ଅନ୍ତର୍ଜାତୀୟ ସମ୍ମିଳନୀରେ ମହକୁଛି କୋରାପୁଟ କଫି

ବାଙ୍ଗାଲୋର: ଅନ୍ତର୍ଜାତୀୟ ସମ୍ମିଳନୀରେ ମହକୁଛି କୋରାପୁଟ କଫି। ବେଙ୍ଗାଲୁରୁରେ ଆୟୋଜିତ ପଞ୍ଚମ ଅନ୍ତର୍ଜାତୀୟ କଫି ସମ୍ମିଳନୀରେ ଭାଗ ନେଇଛନ୍ତି କୋରାପୁଟ ଜିଲ୍ଲାର କଫି ବ୍ୟବସାୟୀ । ଇଣ୍ଟରନ୍ୟାସନାଲ୍ କଫି ଅର୍ଗାନାଇଜେସନ, କଫି ବୋର୍ଡ ଅଫ ଇଣ୍ଡିଆ ଓ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ଆୟୋଜିତ ହେଉଛି ଏହି ଉଚ୍ଚସ୍ତରୀୟ ସମ୍ମିଳନୀ । ଓଡ଼ିଶା କଫି ବ୍ୟବସାୟକୁ ଆଉ ପାଦେ ଆଗକୁ ନେବା ପାଇଁ ଏହି ସମ୍ମିଳନୀ ବେଶ୍‌ ଗୁରୁତ୍ବପୂର୍ଣ୍ଣ ପାଲଟିଛି ।  ସମ୍ମିଳନୀରେ ୮୦ଟି ଦେଶର କଫି ଉଦ୍ୟୋଗୀ ଯୋଗଦେଇଛନ୍ତି । ଏହା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହି ସମ୍ମିଳନୀ ଓ ପ୍ରଦର୍ଶନୀରେ ୧୦ ହଜାରରୁ ଊର୍ଦ୍ଧ୍ବ ଅନ୍ତର୍ଜାତୀୟ ଓ ଭାରତୀୟ ପର୍ଯ୍ୟଟକ ଭାଗ ନେଉଛନ୍ତି । ଭାରତ ବର୍ଷରେ ଗତ ୨୦୦ ବର୍ଷ ଧରି କଫି ଚାଷ ତଥା ବଜାର ସୃଷ୍ଟି ହୋଇଛି । ଏହି ବଜାରକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଚେଷ୍ଟା ଆରମ୍ଭ ହୋଇଛି । କୋରାପୁଟ ଜିଲ୍ଲାରେ ଗତ ୩୫ ବର୍ଷ ଧରି କଫି ଚାଷ କରାଯାଉଛି । କୋରାପୁଟର କଫି ବଜାରରେ ଏକ ନୂତନ ପରିଚୟ ସୃଷ୍ଟି ହୋଇପାରିଛି । କୋରାପୁଟ କଫି ଉଦ୍ୟୋଗୀ କଫି ଦାନାରୁ କଫି ଗୁଣ୍ଡ ପ୍ରସ୍ତୁତ କରି ଜାତୀୟ ତଥା ଅନ୍ତର୍ଜାତିୟ ବଜାରରେ ଖ୍ୟାତି ଅର୍ଜନ କରିପାରିଛନ୍ତି । କୋରାପୁଟ ମାଟିର ଉର୍ବରତା, ଅନୁକୂଳ ପାଣିପାଗର ପ୍ରଭାବ ଯୋଗୁଁ କୋରାପୁଟର କଫି ବିଶ୍ବ ଦରବାରରେ ଆଦୃତ ହୋଇପାରିଛି । ବେଙ୍ଗାଲୁରୁରେ ପଞ୍ଚମ ଆନ୍ତର୍ଜାତୀୟ କଫି ସମ୍ମିଳନୀ ଆୟୋଜିତ ହେଉଛି ।