ପରିକ୍ରମା ଲୋକାର୍ପଣ ଆଦ୍ୟପୂଜା: ମହାଯଜ୍ଞ ପାଇଁ ଅଙ୍କୁର ପୂଜନ ଓ ମଣ୍ଡଳ ସ୍ଥାପନ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ମହୋତ୍ସବ ମହାଯଜ୍ଞ ପାଇଁ ଅଙ୍କୁର ପୂଜନ ହୋଇଯାଇଛି । ଏହାସହ ମଣ୍ଡଳ ସ୍ଥାପନ ମଧ୍ୟ କରାଯାଇଛି । ଆସନ୍ତାକାଲି ଅଧିବାସ ସହିତ ଯଜ୍ଞ ପାଇଁ ଅନ୍ୟ ନୀତି ସମ୍ପନ୍ନ ହେବ । ପ୍ରକଳ୍ପ ଉଦଘାଟନ ପାଇଁ ସ୍ୱତନ୍ତ୍ର ଫଳକ ସ୍ଥାପନ ସହ ଏହାକୁ ବୈଦିକ ରୀତିରେ ପୂଜା କରାଯିବ । ଅଷ୍ଟଧାତୁରେ ନିର୍ମିତ ଫଳକରେ ଉଦଘାଟନ ସମ୍ପର୍କରେ ଲିପିବଦ୍ଧ ହୋଇ ରହିବ ସମସ୍ତ ତଥ୍ୟ ।

ଭକ୍ତିମୟ ପରିବେଶ ମଧ୍ୟରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଆଦ୍ୟପୂଜା । ଆରମ୍ଭ ହୋଇଛି ଯଜ୍ଞବିଧି । ବ୍ରାହ୍ମଣ, ପଣ୍ଡିତ ଓ ରାଜଗୁରୁଙ୍କ ତତ୍ତ୍ୱାବଧାନରେ କରାଯାଉଛି ସମସ୍ତ କାର୍ଯ୍ୟ । ଗତକାଲି ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିଥିଲେ । ସମ୍ପନ୍ନ ହୋଇଥିଲା ଅଙ୍କୁରାରୋପଣ । ଆଜି ମଙ୍ଗଳାର୍ପଣ ଓ ଅଙ୍କୁର ପୂଜନ ସହ ମଣ୍ଡଳ ସ୍ଥାପନ ହୋଇଛି, ଚାଲିଛି ଅନ୍ୟ ନୀତି ।

୭ ଶହ ବର୍ଷ ପରେ ପୁରୀଧାମର ବିକାଶ ଇତିହାସ ସୃଷ୍ଟି କରିଛି । ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନକୁ ଚିର ସ୍ମରଣୀୟ କରିବା ପାଇଁ ସ୍ବତନ୍ତ୍ର ଫଳକ ଲଗାଯିବ । ଭିତ୍ତିପ୍ରସ୍ତର ନିକଟରେ ରହିବ ଉଦଘାଟନ ଫଳକ । ଏହାକୁ ସ୍ବତନ୍ତ୍ର ଚାନ୍ଦୁଆ ଦ୍ୱାରା ଆଚ୍ଛାଦିତ କରାଯିବ । ମହାଯଜ୍ଞରେ ଗଜପତି ମହାରାଜା ପୂର୍ଣ୍ଣାହୁତି ଦେବା ସହ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଲୋକାର୍ପଣ କରିବେ ।

ପରିକ୍ରମା ପ୍ରକଳ୍ପ ଉଦଘାଟନ ମହୋତ୍ସବରେ ଲକ୍ଷାଧିକ ଭକ୍ତ, ବହୁ ସାଧୁସନ୍ଥ ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ । ସେହି ଅନୁସାରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଉଦଘାଟନ ମହୋତ୍ସବ ପୂର୍ବରୁ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଛି ପୂଜାବିଧି ।

ସେହିପରି ଲୋକାର୍ପଣ ଉତ୍ସବ ପାଇଁ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସୁରକ୍ଷା ଓ ପ୍ରସ୍ତୁତି ନେଇ ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନା କରିଛନ୍ତି । ଗତକାଲିଠାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ୧୭ ତାରିଖରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଏହା ପୂର୍ବରୁ ପୁରୀରେ ପହଞ୍ଚି କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।