ବର୍ଷିଲେ ସୁପ୍ରିମକୋର୍ଟ; ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲୋକ ଦେଖାଣିଆ…

1 min read

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣ ହୋଇପାରିବନି ରାଜନୀତିର ଯୁଦ୍ଧକ୍ଷେତ୍ର। କେବଳ ଦୋଷାରୋପ ଚାଲିଥିବା ବେଳେ ଏବେବି ପୋଡ଼ା ହେଉଛି ପରାଳି। ପ୍ରଦୂଷଣ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟର ହତ୍ୟା ବୋଲି କହି ବର୍ଷିଛନ୍ତି ସୁପ୍ରିମକୋର୍ଟ। ପଞ୍ଜାବ ଓ ହରିୟାଣାରେ ପରାଳି ପୋଡ଼ିବା ଦ୍ବାରା ପ୍ରତିବର୍ଷ ଶୀତ ଦିନେ ଦିଲ୍ଲୀ ପ୍ରଦୂଷଣ ହେଉଛି।

ତେଣୁ ପଞ୍ଜାବ, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ରାଜସ୍ଥାନ ସରକାରଙ୍କୁ ପରାଳି ପୋଡ଼ା ରୋକିବାକୁ କହିଛନ୍ତି ସର୍ବୋଚ୍ଚ କୋର୍ଟ। ଯଥାଶୀଘ୍ର ପଦକ୍ଷେପ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରାଳି ପୋଡ଼ା ବନ୍ଦ କରିବା ନେଇ କେନ୍ଦ୍ର ସରକାରଙ୍କୁ ୟୁପି, ରାଜସ୍ଥାନ, ହରିୟାଣା, ପଞ୍ଜାବ ଓ ଦିଲ୍ଲୀ ସରକାରଙ୍କ ସହ ବୈଠକ କରିବାକୁ କୋର୍ଟ କହିଛନ୍ତି।

ଦିଲ୍ଲୀ ପ୍ରଦୂଷଣ ପାଇଁ ଅନ୍ୟ ଏକ କାରଣ ଯାନବାହାନରୁ ନିର୍ଗତ ଧୂଆଁ। ଏଦିଗରେ ଦୃଷ୍ଟି ଦେବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଦିଲ୍ଲୀରେ ଅଡ୍-ଇଭିନ୍ ଫର୍ମୁଲା ଲାଗୁ କରିବା କେବଳ ଲୋକ ଦେଖାଣିଆ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।ଆସନ୍ତା ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଦିଲ୍ଲୀ ଏନସିଆରରେ ଗତ ୧୦ଦିନ ହେଲା ପ୍ରଦୂଷଣ ମାତ୍ରା ବଢିଛି।