ଆମେ ଅଯୋଗ୍ୟ ବୋଲି କମିଟିରେ ସ୍ଥାନ ପାଇଲୁନି: ସୁର

1 min read

ଭୁବନେଶ୍ବର: କଂଗ୍ରେସ ନିର୍ବାଚନ କମିଟିକୁ ନେଇ ହାତ ଶିବିରରେ ବଢ଼ିଲା ବିବାଦ । କମିଟିରୁ ବାଦ ପଡ଼ିବା ପରେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ କ୍ଷୋଭ । କହିଲେ- କଂଗ୍ରେସର ଆମେ ଛୋଟ ଏବଂ ଅଯୋଗ୍ୟ ନେତା ହୋଇଥିବାରୁ ଦଳ ଆମକୁ କମିଟିରେ ସ୍ଥାନ ଦେଇନାହିଁ । ଅନ୍ୟପଟେ ତାରା କିନ୍ତୁ କମିଟିର ବାଦ ପଡ଼ିବା ପରେ ଦୁଇ ଦିନ ଅପେକ୍ଷା କରନ୍ତୁ କହି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି । ଏଆଇସିସି ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କମିଟିକୁ ନେଇ କଂଗ୍ରେସ ରାଜନୀତି ଗୋଳିଆ ହୋଇଛି ।

କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟିରୁ ଦଳର ଦୁଇ ହେଭିଓ୍ବେଟ ତଥା ବିଧାୟକ ସୁରେଶ ରାଉତରାୟ ଓ ତାରା ପ୍ରସାଦ ବାହିନୀପତି ବାଦ ପଡ଼ିଛନ୍ତି । ରାଜ୍ୟ ନିର୍ବାଚନ କମିଟିରୁ କଂଗ୍ରେସର ଫାୟାର ବ୍ରାଣ୍ଡ ବିଧାୟକ ବାଦ ପଡ଼ିବା ପରେ ବିଧାୟକ ସୁରେଶ ରାଉତରାୟ କ୍ଷୋଭ ପ୍ରକାଶ କରିଛନ୍ତି । କମିଟିକୁ କଟାକ୍ଷ କରି ସୁର କହିଛନ୍ତି, ଆମେ କଂଗ୍ରେସର ଛୋଟ ଏବଂ ଅଯୋଗ୍ୟ ନେତା, ସେଥିପାଇଁ କମିଟିରେ ଆମକୁ ସ୍ଥାନ ଦିଆଯାଇନାହିଁ । ମତେ ଖୋର୍ଦ୍ଧା ଜିଲ୍ଲା ସଭାପତି ପଦରୁ ହଟାଇ ଦେଲେ ବି ମୋର କିଛି ଖାତିର ନାହିଁ । ଏପରିକି ଦୁଇ ପୁଅକୁ ଯଦି ଦଳ ଟିକେଟ ନମିଳେ ତେବେ ସ୍ବାଧୀନ ଭାବେ  ନିର୍ବାଚନ ଲଢାଇ ଜିତାଇବି ବୋଲି ସୁର ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି । ଅନ୍ୟପଟେ ବିଧାୟକ ତାରା ପ୍ରସାଦ ବାହିନୀପତି କମିଟିରୁ ବାଦ ପଡ଼ିବା ପରେ ବି ମାପିଚୁପି ବୟାନ ରଖିଛନ୍ତି । କାହିଁକି କମିଟିରୁ ବାଦ ପଡ଼ିଲେ ତାହା ଦୁଇଦିନ ପରେ ସଭିଁଏ ଜାଣିବେ ବୋଲି ତାରା କହିଛନ୍ତି । ଯାହାକୁ ନେଇ କଂଗ୍ରେସ ରାଜନୀତି ଉଷ୍ମ ହୋଇଛି ।

କଂଗ୍ରେସରେ ଆଗକୁ ବହୁ ପରିବର୍ତ୍ତନ ଆସିବ ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି । ଏଆଇସିସି ଏବେ ଓଡ଼ିଶା କଂଗ୍ରେସକୁ ଫୋକସ କରିଛି । ପୁଣିଥରେ କଂଗ୍ରେସ ପାଇଁ ୨୦୨୪ ଶେଷ ସୁଯୋଗ କଥାକୁ ଦୋହରାଇଛନ୍ତି ଜୟଦେବ । ଚିରାଚରିତ ବୟାନ ଦେଇ କଂଗ୍ରେସର ନିର୍ବାଚନ କମିଟି ନେଇ ଦଳ ଭିତରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ଏଡ଼ାଇ ଦେଇଛନ୍ତି ଜୟଦେବ ।

୨୦୧୯ ନିର୍ବାଚନରେ ମାତ୍ର ୯ ଜଣ ବିଧାୟକ ପଦରେ କଂଗ୍ରେସ ସୀମିତ ରହିଥିଲା । ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳକୁ ଦଳ ନିଲମ୍ବନ କରିଛି । ଏବେ ସୁରେଶ ରାଉତରାୟଙ୍କୁ ରାଜ୍ୟ କଂଗ୍ରେସରେ ଅଣଦେଖା କରାଯାଉଥିବାରୁ ଦଳର ନେତୃତ୍ବକୁ ନେଇ ଅସନ୍ତୋଷ ନିଆଁ ପୁଣି କୁହୁଳିଛି ।