ବିକାଶର ନୂଆ ଇତିହାସ ଲେଖୁଛି ‘ଆମ ଓଡିଶା ନବୀନ ଓଡିଶା’

1 min read

ଭୁବନେଶ୍ୱର: ଗାଁ ଗାଁରେ ବିକାଶର ପଦଧ୍ବନି। ବିକାଶର ନୂଆ ଇତିହାସ ଲେଖୁଛି ଆମ ଓଡିଶା ନବୀନ ଓଡିଶା। କେନ୍ଦୁଝରରୁ ଆରମ୍ଭ ହୋଇଥିବା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ବାଣର ଶବ୍ଦ ଓ ଆଲୋକର ଫୁଆର ମଧ୍ୟରେ ଯାଜପୁରରେ ଉଦ୍‌ଯାପିତ ହୋଇଛି। ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ ସମ୍ପୂର୍ଣ୍ଣ ହୋଇଛି କାର୍ଯ୍ୟକ୍ରମ।

୧ ମାସ ମଧ୍ୟରେ ରେକର୍ଡ ୧୩ ଦିନର କାର୍ଯ୍ୟକ୍ରମରେ ଶେଷ ହୋଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୁଦାୟ ୧୬.୫୦ ଲକ୍ଷ ଲୋକ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ଯୋଜନା ମାଧ୍ୟମରେ ସାରା ରାଜ୍ୟରେ ୩,୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା। ଏହି କ୍ରମରେ ଆଜି ଅନ୍ତିମ ଦିନରେ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ କୋରାପୁଟ, ନୂଆପଡା ଓ ଯାଜପୁର ଜିଲ୍ଲା ସାମିଲ ହୋଇଛି। ତିନି ଜିଲ୍ଲାରେ ମୋଟ୍ ୩୪୧ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯାଜପୁର ପାଇଁ ୧୫୫ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୪ ହଜାର ୧୦୯ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଭେଟି ଦେଇଛନ୍ତି ରାଜ୍ୟ ସରକାର।

ସେହିଭଳି କୋରାପୁଟ ଜିଲ୍ଲାରେ ଗାଁର ବିକାଶ ପାଇଁ ୩ହଜାର ୮୭ଟି ପ୍ରକଳ୍ପ ପାଇଁ ୧୨୦ କୋଟି ଓ ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ୬୫ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ଡିଜିଟାଲ ସଂଯୋଗ ସହିତ ଜଗନ୍ନାଥ ସଂସ୍କୃତିର ସମନ୍ବୟ ସଶକ୍ତ ଓଡିଶାର ମାର୍ଗକୁ ପ୍ରଶସ୍ତ କରିଛି ଆମ ଓଡିଶା ନବୀନ ଓଡିଶା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମସ୍ତଙ୍କ ପାଖରେ ପହଞ୍ଚି ପାରିଛି।

ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ୩ଟି ଜିଲ୍ଲାର ୧୨୫ଟି ଗୁରୁତ୍ବପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୦୮୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଅନେକ ମଠ, ମନ୍ଦିର, ମସ୍‌ଜିଦ୍, ଚର୍ଚ୍ଚ, ଜଳସେଚନ ପ୍ରକଳ୍ପ, ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଶିକ୍ଷାନୁଷ୍ଠାନ, ପର୍ଯ୍ୟଟନ କ୍ଷେତ୍ର, ସେତୁ, ସଡକ ସାମିଲ ହୋଇଥିବା କହିଛନ୍ତି ଫାଇଭ-ଟି ଓ ‘ନବୀନ ଓଡିଶା’ ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ବିଜୁବାବୁଙ୍କ ସ୍ବପ୍ନ ସାକାର କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣ ଚିନ୍ତାଧାରାକୁ କାର୍ଯ୍ୟରେ ପରିଣତ କରିବାରେ ଫାଇଭ-ଟି ଅଧ୍ୟକ୍ଷଙ୍କ ପ୍ରତିବଦ୍ଧତାର ତୁଳନା ନାହିଁ ବୋଲି କହିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ।