ଟାଇମ୍ ଆଉଟ୍ ବିବାଦ, ଶେଷ ମ୍ୟାଚ୍ ଖେଳିବେନି ବାଂଲାଦେଶ ଅଧିନାୟକ

ନୂଆଦିଲ୍ଲୀ: ସୋମବାର ବିଶ୍ବକପରେ ଖେଳାଯାଇଥିବା ବାଂଲାଦେଶ ଶ୍ରୀଲଙ୍କା ମ୍ୟାଚରେ ଦେଖିବାକୁ ମିଳିଥିଲା ବିବାଦ । କ୍ରିକେଟ ଇତିହାସରେ ୧୪୬ ବର୍ଷ ପରେ ପ୍ରଥମ ଟାଇମ୍ ଆଉଟ୍ ଦେଖିବାକୁ ମିଳିଥିଲା । ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଆଞ୍ଜେଲ ମାଥ୍ୟୁସ ଟାଇମ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ଯାହାକୁ ନେଇ ଅନେକ ବିବାଦ ମଧ୍ୟ ଦେଖିବାକୁ ମିଳିଛି । ଆଞ୍ଜେଲ ମାଥ୍ୟୁସଙ୍କ ସମେତ ବହୁ ଖେଳାଳି ଏବଂ କ୍ରିଡ଼ାପ୍ରେମୀ ମଧ୍ୟ ସାକିବଙ୍କ ଏଭଳି ଅପିଲକୁ ନାପସନ୍ଦ କରିବା ସହ ନିନ୍ଦା କରିଛନ୍ତି । ତେବେ ବାଂଲାଦେଶ ଚଳିତ ବିଶ୍ବକପରେ ସେମିଫାଇନାଲ ରେସରୁ ବାଦ ପଡ଼ିଥିବାବେଳେ ଶେଷ ମ୍ୟାଚରେ ଶକ୍ତିଶଳି ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳିବ । ସମ୍ମାନର ବିଜୟ ହାସଲ କରି ବିଦାୟ ନେବାର ଲକ୍ଷ୍ୟ ରଖିଥିବା ବାଂଲାଦେଶକୁ ଲାଗିଛି ଝଟକା । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ଆହତ ହୋଇଛନ୍ତି ସାକିବ । ତାଙ୍କ ଆଙ୍ଗୁଠି ଆଘାତ ଲାଗିଥିବାବେଳେ ସେ ଶେଷ ମ୍ୟାଚରୁ ବାଦ ପଡ଼ିଛନ୍ତି ।

ସୂଚନା ଥାଉକି, ସୋମବାର ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଟାଇମ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ଶ୍ରୀଲଙ୍କାର ଅଭିଜ୍ଞ ଖେଳାଳି ଆଞ୍ଜେଲ ମାଥ୍ୟୁସ । ସେ ବିଳମ୍ବରେ ଫିଲ୍ଡରେ ପହଞ୍ଚିବାରୁ ଆଉଟ୍ ହୋଇଥିଲେ । ମାତ୍ର ମାଥ୍ୟୁସ କହିଛନ୍ତି କି, ସେ ସଠିକ ସମୟରେ ପଡ଼ିଆରେ ପହଞ୍ଚିଥିଲେ । ମାତ୍ର ବଲକୁ ସାମନା କରିବା ପୂର୍ବରୁ ହେଲମେଟର ପିତା ଛିଡ଼ି ଯାଇଥିଲା । ଏଣୁ ସେ ହେଲମେଟ ବଦଳାଇବାକୁ ସଙ୍କେତ ଦେଇଥିଲେ । ହେଲମେଟ ଆଣିବା ବେଳକୁ ୩ ମିନିଟ ହୋଇଥିଲା । ଫଳରେ ଆଇସିସି ନିୟମ ମୁତାବକ ଫିଲ୍ଡ ଅମ୍ପାୟାର ତାଙ୍କୁ ଆଉଟ୍ ଘୋଷଣା କରିଥିଲେ । ବାଂଲାଦେଶ ଅଧିନାୟକ ଶାକିବ ମଧ୍ୟ ଅପିଲ କରିଥିଲେ । ମାତ୍ର ଯଦି ଶାକିବ ଚାହିଁଥାନ୍ତେ ଏବଂ ଅପିଲ ଫେରାଇ ଥାନ୍ତେ ଆଉଟ୍ ହୋଇନଥାନ୍ତେ । ଶାକିବଙ୍କ ସହ ମାଥ୍ୟୁସ କଥା ହୋଇଥିଲେ ସୁଦ୍ଧା ସେ ଶୁଣିନଥିଲେ । ଏହାପରେ ନିଜର ପ୍ରତିକ୍ରିୟାରେ ବାଂଲାଦେଶ ଏବଂ ଶାକିବଙ୍କୁ ଦୃଢ଼ ଭାଷାରେ ନିନ୍ଦା କରିଥିଲେ ମାଥ୍ୟୁସ ।