ପରିକ୍ରମା ଲୋକାର୍ପଣ: ଆଜି ତୋରଣ ଓ ଧ୍ବଜା ସ୍ଥାପନ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଚାଲିଛି ଆଦ୍ୟପୂଜା । ଗତକାଲି ଅଙ୍କୁର ପୂଜନ ସହ ମଣ୍ଡପ ସ୍ଥାପନ କରାଯାଇଥିଲା । ଆଜି ଧ୍ବଜା ଓ ତୋରଣ ସ୍ଥାପନ କରାଯିବ । ଆସନ୍ତାକାଲି ମକର ସଂକ୍ରାନ୍ତିଠାରୁ ଆରମ୍ଭ ହେବ ମହାଯଜ୍ଞ ।

ମହାପ୍ରଭୁଙ୍କ ପରିକ୍ରମା ଲୋକାର୍ପଣକୁ ନେଇ ରଜ୍ୟରୁ ଦେଶ ସବୁଠି ଉତ୍ସବର ମାହୋଲ । ୭ ଶହ ବର୍ଷ ପରେ ପୁରୀଧାମରେ ବିକାଶର ନୂଆ ଅଧ୍ୟା ସୃଷ୍ଟି ହେବାକୁ ଯାଉଛି । ଏହାକୁ ନେଇ ଗାଁଠୁ ସହର ସବୁଠି ଭକ୍ତିମୟ ପରିବେଶ । ରାଜ୍ୟର ପ୍ରତି ଗାଁରେ ବୁଲୁଛି ଜଗନ୍ନାଥ ରଥ । ଜଗା ରଥକୁ ସ୍ବାଗତ କରିବାକୁ ଚିତା ଓ ରଙ୍ଗୋଲୀରେ ସଜେଇ ହୋଇଛି ଗାଁ ରାସ୍ତା । ଦୁଆର ମୁହଁରେ କଳସ ବସାଇ ମାଆମାନେ ଜଗନ୍ନାଥ ରଥକୁ ସ୍ବାଗତ କରିବା ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଓ ଗୁଆ ଅର୍ପଣ କରୁଛନ୍ତି ।

ଏପଟେ ଆସନ୍ତାକାଲିଠାରୁ ମହାଯଜ୍ଞ ଆରମ୍ଭ ହେବାକୁ ଯାଉଛି । ବ୍ରାହ୍ମଣଙ୍କ ମନ୍ତ୍ରଧ୍ବନୀ ସହ ଚାରି ଦ୍ବାରରେ ବେଦପାଠରେ କମ୍ପିବ ଶ୍ରୀମନ୍ଦିର ପ୍ରରିକ୍ରମା ପ୍ରକଳ୍ପ । ଗତକାଲି ୪୮ ଜଣ ଶୋତ୍ରୀୟ ବ୍ରାହ୍ମଣ, ଆଚାର୍ଯ୍ୟ, ରାଜଗୁରୁ ଓ ପଣ୍ଡିତଙ୍କ ଉପସ୍ଥିତିରେ ହୋଇଥିଲା ଅଙ୍କୁର ପୂଜନ ନୀତି । ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିବା ପରେ ପୂଜା କାର୍ଯ୍ୟ ପାଇଁ ୪୮ ଜଣ ଶୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରିଥିଲେ ପ୍ରଧାନ ଆଚାର୍ଯ୍ୟ । ରାଜଗୁରୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆରମ୍ଭ ହୋଇଥିଲା ଯଜ୍ଞ ପାଇଁ ଆଦ୍ୟପୂଜା । ସେପଟେ ଯଜ୍ଞ ପୂର୍ବରୁ ପୁରୀରେ ବଢିବାରେ ଲାଗିଛି ଶ୍ରଦ୍ଧଳୁଙ୍କ ଭିଡ଼ ।