ଆଜି ସୁପ୍ରିମକୋର୍ଟରେ ଚନ୍ଦ୍ରବାବୁ ନାଇଡୁଙ୍କ ଆବେଦନର ଶୁଣାଣି

1 min read

ନୂଆଦିଲ୍ଲୀ : ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଆଜି ସୁପ୍ରିମକୋର୍ଟରେ ଚନ୍ଦ୍ରବାବୁ ନାଇଡୁଙ୍କ ଆବେଦନର ଶୁଣାଣି ହେବ । ହାଇକୋର୍ଟ ଆଦେଶ ବିରୋଧରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି । ଏହି ମାମଲାରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍ଆଇଆର୍ ଓ ରିମାଣ୍ଡ ଅର୍ଡର ରଦ୍ଦ ନେଇ ଶୁଣାଣି ହେବ । ଗତକାଲି ମାମଲାର ଶୁଣାଣି ହୋଇଥିଲେ ମଧ୍ୟ କୋର୍ଟ ଆସନ୍ତାକାଲି ଆସନ୍ତୁ ବୋଲି କହିଥିଲେ । ପୂର୍ବରୁ ତାଙ୍କ ଆବେଦନ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଶୁକ୍ରବାର ଖାରଜ କରିଦେଇଥିଲେ ।

ହାଇକୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଚନ୍ଦ୍ରବାବୁ ନାଇଡୁ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ସିଆଇଡି ପକ୍ଷରୁ ହାଇକୋର୍ଟରେ ଯୁକ୍ତି କରାଯାଇଥିଲା ଯେ ଦୁର୍ନୀତି ନିବାରଣ ଆଇନର ଧାରା ୧୭-ଏ ଚନ୍ଦ୍ରବାବୁଙ୍କ ବିରୋଧରେ ଲାଗୁ ହୋଇଛି । କିନ୍ତୁ ନାଇଡୁଙ୍କ ପିଟିସନରେ ଏସିବି କୋର୍ଟ ଦେଇଥିବା ରିମାଣ୍ଡ ଆଦେଶକୁ ମଧ୍ୟ ରଦ୍ଦ କରିବାକୁ ଦାବି କରାଯାଇଥିଲା । ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ସେପ୍ଟେମ୍ବର ୯ରେ ନାଇଡୁଙ୍କୁ ଗିରଫ କରାଯାଇଥିଲା । ଏହା ପରେ ବିଜୟୱାଡା କୋର୍ଟ ତାଙ୍କୁ ୧୪ ଦିନ ଜେଲ ପଠାଇଥିଲେ। ଏହି ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ରାଜ୍ୟ ସରକାରଙ୍କ ୩୦୦ କୋଟି କ୍ଷତି ହୋଇଥିବା ଅଭିଯୋଗ ହୋଇଛି ।