spot_img
Home Blog Page 2557

ପୁରୀରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ

ପୁରୀ: ପୁରୀରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଆଜି ସକାଳୁ ପୁରୀ ଆସି ପ୍ରଥମେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ମାଣକାରୀ ସଂସ୍ଥାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ବରିଷ୍ଠ ଅଧିକାରୀ ମାନେ ବିଭିନ୍ନ ଦ୍ୱାରରେ ଲାଗିବାକୁ ଥିବା ନାମ ଫଳକ ଓ ଭିନ୍ନ ଭିନ୍ନ ରଙ୍ଗର ସାଇନେଜ ବ୍ୟବସ୍ଥା ସମ୍ପର୍କରେ 5T ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ ।

ଶ୍ରୀମନ୍ଦିର ଚାରିପଟେ ସୌନ୍ଦର୍ଯ୍ୟକରଣ ନେଇ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ସ୍ବତନ୍ତ୍ର ଆଲୋକୀକରଣ ନେଇ ନିଆଯାଇଥିବା ପଦକ୍ଷେପ ଉପରେ ମଧ୍ୟ ପାଣ୍ଡିଆନ ଅବଗତ ହୋଇଥିଲେ । ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ କରିଥିଲେ 5T ଅଧ୍ୟକ୍ଷ । ବୈଠକରେ ପ୍ରକଳ୍ପ କାର୍ଯ୍ୟ ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ ।

ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଜିଲ୍ଲାପାଳ, ପୁରୀ ଏସପିଙ୍କ ସମେତ ଉପଜିଲ୍ଲାପାଳ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଦିନକୁ ଦିନ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଶ୍ରୀମନ୍ଦିରରେ ବଢୁଥିବା ବେଳେ, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ କିପରି ହୋଇପାରିବ ତାହା ଉପରେ ମ୍ୟାତନ୍ତ୍ର ମ୍ୟାପ ପ୍ରସ୍ତୁତ କରାଯାଇ ପଦକ୍ଷେପ ନେବାକୁ 5T ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ । ବୈଠକ ଶେଷ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଥିଲେ 5T ଅଧ୍ୟକ୍ଷ ।

ଖଡଗପୁର ନିକଟରେ ଚଳନ୍ତା ବସରେ ଲାଗିଗଲା ନିଆଁ, ପାରାଦୀପ ଆସୁଥିଲା ବସ୍

ଖଡଗପୁର: ଚଳନ୍ତା ବସରେ ଲାଗିଲା ନିଆଁ । କୋଲକାତା ବାବୁଘାଟରୁ ପାରାଦୀପ ଆସୁଥିବା ଯାତ୍ରୀବାହୀ ବସରେ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡରେ କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକର ନୋଳିଆ ଚକରପୁ ଗାଁର ପୁଷ୍ପଲତା ଦାସଙ୍କ ମୃତ୍ୟୁ ହୋଇଛି ।

ଆହତ ହୋଇଥିବା ଯାତ୍ରୀଙ୍କୁ ମେନିଦାପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଗତକାଲି ଶିବମ ବସ ପାରାଦୀପ ଆସୁଥିବା ବେଳେ, ଖଡଗପୁର ନିକଟ ଜାତୀୟ ରାଜପଥରେ ଜଳି ଯାଇଥିଲା । ବସରେ ମୋଟ ୫୮ ଜଣ ଯାତ୍ରୀ ଥିଲେ । ହଠାତ ନିଆଁ ଲାଗିବା ଜାଣିବା ପରେ ଭୟଭୀତ ହୋଇ ପଡିଥିଲେ ଯାତ୍ରୀ । ତେବେ ଧୂଆଁ ସାଙ୍ଗକୁ ଅଣନିଶ୍ବାସୀ ହୋଇପଡିବାରୁ ପୁଷ୍ପଲତାଙ୍କର ମୃତ୍ୟୁ ହୋଇଛି । ବସ ଭିତରେ ବାଣ ଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମା ମାନେ, ମାଣ୍ଡିଆକୁ ପ୍ରୋତ୍ସାହିତ କରିଥିବାରୁ ଦେଲେ ଧନ୍ୟବାଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମିଲେଟ୍ ମାଆ। ପୁଷ୍ଟିଶସ୍ୟ ମାଣ୍ଡିଆକୁ ପ୍ରୋତ୍ସାହନ ଦେଇଥିବାରୁ ଜଣାଇଲେ କୃତଜ୍ଞତା। ଏହି ଅବସରରେ ମାଆମାନଙ୍କ କାମକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ମାଣ୍ଡିଆକୁ ପ୍ରୋତ୍ସାହନ ମିଳିବା ଦ୍ବାରା ଚାଷୀ ଓ ମାଆ ମାନେ ସଶକ୍ତ ହୋଇଛନ୍ତି । ତେଣୁ ଆହୁରି ସକ୍ରିୟ ଭାବରେ କାର୍ଯ୍ୟକ୍ରମରେ ଯୋଡି ହେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଭୁବନେଶ୍ବରରେ ଚାଲିଥିବା ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଯୋଗ ଦେଇଥିବା ମିଶନ ଶକ୍ତିର ୧୫୦ ଜଣ ମିଲେଟ୍‌ ମାଆ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁଷ୍ଟିଶସ୍ୟ ମାଣ୍ଡିଆର ପ୍ରୋତ୍ସାହନ ପାଇଁ କୃତଜ୍ଞତା ଜଣାଇଥିଲେ। ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ, ସରକାରଙ୍କ ପକ୍ଷରୁ ଚାଷୀଙ୍କ ମାଣ୍ଡିଆ ସଂଗ୍ରହ, ମିଲେଟ୍‌ ଶକ୍ତି ଜରିଆରେ ମାଣ୍ଡିଆରୁ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଚାଷୀ ଓ ମହିଳା ମାନେ ସମସ୍ତେ ଉପକୃତ ହେଉଛନ୍ତି ଓ ସେମାନଙ୍କ ରୋଜଗାର ବଢିଛି। ଏହି ସଫଳତା ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିବା କହିଛନ୍ତି ।

ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବନ କଲା ଆଇସିସି

ନୂଆଦିଲ୍ଲୀ: ଶ୍ରୀଲଙ୍କା ହରାଇଲା ଆଇସିସି ସଦସ୍ୟତା। ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବନ କଲା ଆଇସିସି। ଶ୍ରୀଲଙ୍କା ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ଆଇସିସିର ପଦକ୍ଷେପ।

ଆଇସିସି ବୋର୍ଡ ପକ୍ଷରୁ ଆଜି ବିସିଥିବା ଜରୁରୀକାଳିନ ବୈଠକରେ ଶ୍ରୀଲଙ୍କା କ୍ରିକେଟର ସଦସ୍ୟତା ପଦକୁ ରଦ୍ଦ କରିବାକୁ ନିଷ୍ପତ୍ତି ହୋଇଛି। କ୍ରିକେଟ ବୋର୍ଡ ଏକ ସ୍ବୟଂଶାସିତ ସଂସ୍ଥା। ଆଇସିସିର ସ୍ଥାୟୀ ସଦସ୍ୟ ଭାବେ ସବୁ ପ୍ରକାରର ନିୟମ ଉଲ୍ଲଙ୍ଘନ କରିଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ। କାରଣ  କ୍ରିକେଟ ବୋର୍ଡରେ ସରକାର କୌଣସି ହସ୍ତକ୍ଷେପ କରିପାରିବେ ନାହିଁ।

ତେବେ ୧୯୯୨ ମସିହା ପରଠାରୁ ବିଶ୍ୱକପରେ ଶ୍ରୀଲଙ୍କା ସବୁଠୁ ଖରାପ ପ୍ରଦର୍ଶନ କରିଛି। ଚଳିତ ବିଶ୍ୱକପରେ ୯ ମ୍ୟାଚ୍ ମଧ୍ୟରୁ କେବଳ ଦୁଇଟି ଜିତିପାରିଛି ଦଳ।  ପୂର୍ବତନ ଚାମ୍ପିୟନ ଦଳର ଅନେକ ଖେଳାଳି ଆହତ ହୋଇଥିଲା ବେଳେ ଟୁର୍ନାମେଣ୍ଟ ମଝିରେ କ୍ୟାପଟେନଙ୍କୁ ପରିବର୍ତ୍ତନ କରିବାକୁ ପଡିଥିଲା।

ଅଧିକ ପଢନ୍ତୁ- ବିଶ୍ୱକପ ୨୦୨୩ରେ ଶ୍ରୀଲଙ୍କାର ଖରାପ ପ୍ରଦର୍ଶନ ପାଇଁ କ୍ରିକେଟ ବୋର୍ଡ ଭାଙ୍ଗିଦେଲେ ସରକାର

ନିକଟରେ ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂହେ କ୍ରିକେଟ୍ ବୋର୍ଡକୁ ସ୍ଥଗିତ ରଖି ଏକ ମଧ୍ୟବର୍ତ୍ତୀ କମିଟି ଗଠନ କରିଛନ୍ତି, ଯାହା ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କ ନେତୃତ୍ୱରେ, ଯିଏ ୧୯୯୬ ମସିହାରେ ଶ୍ରୀଲଙ୍କାକୁ ବିଶ୍ୱ ଚାମ୍ପିଅନ୍ କରିଥିଲା । ଏହା ବ୍ୟତୀତ ମଧ୍ୟବର୍ତ୍ତୀ କମିଟିରେ ଆହୁରି ୫ ଜଣ ଲୋକ ଅଛନ୍ତି, ଯେଉଁମାନେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ବିଚାରପତି ରହିଛନ୍ତି। ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରୀ ଏହି ମଧ୍ୟବର୍ତ୍ତୀକାଳୀନ କମିଟି ଗଠନ କରିଛନ୍ତି, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର କାର୍ଯ୍ୟର ତଦାରଖ କରିବ ।

ବିଶ୍ୱକପ୍ ୨୦୨୩ ରେ ଶ୍ରୀଲଙ୍କାର ରିପୋର୍ଟ କାର୍ଡ

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ହଠାତ୍ ନିଲମ୍ବିତ ହେବାର ମୁଖ୍ୟ କାରଣ ହେଉଛି ଭାରତରେ ଚାଲିଥିବା ବିଶ୍ୱକପ୍‌ରେ ଦଳର ଖରାପ ପ୍ରଦର୍ଶନ। ଏହି ଆଇସିସି ଟୁର୍ନାମେଣ୍ଟରେ ଶ୍ରୀଲଙ୍କା ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ହୋଇଛି। ଦଳ ଏପର୍ଯ୍ୟନ୍ତ ୭ ଟି ମ୍ୟାଚ୍ ଖେଳିଛି ଯେଉଁଥିରେ ମାତ୍ର ୨ଟି ମ୍ୟାଚ୍ ଜିତିଛି | ଅର୍ଥାତ୍ ସେ ୫ ଟି ମ୍ୟାଚ୍ ହାରିଛନ୍ତି।କେବଳ ଏତିକି ନୁହେଁ, ତାଙ୍କର ନେଟ୍ ରନ୍ ହାର ମଧ୍ୟ ମାଇନସ୍ ରେ ଅଛି | ଏହି ପରିସଂଖ୍ୟାନ ସହିତ ୧୦ଟି ଦଳ ମଧ୍ୟରେ ବିଶ୍ୱକପ୍ କ୍ରିକେଟ୍ ମ୍ୟାଚରେ ଶ୍ରୀଲଙ୍କା ଦଳ ସପ୍ତମ ସ୍ଥାନରେ ରହିଛି | ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କାକୁ ୨ଟି ମ୍ୟାଚ୍ ଖେଳିବାକୁ ପଡିବ, ଗୋଟିଏ ବାଂଲାଦେଶ ଏବଂ ଅନ୍ୟଟି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ । କିନ୍ତୁ ଯଦିଓ ସେମାନେ ଏହି ଦୁଇଟି ମ୍ୟାଚ୍ ଜିତନ୍ତି, ତେବେ ସେମାନେ କେବଳ ମୋଟ ୮ପଏଣ୍ଟ ପାଇପାରିବେ |

ବିକାଶର ନୂଆ ଇତିହାସ ଲେଖୁଛି ‘ଆମ ଓଡିଶା ନବୀନ ଓଡିଶା’

ଭୁବନେଶ୍ୱର: ଗାଁ ଗାଁରେ ବିକାଶର ପଦଧ୍ବନି। ବିକାଶର ନୂଆ ଇତିହାସ ଲେଖୁଛି ଆମ ଓଡିଶା ନବୀନ ଓଡିଶା। କେନ୍ଦୁଝରରୁ ଆରମ୍ଭ ହୋଇଥିବା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ବାଣର ଶବ୍ଦ ଓ ଆଲୋକର ଫୁଆର ମଧ୍ୟରେ ଯାଜପୁରରେ ଉଦ୍‌ଯାପିତ ହୋଇଛି। ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ ସମ୍ପୂର୍ଣ୍ଣ ହୋଇଛି କାର୍ଯ୍ୟକ୍ରମ।

୧ ମାସ ମଧ୍ୟରେ ରେକର୍ଡ ୧୩ ଦିନର କାର୍ଯ୍ୟକ୍ରମରେ ଶେଷ ହୋଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୁଦାୟ ୧୬.୫୦ ଲକ୍ଷ ଲୋକ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ଯୋଜନା ମାଧ୍ୟମରେ ସାରା ରାଜ୍ୟରେ ୩,୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା। ଏହି କ୍ରମରେ ଆଜି ଅନ୍ତିମ ଦିନରେ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ କୋରାପୁଟ, ନୂଆପଡା ଓ ଯାଜପୁର ଜିଲ୍ଲା ସାମିଲ ହୋଇଛି। ତିନି ଜିଲ୍ଲାରେ ମୋଟ୍ ୩୪୧ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯାଜପୁର ପାଇଁ ୧୫୫ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୪ ହଜାର ୧୦୯ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଭେଟି ଦେଇଛନ୍ତି ରାଜ୍ୟ ସରକାର।

ସେହିଭଳି କୋରାପୁଟ ଜିଲ୍ଲାରେ ଗାଁର ବିକାଶ ପାଇଁ ୩ହଜାର ୮୭ଟି ପ୍ରକଳ୍ପ ପାଇଁ ୧୨୦ କୋଟି ଓ ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ୬୫ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ଡିଜିଟାଲ ସଂଯୋଗ ସହିତ ଜଗନ୍ନାଥ ସଂସ୍କୃତିର ସମନ୍ବୟ ସଶକ୍ତ ଓଡିଶାର ମାର୍ଗକୁ ପ୍ରଶସ୍ତ କରିଛି ଆମ ଓଡିଶା ନବୀନ ଓଡିଶା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମସ୍ତଙ୍କ ପାଖରେ ପହଞ୍ଚି ପାରିଛି।

ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ୩ଟି ଜିଲ୍ଲାର ୧୨୫ଟି ଗୁରୁତ୍ବପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୦୮୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଅନେକ ମଠ, ମନ୍ଦିର, ମସ୍‌ଜିଦ୍, ଚର୍ଚ୍ଚ, ଜଳସେଚନ ପ୍ରକଳ୍ପ, ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଶିକ୍ଷାନୁଷ୍ଠାନ, ପର୍ଯ୍ୟଟନ କ୍ଷେତ୍ର, ସେତୁ, ସଡକ ସାମିଲ ହୋଇଥିବା କହିଛନ୍ତି ଫାଇଭ-ଟି ଓ ‘ନବୀନ ଓଡିଶା’ ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ବିଜୁବାବୁଙ୍କ ସ୍ବପ୍ନ ସାକାର କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣ ଚିନ୍ତାଧାରାକୁ କାର୍ଯ୍ୟରେ ପରିଣତ କରିବାରେ ଫାଇଭ-ଟି ଅଧ୍ୟକ୍ଷଙ୍କ ପ୍ରତିବଦ୍ଧତାର ତୁଳନା ନାହିଁ ବୋଲି କହିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ।

ଖୋର୍ଦ୍ଧା ସହରର ୫ ଭେଣ୍ଡିଂ ଜୋନକୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର: ହଟିବ ଅସ୍ଥାୟୀ କ୍ୟାବିନ୍ । ନିର୍ମାଣ ହେବ ଭେଣ୍ଡିଂ ଜୋନ। ଖୋର୍ଦ୍ଧା ସହରରେ ୫ ଭେଣ୍ଡିଂ ଜୋନକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ। ୮କୋଟି ୭୯ଲକ୍ଷ ଟଙ୍କା ବ୍ୟୟରେ ହେବ ୨୬୬ଟି ଦୋକାନ ଘର। ମୁଖ୍ୟମନ୍ତ୍ରୀଙ୍କ ସ୍ବୀକୃତି ପରେ ଏହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଖେଳିଯାଇଛି ଖୁସି । ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅବସରରେ ଜଣାଇଥିଲେ ବ୍ୟବସାୟୀ । ଏବେ ବ୍ୟବସାୟୀଙ୍କ ଦୁଃଖ ଦୂର ହୋଇଛି ।

୫୦ ବର୍ଷ ଧରି ଲାଗି ରହିଥିବା ସମସ୍ୟାର ହେଲା ସମଧାନ। ରହିବ ମୋଟ ୨୬୬ ଦୋକାନ ଗୃହ । ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଫାଇଭ-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି ଖୋର୍ଦ୍ଧା ପୌରାଧ୍ୟକ୍ଷା । ସରକାରଙ୍କ ଏହି ନିଷ୍ପତ୍ତିରେ ସମସ୍ତ ବ୍ୟବସାୟୀ ଖୁସିଥିବା ସେ କହିଛନ୍ତି।

କ୍ୟାବିନ ସହର ଆଖ୍ୟା ପାଇଥିଲା ଐତିହାସିକ ଖୋର୍ଦ୍ଧା ସହର । ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଏହି ନିଷ୍ପତ୍ତି ପରେ ବ୍ୟବସାୟୀଙ୍କ ବହୁ ଦିନର ଚିନ୍ତା ଦୂର ହୋଇଛି। ଭେଣ୍ଡି ଜୋନ ନିର୍ମାଣ ପରେ ଖୋର୍ଦ୍ଧା ପାଇବ ନୂଆ ପରିଚୟ। ଦୀପାବଳି ଅବସରରେ ଏହି ମଞ୍ଜୁରୀ ମିଳିଥିବାରୁ ବ୍ୟବସାୟୀ ଖୁସି ପ୍ରକାଶ କରିଛନ୍ତି । ଖୋର୍ଦ୍ଧା ସହରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବ୍ୟବସାୟୀଙ୍କ ଜୀବନଧାରାରେ ପରିବର୍ତ୍ତନ ଘଟିବ ।

ଦିନକୁ ଦିନ କମୁଛି ମାଟି ଦୀପର ଚାହିଦା, ଚିନ୍ତାରେ କୁମ୍ଭକାର

ରାୟଗଡ଼ା: ଆସୁଛି ଆଲୋକର ପର୍ବ ଦୀପାବଳୀ । ଦୁଇ ପଇସା ରୋଜଗାର କରି ଜୀବିକା ନିର୍ବାହ କରିବାକୁ ମାଟି ଦୀପ କରିବାରେ ଲାଗିପଡିଛନ୍ତି କୁମ୍ଭକାର ପରିବାର । ପିଣ୍ଢାରେ ଲମ୍ବା ଲାଇନରେ ଶୁଖିଛି ଦୀପ। ଦୀପାବଳି ଆସିଲେ ଦୀପ ବିକି ଭଲ ଦୁଇ ପଇସା ରୋଜଗାର ଆଶାଥାଏ। କିନ୍ତୁ ଦିନକୁ ଦିନ ମାଟି ଦୀପର ଚାହିଦା କମୁଥିବାରୁ ଚିନ୍ତାରେ ଲୋକେ। ରାୟଗଡା ସହରକୁ ଲାଗି ରହିଛି କୁମ୍ଭାର ଗାଁ ଓ ଅମଲାଭଟା ଦୁଇଟି କମ୍ଭକାର ଗାଁ । କୌଳିକ ବୃତ୍ତିକୁ ବଞ୍ଚାଇବା ପାଇଁ ମାଟି ଦୀପ ପ୍ରସ୍ତୁତ କରୁଛନ୍ତି ଦୁଇ ଗ୍ରାମବାସୀ ।

ବିଶେଷ କରି ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟର ଖୁଚୁରା ବ୍ୟବସାୟୀ ମାନେ ଚାଇନା ଦୀପ ଆଣି ରାୟଗଡା ବଜାରରେ ଦୀପ ବିକ୍ରି କରୁଛନ୍ତି । ଗତ ବର୍ଷ ଏହି ବ୍ୟବସାୟୀ ମାନେ ଭଲ ଦୁଇ ପଇସା ରୋଜଗାର କରିଥିବା ବେଳେ ଏବେ ରାୟଗଡା ସହରରେ ଚାଇନା ଦୀପ ବ୍ୟବସାୟୀଙ୍କ ଭିଡ଼ ଜମିବାରେ ଲାଗିଛି । ଯୁବପୀଢୀ ଏହି ଦୀପକୁ ଅଧିକରୁ ଅଧିକ କିଣି ନେଉଛନ୍ତି । ଫଳରେ ମାଟି ଦୀପ ବ୍ୟବସାୟୀ ଚିନ୍ତାରେ ।

ଗ୍ରହ ଶାନ୍ତି କରିବା ଆଳରେ ଟଙ୍କା ଓ ସୁନା ନେଇଗଲେ ଭଣ୍ଡ ବାବା

ଭୁବନେଶ୍ୱର: ଗ୍ରହ ଶାନ୍ତି କରିବା ଆଳରେ ନନାଙ୍କ ହାତସଫେଇ। ପାର୍ଲର ଭିତରୁ ଚୋରି କରିନେଲେ ଟଙ୍କା, ଭୋଗ। ସିସିଟିଭିରେ କଏଦ ହେଲା ଭଣ୍ଡଙ୍କ କଳା କାରନାମା। ଏଭଳି ଭଣ୍ଡଙ୍କ ପାଇଁ ବଦନାମ ସାଧୁସନ୍ଥ। ଆପଣ ପୂଜା ପାଇଁ ଘରକୁ ନନାଙ୍କୁ ଡାକୁଛନ୍ତି କି ? ଯଦି ଡାକୁଛନ୍ତି ତେବେ ହୋଇଯାନ୍ତୁ ସାବଧାନ। କାରଣ ଆପଣଙ୍କ ଅନୁପସ୍ଥିତିରେ ଘରୁ ବୁଲିପାରେ କଳାକନା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ଚକେଇସିଆଣିରେ ।

ସୂଚନା ଅନୁଯାୟୀ, ପାର୍ଲର ପୂଜା କରିବାକୁ ଯାଇଥିଲେ ନନା। ପୂଜା କରିବା ଆଳରେ ନନାଙ୍କ ଆଖି ପଡିଥିଲା କିଛି ଟଙ୍କା ଓ ସୁନା ଉପରେ। ଡ୍ର ରୁ ଟଙ୍କା ସୁନା ଲୁଟିବା ପରେ ଭୋଗ ବି ଛାଡିନଥିଲେ। ଆଖି ପିଛୁଳାକେ ସବୁ ଲୁଟି ନେଇଥିଲେ । କିନ୍ତୁ ନନାଙ୍କ କାରନାମା ଧରା ପଡିଯାଇଥିଲା ସିସିଟିଭିରେ। ପୋଲିସ ଘଟଣାର ତଦନ୍ତ କରୁଛି।

ଏଭଳି କିଛି ଭଣ୍ଡଙ୍କ ପାଇଁ ଭକ୍ତିଭାବ ଉପରୁ ବିଶ୍ବାସ ତୁଟିଯାଉଛି। ଲୋକେ ସାଧୁସନ୍ଥଙ୍କୁ ଦଲାଲ ବୋଲି ଭାବୁଛନ୍ତି। ଗତ ଜୁନ ୨୫ ତାରିଖରେ ନନ୍ଦନକାନନ ଥାନା ରଘୁନାଥପୁର ଠାରେ କିଛି ସାଧୁ ପୂଜା କରିବା ନାଁ ରେ ମୁଣ୍ଡରେ ଚନ୍ଦନ ଚିତା, ବେକରେ ରୁଦ୍ରାକ୍ଷ ଗୁଡାଇ ଘରୁ ସୁନା ଟଙ୍କା ଲୁଟି ନେଇଥିଲେ। ଏହାର ଦିନକ ପରେ ସନ୍ଦିଗ୍ଧ ଭାବେ ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ବୁଲୁଥିବା ବେଳେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ।

୧ କେଜିରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ଜବତ କଲା ସ୍ପେଶାଲ କ୍ରାଇମ ୟୁନିଟ

ଡେଲାଙ୍ଗ: ସ୍ପେଶାଲ କ୍ରାଇମ ୟୁନିଟ ହାତରେ କେଜିଏରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର । ଜବତ ହୋଇଛି ୧ କେଜି ୧୨ ଗ୍ରାମ ବ୍ରାଉନସୁଗର । ଅତିରିକ୍ତ ଡିସିପି ସଞ୍ଜୀବ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ଆଣ୍ଟି ନାର୍କୋଟିକ୍ସ ଡ୍ରାଇଭରେ ଡେଲାଙ୍ଗ କୋଠାଗଡ଼ର ନିରଞ୍ଜନ ପାଟ୍ଟଯୋଶୀ ଓ ଡେଲାଙ୍ଗ ଥାନା ରତନପୁରର ପ୍ରଦୀପ୍ତ କୁମାର ସାହୁଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୨ଟି ବାଇକ ମଧ୍ୟ ଜବତ କରାଯାଇଛି ।

ମେ ୧୦ ରେ ଆରମ୍ଭ ହୋଇଥିବା ସ୍ପେଶାଲ କ୍ରାଇମ ୟୁନିଟ ୧ ହଜାର ୪୨୦ ଗ୍ରାମ ବ୍ରାଉନସୁଗାର ଏଯାବତ ଜବତ କରିଛି। ଏହାସହ ୨୩୦ କେଜି ଗଞ୍ଜେଇ ଜବତ କରାଯାଇଛି । ୩ ଟି ଦିଗକୁ ନେଇ ସ୍ପେଶାଲ କ୍ରାଇମ ୟୁନିଟ କାର୍ଯ୍ୟ କରୁଛି। Anti fraud cell, narcotics control ଓ Organized crime ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଯାଉଛି।

ଓଡିଶା ପୋଲିସର କ୍ରାଇମବ୍ରାଞ୍ଚ ଭଳି କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ ମିନି କ୍ରାଇମବ୍ରାଞ୍ଚ ଭଳି କାମ କରୁଥିବା କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀB।

ଧାନ ଫସଲରେ ଚକଡା ପୋକ, ଚିନ୍ତାରେ ଚାଷୀ

ବଲାଙ୍ଗିର: ଚାଷୀଙ୍କୁ ନୟାନ୍ତ କଲାଣି ଚକଡା ପୋକ। କିଛି ଦିନ ତଳେ ଜମିରେ ହସୁଥିଲା ଧାନ ଫସଲ। ସୁନାର ଫସଲକୁ ଦେଖି ଖୁସି ହେଉଥିଲା ଚାଷୀ। ଅମଳ କରି ଖଳାକୁ ନେବ। ଦି ପଇସା ଭଲ ରୋଜଗାର କରିବାର ଲକ୍ଷ୍ୟ ରଖିଥିଲା। ହେଲେ ସ୍ୱପ୍ନ ସବୁ ସ୍ୱପ୍ନରେ ରହିଗଲା। ଧାନ ଫସଲରେ ଚକଡା ଏମିତି ମାଡିଛି ଯେ ଛାଡିବାର ନାଁ ନେଉନି। ବଲାଙ୍ଗିରର ୧୪ଟି ବ୍ଲକର ବିଭିନ୍ନ ଅଞ୍ଚଳରେ ଚକଡ଼ା ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଧାର ଉଧାର କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ।

ଚକଡା ପୋକ ସମସ୍ୟାକୁ ନେଇ ଚାଷୀ କୃଷି ବିଭାଗରେ ଅଭିଯୋଗ ପରେ ବି ନିରାଶ। ଔଷଧ ପ୍ରୟୋଗ ପରେ ବି ଚକଡ଼ା ନିୟନ୍ତ୍ରଣ ହେଉ ନଥିବା ଅଭିଯୋଗ କରିଛନ୍ତି। କୃଷି ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କ୍ଷତିଗ୍ରସ୍ତ ଚାଷୀ ମାନେ ଦାବି କରିଛନ୍ତି। ସେପଟେ କୃଷି ବିଭାଗ ପକ୍ଷରୁ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିବା ସହ ଚକଡା ନିୟନ୍ତ୍ରଣ ପାଇଁ ଚାଷୀଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ।