spot_img
Home Blog Page 2571

ରଶ୍ମିକାଙ୍କ ପରେ DeepFake ଭିଡିଓର ଶିକାର ହେଲେ କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ପରେ ଡିପଫେକ୍ ଭିଡିଓର ଶିକାର ହେଲେ କ୍ୟାଟ୍ରିନା । କ୍ୟାଟ୍ରିନାଙ୍କ ଅପକମିଂ ଫିଲ୍ମ ଟାଇଗର-ଥ୍ରୀର ଏକ ସିନକୁ ଡିପଫେକ୍ କରାଯାଇଥିବା ଅଭିଯୋଗ । ଫିଲ୍ମରେ କ୍ୟାଟ୍ରିନା  ଏକ ଟାଓ୍ବାଲ ପିନ୍ଧିଥିବାର ସିନ୍ ରହିଛି । ମାତ୍ର ଡିପଫେକ ଭିଡିଓରେ ତାଙ୍କୁ ଲୋ-କଟ୍‌  ହ୍ବାଇଟ ଟପରେ ଦେଖିବାକୁ ମିଳୁଛି । ନିଜର ଅରଜିନାଲ ଫଟୋକୁ କ୍ୟାଟ୍ରିନା ୬ ନଭେମ୍ବରରେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । କ୍ୟାପସନରେ ଲେଖିଥିଲେ ଏହି ଫିଲ୍ମ ପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ୁଛି । ଫଟୋ ସହିତ ସେ ଓ୍ବାର୍କ ଆଉଟ କରୁଥିବା କିଛି ଭିଡିଓ କ୍ଲିପ୍ସ ମଧ୍ୟ ପୋଷ୍ଟ କରିଥିଲେ । ଉଭୟ ରଶ୍ମିକା ଓ କ୍ୟାଟ୍ରିନାଙ୍କ ଡିପଫେକ ଭିଡିଓ ଭାଇରାଲ ହେବା ପରେ AIକୁ ନେଇ ବଢିଛି ଚିନ୍ତା ।

ଡିପଫେକ ଟେକ୍ନୋଲୋଜି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବଲିଉଡରୁ ଉଠିଛି ସ୍ବର । ସେପଟେ ରଶ୍ମିକାଙ୍କ ସମର୍ଥନରେ ନାଗା ଚୈତନ୍ୟଙ୍କ ସମେତ ବହୁ ଦକ୍ଷିଣ ଭାରତୀୟ କଳାକାର ମଧ୍ୟ ସ୍ବର ଉଠାଇଛନ୍ତି । ବିଟିଶ-ଇଣ୍ଡିଆ ଯୁବତୀ ଜାରା ପଟେଲଙ୍କ ଭିଡିଓରେ ରଶ୍ମିକାଙ୍କ ଚେହେରା ମର୍ଜ କରି  ପ୍ରସ୍ତୁତ ଡିପଫେକ ଭାଇରାଲ ହୋଇଥିଲା । ଯାହାକୁ ନେଇ ସୁପରଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ପ୍ରତିବାଦ କରିଥିଲେ । ଏମିତିକି ଦେଶର ସୂଚନା ପ୍ରସାରଣ ମନ୍ତ୍ରୀ ମଧ୍ୟ ଚିନ୍ତା ବ୍ୟକ୍ତ କରିଥିଲେ । ଏହି ଭିଡିଓକୁ ନେଇ ଆସିଛି ଜାରା ପଟେଲଙ୍କ ପ୍ରତିକ୍ରିୟା । ଜାରା ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଏଭଳି ଡିପଫେକ ଭିଡିଓକୁ ନେଇ ସେ ମର୍ମାହତ ଓ ଦୁଃଖିତ । ମହିଳା ଓ ଯୁବତୀମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତା ବଢୁଛି । ଏଣିକି ମହିଳାମାନେ ସେସିଆଲ ମିଡିଆରେ ନିଜର ଫଟୋ ପୋଷ୍ଟ କରିବାକୁ ଭୟ କରିବେ । ଇଣ୍ଟରନେଟରେ ସବୁକିଛି ସତ ନୁହେଁ । ଏଣୁ ଯାହା ଦେଖୁଛନ୍ତି ତାହା ସତ କି ମିଛ ତଦାରଖ କରିବା ଲାଗି ଥରେ ପଛକୁ ଫେରି ଫ୍ୟାକ୍ଟ ଚେକ କରନ୍ତୁ ।

 

 

ଟାଇମ୍ ଆଉଟ୍ ବିବାଦ, ଶେଷ ମ୍ୟାଚ୍ ଖେଳିବେନି ବାଂଲାଦେଶ ଅଧିନାୟକ

ନୂଆଦିଲ୍ଲୀ: ସୋମବାର ବିଶ୍ବକପରେ ଖେଳାଯାଇଥିବା ବାଂଲାଦେଶ ଶ୍ରୀଲଙ୍କା ମ୍ୟାଚରେ ଦେଖିବାକୁ ମିଳିଥିଲା ବିବାଦ । କ୍ରିକେଟ ଇତିହାସରେ ୧୪୬ ବର୍ଷ ପରେ ପ୍ରଥମ ଟାଇମ୍ ଆଉଟ୍ ଦେଖିବାକୁ ମିଳିଥିଲା । ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଆଞ୍ଜେଲ ମାଥ୍ୟୁସ ଟାଇମ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ଯାହାକୁ ନେଇ ଅନେକ ବିବାଦ ମଧ୍ୟ ଦେଖିବାକୁ ମିଳିଛି । ଆଞ୍ଜେଲ ମାଥ୍ୟୁସଙ୍କ ସମେତ ବହୁ ଖେଳାଳି ଏବଂ କ୍ରିଡ଼ାପ୍ରେମୀ ମଧ୍ୟ ସାକିବଙ୍କ ଏଭଳି ଅପିଲକୁ ନାପସନ୍ଦ କରିବା ସହ ନିନ୍ଦା କରିଛନ୍ତି । ତେବେ ବାଂଲାଦେଶ ଚଳିତ ବିଶ୍ବକପରେ ସେମିଫାଇନାଲ ରେସରୁ ବାଦ ପଡ଼ିଥିବାବେଳେ ଶେଷ ମ୍ୟାଚରେ ଶକ୍ତିଶଳି ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳିବ । ସମ୍ମାନର ବିଜୟ ହାସଲ କରି ବିଦାୟ ନେବାର ଲକ୍ଷ୍ୟ ରଖିଥିବା ବାଂଲାଦେଶକୁ ଲାଗିଛି ଝଟକା । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ଆହତ ହୋଇଛନ୍ତି ସାକିବ । ତାଙ୍କ ଆଙ୍ଗୁଠି ଆଘାତ ଲାଗିଥିବାବେଳେ ସେ ଶେଷ ମ୍ୟାଚରୁ ବାଦ ପଡ଼ିଛନ୍ତି ।

ସୂଚନା ଥାଉକି, ସୋମବାର ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଟାଇମ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ଶ୍ରୀଲଙ୍କାର ଅଭିଜ୍ଞ ଖେଳାଳି ଆଞ୍ଜେଲ ମାଥ୍ୟୁସ । ସେ ବିଳମ୍ବରେ ଫିଲ୍ଡରେ ପହଞ୍ଚିବାରୁ ଆଉଟ୍ ହୋଇଥିଲେ । ମାତ୍ର ମାଥ୍ୟୁସ କହିଛନ୍ତି କି, ସେ ସଠିକ ସମୟରେ ପଡ଼ିଆରେ ପହଞ୍ଚିଥିଲେ । ମାତ୍ର ବଲକୁ ସାମନା କରିବା ପୂର୍ବରୁ ହେଲମେଟର ପିତା ଛିଡ଼ି ଯାଇଥିଲା । ଏଣୁ ସେ ହେଲମେଟ ବଦଳାଇବାକୁ ସଙ୍କେତ ଦେଇଥିଲେ । ହେଲମେଟ ଆଣିବା ବେଳକୁ ୩ ମିନିଟ ହୋଇଥିଲା । ଫଳରେ ଆଇସିସି ନିୟମ ମୁତାବକ ଫିଲ୍ଡ ଅମ୍ପାୟାର ତାଙ୍କୁ ଆଉଟ୍ ଘୋଷଣା କରିଥିଲେ । ବାଂଲାଦେଶ ଅଧିନାୟକ ଶାକିବ ମଧ୍ୟ ଅପିଲ କରିଥିଲେ । ମାତ୍ର ଯଦି ଶାକିବ ଚାହିଁଥାନ୍ତେ ଏବଂ ଅପିଲ ଫେରାଇ ଥାନ୍ତେ ଆଉଟ୍ ହୋଇନଥାନ୍ତେ । ଶାକିବଙ୍କ ସହ ମାଥ୍ୟୁସ କଥା ହୋଇଥିଲେ ସୁଦ୍ଧା ସେ ଶୁଣିନଥିଲେ । ଏହାପରେ ନିଜର ପ୍ରତିକ୍ରିୟାରେ ବାଂଲାଦେଶ ଏବଂ ଶାକିବଙ୍କୁ ଦୃଢ଼ ଭାଷାରେ ନିନ୍ଦା କରିଥିଲେ ମାଥ୍ୟୁସ ।

 

 

ଆଫଗାନିସ୍ତାନ ଖେଳାଳିଙ୍କ ପାଇଁ ଇରଫାନ ପଠାନଙ୍କ ଘରେ ପାର୍ଟି

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଇରଫାନ ପଠାନ । ଭାରତୀୟ କ୍ରିକେଟ ଦଳର ଏହି ପୂର୍ବତନ କ୍ରିକେଟରଙ୍କୁ ନେଇ ପାକିସ୍ତାନରେ ଟ୍ରୋଲ କରୁଥିବାବେଳେ ଇରଫାନଭ୍କ ଘରେ ଆଫଗାନିସ୍ତାନ ଖେଳାଳିଙ୍କ ପାର୍ଟିର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଚଳିତ ବିଶ୍ବକପରେ ଏକ ହାଇଭୋଲଟେଜ୍ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଛି ଆଫଗାନିସ୍ତାନ । ମ୍ୟାଚ ବିଜୟ ପରେ ରସିଦଙ୍କ ସହ ଇରଫାନ ଡ୍ୟାନ୍ସ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିବାବେଳେ ପାକିସ୍ତାନୀ ପ୍ରଂଶସକ ଏବଂ କ୍ରିକେଟର ଇରଫାନଙ୍କୁ ସମାଲୋଚନା କରିଥିଲେ ।

ଅଦନନ ସାମି ସୋସିଆଲ ମିଡିଆ ଏକ୍ସରେ କିଛି ଫଟୋ ସେୟାର କରିଛନ୍ତି । ଇରଫାନ ପଠାନଙ୍କ ଘରେ ପାର୍ଟି ହୋଇଛି । ଏଥିରେ ଆଫଗାନିସ୍ତାନ କ୍ରିକେଟରମାନେ ଯୋଗ ଦେଇଥିବାବେଳେ ଇମ୍ରାନ ତାହିର, ହରଭଜନ ସିଂ ଏବଂ ସୁନୀଲ ସେଟ୍ଟୀ ପ୍ରମୁଖ ଯୋଗ ଦେଇଥିଲେ । ଏବେ ଏହି ଫଟୋ ଗୁଡ଼ିକ ଟ୍ରେଣ୍ଡ କରୁଛି । ଆଫଗାନିସ୍ତାନ ଟିମର ଖେଳାଳିଙ୍କ ସହ ଇରଫାନଙ୍କ ସମ୍ପର୍କ ଭଲ ରହିଥିବା ମଧ୍ୟ ପୂର୍ବରୁ ଦେଖିବାକୁ ମିଳିଛି । ରସିଦ ଖାନ, ମହମ୍ମଦ ନବି, ନବୀନ ଉଲ୍ଲହକଙ୍କ ଭଳି ଖେଳାଳି ମଧ୍ୟ ଏହି ପାର୍ଟିରେ ଯୋଗ ଦେଇଛନ୍ତି ।

ସୂଚନା ଥାଉକି, ଚଳିତ ବିଶ୍ବକପରେ ଆଫଗାନିସ୍ତାନ ଦମଦାର ପ୍ରଦର୍ଶନ କରିବା ସହ ୪ ବିଜୟ ହାସଲ କରିଛି । ପାକିସ୍ତାନ ଭଳି ଶକ୍ତିଶାଳି ଦଳକୁ ମଧ୍ୟ ସହଜରେ ମାତ ଦେଇଛି । ଏବେ ସେମି ଆଶାରେ ମଧ୍ୟ ଟିମ ରହିଛି । ଆଜି ଅଷ୍ଟ୍ରେଲିଆକୁ ଭେଟୁଥିବାବେଳେ ଆଗାମି ମ୍ୟାଚରେ ଦକ୍ଷିଣଆଫ୍ରିକାକୁ ଭେଟିବାକୁ ଯାଉଛି । ତେବେ ଏହି ଦୁଇ ମ୍ୟାଚରେ ଯଦି ବିଜୟ ହୁଏ ତାହେଲେ ସେମିରେ ପହଞ୍ଚି ପାରିବ ଆଫଗାନିସ୍ତାନ ।

 

ଭୁବନେଶ୍ବରରେ ମହିଳାଙ୍କ ମୃତ୍ୟୁ; ପରିବାର ଆଣିଲେ ହତ୍ୟା ଅଭିଯୋଗ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବଧୂହତ୍ୟା ଅଭିଯୋଗ। ଏୟାରଫିଲ୍‌ଡ ଥାନା ଅରବିନ୍ଦ ନଗରରେ ଗତକାଲି ପ୍ରିୟଙ୍କା ମିଶ୍ରଙ୍କ ମୃତଦେହ ମିଳିବା ପରେ ବାପଘର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ଜ୍ବାଇଁ ସୁରଜ ଦାସଙ୍କର ଅନ୍ୟ ଝିଅ ସହ ସମ୍ପର୍କ ଥିଲା। ଏହା ସହ ଶାଶୂ ଓ ଶ୍ବଶୁର ଅଧିକ ଯୌତୁକ ମାଗୁଥିଲେ। ବାପଘର ଟଙ୍କା ଦେଇ ନପାରିବାରୁ ମାରପିଟ କରୁଥିଲେ ଶାଶୂଘର ଲୋକ। ଏପରିକି ଗର୍ଭପାତ କରାଇବାକୁ କହୁଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି । ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଥିବା କହିଛନ୍ତି ମୃତକଙ୍କ ଭଉଣୀ।

ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ବଶୁର ଘର ଲୋକ। ଶ୍ବଶୁର ପ୍ରଦୀପ ଦାସଙ୍କ କହିବା ମୁତାବକ, ବୋହୂର ଅନ୍ୟ ପୁଅ ସହ ପ୍ରେମ ସମ୍ପର୍କ ଥିଲା । ଏହାକୁ କେନ୍ଦ୍ର କରି ବୋହୂ ଆତ୍ମହତ୍ୟା କରିଥିବା କହିଛନ୍ତି ଶ୍ବଶୁର ।

କ’ଣ ଏହି DeepFake ଭିଡିଓ? ଜାଣନ୍ତୁ ଚଳିତ ବର୍ଷ କେତେ ଜଣ ଏହାର ଶିକାର ହୋଇଛନ୍ତି

ମୁମ୍ବାଇ: DeepFake ଭିଡିଓର ଶିକାର ହୋଇଛନ୍ତି ଅଭିନେତ୍ରୀ ରଶ୍ମିକା ମାନ୍ଦନା । ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଭାଇରାଲ ହେବା ପରେ ୟୁଜର୍ସମାନେ ବହୁ ଟ୍ରୋଲ ମଧ୍ୟ କରିଥିଲେ । ବାସ୍ତବରେ କିନ୍ତୁ ଏହା ପ୍ରକୃତ ଭିଡିଓ ନୁହେଁ ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି ରଶ୍ମିକା । ଟେକ୍ନୋଲୋଜିଙ୍କ ଅପବ୍ୟହାର କରି ଏଭଳି କରାଯାଉଛି । ଯାହାକି ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି । ତେବେ ଏହି DeepFake ଭିଡିଓ କ’ଣ? କିଭଳି ଏହାର ଅପବ୍ୟବହାର କରାଯାଉଛି? ଏଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଛି । ଟେକ୍ନୋଲୋଜି ବ୍ୟବହାର କରାଯାଉଥିବାବେଳେ କିଛି ଅସାଧୁ ବ୍ୟକ୍ତି ଏହାର ଅପବ୍ୟବହାର କରୁଛନ୍ତି । ତେବେ ଏଭଳି ଅନେକ ଲୋକଙ୍କ କ୍ଷେତ୍ରରେ ଘଟୁଛି । ପୂର୍ବରୁ ମଧ୍ୟ ବହୁ ସେଲିବ୍ରେଟିଙ୍କ ମୁହଁକୁ ବ୍ୟବହାର କରାଯାଇ ଭିଡିଓକୁ ଭାଇରାଲ କରାଯାଇଛି ।

୧୯୯୦ ମସିହାରୁ ଏହାର ଆରମ୍ଭ ହୋଇଛି । ଏକ ରିସର୍ଚ୍ଚରୁ ଜଣା ପଡ଼ିଥିବାବେଳେ ପରେ ଅନଲାଇନ ମାଧ୍ୟମରେ ବ୍ୟବହାର ହେଲା । AI ଏବଂ ମସିନ ଲର୍ଗିନ ମାଧ୍ୟମରେ ଏହାକୁ କ୍ରିଏଟ କରାଯାଏ । ଏଭଳି ଅଶ୍ଲିଲ ଫଟୋ ଅପଲୋଡ ହେବା ୨୦୧୮ ମସିହାଠାରୁ ବୃଦ୍ଧି ହୋଇଛି । ୨୦୧୮ ମସିହାରେ ୨୯୦ ପ୍ରତିଶତ ବୃଦ୍ଧି ପାଇଛି । ସେପଟେ ୨୦୨୩ ମସିହାରେ ୧.୪୩ ଲକ୍ଷ ଲୋକଙ୍କ କ୍ଷେତ୍ରରେ ଘଟିଥିବା ଜଣାପଡ଼ିଛି । ବିଶେଷ କରି ଝିଅଙ୍କ ଫଟୋକୁ ବ୍ୟବହାର କରି ଏଭଳି କରିଥାନ୍ତି କିଛି ଅସାଧୁ ବ୍ୟକ୍ତି । ଫଟୋସପ କିମ୍ବା ଅନ୍ୟ ଆପ ମାଧ୍ୟମରେ ଏଭଳି ନକଲି ଫଟୋ ଭିଡିଓ ବନାଇବା କିଛି ନୂଆ କଥା ନୁହେଁ । କିନ୍ତୁ DeepFake ଭିଡିଓରେ AI ବ୍ୟବହାର ହୁଏ । ଜଣେ ବ୍ୟକ୍ତିଙ୍କର ପ୍ରକୃତ ଭିଡିଓରୁ ଏକ ଆଲଗୋରିଦିମକୁ ଟ୍ରେନ କରାଯାଏ । ଏପରିକି ଚେହେରା ସହ ଭଏସକୁ ମଧ୍ୟ ମିଶାଇବା ଭଳି ବ୍ୟବହାର କରିଥାନ୍ତି ।

 

ବର୍ଷିଲେ ସୁପ୍ରିମକୋର୍ଟ; ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲୋକ ଦେଖାଣିଆ…

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣ ହୋଇପାରିବନି ରାଜନୀତିର ଯୁଦ୍ଧକ୍ଷେତ୍ର। କେବଳ ଦୋଷାରୋପ ଚାଲିଥିବା ବେଳେ ଏବେବି ପୋଡ଼ା ହେଉଛି ପରାଳି। ପ୍ରଦୂଷଣ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟର ହତ୍ୟା ବୋଲି କହି ବର୍ଷିଛନ୍ତି ସୁପ୍ରିମକୋର୍ଟ। ପଞ୍ଜାବ ଓ ହରିୟାଣାରେ ପରାଳି ପୋଡ଼ିବା ଦ୍ବାରା ପ୍ରତିବର୍ଷ ଶୀତ ଦିନେ ଦିଲ୍ଲୀ ପ୍ରଦୂଷଣ ହେଉଛି।

ତେଣୁ ପଞ୍ଜାବ, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ରାଜସ୍ଥାନ ସରକାରଙ୍କୁ ପରାଳି ପୋଡ଼ା ରୋକିବାକୁ କହିଛନ୍ତି ସର୍ବୋଚ୍ଚ କୋର୍ଟ। ଯଥାଶୀଘ୍ର ପଦକ୍ଷେପ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରାଳି ପୋଡ଼ା ବନ୍ଦ କରିବା ନେଇ କେନ୍ଦ୍ର ସରକାରଙ୍କୁ ୟୁପି, ରାଜସ୍ଥାନ, ହରିୟାଣା, ପଞ୍ଜାବ ଓ ଦିଲ୍ଲୀ ସରକାରଙ୍କ ସହ ବୈଠକ କରିବାକୁ କୋର୍ଟ କହିଛନ୍ତି।

ଦିଲ୍ଲୀ ପ୍ରଦୂଷଣ ପାଇଁ ଅନ୍ୟ ଏକ କାରଣ ଯାନବାହାନରୁ ନିର୍ଗତ ଧୂଆଁ। ଏଦିଗରେ ଦୃଷ୍ଟି ଦେବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଦିଲ୍ଲୀରେ ଅଡ୍-ଇଭିନ୍ ଫର୍ମୁଲା ଲାଗୁ କରିବା କେବଳ ଲୋକ ଦେଖାଣିଆ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।ଆସନ୍ତା ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଦିଲ୍ଲୀ ଏନସିଆରରେ ଗତ ୧୦ଦିନ ହେଲା ପ୍ରଦୂଷଣ ମାତ୍ରା ବଢିଛି।

ଭାରତୀୟ ବୋଲରଙ୍କୁ ନେଇ ଏମିତି କହିଲେ ଓ୍ବାସିମ ଆକ୍ରାମ

ନୂଆଦିଲ୍ଲୀ: ଚଳିତ ବିଶ୍ବକପରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ତିଷ୍ଟି ପାରୁନାହାନ୍ତି ବଡ଼ ବଡ଼ ବ୍ୟାଟ୍ସମ୍ୟାନ । ବୋଲିଂରେ ସନ୍ତୁଳନ ରହିଥିବାବେଳେ ପ୍ରତିପକ୍ଷ ଦଳର ମୁଣ୍ଡ ବିନ୍ଧାର କାରଣ ମଧ୍ୟ ପାଲଟିଛି । ଭାରତୀୟ ବୋଲିଂ ଲାଇନଅପକୁ ଓ୍ବେଷ୍ଟଇଣ୍ଡିଜର ଦିଗଜ ବୋଲରଙ୍କ ସହ ତୁଳନା କରିଛନ୍ତି ସ୍ବିଙ୍ଗର ସୁଲତାନ କୁହାଯାଉଥିବା ଓ୍ବାସିମ ଆକ୍ରାମ । ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂକୁ ଦେଖିଲେ ୭୦, ୮୦ ଦଶକର ଓ୍ବେଷ୍ଟଇଣ୍ଡିଜ୍ ବୋଲରଙ୍କ ସ୍ମୃତି ତାଜା ହେଉଛି । ସେହି ସମୟରେ ଓ୍ବେଷ୍ଟଇଣ୍ଡିଜର ଦୃତ ବୋଲରଙ୍କ ଆଗରେ ବିଶ୍ବର ବଡ଼ ବଡ଼ ବ୍ୟାଟ୍ସମ୍ୟାନମାନେ ସାମନା କରିବାକୁ ଡରୁଥିଲେ । ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୧୦୦ ରନ କରିବାକୁ ମଧ୍ୟ ସକ୍ଷମ ହେଉନଥିଲେ ।

ଆଉ ଚଳିତ ବିଶ୍ବକପରେ ଭାରତ ବିପକ୍ଷରେ ଦୁଇ ଦଳ ମଧ୍ୟ ୧୦୦ ରନ ମଦ୍ୟରେ ସୀମିତ ରହିଛନ୍ତି । ଶ୍ରୀଲଙ୍କା ମାତ୍ର ୫୫ ରନ କରିଥିବାବେଳେ ଦକ୍ଷିଣ ଆଫ୍ରିକା ଭଳି ଶକ୍ତିଶାଳି ଦଳ ୮୩ ରନରେ ସିମିତ ରହିଥିଲା । ଏଣୁ ଭାରତୀୟ ବୋଲରମାନେ ଏବେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ଓ୍ବେଷ୍ଟଇଣ୍ଡିଜର ଦିଗଜ ବୋଲର ହୋଲଡଙ୍ଗି, ଡାନିଏଲ, ଜୁଲିୟନ ଏବଂ ବି. ହୋଲଡରଙ୍କ ଘାତକ ବୋଲିଂ ଆଗରେ ବ୍ୟାଟିଂ କରିବାକୁ ଡରୁଥିଲେ ପ୍ରତିପକ୍ଷ ଦଳ । ଏବେ ବୁମରା, ସାମି, ସିରାଜ, ଜାଡେଜା ଏବଂ କୁଲଦୀପ ଯାଦବ ମଧ୍ୟ ଦମଦାର ବୋଲିଂ କରୁଛନ୍ତି । ଦୃତ ବୋଲରଙ୍କ ସାଙ୍ଗକୁ ସ୍ପିନରମାନେ ମଧ୍ୟ ଉଚ୍ଚକୋଟିର ପ୍ରଦର୍ଶନ କରୁଛନ୍ତି । ପ୍ରତି ମ୍ୟାଚରେ ଦଳର ପ୍ରଦର୍ଶନରେ ଉନ୍ନତି ଘଟୁଛି । ସେପଟେ ବ୍ୟାଟିଂରେ ମଧ୍ୟ ଭଳ ପ୍ରଦର୍ଶନ ଜାରି ରହିଛି । ପ୍ରତି ମ୍ୟାଚରେ କେହି ନା କେହି ବଡ଼ ସ୍କୋର କରୁଛନ୍ତି ।

ଛତିଶଗଡ଼ରେ ଚାଲିଛି ମତଦାନ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ। ମୋଟ ୯୦ ଆସନରୁ ୨୦ ଆସନରେ ଚାଲିଛି ଭୋଟଗ୍ରହଣ। ୧୧ ଜିଲ୍ଲାର ୨୦ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଲିଛି ଭୋଟିଂ। ଦିନ ୧୧ଟା ସୁଦ୍ଧା ମୋଟ ୨୨.୯୭ ପ୍ରତିଶତ ଭୋଟ ହୋଇଥିବା ସୂଚନା ମିଳିଛି । ୧୦ ନିର୍ବାଚନମଣ୍ଡଳୀରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ମତଦାନ ଚାଲିବ।

ଅନ୍ୟ ୧୦ ନିର୍ବାଚନମଣ୍ଡଳୀରେ ସକାଳ ୭ରୁ ୩ଟା ଯାଏ ମତଦାନ ଚାଲିବ। ଆଜିର ଭୋଟରେ ମୋଟ ୨୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ଭୋଟ ହେଉଥିବା ୨୦ ଆସନ ମଧ୍ୟରୁ ୧୨ଟି ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ରାଜନନ୍ଦନଗାଓଁରେ ସର୍ବାଧିକ ୨୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି।

ସେହିପରି ଚିତ୍ରକୁଟ ଏବଂ ଦାନ୍ତେୱାଡାରେ ସବୁଠାରୁ କମ ୭ଟି ଲେଖାଏଁ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ରାଜନନ୍ଦନଗାଓଁରୁ ଲଢୁଛନ୍ତି । ରମଣଙ୍କ ସିଂହଙ୍କ ପ୍ରତିନ୍ଦ୍ବନ୍ଦ୍ବି ଅଛନ୍ତି କଂଗ୍ରେସର ଗିରୀଶ ଦେୱାଙ୍ଗନ। ଗତ ନିର୍ବାଚନରେ ଛତିଶଗଡ଼ର ୯୦ ଆସନ ବିଶିଷ୍ଟ ବିଧାନସଭାରେ ୭୧ ଆସନ ଜିତି ସରକାର କରିଥିଲା କଂଗ୍ରେସ। ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଟ ୨୫ ହଜାର ଯବାନ ମୁତୟନ ହୋଇଛନ୍ତି।

ଝିଆରୀକୁ ଦୁଷ୍କର୍ମ ପରେ ହତ୍ୟା ମାମଲା, ପିଶାଚ ଦାଦାକୁ ଖୋଜୁଛି ପୋଲିସ

ଭୁବନେଶ୍ୱର: ରାଜଧାନୀରେ ବୀଭତ୍ସକାଣ୍ଡ। ୪ ବର୍ଷର କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ତନାଘନା। ଘଟଣାସ୍ଥଳରେ ଛାନବିନ ଆରମ୍ଭ କରିଛି ସାଇଣ୍ଟିଫିକ୍ ଟିମ୍। ଫରେନସିକ ଟିମ୍ ପକ୍ଷରୁ ପାରିପାର୍ଶ୍ବିକ ପରିସ୍ଥିତି ଯାଞ୍ଚ ଓ ସାମ୍ପୁଲ କଲେକସନ ହୋଇଛି।

ଘଟଣାସ୍ଥଳରୁ ଜବତ ହୋଇଛି ରକ୍ତ ଭିଜା ଡ୍ରେସ ଓ ଛୁରି ଜବତ ହୋଇଛି। ଝିଆରୀର ତଣ୍ଟି କାଟି ଦାଦା ଘନିଆ ଦାସ ଘଟାଇଛି ଜଘନ୍ୟ କାଣ୍ଡ। ନିଶା ନିବାରଣ କେନ୍ଦ୍ରରୁ ଫେରି ଏଭଳି ବୀଭତ୍ସ ହତ୍ୟାକାଣ୍ଡ କରିଛି। ଗତକାଲି ରାତିଠୁ ଅଭିଯୁକ୍ତକୁ ଧରିବା ପାଇଁ ଚଢ଼ାଉ କରୁଛି ଏୟାରଫିଲ୍ଡ ପୋଲିସ। ଅଭିରାମ ବସ୍ତିର କେଳା ସାହିରେ ଘଟିଥିଲା ହତ୍ୟାକାଣ୍ଡ।

କୁନି ଝିଅକୁ ଚକୋଲେଟ୍ ଦେବାକୁ କହି ଦୁଷ୍କର୍ମ କରିଥିଲା ପିଶାଚ ଦାଦା। କାହାକୁ କହିଦେବା ଭୟରେ ଦୁଷ୍କର୍ମ ପରେ କାଟିଥିଲା ତଣ୍ଟି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଶୁଭେଚ୍ଛା।

ଛତିଶଗଡ଼ରେ ଆଇଇଡି ବିସ୍ଫୋରଣ; ଜଣେ ଯବାନ ଆହତ

ସୁକମା: ଛତିଶଗଡ଼ ବିଧାନସଭା ଭୋଟ ଚାଲିଥିବା ବେଳେ ମାଓ ହିଂସା। ଆଇଇଡି ବିସ୍ଫୋରଣରେ ଜଣେ ଯବାନ ଆହତ। ସୁକମାର ତୋଣ୍ଡାମାର୍କା ଅଂଚଳରେ ଘଟିଥିଲା ଏ ବିସ୍ଫୋରଣ। ନିର୍ବାଚନ ଡ୍ୟୁଟିରେ ମୁତୟନ ଥିଲେ ଆହତ ସିଆରପିଏଫ୍ କୋବ୍ରା ବାଟାଲିୟନର ଯବାନ।

ସିଆରପିଏଫ ୨୦୬ ବାଲାଟିୟନରେ କାର୍ଯ୍ୟରତ ଇନ୍ସପେକ୍ଟର ଶ୍ରୀକାନ୍ତ ସଦଳବଳ ପାଟ୍ରୋଲିଂରେ ଯାଉଥିବାବେଳେ ଏଲମାଗୁଣ୍ଡା ଗାଁ ନିକଟରେ ଆଇଇଡି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ଯବାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ଡ୍ୟୁଟିରେ ଯାଉଥିବାବେଳେ ଆଇଇଡି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଘଟିଥିବା ଏହି ଅଞ୍ଚଳ କୋଣ୍ଟା ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରେ ଅଧିନରେ ରହିଛି।

ତେବେ ଭୋଟ୍ ପୂର୍ବରୁ ଛୋଟା ବେଠିଆ ଥାନା ଅଂଚଳରେ ତିନି ଜଣ ଗ୍ରାମବାସୀଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରି ଗାଁ ମୁଣ୍ଡ ରେ ଫିଙ୍ଗି ଦେଇଥିଲେ ମାଓବାଦୀ।