୃତଦେହର ଫଟୋ ଭାଇରାଲ ହେବାରୁ ରାଜ୍ୟରେ ବିକ୍ଷୋଭ ଦେଖାଯାଇଥିଲା । ରାଜ୍ୟର ଜଣେ ଛାତ୍ର ଓ ଆଉ ଜଣେ ଛାତ୍ରୀଙ୍କୁ ଅପହରଣ କରିବା ପରେ ନିର୍ମମ ଭାବେ ହତ୍ୟା କରାଯାଇଛି ।

ଏହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ନ୍ୟାୟ ପାଇଁ ଶିକ୍ଷାର୍ଥୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ଶିକ୍ଷାର୍ଥୀମାନେ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ବାସଭବନ ଆଡ଼କୁ ଶୋଭାଯାତ୍ରା କରିବାର ଥିଲା । କିନ୍ତୁ ସେମାନଙ୍କୁ ସୁରକ୍ଷାକର୍ମୀମାନେ ଅଟକାଇବାରୁ ସ୍ଥିତି ବେକାବୁ ହୋଇଥିଲା । ବିକ୍ଷୋଭକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା ।

ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ, ଆଜି ଗୃହ କାର୍ଯ୍ୟ ସ୍ବାଭାବିକ ନେଇ ଆଶା

ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ଆଜି ରହିଛି ବିଭିନ୍ନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ।  କୃଷି କୃଷକ ଶସକ୍ତିକରଣ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା, ସମବାୟ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଆଜି ପ୍ରଶ୍ନକାଳ ରହିଛି । ତିନିଦିନ ଧରି ଗୃହ ସ୍ବାଭାବିକ ଭାବେ ଚାଲିପାରୁନାହିଁ । ମୁଖ୍ୟ ବିରୋଧୀ ବିଜେପି ଗୃହରେ ହଟଗୋଳ ନାରାବାଜି କରି ଗୃହକୁ ଚଳାଇ ଦେଉନଥିବା ଅଭିଯୋଗ ହୋଇଆସୁଛି । ଫଳରେ ପ୍ରଶ୍ନକାଳ, ଶୁନ୍ୟ କାଳ, ଓ ମୁଲତବି ପ୍ରସ୍ତାବ ଆଲୋଚନା ହୋଇପାରୁନାହିଁ । ଯାହାକୁ ନେଇ କଂଗ୍ରେସ ଓ ବିଜେଡି, ବିଜେପିକୁ ଦାୟୀ କରିଛନ୍ତି । ତେଣୁ ଆଜି ଗୃହ ସ୍ବାଭାବିକ ଭାବେ ଚାଲିପାରିବ କି ନାହିଁ ସେନେଇ ସନ୍ଦେହ ଦେଖାଦେଇଛି

ପୁଷ୍ଟିହୀନତାର ମୁକାବିଲା ଏବଂ ଖାଦ୍ୟ ନିରାପତ୍ତା ସୃଷ୍ଟିରେ ଆଗରେ ଓଡ଼ିଶା

ଭୁବନେଶ୍ବର: ପୁଷ୍ଟିହୀନତାର ମୁକାବିଲା ଏବଂ ଖାଦ୍ୟ ନିରାପତ୍ତା ସୃଷ୍ଟିରେ ଆଗରେ ଓଡ଼ିଶା । ଏହି ସଫଳତାକୁ ନେଇ ଅଭିଜ୍ଞତା ବାଣ୍ଟିବ ରାଜ୍ୟ । ଏହାର ଶିକ୍ଷା ଗ୍ରହଣ ପାଇଁ ଓଡ଼ିଶା ଗସ୍ତରେ ଅଛନ୍ତି ନାଇଜେରିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଓଡିଶାରେ ପ୍ରସ୍ତୁତ ଭିଟାମିନ୍ ଯୁକ୍ତ ପୁଷ୍ଟି ବର୍ଦ୍ଧକ  ଚାଉଳ ପ୍ରସ୍ତୁତି, ସଂରକ୍ଷଣ ଓ ବ୍ୟବହାର ସଂପର୍କରେ ଏହି ପ୍ରତିନିଧି ଦଳ ଶିକ୍ଷା ଗ୍ରହଣ କରିବ  । ଡବ୍ଲ୍ୟୁଏଫପି ସହାୟତାରେ ଏହି ୧୩ ଜଣିଆ ଟିମ୍ ଓଡ଼ିଶା ଆସିଛନ୍ତି  । ନାଇଜେରିଆ ସରକାର ଖାଦ୍ୟକୁ  ଅଣୁ ପୁଷ୍ଟିସାରଯୁକ୍ତ କରିବା  ପାଇଁ ଏକ ଜାତୀୟ ରଣନୀତି ଉପରେ ଗୁରୁତ୍ବ ଦେଉଛନ୍ତି ।

ଏହି ରଣନୀତି ଅନୁଯାୟୀ ଦେଶର ଅନ୍ୟତମ ପ୍ରଧାନ ଖାଦ୍ୟ ଚାଉଳକୁ  ଭିଟାମିନ୍ ଯୁକ୍ତ ପୁଷ୍ଟି ବର୍ଦ୍ଧକ କରିବାକୁ  ଯାଉଛନ୍ତି । ଭାରତର ଚାଉଳ ଫର୍ଟିଫିକେସନ୍ ପ୍ରକ୍ରିୟା କାର୍ଯ୍ୟକାରିତା ଅଭିଜ୍ଞତା ନାଇଜେରିଆ ପାଇଁ ଏକ ମୂଲ୍ୟବାନ ଉଦାହରଣ ପାଲଟିଛି । ଏନେଇ ପୁଷ୍ଟି ବର୍ଦ୍ଧକ  ଚାଉଳ ପ୍ରସ୍ତୁତି, ସଂରକ୍ଷଣ ଓ ବ୍ୟବହାର ଜ୍ଞାନ ଆହରଣ ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ପ୍ରତିନିଧିଦଳ । ଏହି ପ୍ରତିନିଧି ଦଳ ଆଜି ଲୋକସେବା ଭବନରେ ଓଡ଼ିଶାର ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କୁ ଭେଟି ଆଲୋଚନା କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମୟ ସୀମାର ଏକ ବର୍ଷ ପୂର୍ବରୁ ଓଡ଼ିଶା ସମସ୍ତ ଖାଦ୍ୟଭିତ୍ତିକ ଯୋଜନାରେ ରାଜ୍ୟବ୍ୟାପୀ ଫର୍ଟିଫାଇଡ୍ ଚାଉଳର ସମ୍ପୂର୍ଣ୍ଣ ପ୍ରଚଳନ କରିଛି ।

୨୦୧୨ ମସିହାରେ ଗଜପତି ଜିଲ୍ଲାରେ ଓଡ଼ିଶା ଦେଶରେ  ପ୍ରଥମ କରି ଭିଟାମିନ୍ ଯୁକ୍ତ ପୁଷ୍ଟି ବର୍ଦ୍ଧକ ଚାଉଳ ପ୍ରସ୍ତୁତି ପାଇଁ ପଦକ୍ଷେପ ନେଇ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲା । ବିଶେଷକରି କୁପୋଷଣର ମୁକାବିଲା ଓ ଖାଦ୍ୟ ନିରାପତ୍ତା ସୃଷ୍ଟି ଦିଗରେ ରାଜ୍ୟ ସରକାର ନିଜର ଅଭିଜ୍ଞତା ଓ ଶିକ୍ଷା ବାଣ୍ଟିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଉନ୍ନୟନ କମିଶନର ବୈଠକରେ ପ୍ରକାଶ କରିଥିଲେ। ଲୋକସେବା ଭବନରେ ଆୟୋଜିତ ବୈଠକରେ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର  ପ୍ରମୁଖ ଶାସନ ସଚିବ  ବୀର ବିକ୍ରମ ଯାଦବ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା  ବିଭାଗ ଏବଂ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଅନ୍ତର୍ଜାତୀୟ ସମ୍ମିଳନୀରେ ମହକୁଛି କୋରାପୁଟ କଫି

0

ବାଙ୍ଗାଲୋର: ଅନ୍ତର୍ଜାତୀୟ ସମ୍ମିଳନୀରେ ମହକୁଛି କୋରାପୁଟ କଫି। ବେଙ୍ଗାଲୁରୁରେ ଆୟୋଜିତ ପଞ୍ଚମ ଅନ୍ତର୍ଜାତୀୟ କଫି ସମ୍ମିଳନୀରେ ଭାଗ ନେଇଛନ୍ତି କୋରାପୁଟ ଜିଲ୍ଲାର କଫି ବ୍ୟବସାୟୀ । ଇଣ୍ଟରନ୍ୟାସନାଲ୍ କଫି ଅର୍ଗାନାଇଜେସନ, କଫି ବୋର୍ଡ ଅଫ ଇଣ୍ଡିଆ ଓ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ଆୟୋଜିତ ହେଉଛି ଏହି ଉଚ୍ଚସ୍ତରୀୟ ସମ୍ମିଳନୀ । ଓଡ଼ିଶା କଫି ବ୍ୟବସାୟକୁ ଆଉ ପାଦେ ଆଗକୁ ନେବା ପାଇଁ ଏହି ସମ୍ମିଳନୀ ବେଶ୍‌ ଗୁରୁତ୍ବପୂର୍ଣ୍ଣ ପାଲଟିଛି ।  ସମ୍ମିଳନୀରେ ୮୦ଟି ଦେଶର କଫି ଉଦ୍ୟୋଗୀ ଯୋଗଦେଇଛନ୍ତି । ଏହା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହି ସମ୍ମିଳନୀ ଓ ପ୍ରଦର୍ଶନୀରେ ୧୦ ହଜାରରୁ ଊର୍ଦ୍ଧ୍ବ ଅନ୍ତର୍ଜାତୀୟ ଓ ଭାରତୀୟ ପର୍ଯ୍ୟଟକ ଭାଗ ନେଉଛନ୍ତି । ଭାରତ ବର୍ଷରେ ଗତ ୨୦୦ ବର୍ଷ ଧରି କଫି ଚାଷ ତଥା ବଜାର ସୃଷ୍ଟି ହୋଇଛି । ଏହି ବଜାରକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଚେଷ୍ଟା ଆରମ୍ଭ ହୋଇଛି । କୋରାପୁଟ ଜିଲ୍ଲାରେ ଗତ ୩୫ ବର୍ଷ ଧରି କଫି ଚାଷ କରାଯାଉଛି । କୋରାପୁଟର କଫି ବଜାରରେ ଏକ ନୂତନ ପରିଚୟ ସୃଷ୍ଟି ହୋଇପାରିଛି । କୋରାପୁଟ କଫି ଉଦ୍ୟୋଗୀ କଫି ଦାନାରୁ କଫି ଗୁଣ୍ଡ ପ୍ରସ୍ତୁତ କରି ଜାତୀୟ ତଥା ଅନ୍ତର୍ଜାତିୟ ବଜାରରେ ଖ୍ୟାତି ଅର୍ଜନ କରିପାରିଛନ୍ତି । କୋରାପୁଟ ମାଟିର ଉର୍ବରତା, ଅନୁକୂଳ ପାଣିପାଗର ପ୍ରଭାବ ଯୋଗୁଁ କୋରାପୁଟର କଫି ବିଶ୍ବ ଦରବାରରେ ଆଦୃତ ହୋଇପାରିଛି । ବେଙ୍ଗାଲୁରୁରେ ପଞ୍ଚମ ଆନ୍ତର୍ଜାତୀୟ କଫି ସମ୍ମିଳନୀ ଆୟୋଜିତ ହେଉଛି ।