ଛତିଶଗଡ଼ରେ ଚାଲିଛି ମତଦାନ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ। ମୋଟ ୯୦ ଆସନରୁ ୨୦ ଆସନରେ ଚାଲିଛି ଭୋଟଗ୍ରହଣ। ୧୧ ଜିଲ୍ଲାର ୨୦ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଲିଛି ଭୋଟିଂ। ଦିନ ୧୧ଟା ସୁଦ୍ଧା ମୋଟ ୨୨.୯୭ ପ୍ରତିଶତ ଭୋଟ ହୋଇଥିବା ସୂଚନା ମିଳିଛି । ୧୦ ନିର୍ବାଚନମଣ୍ଡଳୀରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ମତଦାନ ଚାଲିବ।

ଅନ୍ୟ ୧୦ ନିର୍ବାଚନମଣ୍ଡଳୀରେ ସକାଳ ୭ରୁ ୩ଟା ଯାଏ ମତଦାନ ଚାଲିବ। ଆଜିର ଭୋଟରେ ମୋଟ ୨୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ଭୋଟ ହେଉଥିବା ୨୦ ଆସନ ମଧ୍ୟରୁ ୧୨ଟି ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ରାଜନନ୍ଦନଗାଓଁରେ ସର୍ବାଧିକ ୨୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି।

ସେହିପରି ଚିତ୍ରକୁଟ ଏବଂ ଦାନ୍ତେୱାଡାରେ ସବୁଠାରୁ କମ ୭ଟି ଲେଖାଏଁ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ରାଜନନ୍ଦନଗାଓଁରୁ ଲଢୁଛନ୍ତି । ରମଣଙ୍କ ସିଂହଙ୍କ ପ୍ରତିନ୍ଦ୍ବନ୍ଦ୍ବି ଅଛନ୍ତି କଂଗ୍ରେସର ଗିରୀଶ ଦେୱାଙ୍ଗନ। ଗତ ନିର୍ବାଚନରେ ଛତିଶଗଡ଼ର ୯୦ ଆସନ ବିଶିଷ୍ଟ ବିଧାନସଭାରେ ୭୧ ଆସନ ଜିତି ସରକାର କରିଥିଲା କଂଗ୍ରେସ। ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଟ ୨୫ ହଜାର ଯବାନ ମୁତୟନ ହୋଇଛନ୍ତି।