ଭାରତୀୟ ବୋଲରଙ୍କୁ ନେଇ ଏମିତି କହିଲେ ଓ୍ବାସିମ ଆକ୍ରାମ

ନୂଆଦିଲ୍ଲୀ: ଚଳିତ ବିଶ୍ବକପରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ତିଷ୍ଟି ପାରୁନାହାନ୍ତି ବଡ଼ ବଡ଼ ବ୍ୟାଟ୍ସମ୍ୟାନ । ବୋଲିଂରେ ସନ୍ତୁଳନ ରହିଥିବାବେଳେ ପ୍ରତିପକ୍ଷ ଦଳର ମୁଣ୍ଡ ବିନ୍ଧାର କାରଣ ମଧ୍ୟ ପାଲଟିଛି । ଭାରତୀୟ ବୋଲିଂ ଲାଇନଅପକୁ ଓ୍ବେଷ୍ଟଇଣ୍ଡିଜର ଦିଗଜ ବୋଲରଙ୍କ ସହ ତୁଳନା କରିଛନ୍ତି ସ୍ବିଙ୍ଗର ସୁଲତାନ କୁହାଯାଉଥିବା ଓ୍ବାସିମ ଆକ୍ରାମ । ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂକୁ ଦେଖିଲେ ୭୦, ୮୦ ଦଶକର ଓ୍ବେଷ୍ଟଇଣ୍ଡିଜ୍ ବୋଲରଙ୍କ ସ୍ମୃତି ତାଜା ହେଉଛି । ସେହି ସମୟରେ ଓ୍ବେଷ୍ଟଇଣ୍ଡିଜର ଦୃତ ବୋଲରଙ୍କ ଆଗରେ ବିଶ୍ବର ବଡ଼ ବଡ଼ ବ୍ୟାଟ୍ସମ୍ୟାନମାନେ ସାମନା କରିବାକୁ ଡରୁଥିଲେ । ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୧୦୦ ରନ କରିବାକୁ ମଧ୍ୟ ସକ୍ଷମ ହେଉନଥିଲେ ।

ଆଉ ଚଳିତ ବିଶ୍ବକପରେ ଭାରତ ବିପକ୍ଷରେ ଦୁଇ ଦଳ ମଧ୍ୟ ୧୦୦ ରନ ମଦ୍ୟରେ ସୀମିତ ରହିଛନ୍ତି । ଶ୍ରୀଲଙ୍କା ମାତ୍ର ୫୫ ରନ କରିଥିବାବେଳେ ଦକ୍ଷିଣ ଆଫ୍ରିକା ଭଳି ଶକ୍ତିଶାଳି ଦଳ ୮୩ ରନରେ ସିମିତ ରହିଥିଲା । ଏଣୁ ଭାରତୀୟ ବୋଲରମାନେ ଏବେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ଓ୍ବେଷ୍ଟଇଣ୍ଡିଜର ଦିଗଜ ବୋଲର ହୋଲଡଙ୍ଗି, ଡାନିଏଲ, ଜୁଲିୟନ ଏବଂ ବି. ହୋଲଡରଙ୍କ ଘାତକ ବୋଲିଂ ଆଗରେ ବ୍ୟାଟିଂ କରିବାକୁ ଡରୁଥିଲେ ପ୍ରତିପକ୍ଷ ଦଳ । ଏବେ ବୁମରା, ସାମି, ସିରାଜ, ଜାଡେଜା ଏବଂ କୁଲଦୀପ ଯାଦବ ମଧ୍ୟ ଦମଦାର ବୋଲିଂ କରୁଛନ୍ତି । ଦୃତ ବୋଲରଙ୍କ ସାଙ୍ଗକୁ ସ୍ପିନରମାନେ ମଧ୍ୟ ଉଚ୍ଚକୋଟିର ପ୍ରଦର୍ଶନ କରୁଛନ୍ତି । ପ୍ରତି ମ୍ୟାଚରେ ଦଳର ପ୍ରଦର୍ଶନରେ ଉନ୍ନତି ଘଟୁଛି । ସେପଟେ ବ୍ୟାଟିଂରେ ମଧ୍ୟ ଭଳ ପ୍ରଦର୍ଶନ ଜାରି ରହିଛି । ପ୍ରତି ମ୍ୟାଚରେ କେହି ନା କେହି ବଡ଼ ସ୍କୋର କରୁଛନ୍ତି ।