ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଜରିଆରେ ଗ୍ଲୋରୀ ଫେଷ୍ଟ ୨୦୨୪ ଉଦଯାପିତ

ପୁରୀ: ଉଦଯାପିତ ହେଲା ପୁରୀରେ ଚାଲିଥିବା ଗ୍ଲୋରୀ ଫେଷ୍ଟ ୨୦୨୪ । ପୁରୀ ବେଳାଭୂମିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ହୋଇଛି ଉଦଯାପନୀ ଉତ୍ସବ । ଚାରି ଦିନ ବ୍ୟାପି ଚାଲିଥିବା ଏହି ଉତ୍ସବରେ ସାମିଲ ହୋଇଥିଲେ ରାଜ୍ୟ ବାହାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟର ୩୫୦ରୁ ଅଧିକ ଛାତ୍ରଛାତ୍ରୀ । ଶେଷଦିନରେ ୧୮ଟି ବିଭାଗରେ ଅନୁଷ୍ଠିତ ହୋଇଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି ।

ପୁରୀ ବେଳାଭୂମିରେ ଫ୍ୟାସନ ଶୋ’ ସାଙ୍ଗକୁ ନାଚଗୀତର ଜଲସା । ଉଦଯାପିତ ହୋଇଛି ୪ ଦିନିଆ ଗ୍ଲୋରୀ ଫେଷ୍ଟ ୨୦୨୪ । ଚଳିତବର୍ଷ ଗ୍ଲୋରୀ କୁଇନ୍ ମୁକୁଟ ହାତେଇଲେ ତିରୁପତି ବିଶ୍ବବିଦ୍ୟାଳୟର ଛାତ୍ରୀ ଯମୁନା ସୋନଓ୍ବାଲ । ରାଉରକେଲା ସରକାରୀ ମହାବିଦ୍ୟାଳୟ ଦଳଗତ ଚାମ୍ପିଅନ ଟ୍ରଫି ଜିତିଥିବାବେଳେ ଓ ଟ୍ୟାଲେଣ୍ଟ ଅଫ୍ ଦି ଇୟର ହୋଇଛନ୍ତି ପୁରୀ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ସଂସ୍ଥାନର ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ମୋଟ ୧୮ଟି ବିଭାଗରେ ଅନୁଷ୍ଠିତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ଶୀତୁଆ ସଂଧ୍ୟ୍ଯାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜୋସ ଭରିଥିଲେ ୨୦୧୮ ଇଣ୍ଡିଆନ ଆଇଡଲ ଫାଇନାଲିଷ୍ଟ ବିଶ୍ବଜିତ ମହାପାତ୍ର ।

ଶ୍ରୀକ୍ଷେତ୍ର ଅଗ୍ରଣୀ ଯୁବ ସାଂସ୍କୃତିକ ଅନୁଷ୍ଠାନ ଜାତୀୟ ଯୁବ ସମନ୍ୱିତ କେନ୍ଦ୍ର ଆନୁକୂଲ୍ୟରେ ୪ ଦିନ ଧରି ଚାଲିଥିଲା ଉତ୍ସବ । ଯୁବ ପ୍ରତିଭା ଅନ୍ବେଷଣ ତଥା ଯୁବଗୋଷ୍ଠୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ୨୭ ବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଏହି ଉତ୍ସବ । ଏହି ଅବସରରେ ପୁରୀ ଟାଉନ୍ ହଲରେ କୁଇଜ୍‌, ସ୍କିଟ୍‌, ଅନ୍ତାକ୍ଷରୀ, ରେକର୍ଡ଼ ଡ୍ୟାନ୍ସ, ଓ ଗ୍ଲୋରୀ କୁଇନ୍ ଆଦି ପ୍ରତିଯୋଗିତା ହୋଇଥିଲା ।