ପୁଷ୍ଟିହୀନତାର ମୁକାବିଲା ଏବଂ ଖାଦ୍ୟ ନିରାପତ୍ତା ସୃଷ୍ଟିରେ ଆଗରେ ଓଡ଼ିଶା

ଭୁବନେଶ୍ବର: ପୁଷ୍ଟିହୀନତାର ମୁକାବିଲା ଏବଂ ଖାଦ୍ୟ ନିରାପତ୍ତା ସୃଷ୍ଟିରେ ଆଗରେ ଓଡ଼ିଶା । ଏହି ସଫଳତାକୁ ନେଇ ଅଭିଜ୍ଞତା ବାଣ୍ଟିବ ରାଜ୍ୟ । ଏହାର ଶିକ୍ଷା ଗ୍ରହଣ ପାଇଁ ଓଡ଼ିଶା ଗସ୍ତରେ ଅଛନ୍ତି ନାଇଜେରିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଓଡିଶାରେ ପ୍ରସ୍ତୁତ ଭିଟାମିନ୍ ଯୁକ୍ତ ପୁଷ୍ଟି ବର୍ଦ୍ଧକ  ଚାଉଳ ପ୍ରସ୍ତୁତି, ସଂରକ୍ଷଣ ଓ ବ୍ୟବହାର ସଂପର୍କରେ ଏହି ପ୍ରତିନିଧି ଦଳ ଶିକ୍ଷା ଗ୍ରହଣ କରିବ  । ଡବ୍ଲ୍ୟୁଏଫପି ସହାୟତାରେ ଏହି ୧୩ ଜଣିଆ ଟିମ୍ ଓଡ଼ିଶା ଆସିଛନ୍ତି  । ନାଇଜେରିଆ ସରକାର ଖାଦ୍ୟକୁ  ଅଣୁ ପୁଷ୍ଟିସାରଯୁକ୍ତ କରିବା  ପାଇଁ ଏକ ଜାତୀୟ ରଣନୀତି ଉପରେ ଗୁରୁତ୍ବ ଦେଉଛନ୍ତି ।

ଏହି ରଣନୀତି ଅନୁଯାୟୀ ଦେଶର ଅନ୍ୟତମ ପ୍ରଧାନ ଖାଦ୍ୟ ଚାଉଳକୁ  ଭିଟାମିନ୍ ଯୁକ୍ତ ପୁଷ୍ଟି ବର୍ଦ୍ଧକ କରିବାକୁ  ଯାଉଛନ୍ତି । ଭାରତର ଚାଉଳ ଫର୍ଟିଫିକେସନ୍ ପ୍ରକ୍ରିୟା କାର୍ଯ୍ୟକାରିତା ଅଭିଜ୍ଞତା ନାଇଜେରିଆ ପାଇଁ ଏକ ମୂଲ୍ୟବାନ ଉଦାହରଣ ପାଲଟିଛି । ଏନେଇ ପୁଷ୍ଟି ବର୍ଦ୍ଧକ  ଚାଉଳ ପ୍ରସ୍ତୁତି, ସଂରକ୍ଷଣ ଓ ବ୍ୟବହାର ଜ୍ଞାନ ଆହରଣ ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ପ୍ରତିନିଧିଦଳ । ଏହି ପ୍ରତିନିଧି ଦଳ ଆଜି ଲୋକସେବା ଭବନରେ ଓଡ଼ିଶାର ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କୁ ଭେଟି ଆଲୋଚନା କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମୟ ସୀମାର ଏକ ବର୍ଷ ପୂର୍ବରୁ ଓଡ଼ିଶା ସମସ୍ତ ଖାଦ୍ୟଭିତ୍ତିକ ଯୋଜନାରେ ରାଜ୍ୟବ୍ୟାପୀ ଫର୍ଟିଫାଇଡ୍ ଚାଉଳର ସମ୍ପୂର୍ଣ୍ଣ ପ୍ରଚଳନ କରିଛି ।

୨୦୧୨ ମସିହାରେ ଗଜପତି ଜିଲ୍ଲାରେ ଓଡ଼ିଶା ଦେଶରେ  ପ୍ରଥମ କରି ଭିଟାମିନ୍ ଯୁକ୍ତ ପୁଷ୍ଟି ବର୍ଦ୍ଧକ ଚାଉଳ ପ୍ରସ୍ତୁତି ପାଇଁ ପଦକ୍ଷେପ ନେଇ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲା । ବିଶେଷକରି କୁପୋଷଣର ମୁକାବିଲା ଓ ଖାଦ୍ୟ ନିରାପତ୍ତା ସୃଷ୍ଟି ଦିଗରେ ରାଜ୍ୟ ସରକାର ନିଜର ଅଭିଜ୍ଞତା ଓ ଶିକ୍ଷା ବାଣ୍ଟିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଉନ୍ନୟନ କମିଶନର ବୈଠକରେ ପ୍ରକାଶ କରିଥିଲେ। ଲୋକସେବା ଭବନରେ ଆୟୋଜିତ ବୈଠକରେ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର  ପ୍ରମୁଖ ଶାସନ ସଚିବ  ବୀର ବିକ୍ରମ ଯାଦବ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା  ବିଭାଗ ଏବଂ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।